କୁଂଗ୍ଫୁ ମାଷ୍ଟର
ଭାରତୀୟ ଉଦ୍ୟୋଗପତିମାନେ ଦେଶ ବା ବିଦେଶରେ ଅଧିକ ପୁଞ୍ଜି ନିବେଶ କରି ସେମାନଙ୍କ ବ୍ୟବସାୟରେ ବୃଦ୍ଧି ଘଟାଇବା ବା ବିଦେଶୀ ଉଦ୍ୟୋଗ ସହିତ ପ୍ରତିଦ୍ବନ୍ଦ୍ବିତା କରିବା ବା ସେମାନଙ୍କୁ ଅକ୍ତିଆର କରିବାରେ ଆଗ୍ରହ ପ୍ରଦର୍ଶନ କରି ନାହାନ୍ତି....
ଭାରତୀୟ ଉଦ୍ୟୋଗପତିମାନେ ଦେଶ ବା ବିଦେଶରେ ଅଧିକ ପୁଞ୍ଜି ନିବେଶ କରି ସେମାନଙ୍କ ବ୍ୟବସାୟରେ ବୃଦ୍ଧି ଘଟାଇବା ବା ବିଦେଶୀ ଉଦ୍ୟୋଗ ସହିତ ପ୍ରତିଦ୍ବନ୍ଦ୍ବିତା କରିବା ବା ସେମାନଙ୍କୁ ଅକ୍ତିଆର କରିବାରେ ଆଗ୍ରହ ପ୍ରଦର୍ଶନ କରି ନାହାନ୍ତି; ବରଂ ସରକାରଙ୍କଠାରୁ ପ୍ରାପ୍ତ ଟିକସ ସୁରକ୍ଷା କାରଣରୁ ଅତ୍ୟନ୍ତ ସନ୍ତୁଷ୍ଟ ଅଛନ୍ତି। ସୁତରାଂ, ଟ୍ରମ୍ପଙ୍କ ଟିକସ ଯୁଦ୍ଧ ଦ୍ବାରା ପୁନର୍ବାର ସେମାନଙ୍କ ଲାଗି ଏକ ଅସ୍ତିତ୍ବ ସଂକଟର ସ୍ଥିତି ସୃଷ୍ଟି ହେଲାଣି, ଯାହା ଏକ ନୂତନ ଓ କଠିନ ଆହ୍ବାନ ହେବା ସୁନିଶ୍ଚିତ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଉତ୍ତମ ମିତ୍ର ଭାବେ ସର୍ବ ସମକ୍ଷରେ ଅଭିହିତ କରି ସେହି ଏକା ନିଃଶ୍ବାସର ଗୋଟିଏ ବାକ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ‘ଟାରିଫ ୱାର’ (ଟିକସ ଯୁଦ୍ଧ)ର ଘୋଷଣା କରିଦେବା ସର୍ବତ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହାର ଅର୍ଥ ଆସନ୍ତା ୯ ତାରିଖରୁ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ଦ୍ରବ୍ୟ ଉପରେ ଏକ ଉଚ୍ଚ ୨୭% ଟିକସ ଲାଗିବ, ଯଦ୍ଦ୍ବାରା ଆମେରିକା ବଜାରରେ ଭାରତ ନିର୍ମିତ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଘଟିବ ଏବଂ ସ୍ବାଭାବିକ ଭାବେ ସେଠାରେ ଗ୍ରାହକୀୟ ଆକର୍ଷଣ ହରାଇବ। ଏଥିରେ ଦ୍ବିରୁକ୍ତି ନାହିଁ ଯେ କମ୍ ଆମଦାନି ଟିକସ ହେତୁ ବିଦେଶରୁ ଆମେରିକା ଆସୁଥିବା ଦ୍ରବ୍ୟମାନ ସେଠାରେ ଶସ୍ତାରେ ଉପଲବ୍ଧ ହୋଇ ସେଠାକାର ବଜାରର ଏକ ବୃହଦାଂଶ ଅକ୍ତିଆର କରି ବସିବା ସହିତ ନିଜ ନିଜ ଦେଶର ଉଚ୍ଚ ଆମଦାନି ଟିକସ କାରଣରୁ ସେଠାରେ ମଧ୍ୟ ଆମେରିକା ନିର୍ମିତ ଦ୍ରବ୍ୟକୁ ବଜାରର ପ୍ରତିଦ୍ବନ୍ଦ୍ବିତାରେ ପଛରେ ପକାଇ ଦେଉଥିବା ଭଳି ଘଟଣା ଟ୍ରମ୍ପଙ୍କୁ ବିଚଳିତ କରିଛି। କହିବା ବାହୁଲ୍ୟ ଯେ ଆମେରିକାର ରକ୍ତ ଶୋଷି ଅନ୍ୟ ସମସ୍ତ ରାଷ୍ଟ୍ର ପରିପୁଷ୍ଟ ହେବା ଭଳି ଘଟଣା ତାଙ୍କ ସକାଶେ ଆଦୌ ବରଦାସ୍ତଯୋଗ୍ୟ ହୋଇ ନ ଥାଏ। ଆମେରିକା ପୃଥିବୀର ସର୍ବାଧିକ ଆମଦାନିକାରୀ ରାଷ୍ଟ୍ର ହୋଇଥିବାରୁ ଟ୍ରମ୍ପଙ୍କ ଟିକସ ଆକ୍ରମଣ ପରେ ପୃଥିବୀର ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ଏହା ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କାରେ ଉଦ୍ବିଗ୍ନ, ଯହିଁରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ। ଏଭଳି ସ୍ଥଳେ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ କ’ଣ ରହିବ, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ଦେଖିବାକୁ ମିଳୁଛି ଯେ ଜଣେ ତଥାକଥିତ ମିତ୍ର ଦ୍ବାରା ଏଭଳି ପରାଭବର ଶିକାର ହୋଇଥିବା ହେତୁ ପ୍ରଧାନମନ୍ତ୍ରୀ ମୋଦୀ ମୃଦୁ ବିଦ୍ରୂପର ଶରବ୍ୟ ମଧ୍ୟ ହେଉଛନ୍ତି, ଯାହା ସଂପୂର୍ଣ୍ଣ ଅଯଥାର୍ଥ; କାରଣ ଆମେରିକାର ଏହି ‘ଟିକସ ଆକ୍ରମଣ’ର ଶିକାର ହୋଇଛନ୍ତି ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ର, ଯହିଁରେ ପୁରୁଣା ଓ ଘନିଷ୍ଠତମ ମିତ୍ର ରାଷ୍ଟ୍ରଙ୍କଠାରୁ ଆରମ୍ଭ କରି ମାକଡୋନାଲ୍ଡ ଭଳି ଜନମାନବ-ଶୂନ୍ୟ ଦ୍ବୀପ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ; ୧୦ ଲକ୍ଷ ପେଙ୍ଗୁଇନ ଅଥଚ ୩ ହଜାର ଜନସଂଖ୍ୟା ବିଶିଷ୍ଟ ଫକ୍ଲାଣ୍ଡ ଭଳି ଦ୍ବୀପ ଉପରେ ମଧ୍ୟ ୧୦% ଟିକସ ଲାଗିଛି, ଯାହା ରପ୍ତାନିକାରୀ ଦେଶଙ୍କ ତାଲିକାରେ ୧୭୩ତମ ସ୍ଥାନରେ ବିଦ୍ୟମାନ। ସୁତରାଂ, ଟ୍ରମ୍ପଙ୍କ ଦୃଷ୍ଟିରେ ପୃଥିବୀ ଗୋଟିଏ ସମତଳରେ ପରିଣତ ହୋଇଛି।
