Breaking News

କୁମ୍ଭୀର ସଂରକ୍ଷଣ କାହିଁକି ବା କାହିଁକି ନୁହେଁ!

ପାଣିର ପରାକ୍ରମୀ ପ୍ରାଣୀ କୁମ୍ଭୀର କବଳରୁ ରକ୍ଷା ପାଇବା ଲାଗି ଅତିକାୟ ହସ୍ତୀ କିଭଳି ଭଗବାନଙ୍କ ଶରଣାପନ୍ନ ହୋଇଥିଲା, ତାହା ମହାପ୍ରଭୁଙ୍କ ମହିମା ବର୍ଣ୍ଣନକାରୀ ଅନେକ ଜଣାଣ, ଭଜନ ଓ ପ୍ରାର୍ଥନାର ବିଷୟବସ୍ତୁ।

ଜିତଶତ୍ରୁ ମହାନ୍ତି

ପାଣିର ପରାକ୍ରମୀ ପ୍ରାଣୀ କୁମ୍ଭୀର କବଳରୁ ରକ୍ଷା ପାଇବା ଲାଗି ଅତିକାୟ ହସ୍ତୀ କିଭଳି ଭଗବାନଙ୍କ ଶରଣାପନ୍ନ ହୋଇଥିଲା, ତାହା ମହାପ୍ରଭୁଙ୍କ ମହିମା ବର୍ଣ୍ଣନକାରୀ ଅନେକ ଜଣାଣ, ଭଜନ ଓ ପ୍ରାର୍ଥନାର ବିଷୟବସ୍ତୁ। କହିବାର ତାତ୍ପର୍ଯ୍ୟ, ଏହି ହିଂସ୍ର ଓ ବିଶାଳ ଉଭୟଚର ସରୀସୃପଟିର ଭୀଷଣତାକୁ ପ୍ରାଂଜଳ କରିବା। କୁମ୍ଭୀରମାନେ ପ୍ରାୟ ୫.୫ କୋଟି ବର୍ଷ ଧରି ପୃଥିବୀରେ ଆତଯାତ ହୋଇ ଆସୁଛନ୍ତି ଏବଂ ଏମାନେ ବିଲୁପ୍ତ ଡାଇନୋସୋରଙ୍କ ନିକଟ ସମ୍ପକୀୟ। ଏମାନଙ୍କ ସମସାମୟିକ ଅନେକ ଜୀବଜନ୍ତୁ ଭୂ-ପୃଷ୍ଠରୁ ନିଶ୍ଚିହ୍ନ ହୋଇ ଯାଇଥିଲେ ହେଁ କୁମ୍ଭୀରମାନେ ବଞ୍ଚି ରହି ପାରିଥିବାରୁ ଏମାନଙ୍କୁ ଜୀବନ୍ତ ଜୀବାଶ୍ମ ବୋଲି କୁହାଯାଏ।
କୁମ୍ଭୀର ଥିବା ନଦୀର କୂଳରେ ରହୁଥିବା ଲୋକେ ଏହି ପ୍ରାଣୀଟିକୁ ଭୀଷଣ ଡରନ୍ତି ଏବଂ ଏହା ନ ରହୁ ବୋଲି ସର୍ବଦା କାମନା କରିଥାଆନ୍ତିି। ଜଳର ଏହି ନିର୍ଦୟ ଶିକାରୀ ନିଜ ଶରୀରକୁ ସଂପୂର୍ଣ୍ଣ ଜଳ ମଗ୍ନ କରି କେବଳ ଉପରକୁ ଉଠି ବାହାରିଥିବା ଆଖି ଯୋଡ଼ିକ ଦ୍ବାରା ଚତୁର୍ଦ୍ଦିଗ ଉପରେ ନିଘା କରିଥାଏ। କୁମ୍ଭୀର ଭରା ନଦୀ ବା ନାଳରେ ରାତିରେ ଯଦି ଟର୍ଚ ଆଲୋକ ପକାଯାଏ, ତେବେ ଭାସମାନ ‘ଗାଡ଼ି ହେଡ୍‌ଲାଇଟ୍‌’ ଭଳି କୁମ୍ଭୀରଙ୍କ ଚକ୍ଷୁଗୁଡ଼ିକ ଚକ୍‌ଚକ୍‌ କରି ଉଠେ। ଏହାର ଦାନ୍ତର ତୀକ୍ଷ୍‌ଣତା ଓ ବିନ୍ୟାସ ଏବଂ ଜଳ ମଧ୍ୟରେ ଏହାର ବଳ ଅତୁଳନୀୟ, ଯାହା ଏକ ପୂର୍ଣ୍ଣ ବୟସ୍କ ସୁସ୍ଥ ସିଂହର ବଳ ଠାରୁ ପ୍ରାୟ ୪ ଗୁଣ ଅଧିକ। ଥରେ କୁମ୍ଭୀରର ମୁହଁରେ ପଡ଼ିଲେ ବର୍ତ୍ତିବାର