Breaking News

କୁମ୍ଭମେଳାରେ ୪ ଲକ୍ଷ କୋଟି ବେପାର ଆଶା: ୪୦ କୋଟି ଲୋକ ବୁଲିଆସିବେ

ଚଳିତବର୍ଷ ମହାକୁମ୍ଭ ମେଳା ସୋମବାରଠାରୁ ଆରମ୍ଭ ହେଉଛି। ଏହି ଦିବ୍ୟ ଓ ଭବ୍ୟ ମେଳା ପାଇଁ ଦୀର୍ଘଦିନ ହେଲା ସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟ ହୋଇଛି। ସନାତନ ଧର୍ମର ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁମାନେ ବହୁସଂଖ୍ୟାରେ ଏଥିରେ ଯୋଗଦେବେ।

ନୂଆଦିଲ୍ଲୀ: ଚଳିତବର୍ଷ ମହାକୁମ୍ଭ ମେଳା ସୋମବାରଠାରୁ ଆରମ୍ଭ ହେଉଛି। ଏହି ଦିବ୍ୟ ଓ ଭବ୍ୟ ମେଳା ପାଇଁ ଦୀର୍ଘଦିନ ହେଲା ସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟ ହୋଇଛି। ସନାତନ ଧର୍ମର ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁମାନେ ବହୁସଂଖ୍ୟାରେ ଏଥିରେ ଯୋଗଦେବେ। ପ୍ରୟାଗରାଜର ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଙ୍ଗମସ୍ଥଳରେ ଏହି ମେଳା ଆୟୋଜନ ହେଉଛି। ବିଶ୍ବର ଏହା ହେଉଛି ସର୍ବବୃହତ୍ ଧାର୍ମିକ ସମାବେଶ। ଚଳିତବର୍ଷ ଜାନୁଆରି ୧୩(ପୌଷ ପୂର୍ଣ୍ଣମୀ)ରୁ ଆରମ୍ଭ ହେଉଥିବା ଏହି ମେଳା ଫେବ୍ରୁଆରି ୨୬ ତାରିଖ (ମହା ଶିବରାତ୍ରୀ)ରେ ଶେଷ ହେବ। ଏହି ସମୟ ମଧ୍ୟରେ କୁମ୍ଭମେଳାକୁ ପାଖାପାଖି ୪୦ କୋଟି ଲୋକ ବୁଲିଆସିବେ। ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ସମେତ ବ୍ୟାବସାୟିକ ସମାବେଶ ଏଠାରେ ହେବ। ଉଭୟ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବ। ଏଥିଯୋଗୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବେପାର ହେବ ବୋଲି ଆଶା କରାଯାଉଛି। ଉତ୍ତର ପ୍ରଦେଶ ସରକାରଙ୍କ ଆକଳନ ଅନୁଯାୟୀ, ଯଦି ୪୦ କୋଟି ଶ୍ରଦ୍ଧାଳୁ ଆସନ୍ତି ଏବଂ ଜଣକା ହାରାହାରି ୫ ହଜାର ଟଙ୍କା ଖର୍ଚ୍ଚ କରନ୍ତି ତା’ହେଲେ ୨ ଲକ୍ଷ କୋଟି ଟଙ୍କାର ବେପାର ହେବ। କିନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ଲୋକଙ୍କ ମୁଣ୍ଡପିଛା ଖର୍ଚ୍ଚ ୧୦ ହଜାର ଟଙ୍କା ରହିପାରେ। ଏହାହେଲେ କୁମ୍ଭମେଳାର ମୋଟ ଅର୍ଥନୈତିକ ପ୍ରଭାବ ୪ ଲକ୍ଷ କୋଟିରେ ପହଞ୍ଚିବ। ଜିଡିପିକୁ ମହାକୁମ୍ଭ ମେଳା ୧ ପ୍ରତିଶତରୁ ଅଧିକ ପ୍ରୋତ୍ସାହନ ଯୋଗାଇବ ବୋଲି କୁହାଯାଉଛି।