ଏବେ ଭାରତ ଓ ଆମେରିକା ମଧ୍ୟରେ ହେଉଥିବା ବାଣିଜ୍ୟ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ୨୦୨୪ ମସିହାରେ ଉଭୟ ଦେଶ ମଧ୍ୟରେ ହୋଇଥିବା ବ୍ୟବସାୟର ପରିମାଣ ଥିଲା ଏକ ବିଶାଳ ୧୨୫ ବିଲିଅନ (୧ ବିଲିଅନ ହେଉଛି ୧୦୦ କୋଟି) ଡଲାର, ଯାହା ଭାରତର ଜି.ଡି.ପି. ବା ଜାତୀୟ ଆୟର ପ୍ରାୟ ୧ ପ୍ରତିଶତ। ଏଥିରେ ଭାରତ ଦ୍ବାରା ଆମେରିକାକୁ ରପ୍ତାନିର ପରିମାଣ ଥିଲା ୮୧ ବିଲିଅନ ଡଲାର ଏବଂ ଆମେରିକାରୁ ଆମଦାନିର ପରିମାଣ ଥିଲା ୪୪ ବିଲିଅନ ଡଲାର, ଅର୍ଥାତ୍ ଅାମଦାନିର ବ୍ୟୟଠାରୁ ରପ୍ତାନିରୁ ଆୟ ୩୭ ବିଲିଅନ ଡଲାର ଅଧିକ। ଏଭଳି ସ୍ଥଳେ ଉଚ୍ଚା ଆମଦାନି ଟିକସ ହେତୁ ଭାରତରୁ ରପ୍ତାନି ହ୍ରାସ ପାଇଲେ ଦେଶର ଆୟରେ ସଂକୋଚନ ଘଟିବ, ପରିଣାମ ସ୍ବରୂପ ଆମେରିକାକୁ ଅଧିକ ରପ୍ତାନି ହେଉଥିବା ଦ୍ରବ୍ୟ, ଯେମିତି କି ମୋଟର ଗାଡ଼ି ଯନ୍ତ୍ରାଂଶ, ଅଳଙ୍କାର ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ ନିର୍ମାଣକାରୀ ଉଦ୍ୟୋଗ ରୁଗ୍ଣ ହେବା ସହିତ ନିଯୁକ୍ତିହୀନତା ଭଳି ସଙ୍କଟ ସୃଷ୍ଟି କରିପାରେ। ତେବେ, ଏଭଳି ସ୍ଥଳେ ଚୀନ ବା ଭିଏତନାମ ବା ବାଂଲାଦେଶ ବା ଶ୍ରୀଲଙ୍କାକୁ ଦେଖି ଭାରତ ସମାନ୍ୟ ପ୍ରବୋଧନା ପାଇପାରେ, କାରଣ ସେ ସବୁ ଦେଶ ଲାଗି ଟିକସ ବୃଦ୍ଧିର ପରିମାଣ ହେଉଛି ଯଥାକ୍ରମେ ୫୪%, ୪୬%, ୩୭%, ଏବଂ ୪୪ ପ୍ରତିଶତ। ଏଭଳି ସ୍ଥିତିରେ ଭାରତ ଲାଗି ସାମାନ୍ୟ ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ; ଯେମିତି ତାଇୱାନ ଉପରେ ଲାଗୁ ୩୨% ଟିକସ କାରଣରୁ ଯଦି ‘େସମିକଣ୍ଡକ୍ଟର’ ଯୋଗାଣର ଏହି ମୁଖ୍ୟ ସ୍ରୋତ କ୍ଷୀଣ ହୁଏ, ତେେବ ସେହି ନିଅଣ୍ଟ ଭରଣା କରିବା ଭାରତ ଲାଗି ଏକ ସୁଯୋଗରେ ରୂପାନ୍ତରିତ ହୋଇପାରେ! ତେବେ, ବଡ଼ ପ୍ରଶ୍ନ ହେଲା ସହସା ଉପସ୍ଥିତ ଏଭଳି ସୁଯୋଗର ସଦ୍ବ୍ୟବହାର କରିବାକୁ ଭାରତ ପ୍ରସ୍ତୁତ କି?
ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧିର ଇତିହାସରେ ଚମକପ୍ରଦ ସମୟଟି ଥିଲା ୧୯୯୧ ମସିହା, ଯେତେବେଳେ ଭାରତର ଅକଳ୍ପନୀୟ ଭାବେ ବିଶାଳ ବଜାର ପୃଥିବୀ ଲାଗି ଉନ୍ମୁକ୍ତ ହୋଇଗଲା। ସହସା ବିଶ୍ବସ୍ତରୀୟ ପ୍ରତିଦ୍ବନ୍ଦ୍ବିତାକୁ ସମ୍ମୁଖରେ ଦେଖି ଭୂଲୁଣ୍ଠିତ ହୋଇଯିବା ଭୟରେ ଭାରତୀୟ ଉଦ୍ୟୋଗଗୁଡ଼ିକ ଉଦ୍ବିଗ୍ନ ହୋଇ ଉଠିବା ଥିଲା ଅତ୍ୟନ୍ତ ସ୍ବାଭାବିକ। କାରଣ ସେ ଯାବତ୍ ସେମାନେ ସରକାରୀ ସୁରକ୍ଷାର ଆରାମପ୍ରଦ ବାତାବରଣରେ ଆମୋଦିତ ଥିଲେ। ଆର୍ଥିକ ଉଦାରୀକରଣ ପରେ ଦେଖାଗଲା ଯେ ତତ୍କାଳୀନ ଷ୍ଟକ୍ ଏକ୍ସଚେଞ୍ଜରେ ପଂଜୀକୃତ ୩୦ଟି ବୃହତ୍ ଉଦ୍ୟୋଗ ମଧ୍ୟରୁ ଅନ୍ତତଃ ୧୦ରୁ ଅଧିକ ଅସ୍ତମିତ ହୋଇଗଲେ, ଯେମିତି ହିନ୍ଦୁସ୍ଥାନ ମୋଟର୍ସ, ପ୍ରିମିଅର ଅଟୋମୋବାଇଲ୍ସ, ଏସକର୍ଟସ, ଏଚ.ଏମ.ଟି. ଇତ୍ୟାଦି; କିନ୍ତୁ ଅପର ଦିଗରେ ଟାଟା, ମହୀନ୍ଦ୍ରା, ମାରୁତି, ବଜାଜ, ଏଚ.ଡି.ଏଫ.ସି., ଆଇ.ସି.ଆଇ.ସି.ଆଇ., ଇନଫୋସିସ୍ ଭଳି ଉଦ୍ୟୋଗ ଦ୍ବାରା ବାଣିଜ୍ୟ ଆକାଶ ତାରକା ଖଚିତ ହୋଇଗଲା; ସତେ ଯେମିତି ଡାରୱିନୀୟ ବିବର୍ତ୍ତନବାଦକୁ ଅନୁସରଣ କରି କେବଳ ସର୍ବାଧିକ ସମର୍ଥ ହିଁ ତିଷ୍ଠି ରହିଲେ ଏବଂ ସରକାରୀ ସୁରକ୍ଷାରେ ଲାଳିତପାଳିତ ହୋଇ ସଂଘର୍ଷର କୌଶଳ ଭୁଲି ଯାଇଥିବା ଉଦ୍ୟୋଗଗୁଡ଼ିକର ବିଲୁପ୍ତ ଘଟିଲା। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ସାଂପ୍ରତିକ ସଂକଟ ପୁଣି ସେହିଭଳି ଏକ ଦୃଶ୍ୟପଟର ସମ୍ଭାବନା ସୃଷ୍ଟି କଲାଣି, କାରଣ ୨୦୧୪ ମସିହା ପରଠାରୁ ସରକାରୀ ସୁରକ୍ଷାର ଛାୟା ତଳେ ଭାରତୀୟ ନିର୍ମାଣ ଉଦ୍ୟୋଗ ପୁନର୍ବାର ଶିଥିଳ ହୋଇ ସାରିଲାଣି। ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୩-୧୪ ମସିହାରେ ଆମ ଜିଡିପିରେ ନିର୍ମାଣ ଉଦ୍ୟୋଗର ଅଂଶ ଥିଲା ୧୭.