Breaking News

କାସଗଞ୍ଜ ଦଙ୍ଗା ଓ ଚନ୍ଦନ ଗୁପ୍ତା ହତ୍ୟା ମାମଲା: ୨୮ ଜଣଙ୍କୁ ଆଜୀବନ କାରାଦଣ୍ଡ

ବହୁ ଚର୍ଚ୍ଚିତ ୨୦୧୮ କାସଗଞ୍ଜ ତ୍ରିରଙ୍ଗାଯାତ୍ରାରେ ଗୁଳିମାଡ଼ରେ ଚନ୍ଦନ ଗୁପ୍ତାଙ୍କ ମୃତ୍ୟୁ ଓ ପରବର୍ତ୍ତୀ ସାମ୍ପ୍ରଦାୟିକ ଦଙ୍ଗା ମାମଲାରେ ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ୨୮ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ୨୦୧୮ କାସଗଞ୍ଜ ତ୍ରିରଙ୍ଗାଯାତ୍ରାରେ   ଗୁଳିମାଡ଼ରେ ଚନ୍ଦନ ଗୁପ୍ତାଙ୍କ ମୃତ୍ୟୁ ଓ ପରବର୍ତ୍ତୀ ସାମ୍ପ୍ରଦାୟିକ ଦଙ୍ଗା ମାମଲାରେ ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ୨୮ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସଲିମକୁ ଅତିରିକ୍ତ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆଜି, କୋର୍ଟ  ରାୟ ସମ୍ପର୍କରେ ସୂଚନାଦେଇ ସରକାରୀ ଓକିଲ ମନୋଜ ତ୍ରିପାଠୀ କହିଛନ୍ତି, ଏହି ମାମଲାରେ ୩୦ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ନାସିରୁଦ୍ଦିନ୍‌ ଓ ଅସିମ୍‌ କୁରେସିଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହେଇନପାରିବାରୁ କୋର୍ଟ ସେମାନଙ୍କୁ ଖଲାସ କରିଛନ୍ତି।

ହତ୍ୟା, ହତ୍ୟାଉଦ୍ୟମ, ଜାତୀୟ ସମ୍ମାନକୁ ଅପମାନ  ଆଦି ମାମଲାରେ ୨୮ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅଭିଯୁକ୍ତମାନେ ହେଲେ, ସଲିମ୍‌, ୱାସିମ୍‌, ନାସିମ୍‌, ଜାହିଦ୍‌ ଓରଫ ଜାଗ୍ଗା, ଆସିକ୍‌ କୁରେସି ଓରଫ ହିଟଲର, ଅସଲାମ୍‌ କୁରେସି, ଆକ୍ରମ, ତୌଫିକ୍‌, ଖଲିଆନ୍‌, ଶାହବାବ୍‌, ରାହତ, ସଲାମ, ମୋହସିନ୍‌, ଆସିଫ୍‌ ଜିମ୍‌ୱାଲା, ସାକିବ୍‌, ବାବଲୁ, ନିଶୁ, ୱାସିଫ୍‌, ଇମ୍‌ରାନ୍‌, ଶମସାଦ, ଜାଫର, ସାକିର, ଖାଲିଦ୍‌ ପରଭେଜ୍‌, ଫୈଜାନ୍‌, ଇମ୍ରାନ୍‌ କୟାମ୍‌, ସାକିର ସିଦ୍ଦିକି, ମୁନାଜିର୍‌ ରଫି ଓ ଆମିର ରଫି। ଦୋଷୀଙ୍କ ମଧ୍ୟରୁ ମୁନାଜିର୍‌ ରଫି, ୩ ସେପ୍ଟମ୍ବର ୨୦୨୪ରେ କାସଗଞ୍ଜର ଆଇନଜୀବୀ ମୋହିନୀ ତୋମାରଙ୍କ ହତ୍ୟା ମାମଲାରେ ସଂପ୍ରତି ଜେଲ୍‌ରେ ଅଛି।  ଅନ୍ୟ ୨୭ଜଣଙ୍କୁ ଜାମିନ ମିଳିଥିଲା। ଗତକାଲି ୨୬ଜଣ ଆତ୍ମସମର୍ପଣ କରିଥିଲେ ଓ ଆଜି ମୁଖ୍ୟ ଦୋଷୀ ସଲିମ କୋର୍ଟରେ ଆତ୍ମସମର୍ପଣ କରିଛି। ମାମଲାର ଶୁଣାଣିରେ, ସରକାରୀ ପକ୍ଷ ମୋଟ ୧୮ଜଣ ସାକ୍ଷୀଙ୍କୁ ହାଜର କରିଥିଲା। ଅଭିଯୁକ୍ତ ପକ୍ଷ ୨୩ଜଣ ସାକ୍ଷୀଙ୍କୁ ହାଜର କରିଥିଲେ। ସରକାରୀ ପକ୍ଷର ଜଣେ ସାକ୍ଷୀ ସୌରଭ ପାଲ୍‌ ଅନ୍ତିମ ସମୟରେ ନିଜର ବୟାନ ବଦଳାଇ ଦେଇଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଲକ୍ଷ୍ନୌ ଏନ୍‌ଆଇଏ କୋର୍ଟରେ ମାମଲାର ବିଚାର ବିରୋଧରେ ଅଭିଯୁକ୍ତ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ପକ୍ଷର ଏହି ଆବେଦନକୁ ସୁପ୍ରିମ‌କୋର୍ଟ ଖାରଜ କରିବା ସହ ମାମଲାର ବିଚାର କରିବାର ସମ୍ପୂର୍ଣ୍ଣ ଅଧିକାର ଏନ୍‌ଆଇଏ କୋର୍ଟର ରହିଛି ବୋଲି ରାୟ ଦେଇଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.