Breaking News

କୁହନ୍ତି ଯେଡ଼େ, ନୁହନ୍ତି ସେଡ଼େ: ଲକ୍ଷେ ଗଛ ଲଗାଇପାରିଲେନି

ଗଛ ଲଗାଇବାକୁ ଗାତ ଖୋଳାଗଲା। ଜେସିବି ସାହାଯ୍ୟରେ ରାସ୍ତାପାର୍ଶ୍ବ, ଖୋଲା ସ୍ଥାନ, ମେଡିଆନ୍‌ରେ ୩ରୁ ୪ ଫୁଟ୍‌ ବ୍ୟବଧାନରେ ମାଟି ତଡ଼ା ହେଲା। କେଉଁଠି ଗୋଟିଏ ଫୁଟ୍‌ ଗଭୀରତା ତ ଆଉ କେଉଁଠି ୩ ଫୁଟ୍‌ ଗଭୀରର ଗାତ କରାଗଲା।

ଭୁବନେଶ୍ୱର: ଗଛ ଲଗାଇବାକୁ ଗାତ ଖୋଳାଗଲା। ଜେସିବି ସାହାଯ୍ୟରେ ରାସ୍ତାପାର୍ଶ୍ବ, ଖୋଲା ସ୍ଥାନ, ମେଡିଆନ୍‌ରେ ୩ରୁ ୪ ଫୁଟ୍‌ ବ୍ୟବଧାନରେ ମାଟି ତଡ଼ା ହେଲା। କେଉଁଠି ଗୋଟିଏ ଫୁଟ୍‌ ଗଭୀରତା ତ ଆଉ କେଉଁଠି ୩ ଫୁଟ୍‌ ଗଭୀରର ଗାତ କରାଗଲା। ସହରବାସୀ ଭାବିଲେ ଦେଢ଼ ବର୍ଷିଆ ଗଛ ଲାଗିବ। ସବୁଜିମାମୟ ହୋଇଯିବ ସାରା ସହର। ମାତ୍ର ଦିନ ପରେ ଦିନ ଗଡ଼ିଲା। ମାସ ପରେ ମାସ ମଧ୍ୟ ବିତିଗଲା। ହେଲେ ଗଛର ନାଁ ଗନ୍ଧ ଦେଖିବାକୁ ମିଳିଲା ନାହିଁ। ଡିସେମ୍ବର ସରିବାକୁ ବସିଲାଣି, ଗାତଗୁଡ଼ିକ ମାଟିରେ ପୋତି ହୋଇଗଲାଣି। ହେଲେ ଗଛ ଲାଗିପାରିଲା ନାହିଁ। ରେଳବିହାରଠାରୁ ଉତ୍କଳ ହସ୍ପିଟାଲ ଦେଇ ଓଇଆରସିକୁ ସଂଯୋଗ କରୁଥିବା ୨୦୦ ଫୁଟିଆ ରାସ୍ତାରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାର ଅଞ୍ଚଳରେ ଗାତ ଖୋଳାଯାଇଥିଲେ ମଧ୍ୟ ସେଥିରେ ଗଛ ଲାଗିଲାନି।

ଏହା କେବଳ ଗୋଟିଏ ଅଞ୍ଚଳ କଥା ନୁହେଁ। ବର୍ଷା ଋତୁରେ ରାଜଧାନୀରେ ଏକ ଲକ୍ଷ ଚାରା ରୋପଣ କରିବାକୁ ବିଏମ୍‌ସି ଓ ବନ ବିଭାଗର ଅଧିକାରୀମାନେ ସ୍ବପ୍ନ ଦେଖାଇଥିଲେ। କେଉଁଠି ଚାରା ଲାଗିବ ଓ କେମିତି ବଞ୍ଚି ରହିବ ସେନେଇ ରୋଡ୍‌ମ୍ୟାପ୍‌ ମଧ୍ୟ ପ୍ରସ୍ତୁତ ହୋଇଥିଲା। ୧୩ଟି ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାକୁ ଜାଗା ଚିହ୍ନଟ ହୋଇଥିବା ବେଳେ କର୍ପୋରେଟରମାନେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଥିଲା। ବିଭିନ୍ନ ହୋଟେଲ ମାଲିକ, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଆବାସିକ କଲ୍ୟାଣ ସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ଯେଉଁମାନଙ୍କର ଖାଲି ସ୍ଥାନ ରହିଛି, ସେମାନେ ନିଜ ଉଦ୍ୟମରେ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ କରିବେ। ବିଏମ୍‌ସି ଚାରା ଯୋଗାଇ ଦେବ। ଏଥିସହ ସବୁଜ ଭୁବନେଶ୍ୱର ଗଠନ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ବନ ବିଭାଗ ସହଯୋଗରେ ବିଏମ୍‌ସି ଏକ ଲକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