ଆଶା ଅତ୍ୟନ୍ତ କ୍ଷୀଣ। ତେବେ, ଯେଉଁ ମୁଷ୍ଟିମେୟ ବଞ୍ଚି ପାରିଛନ୍ତି ସେମାନେ କହନ୍ତି ଯେ କୁମ୍ଭୀରର ଆଖି ଯୋଡ଼ିକ ଅତ୍ୟନ୍ତ ସଂବେଦନଶୀଳ ଏବଂ ଯଦି ତା’ର ଆଖିକୁ ଆଙ୍ଗୁଠିରେ କେଞ୍ଚି ଦିଆଯାଇପାରେ, ତେବେ କୁମ୍ଭୀରଟି ତା’ର ଶିକାରକୁ ଛାଡ଼ି ପଳାଇ ଯାଏ।
୨୦୧୩-୧୪ ମସିହାରୁ ୨୦୨୩-୨୪ ମସିହା ମଧ୍ୟବର୍ତ୍ତୀ ଦଶ ବର୍ଷରେ ଓଡ଼ିଶାରେ ୩୮ ଜଣ ମନୁଷ୍ୟ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଏହି ଅବଧିରେ ପ୍ରାୟ ୬୦ଟି ଗୃହପାଳିତ ପଶୁଙ୍କୁ କୁମ୍ଭୀର ମାରିଛି। କିନ୍ତୁ କେବଳ ନଦୀରେ ରହୁଥିବା କୁମ୍ଭୀରମାନଙ୍କୁ ସର୍ବତ୍ର ବିଚରଣ କରୁଥିବା ସାପମାନଙ୍କ ଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ବିଚାର କରାଯାଇଥାଏ, ଯଦିଓ ସର୍ପାଘାତରେ ବର୍ଷକୁ ୭୦୦ରୁ ଅଧିକ ଲୋକ ପ୍ରାଣ ହରାନ୍ତି। ଓଡ଼ିଶାରେ ଦେଖାଯାଉଥିବା ତିନି ପ୍ରକାର କୁମ୍ଭୀରଙ୍କ ମଧ୍ୟରୁ ଲୁଣା ବା ବଉଳା କୁମ୍ଭୀର ଅତ୍ୟନ୍ତ ମାରାତ୍ମକ। ତେବେ, ମହାନଦୀର ତ୍ରିକୋଣଭୂମିରେ ପ୍ରବାହିତ ନଦୀ ଏବଂ ସେ ସବୁର ସନ୍ନିକଟ ଅଞ୍ଚଳ ଯେମିତି କି କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ଏମ‌ାନେ ସୀମିତ। ମଧୁର ଜଳରେ ରହୁଥିବା କୁମ୍ଭୀର ନରହନ୍ତା‌ ହେବାର ତଥ୍ୟ ଆମ ରାଜ୍ୟରେ ନାହିଁ।
ତେବେ ନଈକୂଳିଆ ଲୋକଙ୍କ ଏକ ସ୍ଥାୟୀ ଅଭିଯୋଗ ‌େହଲା, ଏଭଳି ହିଂସ୍ର ଓ ଘାତକ ପ୍ରାଣୀ ରହିବାର ଆବଶ୍ୟକତା କ’ଣ? ପ୍ରକୃତିଗତ ଭାବେ ଜଳ ପରିସଂସ୍ଥାରେ ନଦୀ ବା ନାଳ ବା ପୋଖରୀ ଜଳକୁ ପରିଷ୍କାର ରଖିବା ଭଳି କାର୍ଯ୍ୟଟି କୁମ୍ଭୀରମାନେ ନିର୍ବାହ କରନ୍ତି। ନଦୀରେ ଭାସି ଆସି ଶଢୁଥିବା ପଶୁପକ୍ଷୀ ଏମାନଙ୍କ ଭୋଜ୍ୟ ହୋଇଥିବାରୁ ଜଳ ପରିଷ୍କାର ରହେ। ଏଣେ କୁମ୍ଭୀରଙ୍କ ମଳ ହେଉଛି ମାଛମାନଙ୍କ ସକାଶେ ଏକ ପ୍ରିୟ ପ୍ରାକୃତିକ ଆହାର। ସୁତରାଂ, କୁମ୍ଭୀରଙ୍କ ବିଲୋପନର ଅର୍ଥ ହେବ ମାଛମାନଙ୍କ ଲାଗି ପ୍ରାକୃତିକ ଆହାରର ଅଭାବ। କୁମ୍ଭୀର ଦ୍ବାରା ବ୍ୟବହୃତ ହେବା ପରେ ଖାଲି ପଡ଼ିଥିବା ବସା ଅନେକ ଜନ୍ତୁଙ୍କ ଆଶ୍ରୟ ଓ ପ୍ରଜନନ ସ୍ଥଳୀ‌େର ପରିଣତ ହୋଇଥାଏ। ଅନେକ ଦେଶରେ କୁମ୍ଭୀର ମାଂସକୁ ଖାଦ୍ୟ ଭାବରେ ଗ୍ରହଣ କରାଯାଏ, ଯଦିଓ ଭାରତରେ ସେ ପ୍ରକାର ଖାଦ୍ୟାଭ୍ୟା‌ସ ନାହିଁ। ଏବେ ଅନେକ ଦେଶରେ କୁମ୍ଭୀର ସଂରକ୍ଷଣରୁ ଧାପେ ଆଗେଇ ଯାଇ କୁମ୍ଭୀର ଚାଷ କରାଗଲାଣି, କାରଣ କୁମ୍ଭୀରର କେତେକ ଅଙ୍ଗରୁ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ହେଉଥିବା ବେଳେ କୁମ୍ଭୀର ଚମଡ଼ାକୁ ସର୍ବୋତ୍କୃଷ୍ଟ ବୋଲି ବିଚାର କରାଯାଇଥାଏ। ତେଣୁ ହିଂସ୍ର ହୋଇଥିଲେ ହେଁ ଏହା ଏକ ହିତକାରୀ ପ୍ରାଣୀ।
ବର୍ତ୍ତମାନ କୁମ୍ଭୀରମାନଙ୍କ ଆବାସ ଓ ବିଚରଣ ସ୍ଥଳ ମନୁଷ୍ୟ ହସ୍ତକ୍ଷେପ ଦ୍ବାରା ପ୍ରଦୂଷିତ ଓ ପ୍ରତିକୂଳ। ହାନିକାରକ ମାଛ ଧରା ପଦ୍ଧତି, ସୌଖୀନ ବସ୍ତୁ ଓ ଔଷଧ ନିର୍ମାଣ ଲାଗି କରାଯାଉଥିବା ଶିକାର ଏବଂ କ୍ଷତିଗ୍ରସ୍ତ ଲୋକଙ୍କ ପ୍ରତିଶୋଧ କାରଣରୁ କୁମ୍ଭୀର ମରାଯାଉଛି। ଏମାନଙ୍କ ମଧ୍ୟରେ ସବୁଠାରୁ ବିପଦଗ୍ରସ୍ତ ହୋଇ ଉଠିଛନ୍ତି ଘଡ଼ିଆଳ, ଯାହାକୁ ‘ଅର୍ନ୍ତଜାତୀୟ ପ୍ରାକୃତିକ ବିଭବ ସଂରକ୍ଷଣ ସଂଘ’ ଦ୍ବାରା ‘ଲାଲ ତାଲିକା’ଭୁକ୍ତ କରାଯାଇଛି, ଅର୍ଥାତ୍‌ ଘଡ଼ିଆଳର ସ୍ଥିତି ଅତି ସଙ୍କଟାପନ୍ନ ଏବଂ ଏହି କାରଣରୁ ସଂପୂର୍ଣ୍ଣ ସୁରକ୍ଷିତ ରହିବା ଜରୁରି। ବିଶ୍ୱବିଖ୍ୟାତ ପ୍ରକୃତି ବିଶାରଦ ଡକ୍ଟର ବଷ୍ଟାର୍ଡଙ୍କ ମାର୍ଗଦର୍ଶନରେ ଭାରତ ସରକାର ୧୯୭୫ ମସିହାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଥିଲେ। ଏହି ଯୋଜନାରେ ଆମ ରାଜ୍ୟର ଭିତରକନିକାର ଡାଙ୍ଗମାଳରେ ବଉଳା, ସାତକୋଶିଆର ଟିକରପଡ଼ାରେ ମଗର ଓ ଶିମିଳିପାଳର ରାମତୀର୍ଥରେ ମଗର କୁମ୍ଭୀର ପ୍ରଜନନ ଓ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି। ତେବେ, ଲୁଣା କୁମ୍ଭୀରର ଆଶାତୀତ ସଂଖ୍ୟା ବୃଦ୍ଧି ମଧ୍ୟ ଚିନ୍ତ‌ାର