Breaking News

କେବଳ ପୁରୁଷ ନୁହେଁ

ଗୋଟେ ଧାରଣା ରହିଆସିଛି ଯେ, ପୁରୁଷମାନେ ଆକ୍ରମଣକାରୀ ଓ କଠୋର ହୋଇଥିବା ବେଳେ ମହିଳାମାନେ ସର୍ବଦା ପୀଡ଼ିତା। ଯେତେବେଳେ କୌଣସି ମହିଳାଙ୍କୁ ନେଇ ଘରୋଇ ହିଂସା ଦେଖାଦେଇଥାଏ ସେତେବେଳେ କନ୍ୟା ପକ୍ଷ ବରପକ୍ଷ ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥାଆନ୍ତି। ଭାରତରେ ଯେହେତୁ ଯୌତୁକ ଆଇନ ୧୯୬୧ ମହିଳାଙ୍କ ସୁରକ୍ଷା ପାଇଁ ବ୍ୟାପକ ଭାବେ ବ୍ୟବହାର ହୋଇଥାଏ, ସେହେତୁ ପୀଡ଼ିତାମାନେ ଏହି ଆଧାରରେ ପୁରୁଷଙ୍କ ପରିବାରକୁ ଅନେକ ସମୟରେ ହଇରାଣ ହରକତରେ ପକାଇଥାଆନ୍ତି। ଅତୀତରେ ଏମିତି ବହୁ ଘଟଣା ଦେଖାଦେଇଛି ଯେଉଁଥିରେ ମହିଳାଙ୍କ ଦୋଷ ଥିଲେ ମଧ୍ୟ ନିର୍ଦ୍ଦୋଷ ସ୍ବାମୀ, ତାଙ୍କ ମାତାପିତା କିମ୍ବା ସମ୍ପର୍କୀୟମାନେ ସହଜରେ ଜେଲ ଯାଇଥାଆନ୍ତି। ଏଭଳି ସ୍ଥଳେ ମହିଳା କମିଶନ ମଧ୍ୟ ନାରୀଙ୍କୁ ସୁରକ୍ଷା ଦେବା ନାମରେ ଅନେକ ପଦକ୍ଷେପ ନେଇଥାଆନ୍ତି। ଫଳରେ ନିରପରାଧ ପୁରୁଷମାନେ ଅନେକାଂଶରେ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଥାଆନ୍ତି। ଗତ ମାସ ୯ ତାରିଖରେ ବେଙ୍ଗାଲୁରୁରେ ସ୍ତ୍ରୀ ଓ ଶ୍ୱଶୁର ଘରର ଲୋକଙ୍କ ନିର୍ଯାତନା ସହି ନ ପାରି ୩୪ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିବା ଘଟଣା ଦେଶର ବିବେକକୁ ଦୋହଲାଇ ଦେଇଛି। ଜଣଙ୍କୁ କେତେ ମାତ୍ରାରେ ବାଧିଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଆନ୍ତି ସୁଭାଷ ସୁଇସାଇଡ୍‌ ନୋଟରେ ଦର୍ଶାଇଥିବା ବିଷୟ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ତାହା ସାର୍ବଜନୀନ ହୋଇଛି। କେବଳ ସୁଭାଷ ନୁହନ୍ତି, ମାସକ ମଧ୍ୟରେ ଗୁଜରାଟର ବୋଟାଡର ସୁରେଶ ସଥାଦିୟାଙ୍କ ଡିସେମ୍ବର ୩୦ ଓ ଡିସେମ୍ବର ୩୧ରେ ଦିଲ୍ଲୀର ଉଡ୍‌ବକ୍ସ କାଫେର ସହପ୍ରତିଷ୍ଠାତା ପୁନିତ ଖୁରାନାଙ୍କ ଆତ୍ମହତ୍ୟା ପୁରୁଷ ନିର୍ଯାତନାର ସମାନ କାହାଣୀ ବଖାଣିଛି।
ସୁଭାଷଙ୍କ ବିଷୟରେ ଗତମାସ ଯେତେବେଳେ ଖବର ପ୍ରସାରଣ ହୋଇଥିଲା ସେତେବେଳେ ତାଙ୍କ ଆତ୍ମହତ୍ୟା ସମଗ୍ର ଦେଶରେ ଏକ ଆବେଗିକ ସ୍ରୋତ ବୁହାଇ ଦେଇଥିଲା। ଚାରିଆଡ଼େ ଆଲୋଚନା ହେଲା ସୁଭାଷଙ୍କ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କୁ ଉପଯୁକ୍ତ ଶାସ୍ତି ମିଳିବା