ଏଥିରେ ବି ବିଏମ୍‌ସି ଫେଲ୍‌

ମାତ୍ର ୫୫ ହଜାର ଗଛରେ ଅଟକିଗଲେ
ମିଆୱାକି ପଦ୍ଧତିରେ ନଗର ବନ ଅଧପନ୍ତରିଆ
ଗଛ ପିଛା ଖର୍ଚ୍ଚ ୨ହଜାର, ପାଣି ଦିଆଯାଉନି

ତେବେ ୪ ମାସ ପରେ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟର ଅଧା ପୂରଣ ହୋ‌ଇପାରି ନାହିଁ। କାଗଜପତ୍ରରେ ୫୫ରୁ ୬୦% ଗଛ ଲଗାଯାଇଥିବା କୁହାଯାଉଥିବା ବେଳେ ବାସ୍ତବରେ କେତେ ହୋଇଛି ତାହାକୁ ନେଇ ପରିବେଶବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ବିଏମ୍‌ସି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଅଗଷ୍ଟ ମାସରୁ ସହରର ବିଭିନ୍ନ ୱାର୍ଡରେ ବୃକ୍ଷରୋପଣ ଆରମ୍ଭ ହୋଇଥିଲା। ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ପାଖାପାଖି ୫୫ ହଜାର ଗଛ ଲାଗିଛି। ପ୍ରତି ୱାର୍ଡରେ ଖାଲି ଚିହ୍ନଟ କରାଯାଇ ବୃକ୍ଷରୋପଣ ହୋଇଛି। ସହରର ଉପକଣ୍ଠର ଖାଲି ସ୍ଥାନରେ ଅଧିକ ସଂଖ୍ୟାରେ ବୃକ୍ଷରୋପଣ ହୋଇଛି। ପାତ୍ରପଡ଼ା ଅନ୍ତର୍ଗତ ରଜ ମହୋତ୍ସବ ପଡ଼ିଆଠାରେ ୨୦୦୦ ବର୍ଗମିଟର ପରିମିତ ଅଞ୍ଚଳରେ ୧୬୦୦ ବୃକ୍ଷରୋପଣ କରାଯାଇଛି। ବିଏମ୍‌ସି ଓ ଭୁବନେଶ୍ୱର ନଗର ବନଖଣ୍ଡର ମିଳିତ ପ୍ରୟାସରେ ୧ଲକ୍ଷ ବୃକ୍ଷରୋପଣ ସହ ୩ଟି ଜୋନ୍‌ର ବିଭିନ୍ନ ସ୍ଥାନରେ ମିଆୱାକି ପଦ୍ଧତିରେ ନଗର ବନ ସୃଷ୍ଟି କରିବାକୁ ବିଏମ୍‌ସି ଯୋଜନା କରିଥିଲା। ମାତ୍ର ଏବେ ସୁଦ୍ଧା ମାତ୍ର ୬ଟି ସ୍ଥାନରେ ମିଆୱାକି ପଦ୍ଧତିରେ ବୃକ୍ଷରୋପଣ ହୋଇଛି।

