Breaking News

‘କୁଦୋପାଲି ମଝିଖୁଲି’ର ସ୍ମୃତି

‘କୁଦୋପାଲି’ ଭୂଗୋଳ ପୃଷ୍ଠାରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ପଲ୍ଲୀ, ମାନଚିତ୍ରରେ ଯାହାର ଚିହ୍ନବର୍ଣ୍ଣ ନାହିଁ। କିନ୍ତୁ ଇତିହାସ ପୃଷ୍ଠାରେ ଏହି କ୍ଷୁଦ୍ର ପଲ୍ଲୀ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର ରକ୍ତରଞ୍ଜିତ କାହାଣୀର ସ୍ବାକ୍ଷର ବହନ କରି ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।

ଦାଶରଥି ସାହୁ

‘କୁଦୋପାଲି’ ଭୂଗୋଳ ପୃଷ୍ଠାରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ପଲ୍ଲୀ, ମାନଚିତ୍ରରେ ଯାହାର ଚିହ୍ନବର୍ଣ୍ଣ ନାହିଁ। କିନ୍ତୁ ଇତିହାସ ପୃଷ୍ଠାରେ ଏହି କ୍ଷୁଦ୍ର ପଲ୍ଲୀ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର ରକ୍ତରଞ୍ଜିତ କାହାଣୀର ସ୍ବାକ୍ଷର ବହନ କରି ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ଡିସେମ୍ବର ୩୦ ତାରିଖ ୧୮୫୭ ମସିହାର ପ୍ରାତଃ କାଳରେ ସଂଘଟିତ ଏକ ଲୋମହର୍ଷଣକାରୀ ଯୁଦ୍ଧର ସ୍ମୃତି ଏବେ ମଧ୍ୟ ଜନମାନସରେ ପ୍ରତିଧ୍ବନିତ ହେଉଛି। ଇଂରେଜମାନଙ୍କ ବିପକ୍ଷରେ ଏହି ସଂଗ୍ରାମରେ ସହସ୍ରାଧିକ ବିପ୍ଳବୀ ଏକ ସଙ୍ଗରେ ଅଂଶଗ୍ରହଣ କରିଥିଲେ ଏବଂ ଯୁଦ୍ଧ କ୍ଷେତ୍ରରେ ୫୩ ଜଣ ସଂଗ୍ରାମୀ ମୃତ୍ୟୁବରଣ କରିଥିଲେ। ଏବେ ମଧ୍ୟ ଏଇ ଅଞ୍ଚଳରେ ଲୋକଗୀତ ‘ବଉଳି’ରେ ସେହି ସ୍ମୃତି ପ୍ରତିଧ୍ବନିତ ହୁଏ। :
‘‘ଉଲି ଉଲି ଉଲି
ଛବିଳ ସାଏକେ ବାଜିଲୀ ଗୁଲି
କୁଦୋପାଲିର ମଝାଖୁଲି, ବଉଳିରେ।।’’
ଅର୍ଥାତ୍, ‘କୁଦୋପାଲିର ମଝାଖୁଲି’ ଅର୍ଥାତ୍ ସୁରେନ୍ଦ୍ର ସାଏଙ୍କ ପଞ୍ଚମ ଭ୍ରାତା ତଥା ସମ୍ବଲପୁର ଆନ୍ଦୋଳନର ଅନ୍ୟତମ ବୀର ସେନାପତି ଛବିଳ ସାଏ ଇଂରେଜମାନଙ୍କ ଗୁଳିରେ ଟଳି ପଡ଼ି ସହିଦ ହେଲେ।
ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ପ୍ରକୃତ ବିପ୍ଳବ ଅକ୍‌ଟୋବର ୩୧, ୧୮୫୭ରେ ଆରମ୍ଭ ହୋଇଥିଲା। ସୁରେନ୍ଦ୍ର ସାଏ ସେଦିନ ଇଂରେଜମାନଙ୍କ ଅଟକ ବନ୍ଦୀରୁ ଖସି ପଳାଇଥିଲେ ଓ ଏ ବିପ୍ଳବ ସମଗ୍ର ସମ୍ବଲପୁର ଅଞ୍ଚଳରେ ବହ୍ନି ସଦୃଶ ବ୍ୟାପିଗଲା। ଏହା ଏତେ ଭୟାବହ ଓ ବ୍ୟାପକ ହୋଇପଡ଼ିଲା ଯେ ଦୁଇଜଣ ଇଂରେଜ ସାହେବ ଡାକ୍ତର ଟି. ମୁର୍ ଓ ମି. ହେନ୍‌ସନ୍ ସଂପୂର୍ଣ୍ଣ ସୁରକ୍ଷା ସହିତ ରେଢ଼ାଖୋଲରୁ ବାହାରି ସୁଦ୍ଧା ସମ୍ବଲପୁର ପହଞ୍ଚି ପାରି ନ ଥିଲେ। ବିଦ୍ରୋହୀମାନେ ବାଟରେ ଯୁଯୋମୁରା ନିକଟରେ ଭୀମଖୋଲ ପାଖରେ ଡାକ୍ତର ଟି. ମୁର୍‌ଙ୍କୁ ଆକ୍ରମଣ କରି ହତ୍ୟା କଲେ ଓ ମି. ହନ୍‌ସନ୍ କୌଣସିମତେ ଜଙ୍ଗଲରେ ଲୁଚି ପ୍ରାଣ ବଞ୍ଚାଇଥିଲେ। ଏହି ଘଟଣାର ଠିକ୍ ପନ୍ଦର ଦିନ ପରେ ସମ୍ବଲପୁର ଠାରେ ଅବସ୍ଥାପିତ ସହକାରୀ କମିସନର କ୍ୟାପ୍‌ଟେନ୍‌ ଆର୍. ଟି. ଲେ’ଙ୍କ ପକ୍ଷରୁ କ୍ୟାପ୍‌ଟେନ୍‌ ଡାଲ୍‌ଟନ୍‌ଙ୍କ ପାଖକୁ ଏକ ଚିଠି ଲେଖାଯିବା ପରେ ଡିସେମ୍ବର ପ୍ରଥମ ସପ୍ତାହରୁ ଏକ ଇଂରେଜ ଫଉଜ ଦଳ ସମ୍ବଲପୁରକୁ ଆସିଲେ। କଟକର ସବୁ ସୈନ୍ୟ ଓ ମେଜର ବେଟ୍‌ସ ନିଜେ ମଧ୍ୟ ସମ୍ବଲପୁରରେ ଆସି ପହଞ୍ଚିଥିଲେ।
ଡିସେମ୍ବର ୧୭ ତାରିଖ ଦିନ କ୍ୟାପ୍‌ଟେନ୍‌ ଲେ’ ସୈନ୍ୟ ସାମନ୍ତ ଧରି ସମ୍ବଲପୁର ନିକଟବର୍ତ୍ତୀ ଏକ ପାହାଡ଼ରେ ଥିବା ଘାଟିକୁ ଆକ୍ରମଣ କଲେ।
କୁଦୋପାଲି ଯୁଦ୍ଧ ସମ୍ବନ୍ଧରେ ‘ବୀର ସୁରେନ୍ଦ୍ର ସାଏ’ ପୁସ୍ତକରେ (ଅନିରୁଦ୍ଧ ଦାଶ) ଉଲ୍ଲେଖ ଅଛି ଯେ କ୍ୟାପ୍‌ଟେନ୍‌ ଇ. ଜି. ଉଡ୍ ନାଗପୁରରୁ ବାହାରି ୨୧ ଦିନ ମଧ୍ୟରେ ୩୬୦ ମାଇଲ୍ ପଥ ଅତିକ୍ରମ କରି ୨୯ ତାରିଖରେ ସମ୍ବଲପୁର ପହଞ୍ଚିଥିଲେ। ସେ ଏକ ଅଶ୍ବାରୋହୀ ସୈନ୍ୟ ଦଳ ସାହାଯ୍ୟରେ ସମ୍ବଲପୁର-ରାୟପୁର ପଥକୁ ବିଦ୍ରୋହୀମାନଙ୍କ ଅକ୍ତିଆରରୁ ମୁକ୍ତ କରିଥିଲେ। ସମ୍ବଲପୁର ପହଞ୍ଚି ୪୦ ନମ୍ବର ମାନ୍ଦ୍ରାଜ ପଦାତିକ ବାହିନୀର ୧୫୦ ଜଣ, ନାଗପୁର ଅଶ୍ବାରୋହୀ ସୈନ୍ୟ ବାହିନୀର ୭୫ ଜଣ ଓ ରାମଗଡ଼ ସୈନ୍ୟ ବାହିନୀର ୫୦ ଜଣ ସୈନ୍ୟଙ୍କୁ ନେଇ କ୍ୟାପ୍‌ଟେନ୍‌ ଲେ’ଙ୍କ ସହିତ ସମ୍ବଲପୁର ଛାଡ଼ିଲେ।
ଦୀର୍ଘ ବକ୍ର ପଥ ଅତିକ୍ରମ କରି ବିପ୍ଳବୀଙ୍କ କେନ୍ଦ୍ରସ୍ଥଳ କୁଦୋପାଲି ଗ୍ରାମ ନିକଟରେ ଏକ ପାହାଡ଼ ପାଖ ଆମ୍ବତୋଟାରେ ବିପ୍ଳବୀମାନଙ୍କର ସମ୍ମୁଖୀନ ହେଲେ। ବିପ୍ଳବୀମାନେ ସେମାନଙ୍କୁ ଅପ୍ରତ୍ୟାଶିତ ଭାବେ ଦେଖି ନିକଟସ୍ଥ ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। କ୍ୟାପ୍‌ଟେନ୍‌ ଉଡ୍ କୌଶଳ କରି ଛତ୍ରଭଙ୍ଗର ଛଳନା ଦେଖାଇ ପଛଘୁଞ୍ଚା ଦେଲେ। ଏହା ଦେଖି ଇ‌ଂରେଜ ସୈନ୍ୟଙ୍କୁ ଆକ୍ରମଣ କରିବାକୁ ବିପ୍ଳବୀମାନେ ସମତଳ ଭୂମିକୁ ଓହ୍ଲାଇ ଆସିଥିଲେ। କ୍ୟାପ୍‌ଟେନ୍‌‌ ଉଡ୍ ଦଳେ ଅଶ୍ବାରୋହୀ ସୈନ୍ୟଙ୍କ ସହିତ ସେମାନଙ୍କୁ ଅତର୍କିତ ଆକ୍ରମଣ କରି ତିନି ଜଣ ବିଦ୍ରୋହୀଙ୍କୁ ମାରି ପକାଇଲେ। ଏହା ଦେଖି ଅନ୍ୟ ବିଦ୍ରୋହୀମାନେ ଛତ୍ରଭଙ୍ଗ ଦେଲେ।
ବିଶିଷ୍ଟ ଐତିହାସିକ ଶିବପ୍ରସାଦ ଦାଶଙ୍କ ଲିଖିତ ପୁସ୍ତକ ‘ସମ୍ବଲପୁର ଇତିହାସ’ରେ ଏ ସମ୍ବନ୍ଧରେ ଲେଖାଯାଇଛି; ‘‘ମହାନଦୀର ଉପନଦୀ ମାଳତୀଜୋର ସମ୍ବଲପୁର ଓ ରେଢ଼ାଖୋଲ ସୀମାରୁ ବାହାରି ସମ୍ବଲପୁର ସହରର ଚାରି ମାଇଲ୍ ତଳକୁ ଗୋଳାବନ୍ଧ ଠାରେ ମହାନଦୀରେ ମିଶିଅଛି। ମାଳତୀ କୂଳରେ ମାନେଶ୍ବର ଓ କୁଦୋପାଲି ଗ୍ରାମମାନ ଅବସ୍ଥିତ। ଉଡ୍ ଉଦନ୍ତଙ୍କୁ ଖୋଜୁଁ ଖୋଜୁଁ ଘଟଣାକ୍ରମେ ଦଳବଳ ସହ ସୁରେନ୍ଦ୍ର ଓ ତାଙ୍କ ଭାଇ ଛବିଳଙ୍କୁ କୁ‌େଦାପାଲି ନିକଟସ୍ଥ ଏକ ଆମ୍ବତୋଟାରେ ଦେଖିଲେ। ତୀର ଓ ବନ୍ଧୁକ ଯୁଦ୍ଧ ଚାଲିଲା।’’
