Breaking News

କିଟ୍‌ରେ ନେପାଳୀ ଛାତ୍ରଙ୍କୁ ନିର୍ଯାତନା ମାମଲା: ପ୍ରତିଷ୍ଠାତା, କୁଳପତି ଓ କୁଳସଚିବଙ୍କୁ ଗିରଫ ଦାବି କଲା ଯୁବ କଂଗ୍ରେସ

କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ଆତ୍ମହତ୍ୟା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ବେଳେ ହଷ୍ଟେଲ ଅନ୍ତେବାସୀଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଯୁବ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ଆତ୍ମହତ୍ୟା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ବେଳେ ହଷ୍ଟେଲ ଅନ୍ତେବାସୀଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଯୁବ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ କୁଳପତି ଓ କୁଳସଚିବଙ୍କୁ ଗିରଫ ପାଇଁ ଯୁବ କଂଗ୍ରେସ ଦୃଢ଼ ଦାବି କରିଛି। ଏକ ପ୍ରତିନିଧି ଦଳ ଆଜି ଡିସିପି ପିନାକ ମିଶ୍ରଙ୍କୁ ଭେଟି ଏହି ଦାବି କରିଛନ୍ତି। ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମୃତ ଛାତ୍ରୀଜଣଙ୍କ ନିର୍ଯାତନାର ଶିକାର ହୋଇଥିବା ନେଇ ବାରମ୍ବାର ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ କର୍ତ୍ତୃପକ୍ଷ ଏହାକୁ ଅତି ହାଲୁକା ଭାବେ ନେଇଥିଲେ। ଯେଉଁଥିପାଇଁ ଜଣେ ନିରୀହ ଛାତ୍ରୀଙ୍କ ଜୀବନ ଚାଲିଗଲା। ଛାତ୍ରୀଙ୍କ ମୃତ୍ୟୁ ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ବାଭାବିକ କଥା। କିନ୍ତୁ କିଟ୍‌ କର୍ତ୍ତୃପକ୍ଷ ପରିସ୍ଥିତିକୁ ଠିକ ଭାବରେ ପରିଚାଳନା ନକରି ଛାତ୍ରଛାତ୍ରୀନଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ।

ଏହି ଅଭାବନୀୟ ଘଟଣା ପଛରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ହାତ ରହିଛି। ତାଙ୍କ ନିର୍ଦ୍ଦେଶରେ ସବୁ କିଛି ହୋଇଛି। ତେଣୁ ଶ୍ରୀ ସାମନ୍ତଙ୍କ ସମେତ କୁଳପତି ଓ କୁଳସଚିବଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟ ସାରା ଆନ୍ଦୋଳନ କରାଯିବ ବୋଲି ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଯୁବ କଂଗ୍ରେସ ନେତା ରଣଜିତ୍‌ ପାତ୍ରଙ୍କ ନେତୃତ୍ବରେ ୟାସିର ନୱାଜ, ସୁଦୀପ ସାମଲ, ମନୋଜ ବିଶ୍ବାଳ, ନିହାର ରଞ୍ଜନ ବେହେରା, ମହମ୍ମଦ ଗୁଲଫାମ, ଗୋପନ ମାର୍ଥା, ମହମ୍ମଦ ପର୍‌ଭେଜ, ସ୍ୱାଗତ କର, ସତ୍ୟଜିତ ପଟ୍ଟନାୟକ, କେଦାର ଦଳାଇ, ସ୍ପନ୍ଦନ ସ୍ୱାଇଁ, ଶ୍ରୀୟାସିତା ପଣ୍ଡା, ଶିଳ୍ପଶ୍ରୀ ହରିଚନ୍ଦନ, ସୌମ୍ୟ ବରାଳ, ରାଜେଶ ଦାଶ, ବଳରାମ ନାୟକ, ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ମାନବାଧିକାର କମିସନ୍‌ରେ ମାମଲା
କଟକ: କିଟରେ ନେପାଳି ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଶିବଶଙ୍କର ମହାନ୍ତି ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଫେରାଦ ହୋଇଛନ୍ତି। କିଟ୍‌ର ଆସୋସିଏଟ୍ ପ୍ରଫେସର ମଞ୍ଜୁଷା ପାଣ୍ଡେ ଓ ଗାର୍ଲସ ହଷ୍ଟେଲର ଯୁଗ୍ମ ନିର୍ଦ୍ଦେଶିକା ଜୟନ୍ତୀ ନାଥ ନେପାଳରୁ ଆସିଥିବା ଛାତ୍ରଛାତ୍ରୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହି ଘଟଣାକୁ ନେଇ ନେପାଳୀ ଛାତ୍ରଛାତ୍ରୀଙ୍କ ଭିତରେ ଏକ ପ୍ରକାର ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ଏହା ଭାରତ ନେପାଳ ମଧ୍ୟରେ ଘୃଣା ଭାବ ସୃଷ୍ଟି କରୁଛି। ଏହି ଦୁଇ ଜଣଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି କିମ୍ବା ପ୍ରସ୍ତାବ ଦିଆଯାଇଛି, ସେ ସମ୍ପର୍କରେ ରିପୋର୍ଟ ତଲବ କରାଯାଉ ବୋଲି ଶ୍ରୀ ମହାନ୍ତି ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ସ୍ଥିତି ଦାଖଲ କରିବାକୁ ମଧ୍ୟ ଆବେଦନ କରିଛନ୍ତି। ଏହା ସହିତ ବିଦେଶର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ ଶିକ୍ଷାଗତ ସ୍ବାର୍ଥର ସୁରକ୍ଷା ସମ୍ପର୍କରେ କିଟ୍ କି ପ୍ରକାର ପଦକ୍ଷେପ ନେଇଛି ଏ ସମ୍ପର୍କରେ ତଥ୍ୟ ରଖିବାକୁ ଶ୍ରୀ ମହାନ୍ତି ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି।

ଶ୍ରୀବାସ୍ତବର ହେଲା ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ, ଡିଜିଟାଲ୍‌ ଏଭିଡେନ୍‌ସର ହେବ ଯାଞ୍ଚ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇ ୩ଦିନିଆ ରିମାଣ୍ଡରେ ଆସିଥିବା ପ୍ରେମିକ ଆଦବିକ୍ ଶ୍ରୀବାସ୍ତବର ଆଜି ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ପରୀକ୍ଷା କରାଯାଇଛି। ରାଜ୍ୟ ଫୋରେନ୍‌ସିକ୍‌ ଲାବେରୋଟୋରିରେ ହାଜର ହେବା ପରେ ବିଶେଷଜ୍ଞ ଟିମ୍‌ ଏହି ପରୀକ୍ଷା କରିଛନ୍ତି। ୨ ଘଣ୍ଟା କାଳ ପରୀକ୍ଷା ପରେ ପୁଲିସ ତାକୁ ହେପାଜତକୁ ନେଇଛି। ପ୍ରେମିକା ପ୍ରକୃତିଙ୍କୁ ଆଦ୍‌ବିକ୍‌ ଧମକଚମକ ସହ ନିର୍ଯାତନା କଥା କିଛି ଛାତ୍ର ଅଭଯୋଗ ଆଣିଥିଲେ। ଏହାଛଡ଼ା ସେ ଫୋନ୍‌ରେ ପ୍ରକୃତିଙ୍କୁ ଧମକ ଦେଉଥିବା ଅଡିଓ ଭାଇରାଲ୍‌ ହୋଇଥିଲା। ପୁଲିସ ଏ ସମ୍ପର୍କରେ ଆଦ୍‌ବିକ୍‌କୁ ପଚରା ଉଚରା କରିଥିଲେ ମଧ୍ୟ ସେ ସ୍ବୀକାର ନକରିବାରୁ ପୁଲିସ ଅଡ଼ୁଆରେ ପଡ଼ିଥିଲା। ତେଣୁ ଭାଇରାଲ୍‌ ହୋଇଥିବା ଅଡିଓ ପ୍ରକୃତରେ ତାଙ୍କର କି ନୁହେଁ ତାହା ସ୍ପଷ୍ଟ କରିବା ପାଇଁ ପୁଲିସ ଏହି ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ପରୀକ୍ଷା କରିବାକୁ କୋର୍ଟରେ ଆବେଦନ କରିଥିଲା। ଏହାଛଡ଼ା ତା’ଠାରୁ ମିଳିଥିବା ମୋବାଇଲ, ଲ୍ୟାପ୍‌ଟପ୍‌ ଭଳି ଡିଜିଟାଲ୍‌ ପ୍ରମାଣକୁ ମଧ୍ୟ ଫୋରେନ୍‌ସିକ୍‌ ଲାବେରୋଟୋରିକୁ ପଠାଯାଇଛି। ସମସ୍ତ ସୋସିଆଲ୍‌ ମିଡିଆ ଚାଟ୍‌ର ମଧ୍ୟ ଯାଞ୍ଚ କରାଯିବ ବୋଲି ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଏମ୍‌ସରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅନେକ ରହସ୍ୟ ଉପରୁ ପରଦା ହଟିବ ବୋଲି ଶ୍ରୀ ସିଂ କହିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.