ଗଛ ଲଗାଇ ଫଟୋ ଉଠାଉଥିଲେ ବଡ଼ବଡ଼ିଆ
ଜୁଲାଇ ଶେଷ ସପ୍ତାହରେ ବୈଠକ କରାଯିବା ପରେ ତତ୍‌କ୍ଷଣାତ ବୃକ୍ଷରୋପଣ କରିବାକୁ ଅଣ୍ଟା ଭିଡ଼ିଥିଲା ବିଏମ୍‌ସି। ଉତ୍ତର ଜୋନ୍‌ ଅନ୍ତର୍ଗତ ୧ ନମ୍ବର ୱାର୍ଡର ଫୁଟବଲ୍‌ ପଡ଼ିଆରୁ ଆରମ୍ଭ ହୋଇଥିଲା ଅଭିଯାନ। ପରେ ୨ ନମ୍ବର ୱାର୍ଡ ଅନ୍ତର୍ଗତ ଶିଖରଚଣ୍ଡୀ ନଗର, ସାଉଥ୍‌-ୱେଷ୍ଟ ଜୋନ୍‌ର ୨୨ ନମ୍ବର ୱାର୍ଡ ଭରତପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୫୦ ନମ୍ବର ୱାର୍ଡର ବରମୁଣ୍ଡା ଦୁର୍ଗାପୂଜା ପଡ଼ିଆ, ୬୩ ନମ୍ବର ୱାର୍ଡ ଜାଗମରାସ୍ଥିତ ବିଏମ୍‌ସିର ପ୍ରସ୍ତାବିତ ଜୋନାଲ ଅଫିସ୍‌ ପ୍ରାଙ୍ଗଣ, ସହରର ୩୪, ୩୫, ୫୭, ୫୯ ନମ୍ବର ୱାର୍ଡ, ବ୍ରହ୍ମେଶ୍ବର ପାଟଣାସ୍ଥିତ ଝିଲି ପୋଖରୀ, ସହିଦନଗର, ସାଉଥ୍‌-ଇଷ୍ଟ ଜୋନ୍‌ ଅନ୍ତର୍ଗତ ୨୮ ନମ୍ବର ୱାର୍ଡର ତିରୁପତି ତିରୁମାଲା କଲ୍ୟାଣ ମଣ୍ଡପ ରାସ୍ତାପାର୍ଶ୍ବ, ଷ୍ଟେସନ ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ହୋଇଥିଲା। ବି‌ଏମ୍‌ସି ମେୟର ସୁଲୋଚନା ଦାସଙ୍କ ସମେତ ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ବାବୁ ସିଂଙ୍କ ସମେତ ସ୍ଥାନୀୟ କର୍ପୋରେଟରମାନେ ସାମିଲ ହୋଇଥିଲେ। ‘ମା’ପାଇଁ ଗଛ ଟିଏ’ ଅଭିଯାନରେ ମଧ୍ୟ ଏକାଧିକ ସ୍ଥାନରେ ବୃକ୍ଷରୋପଣ କରାଯାଇଛି।

ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଅଲଗା। କେଉଁ ୱାର୍ଡରେ ଏକ ହଜାର ବୃକ୍ଷରୋପଣ ହୋଇଛି ତ ଆଉ କେଉଁଠି ହଜାରେ ଛୁଇଁପାରି ନାହିଁ। କେତେକ ୱାର୍ଡରେ ବୃକ୍ଷରୋପଣ ସଂଖ୍ୟା ତିନି ଅଙ୍କ ଛୁଇଁ ନ ଥିବା ଜଣାପଡ଼ିଛି। ଏବାବଦରେ ବିଏମ୍‌ସି ରାଜକୋଷରୁ ଲକ୍ଷା‌ଧିକ ଟଙ୍କା ଖର୍ଚ୍ଚ ହୋଇଛି। ଗୋଟିଏ ଗଛ ଖୋଳିବାକୁ ୩୦ରୁ ୪୦ ଟଙ୍କା ଦିଆଯାଇଥିବା ବେଳେ ଟ୍ରିଗାର୍ଡ ଲଗାଇବା ବାବଦରେ ଗଛ ପିଛା ୧୨୦୦ରୁ ୧୫୦୦ ଟଙ୍କା ଖର୍ଚ୍ଚ ହୋଇଛି। ନଗର ବନଖଣ୍ଡର ବିଭିନ୍ନ ଫାର୍ମରୁ ମାଗଣା ଚାରା ପରିବହନ, ଗଛ ଲଗାଇବା, ପାଣି ଦେବା ପରି ବିଭିନ୍ନ ବିଷୟକୁ ହିସାବକୁ ନେଲେ ଗଛ ପିଛା ଦୁଇ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରାଯାଇଛି। ତେବେ ଏବେ ପାଣି ଦିଆଯାଉ ନ ଥିବାରୁ କେଉଁଠି ଗଛ ମରିଗଲାଣି ତ ଆଉ କେଉଁଠି କେବଳ ଟ୍ରିଗାର୍ଡ ଛିଡ଼ା ହୋଇ ରହିଛି।

ସୌଜନ୍ୟ-ସମ୍ୱାଦ

Comments are closed.