Breaking News

କୃଷିକ୍ଷେତ୍ରରେ ବିପ୍ଳବ ଆଣିବ ସ୍ବୟଂଚାଳିତ ଟ୍ରାକ୍ଟର

ଟ୍ରାକ୍ଟର ସମେତ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ନିର୍ମାଣ କରୁଥିବା ଆମେରିକୀୟ କମ୍ପାନି ‘ଜନ୍ ଡିଅର୍‌’ କିଛି ନୂତନ ଧରଣର ସ୍ବୟଂଚାଳିତ ଯାନ ବାହାର କରିବାକୁ ଜୋରଦାର୍‌ ପ୍ରସ୍ତୁତି ଚଳାଇଛି।

ଟ୍ରାକ୍ଟର ସମେତ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ନିର୍ମାଣ କରୁଥିବା ଆମେରିକୀୟ କମ୍ପାନି ‘ଜନ୍ ଡିଅର୍‌’ କିଛି ନୂତନ ଧରଣର ସ୍ବୟଂଚାଳିତ ଯାନ ବାହାର କରିବାକୁ ଜୋରଦାର୍‌ ପ୍ରସ୍ତୁତି ଚଳାଇଛି। କମ୍ପାନିର ସେହି ପ୍ରସ୍ତାବିତ ଯନ୍ତାଂଶଗୁଡ଼ିକ ମଧ୍ୟରେ ସ୍ବୟଂଚାଳିତ ଟ୍ରାକ୍ଟର, ଉଦ୍ୟାନ ଘାସକଟା ରୋବଟ୍‌ ଓ ଚାଳକବିହୀନ ଅଳିଆଉଠା ଟ୍ରକ୍ ଆଦି ରହିଛି। ଏହି ଅଭିନବ ଯାନଗୁଡ଼ିକ କୃଷିକ୍ଷେତ୍ର ସମେତ ଉଦ୍ୟାନ ସୌନ୍ଦର୍ଯ୍ୟୀକରଣ ଓ ଭୂମିରୂପ ସଜାଡ଼ିବାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି। ଏଗୁଡ଼ିକ ନିରାପଦରେ ଗତି କରିବା ସହ ଜଟିଳ ପରିସ୍ଥିତିରେ ମଧ୍ୟ ବିଭିନ୍ନ ପ୍ରକାର ଜଟିଳ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବ ବୋଲି କମ୍ପାନି ଗୁରୁତ୍ବାରୋପ କରିଛି। ଅବଶ୍ୟ ବିଗତ ଦୁଇବର୍ଷ ହେଲା ଜନ୍ ଡିଅର୍‌ ସ୍ବୟଂଚାଳିତ ଟ୍ରାକ୍ଟରର ନିୟୋଜନ ଦେଖିବାକୁ ମିଳିଛି। ତେବେ କମ୍ପାନି ତାହାକୁ ଅଧିକ ସ୍ବୟଂକ୍ରିୟ କରିବା ପାଇଁ ସେଥିରେ ସ୍ବତନ୍ତ୍ର ଜ୍ଞାନକୌଶଳ ଖଞ୍ଜିବାକୁ ଯାଉଛି। କ୍ଷେତରେ ମୃତ୍ତିକା ପରିଚାଳନାଠାରୁ ଆରମ୍ଭ କରି ବୀଜବପନ, ଚାରା ରୋପଣ, ଜଳସେଚନ ଓ ଶସ୍ୟ ଆମଦାନି ପରି ବହୁବିଧ କାମରେ ଆଉ କୌଣସି ଶ୍ରମିକର ଆବଶ୍ୟକତା ରହିବନି।