କାରଣ ହୋଇଛି। ୧୯୭୫ରେ ହୋଇଥିବା ଗଣତି ଅନୁସାରେ ଉପଲବ୍‌ଧ ୭ଟି ବଉଳା କୁମ୍ଭୀର ବଢ଼ି ୨୦୨୩ ମସିହାରେ ୧,୮୩୧ରେ ପହଞ୍ଚିଲେଣି। କିନ୍ତୁ ମହାନଦୀ, ଶିମିଳିପାଳର ନଦୀ ଓ ଗଞ୍ଜାମର ଘୋଡ଼ାହାଡ଼ ଜଳଭଣ୍ଡାରରେ ଦେଖାଯାଉଥିବା ମଗରର ବଂଶ ବୃଦ୍ଧି ଅତି ମନ୍ଥର।
ପ୍ରକାଶ ଥାଉ କି ଅନେକ ବର୍ଷର ପ୍ରଚେଷ୍ଟା ପରେ ଗତ ଦୁଇ-ତିନି ବର୍ଷ ଧରି ପ୍ରାକୃତିକ ବାତାବରଣରେ ନୂତନ ଶାବକଙ୍କର ଜନ୍ମ ଓ ଦୂର ସ୍ଥାନ ଗମନ ଆମ ପାଇଁ ଉତ୍ସାହଜନକ। ଏହା ମଧ୍ୟ କହିବାରେ ଦ୍ବିଧା ନାହିଁ ଯେ ନଦୀ ଜଳର ସିଧାସଳଖ ବ୍ୟବହାର କ୍ର‌େମ ହ୍ରାସ ପା‌ଇବାରେ ଲାଗିଛି। ତଥାପି ଅନେକ ଗାଁରେ ଲୋକେ ନଦୀ ନିର୍ଭର। ନଦୀ କୂଳରେ ବାସନ ମାଜିବା ବା ଲୁଗା କାଚିବା ବେଳେ ମହିଳାମାନଙ୍କୁ କୁମ୍ଭୀର ଟାଣିନିଏ। କୁମ୍ଭୀର କିଭଳି ଶିକାର କରେ, ତାହା ବୁଝି ସତର୍କତା ଅବଲମ୍ବନ କଲେ କୁମ୍ଭୀର ହାତରେ ପଡ଼ିବାର ଭୟ ନ ଥାଏ। କୁମ୍ଭୀର ଥିବା ନଦୀ କୂଳରେ ଅଧିକ ସମୟ ସ୍ଥିର ହୋଇ ଛିଡ଼ା ହେବା ବା ବସି ରହିବା (ଲୁଗା କଚା ବା ବାସନ ମଜା ଭଳି କାମ) ବିପଜ୍ଜନକ। କୂଳରେ ଚାଲୁଥିବା ଲୋକେ କୁମ୍ଭୀର ଦ୍ବାରା ଶିକାର ହୋଇ ନ ଥାଆନ୍ତି। ତେଣୁ କୁମ୍ଭୀର ଥିବା‌ ନଈ କୂଳର ବାସିନ୍ଦାମାନେ ଏହି ବିପଦ ସହିତ ରହି ଜାଣନ୍ତି। ତେବେ କୁମ୍ଭୀର ରହୁଥିବା ସ୍ଥାନ ସହିତ ଅପରିଚିତମାନଙ୍କୁ ସତର୍କ କରିବା ସକାଶେ ସରକାରଙ୍କ ପକ୍ଷରୁ ବଡ଼ ସୂଚନା ଫଳକ ଲଗାଇବା ଜରୁରି।
ଦୁର୍ଭାଗ୍ୟର ବିଷୟ ଯେ ଅନେକ ପ୍ରାଣୀଙ୍କ ଭଳି କୁମ୍ଭୀର ମଧ୍ୟ ମଣିଷଙ୍କ ସହିତ ମୁହାଁମୁହିଁ ହେଉଥିବାରୁ ଏହି ସରୀସୃପର ପ୍ରଜନନ ଓ ସଂରକ୍ଷଣ ବିରୋଧରେ ଦାବି ଉଠିଥାଏ। କିନ୍ତୁ ସତ କଥାଟି ହେଲା ଜଳ ପରିସଂସ୍ଥାର ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ପ୍ରାଣୀର ବିଲୁପ୍ତି କାମନା କରିବା ମଧ୍ୟ ଅବିମୃଶ୍ୟକାରୀ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.