Breaking News

କେନ୍ଦ୍ରୀୟ ପୁଞ୍ଜି ବ୍ୟୟ ଋଣ ଯୋଜନା: ପର୍ଯ୍ୟଟନ ପାଣ୍ଠିରେ ଓଡ଼ିଶା ଆଗୁଆ

ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ ୩୨୯୫.୭୬ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଋଣ ଦେଇଛନ୍ତି। ସାର୍ବଜନୀନ ନିବେଶ ବଢ଼ାଇବା ସହ ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ଲାଗି ଏହି ୫୦ ବର୍ଷିଆ ସୁଧ ମୁକ୍ତ ଋଣ ଦିଆଯାଇଛି।

ନୂଆଦିଲ୍ଲୀ: ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ ୩୨୯୫.୭୬ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଋଣ ଦେଇଛନ୍ତି। ସାର୍ବଜନୀନ ନିବେଶ ବଢ଼ାଇବା ସହ ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ଲାଗି ଏହି ୫୦ ବର୍ଷିଆ ସୁଧ ମୁକ୍ତ ଋଣ ଦିଆଯାଇଛି। ଏହି ପାଣ୍ଠି ହାସଲ କରିଥିବା ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ରହିଛି। ହୀରାକୁଦ ଓ ସାତକୋଶିଆର ବିକାଶ ଲାଗି ଓଡ଼ିଶା ୧୯୯.୮୯ କୋଟି ଟଙ୍କା ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ ୧.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଋଣ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତାହାର ଏକ ଅଂଶ ହେଉଛି ପର୍ଯ୍ୟଟନ ପ୍ରକଳ୍ପ ଲାଗି ଋଣ। ଆବଦ୍ଧ(ଟାଏଡ୍‌) ଆବଣ୍ଟନର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ପାଲଟିଛି ପର୍ଯ୍ୟଟନ। ପର୍ଯ୍ୟଟନ ପ୍ରକଳ୍ପ ବିକାଶ ଲାଗି ଓଡ଼ିଶା, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଅଧିକ ପାଣ୍ଠି ପାଇଛନ୍ତି।

ଅରୁଣାଚଳପ୍ରଦେଶ, ପଞ୍ଜାବ ଓ ଝାଡ଼ଖଣ୍ଡ ପଛୁଆ ରହିଛନ୍ତି। ମଧ୍ୟପ୍ରଦେଶ ୧୯୯.୩ କୋଟି ଟଙ୍କା, କର୍ଣ୍ଣାଟକ ୧୯୯.୧୭ କୋଟି ଟଙ୍କା ପାଇଛି। ମେଘାଳୟ ୧୯୮.୫୪ କୋଟି ଟଙ୍କା ହାସଲ କରିଥିବା‌ ବେଳେ ଆସାମକୁ ୧୯୧.୮୮ କୋଟି ଟଙ୍କା ମିଳିଛି। ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟ ସ୍ଥାପନ କରିବା ଲାଗି ଗୋଆ ୧୮୮.୨ କୋଟି ଟଙ୍କା ହାସଲ କରିଛି। ଆନ୍ଧ୍ରପ୍ରଦେଶକୁ ୧୭୨.୩୫ କୋଟି ଟଙ୍କା ମିଳିଛି।
ବିଭିନ୍ନ ପ୍ରକାର ଇକୋ-ଟୁରିଜିମ୍ ଓ ସାଂସ୍କୃତିକ ପ୍ରକଳ୍ପ ଲାଗି ତାମିଲନାଡୁ, ସିକିମ, କେରଳ, ଉତ୍ତରପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ୧୪୬ କୋଟି ଟଙ୍କାରୁ ୧୬୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ହାସଲ କରିଛନ୍ତି। କମ୍ ଆବଣ୍ଟନ ପାଇଥିବା ରାଜ୍ୟଗୁଡ଼ିକ ହେଉଛନ୍ତି ଝାଡ଼ଖଣ୍ଡ (୩୪.୮୭ କୋଟି ଟଙ୍କା), ଅରୁଣାଚଳପ୍ରଦେଶ (୪୮.୪୮ ‌କୋଟି ଟଙ୍କା), ପଞ୍ଜାବ (୫୩.୪୫ କୋଟି ଟଙ୍କା), ମଣିପୁର (୮୯.୪୮ କୋଟି ଟଙ୍କା), ତ୍ରିପୁରା (୯୭.୭ କୋଟି ଟଙ୍କା) ଓ ଉତ୍ତରାଖଣ୍ଡ ୧୦୦ କୋଟି ଟଙ୍କା। ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ତାହାର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଓ ଅନ୍ୟାନ୍ୟ କଟକଣା ଦ୍ବାରା ପର୍ଯ୍ୟଟନ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଥିଲା। ସ୍ଥିତିରେ ସୁଧାର ହେବା ପରେ ଦେଶ ଭିତରର ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟଗୁଡ଼ିକ ନିମନ୍ତେ ପାଣ୍ଠି ହାସଲ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି କେନ୍ଦ୍ରୀୟ ପୁଞ୍ଜି ବ୍ୟୟ ଋଣ ଯୋଜନା। ଏହା ଏକ ଚାହିଦା ଆଧାରିତ ଯୋଜନା। ରାଜ୍ୟଗୁଡ଼ିକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖରେ ମଞ୍ଜୁରି ପାଇଁ ଉପସ୍ଥାପନ କରୁଛନ୍ତି। ଏକ କମିଟି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରୁଛି। ପ୍ରକଳ୍ପ ଲାଗି ପ୍ରସ୍ତୁତି, ଜାତୀୟ ପ୍ରାଥମିକତା ସହ ସମନ୍ବୟ, ନିଯୁକ୍ତି ସୁଯୋଗ ସୃଷ୍ଟି ଭଳି ମାନଦଣ୍ଡ ବିଚାରକୁ ନେଇ ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଉଛି। ପ୍ରଭାବଶାଳୀ ପ୍ରକଳ୍ପ ପଠାଇଥିବା ରାଜ୍ୟଙ୍କ ପାଣ୍ଠି ପାଇବା ସମ୍ଭାବନା ଅଧିକ ରହୁଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.