ଆମେରିକୀୟ ମେକାନିକ୍‌ ୱାଲ୍‌ଟର୍‌ ହଣ୍ଟ୍‌ ହେଉଛନ୍ତି ସେଫ୍‌ଟିପିନ୍‌ର ଉଦ୍ଭାବକ। କୁହାଯାଏ ଥରେ ୱାଲ୍‌ଟର୍‌ ହଣ୍ଟ୍‌ ଅନେକ କରଜରେ ବୁଡ଼ି ରହିଥିଲେ। ସେଇ କରଜକୁ ପରିଶୋଧ କରିବା ଲାଗି ସେ ଅନେକ ଉଦ୍ଭାବନ କରିଥିଲେ। ଆଉ ତା’ ମଧ୍ୟରେ ସେଫ୍‌ଟିପିନ୍‌ ଥିଲା ଅନ୍ୟତମ। ଏହାକୁ ତିଆରି କରି ସେ ଅନୁଭବ କଲେ ଯେ, ଏହା ବହୁତ ଆବଶ୍ୟକ ସାମଗ୍ରୀ, ଏଣୁ ଏହାର ବ୍ୟବସାୟ ବଢ଼ାଇଲେ। କିନ୍ତୁ ପରେ କରଜ ଶୁଝିବା ଲାଗି ତା’କୁ ବିକ୍ରି ବି କରିଦେଲେ। ସେଥିପାଇଁ ସେ ୪୦୦ ଡଲାର ପାଇଥିଲେ।

କୁହାଯାଏ, ତାଙ୍କ ପତ୍ନୀଙ୍କ ଡ୍ରେସ୍‌ର ବଟନ୍‌ ଥରେ ଛିଣ୍ଡି ଯାଇଥିଲା। ସେତେବେଳେ ସେ ଛୋଟିଆ ତାରଖଣ୍ଡକୁ ମୋଡ଼ି ଏକ ଯୋଗାଡ଼ କରିଥିଲେ, ଯାହାକି ବଟନ୍‌ ପରି କାମ କରିଥିଲା। ପରେ ସେ ସେହି ତାରରେ ଅଧିକ ଗବେଷଣା କରି ହାତ ଯେମିତି ଫୋଡ଼ି ନ ହୁଏ ସେଭଳି ଏକ ଡିଜାଇନ୍‌ କରି ଏହି ସେଫ୍‌ଟିପିନ୍‌କୁ ତିଆରି କଲେ। ସେତେବେଳେ ଏହାକୁ ‘ଡ୍ରେସ୍‌ ପିନ୍‌’ କୁହାଯାଉଥିଲା। ସମୟ ବଦଳିଲା। ହେଲେ ଏହାର ଆବଶ୍ୟକତା କମିଲା ନାହିଁ। ଏହା ଆଙ୍ଗୁଠିକୁ ସୁରକ୍ଷା ପ୍ରଦାନ କରୁଥିବାରୁ ପରେ ଏହାକୁ ‘ସେଫ୍‌ଟିପିନ୍‌’କୁହାଗଲା। ଏବେ ବି ଏହାର ମୁଖ୍ୟ କାମ ହେଉଛି ଡ୍ରେସ୍‌ ପିନ୍‌ କରିବା। ଶାଢ଼ି, ସାଲ୍‌ୱାର୍‌ ସହ ଅନ୍ୟ ଆଧୁନିକ ପୋଷାକରେ ବି ଏହାକୁ ବ୍ୟବହାର କରାଯାଉଛି। ଏହାର ଉପଯୋଗିତା କମି ନ ଥିବାରୁ ଆଜି ବି କୌଣସି କମ୍ପାନି ଏହାର ଡିଜାଇନ୍‌ରେ କିଛି ପରିବର୍ତ୍ତନ କରି ନାହାନ୍ତି। କେବଳ କିଛି କମ୍ପାନି ଶାଢ଼ି, ଡ୍ରେସ୍‌ ସହ ମ୍ୟାଚ୍‌ କଲାଭଳି ରଙ୍ଗିନ୍‌୍‌ ସେଫ୍‌ଟିପିନ୍‌ ତିଆରି କରୁଛନ୍ତି।