ଏହି ଟ୍ରାକ୍ଟର ଥିଲେ କ୍ଷେତରେ ମୃତ୍ତିକା ପରିଚାଳନାରୁ ଆରମ୍ଭ କରି ବୀଜବପନ, ଚାରା ରୋପଣ, ଜଳସେଚନ ପରି ବହୁବିଧ କାମରେ ଆଉ କୌଣସି ଶ୍ରମିକଙ୍କ ଆବଶ୍ୟକତା ପଡ଼ିବ ନାହିଁ

କମ୍ପାନିର ଏହି ଦ୍ବିତୀୟ ପିଢ଼ି ସ୍ବୟଂଚାଳିତ ଟ୍ରାକ୍ଟରକୁ ଏକ କମ୍ପ୍ୟୁଟର କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ୩୬୦ ଡିଗ୍ରି ଦୃଶ୍ୟମାନତା ପାଇଁ ୧୬ଟି କ୍ୟାମେରା ଖଞ୍ଜାଯିବା ସହ କୃତ୍ରିମ ବୁଦ୍ଧିମତ୍ତା ଜ୍ଞାନକୌଶଳ ଉପରେ ପର୍ଯ୍ୟବସିତ ସମସ୍ତ ପ୍ରକାର କୃଷିକାର୍ଯ୍ୟ ଆପେ ଆପେ ସଂପନ୍ନ ହୋଇପାରିବ। ଏହି ଟ୍ରାକ୍ଟରର ନିରାପଦ ତଥା ଭରସାଯୋଗ୍ୟ କାର୍ଯ୍ୟକାରିତା ହିଁ କ୍ଷେତ ମାଲିକମାନଙ୍କୁ ଆଶ୍ବସ୍ତ କରିବା ସହ ସ୍ବତନ୍ତ୍ର କରି ମକା ଓ ସୋୟାବିନ୍ ଚାଷ ପାଇଁ ଏହା ସବୁଠାରୁ ଉପାଦେୟ ହୋଇପାରିବ ବୋଲି କମ୍ପାନି ଦାବି କରିଛି। ସେହିପରି ଫଳବଗିଚାରେ ରୋଗପୋକ ଦାଉ କମାଇବା ପାଇଁ ସ୍ବତନ୍ତ୍ର ପ୍ରକାର ସ୍ବୟଂଚାଳିତ ଟ୍ରାକ୍ଟରରେ ଫଳନ୍ତି ବୃକ୍ଷଡାଳକୁ ଆବଶ୍ୟକ ଔଷଧ ଓ କୀଟନାଶକ ସ୍ପ୍ରେ କରିହେବାର ବ୍ୟବସ୍ଥା ରହିଛି। ଏଥି ସହିତ ଗଛରୁ ଫଳତୋଳିବା କାର୍ଯ୍ୟ ମଧ୍ୟ ଆପେ ଆପେ ହୋଇପାରିବ। ଉଲ୍ଲେଖଯୋଗ୍ୟ, ଆମେରିକାରେ, ବିଶେଷ କରି କାଲିଫର୍ଣ୍ଣିଆରେ ବିଶ୍ବର ୮୦ ପ୍ରତିଶତ ଆଲମଣ୍ଡ୍‌ ଆମଦାନି ହୋଇଥାଏ। ତେବେ ଆଲମଣ୍ଡ୍‌ ଚାଷ ପାଇଁ ସେଠାରେ ଘୋର ଶ୍ରମିକ ଅଭାବ ଲାଗି ରହିଥାଏ। ତେଣୁ ଜନ୍ ଡିଅର୍‌ କମ୍ପାନି ପକ୍ଷରୁ ନିର୍ମିତ ହେବାକୁ ଥିବା ଏହି ନୂତନ ପିଢ଼ିର ସ୍ବୟଂଚାଳିତ ଟ୍ରାକ୍ଟର ସମୂହ କୃଷିକ୍ଷେତ୍ରରେ ଦେଖାଯାଉଥିବା ଶ୍ରମିକ ଅଭାବକୁ ଦୂର କରିବ ବୋଲି ଆଶା କରାଯାଉଛି।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.