ମହାକୁମ୍ଭରେ ଚଳିତ ଥର ଜାନୁଆରି ୧୩ (ପୌଷ ପୂର୍ଣ୍ଣମୀ), ଜାନୁଆରି ୧୪ (ମକର ସଂକ୍ରାନ୍ତି), ଜାନୁଆରି ୨୯ (ମୌନି ଅମାବାସ୍ୟା), ଫେବ୍ରୁଆରି ୩( ବସନ୍ତ ପଞ୍ଚମୀ), ଫେବ୍ରୁଆରି ୧୨ (ମାଘ ପୂର୍ଣ୍ଣିମା) ଏବଂ ଫେବ୍ରୁଆରି ୨୬ (ମହା ଶିବରାତ୍ରୀ)ରେ ସ୍ନାନ ପାଇଁ ତିଥି ଧାର୍ଯ୍ୟ କରାଯାଇଛି। ମକର ସଂକ୍ରାନ୍ତିଠାରୁ ପ୍ରତ୍ୟେକ ଦିନ ମହାକୁମ୍ଭ ମେଳାରେ ନଦୀରେ ବୁଡ଼ ପକାଇବାକୁ ଯଦିଓ ପବିତ୍ର ମନେ କରାଯାଏ ତଥାପି ଉପରୋକ୍ତ ୬ଟି ତିଥିକୁ ଅତ୍ୟନ୍ତ ପବିତ୍ର ସ୍ନାନଭାବେ ବିବଚେନା କରାଯାଏ। ତେଣୁ ଏହି ଦିନଗୁଡ଼ିକରେ ବୁଡ଼ ପକାଇବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ୪୫ ଦିନିଆ ଏହି କାର୍ଯ୍ୟକ୍ରମରେ ଦେଶବିଦେଶର ବହୁ କମ୍ପାନି ସେମାନଙ୍କ ଉତ୍ପାଦ ଓ ସେବା ପ୍ରଦର୍ଶନ କରିବେ। ଏଫ୍‌ଏମ୍‌ସିଜି କମ୍ପାନି ଠାରୁ ଆରମ୍ଭ କରି ଫାର୍ମା କମ୍ପାନି, ଯାତାୟାତ ସେବା ପ୍ରଦାନ କରୁଥିବା କମ୍ପାନି, ଡିଜିଟାଲ ପେମେଣ୍ଟ୍‌ ପ୍ରଦାନକାରୀ କମ୍ପାନି ସେମାନଙ୍କ ମାର୍କେଟିଂ ଖର୍ଚ୍ଚକୁ କୁମ୍ଭମେଳା ପାଇଁ ବଢ଼ାଇ ଦେଇଛନ୍ତି। କୁମ୍ଭମେଳା ମାଧ୍ୟମରେ ଲୋକଙ୍କ ନିକଟରେ ସେମାନଙ୍କ ବ୍ରାଣ୍ଡ୍‌କୁ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଚଳାଇଛନ୍ତି। କୁମ୍ଭମେଳାରେ କମ୍ପାନିଗୁଡ଼ିକ ବ୍ରାଣ୍ଡିଂ ଓ ଉତ୍ପାଦର ପ୍ରଚାର ପ୍ରସାର ପାଇଁ ୩ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ମହାକୁମ୍ଭ ମେଳା ୨୦୨୫ରେ ବିଭିନ୍ନ ଢାଞ୍ଚା ନିର୍ମାଣ ପାଇଁ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନି ସେଲ୍‌ ୪୫ ହଜାର ଟନ୍ ଇସ୍ପାତ ଯୋଗାଇ ଦେଇଛି। ସନାତନ ଧର୍ମାବଲମ୍ବୀଙ୍କ ଏହି ମହାସମାବେଶ ପାଇଁ ପ୍ରୟାଗରାଜକୁ ନୂଆ ରୂପ ଦିଆଯାଇଛି। ୨୦୦ରୁ ଅଧିକ ରାସ୍ତା ନିର୍ମାଣ କରାଯିବା ସହିତ ଉନ୍ନତୀକରଣ କରାଯାଇଛି। ସେହିଭଳି ଲୋକମାନେ ଏଠାକୁ ସହଜରେ ଯାତାୟାତ କରିପାରିବେ ସେଥିପାଇଁ ସବୁପ୍ରକାର ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଅଣାଯାଇଛି। ରାସ୍ତାଘାଟକୁ ସୁଦୃଶ୍ୟ କରିବା ପାଇଁ ୩ ଲକ୍ଷରୁ ଅଧିକ ଗଛ ଏବଂ ୧ ଲକ୍ଷ ଫୁଲ ଗଛ ଲଗାଯାଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.