Breaking News

କେନ୍ଦୁଝରରେ କଂଗ୍ରେସର ରଣ ହୁଙ୍କାର: ନାରୀ ନିର୍ଯାତନା ପ୍ରତିବାଦରେ ୨୭ରେ ବିଧାନସଭା ଘେରାଉ

ବି‌ଜେଡି ସରକାର ସମୟରେ ନାରୀ ନିର୍ଯାତିତ ହେଉଥିଲେ। ବି‌ଜେପି ସରକାରରେ ଏହା କମିବା ବଦଳରେ ବଢ଼ିଚାଲିଛି। ଉଭୟ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ମିଳିମିଶି ଓଡ଼ିଆ ଅସ୍ମିତାକୁ ଲୁଟ୍‌ କରୁଛନ୍ତି।

କେନ୍ଦୁଝର: ବି‌ଜେଡି ସରକାର ସମୟରେ ନାରୀ ନିର୍ଯାତିତ ହେଉଥିଲେ। ବି‌ଜେପି ସରକାରରେ ଏହା କମିବା ବଦଳରେ ବଢ଼ିଚାଲିଛି। ଉଭୟ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ମିଳିମିଶି ଓଡ଼ିଆ ଅସ୍ମିତାକୁ ଲୁଟ୍‌ କରୁଛନ୍ତି। ଏହା ବିରୋଧରେ କଂଗ୍ରେସ ସ୍ବର ଉଠାଇବା ସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆଜି କେନ୍ଦୁଝରରେ ଆୟୋଜିତ କଂଗ୍ରେସ କର୍ମୀ ସମାବେଶରେ ଯୋଗ ଦେଇ ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ପ୍ରକାଶ କରିଛନ୍ତି।

ନାରୀ ନିର୍ଯାତନା ବିରୋଧରେ ଆଜି କେନ୍ଦୁଝର କଂଗ୍ରେସ ପକ୍ଷରୁ ବିଶାଳ ‌ବାଇକ୍‌ ‌ଶୋଭାଯାତ୍ରା କରାଯାଇଥିଲା। ଏଥିରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, କଂଗ୍ରେସ ଜିଲ୍ଲା ପ୍ରଭାରୀ ଶିବାନନ୍ଦ ରାୟଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।
କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ନାରୀ ସୁରକ୍ଷାରେ ବାଧକ ସାଜିଛନ୍ତି ଉଭୟ ବିଜେଡି ଓ ବିଜେପି। ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ୪୪ ହଜାର ୨୬୦ ଜଣ ମହିଳା, ଶିଶୁ ଓ ଯୁବତୀ ନିଖୋଜ ହୋଇଥିଲେ। ମାତ୍ର ୮ ମାସର ବିଜେପି ସରକାରରେ ୨୦ ହଜାର ୬୦ ଜଣ ଶିଶୁ ଓ ଯୁବତୀ ନିଖୋଜ ହୋଇଛନ୍ତି। ବିଜେଡି ଓ ବିଜେପି ଓଡ଼ିଆ ଅସ୍ମିତାକୁ ଲୁଟ୍‌ କରୁଛନ୍ତି। କେନ୍ଦୁଝରର ଜଣେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ବିଜେପି ଯୁବନେତାଙ୍କ ସଂପୃକ୍ତ ରହିଛି। କେଉଁ କାରଣରୁ ତାଙ୍କୁ ସୁରକ୍ଷା ମିଳୁଛି, ତାହା ବୁଝାପଡ଼ୁ ନାହିଁ। ନାରୀ ନିର୍ଯାତନା ବିରୋଧରେ କଂଗ୍ରେସ ବିଧାୟକ ସରକାରଙ୍କୁ ପ୍ରଶ୍ନ କରିବାରୁ ତାଙ୍କୁ ୭ ଦିନ ପାଇଁ ନିଲମ୍ବନ କରାଗଲା। ଆମ ବିଧାୟକଙ୍କୁ ନିଲମ୍ବନ କଲେ ବି ଆମେ ବାରମ୍ବାର ପ୍ରଶ୍ନ ପଚାରିବୁ। ରାଜ୍ୟର ଲକ୍ଷ୍ମୀପୁରଠାରୁ ଆରମ୍ଭ କରି ବରଗଡ଼, ବଲାଙ୍ଗୀର, କେନ୍ଦୁଝର ପର୍ଯ୍ୟନ୍ତ ସବୁଠି ନାରୀ ନିର୍ଯାତିତ। ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେଉଛି। ଏହା ଆମକୁ ଦୁଃଖ ଦେଇଛି। ମାତ୍ର ସରକାର ଏହାକୁ ନେଇ ଦୁଃଖିତ ନୁହନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୭ରେ ବିଧାନସଭା ଘେରାଉ କରାଯିବ ବୋଲି ଶ୍ରୀ ଲଲ୍ଲୁ କହିଥିଲେ।