୫ ପ୍ରତିଶତ, ଯାହା ୨୦୨୩-୨୪ରେ ମଧ୍ୟ ଅବିକଳ ତାହା ରହିଛି। ଭାରତୀୟ ଉଦ୍ୟୋଗପତିମାନେ ଦେଶ ବା ବିଦେଶରେ ଅଧିକ ପୁଞ୍ଜି ନିବେଶ କରି ସେମାନଙ୍କ ବ୍ୟବସାୟରେ ବୃଦ୍ଧି ଘଟାଇବା ବା ବିଦେଶୀ ଉଦ୍ୟୋଗ ସହିତ ପ୍ରତିଦ୍ବନ୍ଦ୍ବିତା କରିବା ବା ସେମାନଙ୍କୁ ଅକ୍ତିଆର କରିବାରେ ଆଗ୍ରହ ପ୍ରଦର୍ଶନ କରି ନାହାନ୍ତି; ବରଂ ସରକାରଙ୍କଠାରୁ ପ୍ରାପ୍ତ ଟିକସ ସୁରକ୍ଷା କାରଣରୁ ଅତ୍ୟନ୍ତ ସନ୍ତୁଷ୍ଟ ଅଛନ୍ତି। ସୁତରାଂ, ଟ୍ରମ୍ପଙ୍କ ଟିକସ ଯୁଦ୍ଧ ଦ୍ବାରା ପୁନର୍ବାର ସେମାନଙ୍କ ଲାଗି ଏକ ଅସ୍ତିତ୍ବ ସଂକଟର ସ୍ଥିତି ସୃଷ୍ଟି ହେଲାଣି, ଯାହା ଏକ ନୂତନ ଓ କଠିନ ଆହ୍ବାନ ହେବା ସୁନିଶ୍ଚିତ।
୧୯୯୧ ମସିହାରେ ହୋଇଥିବା ଆର୍ଥିକ ସଂସ୍କାର ପଛର କାରଣଟି ଥିଲା ସରକାରୀ ରାଜକୋଷ ବିଦେଶୀ ମୁଦ୍ରା ଶୂନ୍ୟ ହୋଇଯିବା ଭଳି ଏକ ଜଟିଳ ସଂକଟ। ତେଣୁ ବଜାରକୁ ଘେରି ରହିଥିବା ଖୁଆଡ଼କୁ ଖୋଲି ଦିଆଯାଇଥିଲା। ଏହି ସମୟରେ ବାହାର ଆକ୍ରମଣରୁ ବର୍ତ୍ତି ଯାଇ ତିଷ୍ଠି ରହିବାର ଏକମାତ୍ର ଉପାୟ ଥିଲା ଆତ୍ମରକ୍ଷାର ନୂତନ କୌଶଳମାନ ଉଦ୍ଭାବନ କରିବା। ଠିକ୍ ଏଭଳି ଏକ କଥା ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଅନୁଭବ କରିଥିଲେ ବୌଦ୍ଧ ଧର୍ମ ପ୍ରସାର ଲାଗି ଚୀନ ଗମନ କରିଥିବା ଭାରତୀୟ ଭିକ୍ଷୁ ବୋଧିଧର୍ମ। କୁହାଯାଏ ଯେ ସେହି ସମୟରେ ଧର୍ମ ପ୍ରସାର କରୁଥିବା ବୌଦ୍ଧଭିକ୍ଷୁମାନେ କୌଣସି ଆକ୍ରମଣରୁ ରକ୍ଷା ପାଇବାର ଏକମାତ୍ର ଉପାୟ ଥିଲା ରାଜାନୁଗ୍ରହ, ଯେଉଁ କାରଣରୁ ରାଜାମାନଙ୍କୁ ହିଁ ସର୍ବପ୍ରଥମେ ଦୀକ୍ଷିତ କରିବାର ଉଦ୍ୟମ କରାଯାଉଥିଲା। କିନ୍ତୁ ରାଜ ଅନୁକଂପାରୁ ମୁକ୍ତ ହୋଇ ନିଜକୁ ସମର୍ଥ କରିବା ଲାଗି ବୋଧିଧର୍ମ ଯେଉଁ ଆତ୍ମରକ୍ଷା କୌଶଳର ଉଦ୍ଭାବନ କରିଥିଲେ, ତାହା ହିଁ ହେଉଛି ‘ସାଓଲିନ କୁଂଗ୍ଫୁ’, ବର୍ତ୍ତମାନର ସର୍ବାଧିକ ଜନପ୍ରିୟ ସମର କଳା। କୁଂଗ୍ଫୁର ଦର୍ଶନ ଅନୁସାରେ ଏହାର ବିଶାରଦ ବା ‘ମାଷ୍ଟର’ମାନେ କଦାଚିତ୍ କାହାକୁ ପ୍ରଥମେ ଆକ୍ରମଣ କରନ୍ତି ନାହିଁ, ମାତ୍ର ଯେ କୌଣସି ଆକ୍ରମଣକୁ ପ୍ରତିହତ କରିବା ଭଳି ଅସାଧାରଣ ସାମର୍ଥ୍ୟ ହାସଲ କରିଥାଆନ୍ତି। ଏହା ହିଁ ତିଷ୍ଠି ରହିବାର କୌଶଳ। ଭାରତୀୟ ଉଦ୍ୟୋଗଗୁଡ଼ିକ ‘କୁଂଗ୍ଫୁ ମାଷ୍ଟର’ସୁଲଭ ଦକ୍ଷତା ଓ ସାମର୍ଥ୍ୟ ହାସଲ କରିବା ଲାଗି ଟ୍ରମ୍ପଙ୍କ ଟିକସ ଆକ୍ରମଣ ଏକ ପରିବେଶ ବା ସୁଯୋଗ ସୃଷ୍ଟି କରିଛି।
ସୌଜନ୍ୟ-ସମ୍ୱାଦ
Comments are closed.