Breaking News

କିଟ୍‌ ଛାତ୍ରୀ ଆତ୍ମହତ୍ୟା ମାମଲା: ମାଡ଼ ମାରିଥିବା ୫ କର୍ମଚାରୀ ଗିରଫ

କିଟ୍‌ ବିଶ୍ୱବିଦ୍ୟାଳୟର ନେପାଳ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ଆତ୍ମହତ୍ୟା ଘଟଣାରୁ କ୍ୟାମ୍ପସ୍‌ରେ ସୃଷ୍ଟି ହୋଇଥିବା ଛାତ୍ର ଅଶାନ୍ତି ଥମିନାହିଁ। ସାଇନ୍‌-ଏ-ଡାଏ ଉଠିବା ପରେ ଛାତ୍ରାବାସକୁ ପିଲାମାନେ ଫେରିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି।

ଚନ୍ଦ୍ରଶେଖରପୁର: କିଟ୍‌ ବିଶ୍ୱବିଦ୍ୟାଳୟର ନେପାଳ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ଆତ୍ମହତ୍ୟା ଘଟଣାରୁ କ୍ୟାମ୍ପସ୍‌ରେ ସୃଷ୍ଟି ହୋଇଥିବା ଛାତ୍ର ଅଶାନ୍ତି ଥମିନାହିଁ। ସାଇନ୍‌-ଏ-ଡାଏ ଉଠିବା ପରେ ଛାତ୍ରାବାସକୁ ପିଲାମାନେ ଫେରିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ଆନ୍ଦୋଳନରତ ଛାତ୍ରମାନଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିବା ଅଭିଯୋଗରେ ଆଜି ଇନ୍‌ଫୋସିଟି ଥାନା ପୁଲିସ ୫ କର୍ମଚାରୀଙ୍କୁ ଗିରଫ କରିଛି। ସେହିଭଳି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ୩ଜଣଙ୍କୁ ନିଲମ୍ବନ କରିଛନ୍ତି। ତଥାପି ଛାତ୍ର ଅଶାନ୍ତି ଲାଗିରହିଛି। ଆଜି କୌଣସି ପ୍ରକାର ଗଣ୍ଡଗୋଳ ହୋଇନାହିଁ, କିନ୍ତୁ ଛାତ୍ରଛାତ୍ରୀମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି। ଆଜି ସନ୍ଧ୍ୟାରେ ମୃତା ପ୍ରକୃତିଙ୍କ ପାଇଁ ଏକ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରାଯାଇଥିଲା। ଛାତ୍ରଛାତ୍ରୀମାନେ କ୍ୟାଣ୍ଡେଲ୍‌ ଧରି ଇନ୍‌ଫୋସିଟି ଥାନା ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ।

କିଟ୍‌ ପରିସରରେ ପିଲାମାନଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ବିଶ୍ବବିଦ୍ୟାଳୟରେ ଖୋଦ୍‌ କର୍ମଚାରୀମାନେ ଧାରଣାରତ ପିଲାମାନଙ୍କୁ ମାଡ଼ ମାରିବା ଘଟଣାକୁ ନିନ୍ଦା କରାଯାଇଛି। ଗତକାଲି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେଣୁ ସବୁ ମହଲରୁ ଚାପ ପଡ଼ିବା ପରେ ଆଜି ଉଭୟ ପୁଲିସ ଓ କିଟ୍‌ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି ଗିରଫ ହୋଇଥିବା ସୁରକ୍ଷାକର୍ମୀମାନେ ହେଲେ ଖୋର୍ଦ୍ଧା ନନ୍ଦପୁରର ରମାକାନ୍ତ ନାୟକ ଓ ଚନ୍ଦକା ଦାରୁଠେଙ୍ଗର ଯୋଗେନ୍ଦ୍ର ବେହେରା। ସେହିଭଳି ଧାରଣାରତ ଛାତ୍ରମାନଙ୍କୁ ଗାଳିଗୁଲଜ କରିଥିବା ଓ ସୁରକ୍ଷାକର୍ମୀଙ୍କୁ ଲଗାଇ ଦୁର୍ବବ୍ୟବହାର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ବିଶ୍ବବିଦ୍ୟାଳୟ କର୍ମଚାରୀ ହେଲେ ଜେନେରାଲ୍‌ ଏଚ୍‌ଆର୍‌ ଶିବାନନ୍ଦ ମିଶ୍ର, ଡାଇରେକ୍ଟର ଆଡ୍‌ମିନ୍‌ ପିକେ ଚମ୍ପତି ଓ ଛାତ୍ରାବାସର ଡାଇରେକ୍ଟର ସୁଧୀର କୁମାର ରଥ। ସେହିଭଳି କର୍ତ୍ତୃପକ୍ଷ ହଷ୍ଟେଲ୍‌ର ଦୁଇ ମହିଳା ୱାର୍ଡେନ୍‌ ମଞ୍ଜୁଷା ପାଣ୍ଡେ, ଜୟନ୍ତୀ ନାଥଙ୍କ ସମେତ ଜଣେ ଇଣ୍ଟରନ୍ୟାସନାଲ୍‌ ଲିଆସନିଂ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