ଲୁଟ୍‌ ହେଉଛି ଓଡ଼ିଆ ଅସ୍ମିତା: ଅଜୟ ଲଲ୍ଲୁ
ବଞ୍ଚିଥିବା ଯାଏଁ କେନ୍ଦୁଝର ପାଇଁ କାମ କରିବି: ନିରଞ୍ଜନ
ନାରୀ ନିର୍ଯାତନା ପ୍ରତିବାଦରେ ୨୭ରେ ବିଧାନସଭା ଘେରାଉ

ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, କେନ୍ଦୁଝର ଧନୀ ଜିଲ୍ଲା। କିନ୍ତୁ ଏଠାକାର ଲୋକେ ଗରିବ। ଏହି ଜିଲ୍ଲା ପାଇଁ ୨୪ ବର୍ଷର ବିଜେଡି ସରକାର କିଛି କରିନାହିଁ। କଂଗ୍ରେସ ସରକାର ସମୟରେ ଏଠାରେ ହସ୍ପିଟାଲଠାରୁ ଆରମ୍ଭ କରି ବିଦ୍ୟାଳୟ, ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। କାନପୁର ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ହେଲେ ଏଯାଏଁ ସମ୍ପୂର୍ଣ୍ଣ ହେଲାନାହିଁ। ୫ଟି ଷ୍ଟିଲ୍‌ ପ୍ଲାଣ୍ଟ ଘୋଷଣା କରାଗଲା। ଗୋଟିଏ ପ୍ରତିଷ୍ଠା କଲେ ନାହିଁ ପୂର୍ବ ସରକାର। ଆଉ କିଛିଦିନ ପରେ ମୁଁ ଅବସର ନେବି। ମାତ୍ର କେନ୍ଦୁଝରର ଉନ୍ନତି ପାଇଁ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କାମ କରିବି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଜିଲ୍ଲା ହେଉ କି ରାଜ୍ୟ କିମ୍ବା ଦେଶ, ବିକାଶ କେବଳ କଂଗ୍ରେସ କରିପାରିବ। ଦିଶାହୀନ ଦେଶକୁ କେବଳ କଂଗ୍ରେସ ହିଁ ବଞ୍ଚାଇପାରିବ ବୋଲି ସେ କହିଥିଲେ। ଦେଶରେ ମନମୋହନ ସିଂହ ସରକାର ସମୟରେ ୧୮ଟି ଜନକଲ୍ୟାଣ ଯୋଜନା ହୋଇଥିଲା। ଯାହାର ସୁଫଳ ଏବେ ଲୋକେ ପାଉଛନ୍ତି। ‌ବୈତରଣୀରୁ ଏକାଧିକ କମ୍ପାନିକୁ ପାଣି ଯୋଗାଇ ଦିଆଯାଉଛି। ଲୋକେ ପିଇବାକୁ ଓ ଚାଷଜମିକୁ ଟୋପେ ପାଣି ମିଳୁନି। ଏହା ବିରୋଧରେ ଆମେକୁ ଲଢ଼େଇ କରିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ, ‌ବିଜେଡି ଓ ବିଜେପି ସରକାର କେନ୍ଦୁଝରବାସୀଙ୍କୁ ଠକିଛନ୍ତି। ପୂର୍ବ ସରକାର ଷ୍ଟିଲ୍‌ ପ୍ଲାଣ୍ଟ କଥା କହି ଚାଲିଗଲେ। ଏବେ ନୂଆ ସରକାର ଷ୍ଟିଲ୍‌ ପ୍ଲାଣ୍ଟ କଥା କହୁଛନ୍ତି। କେନ୍ଦୁଝରରେ ଷ୍ଟିଲ୍‌ ପ୍ଲାଣ୍ଟ ହେଲେ ନିରଞ୍ଜନ ବାବୁ ଏବଂ ମୁଁ ସ୍ବାଗତ କରିବୁ। ଆମେ ସେହି ସମୟକୁ ଅପେକ୍ଷା କରିଛୁ ବୋଲି କହିଥିଲେ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ହୋଇଥିବା ଆର୍ଥିକ ଅନିୟମିତତା ଘଟଣାରେ କେବଳ ରାଜା ଚକ୍ର ଗିରଫ ହୋଇଛନ୍ତି। ଆହୁରି ଏକାଧିକ ରାଜା ବାହାରେ ବୁଲୁଛନ୍ତି। ବଦ୍ରି ପାତ୍ରଙ୍କ ବିରୋଧରେ କେହି ମୁହଁ ଖୋଲୁ ନାହାନ୍ତି। ଯେ ପର୍ଯ୍ୟନ୍ତ ସବୁ ଲୁଟେରା ଗିରଫ ନହେବେ, କେନ୍ଦୁଝରର ବିକାଶ ହୋଇପାରିବ ନାହିଁ ବୋଲି ସେ କହିଥିଲେ। ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ କହିଥିଲେ, କଂଗ୍ରେସର ଗୋଟିଏ ବାର୍ତ୍ତା ନାରୀ ସୁରକ୍ଷା। ମହିଳାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆମେ ସମସ୍ତେ ଏକ ହେବା ଦରକାର। ମମିତା, ବେବିନା‌ର କାନ୍ଦ ଆଜି ବି ଶୁଭୁଛି। କଂଗ୍ରେସ ସେମାନଙ୍କୁ ନ୍ୟାୟ ଦେବାକୁ ଲଢ଼େଇ ଜାରି ରଖିଛି ବୋଲି ସେ କହିଥି‌ଲେ। କଂଗ୍ରେସର ଜିଲ୍ଲା ପ୍ରଭାରୀ ଶିବାନନ୍ଦ ରାୟ ମହିଳା ଅତ୍ୟାଚାର ବିରୋଧରେ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ବୋଲି ଚେତାଇ ଦେଇଥିଲେ।

ଯୁବକଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ବରେ ବାଇକ୍‌ ଶୋଭାଯାତ୍ରା ହୋଇଥିଲା। ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ ଧନ୍ୟବାଦ ଦେଇଥିଲେ। ପୂର୍ବତନ ସଂପାଦକ ସଂଗ୍ରାମ ଦାସଙ୍କ ସଂଯୋଜନାରେ ଜିଲ୍ଲା ସଭାପତି ମୋହନ ପରିଡ଼ା ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ବିନୋଦ ବିହାରୀ ନାଏକ, ନିର୍ମଳ ନାୟକ, ପୂବର୍ତନ ପିସିସି ସାଧାରଣ ସମ୍ପାଦକ ନିକୁଞ୍ଜ ବିହାରୀ ମିଶ୍ର, ଯଶୋବନ୍ତ ନାରାୟଣ ସିଂହ ଲାଗୁରୀ, ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ମହିଳା କଂଗ୍ରେସର ପୂର୍ବତନ ଉପସଭାନେତ୍ରୀ ସଂଗୀତା ସିଂ, ବରିଷ୍ଠ କଂଗ୍ରେସ ନେତା ଚତୁର୍ଭୁଜ ନାଏକ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୃଷ୍ଣ ମହାନ୍ତି, ପୂର୍ବତନ ସାଧାରଣ ସଂପା‌ଦକ ଆଲୋକ ମିଶ୍ର, ପୂର୍ବତନ ସାଧାରଣ ସଂପାଦକ ମନୋଜ ଜେନା, ପ୍ରତିଭା ମଞ୍ଜରୀ ନାଏକ, ଓବିସି ସେଲ୍‌ ଅଧ୍ୟକ୍ଷ ଯଦୁମଣି ବାରିକ, ସୁବ୍ରତ କୁମାର ଚକ୍ର, କୃଷକ ସେଲ୍‌ ସଭାପତି ଦିଲୀପ ସାହୁ ଉପସ୍ଥିତ ଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.