Breaking News

କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫ୍‌ତି ମୀର୍‌କୁ ହତ୍ୟା

ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ ଅପହରଣ କରିଥିବା ମୁଫ୍‌ତି ଶାହ ମୀର୍‌କୁ ପାକିସ୍ତାନର ବେଲୁଚିସ୍ତାନରେ ଗୁଳିକରି ହତ୍ୟା କରାଯାଇଛି।

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ ଅପହରଣ କରିଥିବା ମୁଫ୍‌ତି ଶାହ ମୀର୍‌କୁ ପାକିସ୍ତାନର ବେଲୁଚିସ୍ତାନରେ ଗୁଳିକରି ହତ୍ୟା କରାଯାଇଛି। ଶୁକ୍ରବାର ରାତିରେ ଅଜ୍ଞାତ ବନ୍ଧୁକଧାରୀମାନେ ମୀର୍‌କୁ ଗୁଳିକରି ହତ୍ୟା କରିଥିଲେ। କୁଳଭୂଷଣ ଯାଦବଙ୍କୁ ଇରାନରୁ ଅପହରଣ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଶୁକ୍ରବାର ରାତିରେ ନମାଜ ପାଠ ସାରି ସେ ମସଜିଦରୁ ବାହାରକୁ ଆସୁଥିବା ବେଳେ ବାଇକ୍ ଆରୋହୀମାନେ ଗୁଳିମାଡ଼ କରିଥିଲେ।। ପାକିସ୍ତାନୀ ଖବରକାଗଜ ଡନ୍‌ର ରିପୋର୍ଟ ଅନୁଯାୟୀ, ଗୁଳିମାଡ଼ ପରେ ତାକୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାକୁ ମୃତ ଘୋଷଣା କରାଯାଇଥିଲା। ମାନବ ଚାଲାଣ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ  ମୁଫ୍‌ତି ମୀର୍‌ ଇସଲାମିକ ମୌଳବାଦୀ ଦଳ ଜମିୟତ ଉଲେମା-ଏ-ଇସଲାମର ସଦସ୍ୟ ।

୨୦୧୬ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ସେନା କହିଥିଲା ଯେ ସେମାନେ ବେଲୁଚିସ୍ତାନ ପ୍ରଦେଶରୁ କୁଳଭୂଷଣ ଯାଦବଙ୍କୁ ଗିରଫ  କରିଛନ୍ତି। ଗୁଇନ୍ଦାଗିରି ଏବଂ ଦେଶବିରୋଧୀ କାର୍ଯ୍ୟକଳାପରେ ସେ ସଂପୃକ୍ତ ଥିବା ପାକିସ୍ତାନ ଅଭିଯୋଗ କରିଥିଲା। ପାକିସ୍ତାନ ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଯାଦବ ସ୍ୱୀକାର କରିଛନ୍ତି ଯେ ସେ ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’ପାଇଁ କାମ କରୁଥିଲେ ଏବଂ ବେଲୁଚିସ୍ତାନ ଏବଂ କରାଚୀରେ ଅସ୍ଥିରତା ସୃଷ୍ଟି କରିବାରେ ସମ୍ପୃକ୍ତ ଥିଲେ। ତେବେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ବଳପୂର୍ବକ ହାସଲ କରାଯାଇଥିବା ବୟାନ ବୋଲି କହିଛି। ଭାରତ କହିଛି ଯେ ଯାଦବଙ୍କୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇରାନରୁ ଅପହରଣ କରିଥିଲା। ଅବସର ପରେ ଯାଦବ  ଇରାନରେ ବ୍ୟବସାୟ କରୁଥିଲେ। ପାକିସ୍ତାନର ଏକ ସାମରିକ ଅଦାଲତରେ ଯାଦବଙ୍କ ବିରୋଧରେ ମାମଲା ଚାଲିଥିଲା। ୨୦୧୭ ଏପ୍ରିଲ ୧୦ତାରିଖରେ ଏକ ସାମରିକ ଅଦାଲତ ତାଙ୍କୁ ଗୁଇନ୍ଦାଗିରି, ଆତଙ୍କବାଦ ଏବଂ ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପ ପାଇଁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଭାରତ ଏହି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିବା ସହ ମେ ୨୦୧୭ରେ  ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ର ଦ୍ୱାରସ୍ଥ ହୋଇଥିଲା ଏବଂ ପାକିସ୍ତାନ ଉପରେ ଭିଏନା ଚୁକ୍ତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଥିଲା। ଯାଦବଙ୍କ ନିରପେକ୍ଷ ବିଚାର କରାଯାଇ ନାହିଁ ଏବଂ ତାଙ୍କ ଅଧିକାର ଉଲ୍ଲଂଘନ କରାଯାଇଛି ବୋଲି ଭାରତ ଯୁକ୍ତି ବାଢ଼ିଥିଲା। ଆଇସିଜେ ଯାଦବଙ୍କ ଫାଶୀ ଉପରେ ରୋକ୍ ଲଗାଇବା ସହ ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୦୧୯ରେ ଆଇସିଜେ ଭାରତ ସପକ୍ଷରେ ରାୟ ଶୁଣାଇଥିଲେ ଏବଂ ଯାଦବଙ୍କ ଦଣ୍ଡାଦେଶ ଉପରେ ପୁନର୍ବିଚାର କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ପାକିସ୍ତାନ ଏ ନେଇ କୌଣସି ନିଷ୍ପତ୍ତି ନେଇନାହିଁ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.