Breaking News

କୃଷିଉଦ୍ୟାନ ମାର୍କେଟ୍‌ କମ୍ପ୍ଲେକ୍ସ ସ୍ଥିତି ଦୟନୀୟ: ବ୍ୟବସାୟୀ ବିକି ପାରୁନାହାନ୍ତି କି କିଣି ପାରୁନାହାନ୍ତି

ବିଏମ୍‌ସି ୧୫ନମ୍ବର ୱାର୍ଡ ରେଣ୍ଟାଲ୍‌ କଲୋନି କୃଷିଉଦ୍ୟାନ ମାର୍କେଟ୍‌ କମ୍ପ୍ଲେକ୍ସକୁ ୩୯ବର୍ଷ ପୂରିଛି। ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚରେ ବିଡିଏ ତିଆରି କରିଥିବା ଏହି ସର୍ବପୁରାତନ ମାର୍କେଟ୍‌ କମ୍ପ୍ଲେକ୍ସ ଏବେ ଭୁଶୁଡ଼ିବାକୁ ବସିଛି।

 କୃଷିଉଦ୍ୟାନ ମାର୍କେଟ୍‌ କମ୍ପ୍ଲେକ୍ସ ସ୍ଥିତି ଦୟନୀୟ: ବ୍ୟବସାୟୀ ବିକି ପାରୁନାହାନ୍ତି କି କିଣି ପାରୁନାହାନ୍ତି

ଖଣ୍ଡଗିରି: ବିଏମ୍‌ସି ୧୫ନମ୍ବର ୱାର୍ଡ ରେଣ୍ଟାଲ୍‌ କଲୋନି କୃଷିଉଦ୍ୟାନ ମାର୍କେଟ୍‌ କମ୍ପ୍ଲେକ୍ସକୁ ୩୯ବର୍ଷ ପୂରିଛି। ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚରେ ବିଡିଏ ତିଆରି କରିଥିବା ଏହି ସର୍ବପୁରାତନ ମାର୍କେଟ୍‌ କମ୍ପ୍ଲେକ୍ସ ଏବେ ଭୁଶୁଡ଼ିବାକୁ ବସିଛି। ସରକାରୀ ଭାବେ ଏହାକୁ ବିପଦସଂକୁଳ ମଧ୍ୟ ଘୋଷଣା କରାଯାଇଛି। ବିଡିଏ ହିତାଧିକାରୀଙ୍କୁ ଦୋକାନ ବିକି ଦେଇଥିବାରୁ ମରାମତି ଦାୟିତ୍ବ ନେଉନାହିଁ। ଏଣେ ବିକ୍ରି ଓ ସବ୍‌ଲେଟ୍‌(ଭଡ଼ା ଲଗାଇବା) ଉପରେ କଟକଣା ଲଗାଇଛି। ଫଳରେ ଏହାକୁ ବିକ୍ରି କରି ଖର୍ଚ୍ଚ ଅର୍ଥ ଅସୁଲ କରିବାକୁ ବସିଥିବା ବ୍ୟବସାୟୀମାନେ ବିକି ପାରୁନାହାନ୍ତି କି ଭଡ଼ା ଲଗାଇ ଖର୍ଚ୍ଚ ଅର୍ଥ ଅସୁଲ କରିପାରୁ ନାହାନ୍ତି। ଏବେ ଏହା ଭୁଶୁଡ଼ିବାକୁ ବସିଥିଲେ ମଧ୍ୟ ଜୀବନକୁ ବାଜି ଲଗାଇ କିଛି ବ୍ୟବସାୟୀ ଏହି କମ୍ପ୍ଲେକ୍ସରେ ବେପାର କରୁଛନ୍ତି। ବଡ଼କଥା ହେଉଛି, ଏଥିରେ କେବଳ ବ୍ୟବସାୟୀଙ୍କ ଜୀବନ ବିପନ୍ନ ହେଉନାହିଁ, ଆସୁଥିବା ଶହଶହ ଗ୍ରାହକଙ୍କ ଜୀବନ ମଧ୍ୟ ବାଜିରେ ଲାଗୁଛି।

୧୯୮୬ମସିହାରେ ଜିଏ ବିଭାଗ ରେଣ୍ଟାଲ୍‌ କଲୋନିରେ ସରକାରୀ କ୍ବାର୍ଟର୍ସ ନିର୍ମାଣ କରିଥିଲା‌। ସହରଠାରୁ ଦୂରରେ ଥିବାରୁ ଏହି କଲୋନିବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଡିଏ ଏଠାରେ ଦୁଇ ମହଲା ବିଶିଷ୍ଟ ୫୦ ଦୋକାନଘର ଥିବା ଏହି  ‘କୃଷିଉଦ୍ୟାନ ମାର୍କେଟ୍‌ କମ୍ପ୍ଲେକ୍ସ’ ନିର୍ମାଣ କରିଥିଲା। ୫୦ ଦୋକାନଘର ମଧ୍ୟରୁ ୩୦ଟି ବିକ୍ରି ହୋଇଥିଲା। ବାକି ୨୦ଘରକୁ ବିଡିଏ ବିକି ପାରିନଥିଲା। ଖାଲି ପଡ଼ିବାରୁ ସେସବୁ ନଷ୍ଟ ହେବା ଆରମ୍ଭ କଲା। ବିଡିଏ ନା ମରାମତି କଲା, ନା ବିକିବା ପାଇଁ ଉଦ୍ୟମ କଲା। ଦୀର୍ଘଦିନ ଖାଲି ପଡ଼ିବା ପରେ ଅନ୍ୟ ବ୍ୟବସାୟୀମାନେ ଏହି ଘରସବୁକୁ ଗୋଦାମ ଭାବେ ବ୍ୟବହାର କଲେ। ୧୯୯୯ ମସିହା ମହାବାତ୍ୟାରେ ମାର୍କେଟ୍‌ କମ୍ପ୍ଲେକ୍ସ ବିଶେଷଭାବେ ପ୍ରଭାବିତ ହୋଇଥିଲା। ଅନେକ ଦୋକାନଘର ମରାମତି ଲୋଡ଼ିଲା।