ଥମିନି ଛାତ୍ର ଅଶାନ୍ତି
୩ ନିଲମ୍ବିତ, ଛାତ୍ରାବାସକୁ ପିଲା ଫେରିଛନ୍ତି     

ଆଜି ନେପାଳ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ବାପା ସୁନୀଲ ଲାମ୍‌ସାଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ଝିଅର ମୃତ୍ୟୁ ପାଇଁ ଯିଏ ଦାୟୀ, ତାକୁ ଉପଯୁକ୍ତ ଦଣ୍ଡ ମିଳିବା ଉଚିତ ବୋଲି ବାପା ଦାବି କରିଛନ୍ତି। ରାଜ୍ୟ ସରକାର ଓ ଭୁବନେଶ୍ବର ପୁଲିସ ପ୍ରଶାସନ ଉପରେ ତାଙ୍କର ପୂର୍ଣ୍ଣ ଭରସା ବିଶ୍ବାସ ରହିଛି ଏବଂ ଦୋଷୀକୁ ଠିକ୍‌ ଦଣ୍ଡ ମିଳିବ ବୋଲି ସେ ଆଶାବାଦୀ ଥିବା କହିଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାଙ୍କ ଝିଅର ମୃତ୍ୟୁ ହେଲା ଏବଂ ଭବିଷ୍ୟତରେ ଏମିତି ଅଘଟଣ ଆଉ ନ ଘଟୁ ବୋଲି ସେ କହିଥିଲେ। ଏଣେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବା ପାଇଁ ଆସି ଭାରତରେ ଅବସ୍ଥାପିତ ନେପାଳ ଦୂତାବାସର ଦୁଇ ଜଣିଆ ଟିମ୍‌ କିଟ୍‌ କ୍ୟାମ୍ପସରେ ପହଞ୍ଚିଥିଲେ। ସେମାନେ କିଟ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଅତିରିକ୍ତ ରେଜିଷ୍ଟ୍ରାର୍‌ ଶ୍ୟାମସୁନ୍ଦର ବେଉରା କହିଛନ୍ତି, ଘଟଣା ଅତ୍ୟନ୍ତ ଦୁଖଃଦ। ସାଇନ୍‌-ଏ-ଡାଏ ପ୍ରତ୍ୟାହାର ହେବା ପରେ ବହୁ ପିଲା କ୍ୟାମ୍ପସ୍‌କୁ ଫେରିଛନ୍ତି। କିଛି ପିଲା ଘରକୁ ଚାଲିଯାଇଛନ୍ତି। ତୁରନ୍ତ ଫେରିଆସିବାକୁ ନିବେଦନ କରାଯାଇଛି। ଯେଉଁମାନେ ଛାତ୍ରାବାସରେ ପଶି ପିଲାଙ୍କୁ ମାଡ଼ମାରିଥିଲେ, ସେମାନଙ୍କୁ ନିଲମ୍ବନ କରାଯିବା ସହ ଆଇନଗତ କାର୍ଯାନୁଷ୍ଠାନ ନିଆଯାଇଛି ବୋଲି ଶ୍ରୀ ବେଉରା କହିଛନ୍ତି।

ଆଜି କ୍ୟାମ୍ପସ୍‌ ବାହାରେ ବିଭିନ୍ନ ସଂଗଠନ ଧାରଣା ଦେଇଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ କିଟ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ବଜରଙ୍ଗ ଦଳର ପ୍ରଭାତ ଭୂଷଣ ତ୍ରିପାଠୀଙ୍କ ନେତୃତ୍ବରେ ଅନୁଷ୍ଠିତ ଆନ୍ଦୋଳନରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ନବ ନିର୍ମାଣ କୃଷକ ଛାତ୍ର ସଂଗଠନର ମହମ୍ମଦ ଅଲ୍ଲୀଙ୍କ ନେତୃତ୍ବରେ ନାରାବାଜି କରାଯାଇଥିଲା। ସେହିଭଳି ଏସ୍‌ଏଫ୍‌ଆଇ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା, ରାକ୍ଷୀ ସ୍ବାଇଁ, ମାନସ ଦଳବେହେରା ପ୍ରମୁଖ ଏହି ଦାବି କରିଛନ୍ତି। ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ସଂଘମିତ୍ର ଜେନା ଓ ଅନ୍ୟ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କାହ୍ନୁଚରଣ ପରିଡ଼ା ପ୍ରେସ୍ ରିଲିଜ୍ ଜରିଆରେ କିଟ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.