ଇତିହାସରୁ ଜଣାଯାଏ ଯେ ଏହି ଯୁଦ୍ଧରେ ସୁରେନ୍ଦ୍ର ସାଏ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ ଓ ନିଶ୍ଚିତ ପରାଜୟର ସମ୍ମୁଖୀନ ହୋଇ କୌଣସିମତେ ଖସି ପଳାଇଥିଲେ। ତାଙ୍କର ପଞ୍ଚମ ଭ୍ରାତା ଛବିଳ ସାଏ କ୍ଷତବିକ୍ଷତ ହୋଇ ଏକ ଘୋଡ଼ା ଧରିବା ପାଇଁ କୁଦୋପାଲି ଗଁା ଦାଣ୍ଡରେ ଦୌଡ଼ି ପଳାଇବା ବେଳେ ପଛପଟୁ ଇଂରେଜମାନେ ବନ୍ଧୁକ ଚଳାଇବାରୁ ତାଙ୍କ ପିଠିରେ ଏକ ଗୁଳି ବାଜିଲା ଓ ସେଠାରେ ସେ ପ୍ରାଣ ହରାଇଥିଲେ। ସେହି ସ୍ଥାନକୁ ଏକ ବିରାଟ ପଥର ଦ୍ବାରା ଚିହ୍ନଟ କରି ସେହିଦିନ ଠାରୁ ରଖାଯାଇଛି। ଏହି ଯୁଦ୍ଧରେ ଛବିଳ ସାଏଙ୍କ ସମେତ ୫୩ ଜଣ ବିଦ୍ରୋହୀ ଯୁଦ୍ଧକ୍ଷେତ୍ରରେ ନିହତ ହୋଇଥିଲେ ଏବଂ ୧୧ ଜଣ ବିଦ୍ରୋହୀ ଧରାପଡ଼ି ବନ୍ଦୀ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଫାଶୀ ଦିଆହୋଇଥିଲା ଓ ୨ ଜଣଙ୍କୁ ବେଡ଼ି ସହିତ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ହୋଇଥିଲା। ଅବଶିଷ୍ଟ ୫ ଜଣ ଖଲାସ ହୋଇଥିବା ସତ୍ତ୍ବେ ଜଣେ ପୁଲିସ ବରକନ୍ଦାଜ ବିଦ୍ରୋହୀମାନଙ୍କ ପକ୍ଷ ନେଇଥିବାରୁ ଫାଶୀ ଦିଆଯାଇଥିଲା। ଇଂରେଜମାନଙ୍କ ପକ୍ଷର ମାତ୍ର ଜଣେ ଆହତ ହୋଇଥିଲେ ଓ କ୍ୟାପ୍‌ଟେନ୍‌ ଉଡ୍‌ଙ୍କ କାନ୍ଧରେ ଏକ ଶର ବାଜିଥିଲା। କ୍ୟାପ୍‌ଟେନ୍‌ ଉଇଣ୍ଡହାମ୍‌ଙ୍କ ଅଶ୍ବଙ୍କ ସମେତ ୯ଟି ଅଶ୍ବ ଆହତ ହୋଇଥିଲେ।
କୁଦୋପାଲି ତଥା ତା’ର ଆଖପାଖ ଅଞ୍ଚଳରେ ଏ ଯୁଦ୍ଧର ସ୍ମୃତି ଏବେ ମଧ୍ୟ ଜୀବନ୍ତ। ଅାଜି ମଧ୍ୟ ମାଳତୀ ନଦୀ, ନଦୀକୂଳରେ ଥିବା ଆମ୍ବତୋଟା, କୁଦୋପାଲି ପାହାଡ଼, କୁଦୋପାଲି ମଝିଖୁଲି ସେହି ଅତୀତର ସ୍ମୃତିକୁ ଉଜ୍ଜୀବିତ କରି ଯେପରି କହୁଛି:
‘‘ଛବିଳ ସାଏକେ ବାଜିଲା ଗୁଲି
କୁଦୋପାଲିର ମଝିଖୁଲି…।’’
(କୁଦୋପାଲି ଯୁଦ୍ଧର ୧୬୭ ବର୍ଷ ପୂର୍ତ୍ତି)
ମୂଲବାର, ବରଗଡ଼
(ମତାମତ ଲେଖକଙ୍କ ନିଜସ୍ବ)

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.