୩୯ବର୍ଷର ପୁରୁଣା କୋଠା ବିପଦସଂକୁଳ ଘୋଷଣା ହୋଇସାରିଛି
ବ୍ୟବସାୟୀ ବିକି ପାରୁନାହାନ୍ତି କି କିଣି ପାରୁନାହାନ୍ତି

ବ୍ୟବସାୟୀମାନେ ମରାମତି ପାଇଁ ବିଡିଏର ଦ୍ବାରସ୍ଥ ହେଲେ। କିନ୍ତୁ ଘର ବିକି ଦେଇଥିବାରୁ ବିଡିଏ ମରାମତି ଦାୟିତ୍ବ ନେବନାହିଁ ବୋଲି ମନା କରିଦେଲା। ଯେଉଁ ଘରଗୁଡ଼ିକ ବିକ୍ରି ହୋଇ ନଥିଲା, ସେଗୁଡ଼ିକ ମଧ୍ୟ ବିଡିଏ ମରାମତି କଲାନାହିଁ। ବ୍ୟବସା‌ୟୀମାନେ ବାଧ୍ୟହୋଇ ନିଜ ଦୋକାନ ମରାମତି କଲେ। ଅନ୍ୟ ଦୋକାନଘରଗୁଡ଼ିକ ମରାମତି ଅଭାବରୁ ଆହୁରି ଖରାପ ହୋଇଗଲା। ସମାନ ଛାତ ତଳେ ଥିବାରୁ ମରାମତି ହେଉନଥିବା ଘରଗୁଡ଼ିକର ପ୍ରଭାବରେ ପୂରା କୋଠା ବି ଦୁର୍ବଳ ହେବାକୁ ଲାଗିଲା। ଏଣେ ଦୋକାନ ପିଛା ୬୮ରୁ ୭୦ ହଜାର ଟଙ୍କା ଦେଇଥିବା ବ୍ୟବସାୟୀଙ୍କ ପାଇଁ ବାରମ୍ବାର ମରାମତି ଖର୍ଚ୍ଚ ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା ଭଳି ସ୍ଥିତି ହେଲା। ଏଣୁ ୩୦ ଦୋକାନୀଙ୍କ ମଧ୍ୟରୁ ୨୫ ଜଣ ଦୋକାନ ଛାଡ଼ି ଚାଲିଗଲେ। ଏହାର ସୁଯୋଗ ନେଇ ମାର୍କେଟ୍‌ କମ୍ପ୍ଲେକ୍ସ (୫ ମୂଳ ବ୍ୟବସାୟୀଙ୍କୁ ଛାଡ଼ି) ଜବରଦଖଲ ହୋଇଗଲା। ଏବେ ସେଠାରେ ସନ୍ଧ୍ୟା ହେବା କ୍ଷଣି ଅସାମାଜିକ ଓ ମଦ୍ୟପଙ୍କ ଆଡ଼ା ଜମୁଛି। ଗୋଟିଏ ପଟେ ନିଶାଡ଼ିଙ୍କ ଉତ୍ପାତ ଓ ଅନ୍ୟପଟେ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ିବା ସ୍ଥିତିରେ ଥିବା କୋଠା ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ବର୍ଷକ ତଳେ ଖୋଦ୍‌ ବିଡିଏ ଏହାକୁ ବିପଦସଂକୁଳ ଘୋଷଣା କରିଛି।

ସ୍ଥାନୀୟ ବାସିନ୍ଦା ହୃଷିକେଶ ବେହେରାଙ୍କ କହିବା କଥା ବିଡିଏ ନିୟମ ଅନୁସାରେ ବ୍ୟବସାୟୀମାନେ କମିଟି କରି ନିଜେ ରକ୍ଷଣା‌ବେକ୍ଷଣ କରିବା କଥା। ଦୋକାନଘର କିଣିଥିବା ୩୦ ବ୍ୟବସାୟୀ ସିନା ମରାମତି ବା ରକ୍ଷଣାବେକ୍ଷଣ କରିବେ, କିନ୍ତୁ ବିକ୍ରି ହୋଇନଥିବା ୨୦ ଘରର ଦାୟିତ୍ବ କିଏ ନେବ ବୋଲି ସେ କହିଛନ୍ତି। ଏନେଇ ସ୍ଥାନୀୟ କର୍ପୋ‌ରେଟର ପିଙ୍କି ସ୍ବାଇଁ କହିଛନ୍ତି ଯେ ବିଡିଏ ତୁରନ୍ତ ଏହାକୁ ଭାଙ୍ଗି ନୂଆ କୋଠା ନିର୍ମାଣ କରିବା ଆବଶ୍ୟକ। ଜେଡିସିଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି। ସେ ଏହାର ସମାଧାନ କରିବେ ବୋଲି କହିଛନ୍ତି।

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.