ଦରକାର। ଅନୁରୂପ ଭାବେ ସୁରେଶ ଓ ପୁନିତଙ୍କ କଥାରେ ମଧ୍ୟ ସମାନ ପ୍ରକାରର ସମ୍ବେଦନଶୀଳତା ପ୍ରକାଶ ପାଉଛି। ସୁଭାଷଙ୍କ ଭଳି ସଫ୍ଟଓ୍ବେର ଇଞ୍ଜିନିୟର ହୁଅନ୍ତୁ ବା କାଫେର ମାଲିକ ପୁନିତଙ୍କ ପାଖରେ ଅର୍ଥ ଥିଲେ ମଧ୍ୟ ସେମାନେ ଘରୋଇ ହିଂସାର ଶିକାର ହୋଇଛନ୍ତି। ସୁଭାଷ ତାଙ୍କ ଆତ୍ମହତ୍ୟା ନୋଟ୍‌ରେ ନ୍ୟାୟପାଳିକା ଉପରେ ବିଶ୍ୱାସ ହରାଇଥିବା ଦର୍ଶାଇଥିଲେ। କୁହାଯାଇପାରେ ଯେ ସୁଭାଷ, ସୁରେଶ କିମ୍ବା ପୁନିତଙ୍କ ବାସ୍ତବ କାହାଣୀ କ’ଣ ଓ କେଉଁମାନେ ପ୍ରକୃତରେ ଦୋଷୀ ସେହି ବିଷୟରେ ଆମେ ଏଠି ବସି ମନ୍ତବ୍ୟ ଦେବା ଠିକ୍‌ ନୁହେଁ। ହେଲେ ଏହା ଦେଖାଯାଇ ଆସିଛି ଯେ ଅନେକ ଶହ ବର୍ଷ ଧରି ମହିଳାମାନେ ପୁରୁଷଙ୍କ ଦ୍ୱାରା ନିର୍ଯାତିତ ହୋଇ ଆସିଛନ୍ତି। ପୁରୁଷଙ୍କ ସହ ସମକକ୍ଷ କରିବା ଲାଗି ସାମାଜିକ ବ୍ୟବସ୍ଥା ହେଉ ବା ନ୍ୟାୟପାଳିକା ନାରୀମାନଙ୍କ ପ୍ରତି ସକାରାତ୍ମକ ପକ୍ଷପାତ କରିବା ସାଧାରଣରେ ଦେଖାଯାଇଥାଏ। କିନ୍ତୁ ସେହି ସମାନ ନିଃଶ୍ୱାସରେ କୁହାଯିବା ଦରକାର ଯେ ସୁଭାଷଙ୍କ ଭଳି ପୁରୁଷମାନେ ଯଦି ସ୍ତ୍ରୀ କିମ୍ବା ତାଙ୍କ ପରିବାର ଦ୍ୱାରା ଯୌତୁକ ନିର୍ଯାତନା ଆଇନ ଆଳରେ ମାନସିକ ସନ୍ତାପରେ ଦୀର୍ଘଦିନ ସନ୍ତୁଳି ହେଉଥିବେ, ସେମାନଙ୍କ ବିଷୟରେ ଆଇନ ବ୍ୟବସ୍ଥା ସଜାଗ ରହିବା ଦରକାର। ଏଭଳି ସ୍ଥଳେ ନିର୍ଯାତିତ ପୁରୁଷମାନଙ୍କୁ ପ୍ରଥମେ ମନସ୍ତାତ୍ତ୍ୱିକ ସମର୍ଥନ ଦିଆଯାଇ ସେମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖାଯିବା ଆବଶ୍ୟକ। ପୁରୁଷଙ୍କ ବିରୋଧରେ ହେଉଥିବା ମିଥ୍ୟା ମାମଲାଗୁଡ଼ିକୁ ଠିକ୍‌ ଭାବେ ତର୍ଜମା କରାଯିବାର ସମୟ ଆସିଲାଣି। ଗୋଟେ ବ୍ୟବସ୍ଥା ଏଭଳି ବିକଶିତ ହେବା ଦରକାର ଯେଉଁଥିରେ, ସିଏ ମହିଳା ହୁଅନ୍ତୁ ବା ପୁରୁଷ କେହି ଅନୁଭବ କରିବା ଉଚିତ ନୁହେଁ ଯେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସ୍ବରକୁ ଚପାଇ ଦିଆଯାଉଛି। ଏ ଦିଗରେ ସଂସ୍କାର ନିତାନ୍ତ ଜରୁରୀ। ତାହା ହେଲେ ଜଣେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ବହୁତ ଦିଗକୁ ଭାବିବେ। ନ୍ୟାୟ ସର୍ବଦା ସ୍ବଚ୍ଛ, ପକ୍ଷପାତିତାବିହୀନ ଓ ଶୀଘ୍ର ମିଳିପାରିଲେ ଅଘଟଣକୁ ରୋକିବା ଅନେକାଂଶରେ ସମ୍ଭବ ହୋଇପାରନ୍ତା।

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.