Breaking News

କେରାଣ୍ଡିମାଳ ପାହାଡ଼ରେ ବିରାଜିତ ମା’ ବାଳକୁମାରୀ

ଗଞ୍ଜାମ ଜିଲ୍ଲାର ପ୍ରମୁଖ‌ ଦେବୀ ପୀଠଗୁଡ଼ିକ ମଧ୍ୟରେ ମା’ ବାଳକୁମାରୀ ପୀଠ ହେଉଛି ଅନ୍ୟତମ। ବ୍ରହ୍ମପୁର ସହରଠୁ ୨୭ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠକୁ ବର୍ଷସାରା ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ।

0

ଚିକିଟି: ଗଞ୍ଜାମ ଜିଲ୍ଲାର ପ୍ରମୁଖ‌ ଦେବୀ ପୀଠଗୁଡ଼ିକ ମଧ୍ୟରେ ମା’ ବାଳକୁମାରୀ ପୀଠ ହେଉଛି ଅନ୍ୟତମ। ବ୍ରହ୍ମପୁର ସହରଠୁ ୨୭ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠକୁ ବର୍ଷସାରା ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। କେରାଣ୍ଡିମାଳ ପାହାଡ଼ ଉପରେ ବିରାଜିତ ମା’ ବାଳକୁମାରୀ ଲୋକଦେବୀ ଭାବେ ପରିଚିତ। ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ମା’ଙ୍କ ପୀଠରେ ଶାରଦୀୟ ନବରାତ୍ରିର ସ୍ବତନ୍ତ୍ରତା ରହିଛି। ବିଶେଷକରି ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା ଦେଖିବାକୁ ସହସ୍ରାଧିକ ଶ୍ରଦ୍ଧାଳୁ ଆସିଥା’ନ୍ତି। ଷୋଡ଼ଶ ଉପଚାର ପୂଜାପାଠ, ଚଣ୍ଡୀପାଠ ଓ ହୋମଯଜ୍ଞ ସମେତ ବିଭିନ୍ନ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହୁଏ।  ମା’ଙ୍କର ଦୁଇବେଳା ସ୍ନାନ ସହିତ ଦଶ ମହାବିଦ୍ୟାଙ୍କର ପୂଜାର୍ଚ୍ଚନା ହୋଇଥାଏ। ସନ୍ଧ୍ୟାଆଳତି, ୧୦୦୮ ପଦ୍ମ ଓ ବେଲପତ୍ର ଅର୍ପଣ, ସହସ୍ରାଭିଷେକ ସହ ଅନ୍ନଭୋଗ ଏବଂ ପିଠାପଣା ଭୋଗ ମା’ଙ୍କୁ ଅର୍ପଣ କରାଯାଏ। ତେବେ ପୀଠରେ ପଶୁବଳି ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି ରହିଛି।

କିମ୍ବଦନ୍ତୀ ଅନୁସା‌ରେ, ରାଜତନ୍ତ୍ର ଶାସନ ସମୟରେ ଚିକିଟି ରାଜାଙ୍କ ଇଷ୍ଟଦେବୀ ଭାବେ ଭାବେ ମା’ ବାଳକୁମାରୀ ପୂଜା ପାଉଥିଲେ। ଉତ୍କଳ ଭୂଖଣ୍ଡର ଗଜପତି ରାଜା ଖଜଣା ଆଦାୟରେ ସୁଧାର ଆଣିବାକୁ ୮୮୧ ମସିହାରେ ସାମନ୍ତଭ୍ରାତା କେଶବ ରାଉତରାୟଙ୍କୁ ଦାକ୍ଷିଣାତ୍ୟରେ ଖଜଣା ଆଦାୟ କରିବାକୁ ‘ଦକ୍ଷିଣ କରଦ’ ରାଜ୍ୟରେ କରଦ ରାଜା ଭାବେ ନିଯୁକ୍ତି ଦେଇଥିଲେ। କେଶବ ରାଉତରାୟ ରାଜ୍ୟ ଗଠନ ପାଇଁ ଦାକ୍ଷିଣାତ୍ୟ ଅଭିମୁଖେ ଯିବାବେଳେ ବହୁଳମାତ୍ରାରେ ବାଉଁଶ ବୁଦା ଥିବା ଏକ ଘଞ୍ଚ ଜଙ୍ଗଲରେ ପହଞ୍ଚିଥିଲେ। ବାଉଁଶ ବୁଦା ଅଧିକ ଥିବାରୁ ଉକ୍ତ ଇଲାକାକୁ ରାଜା ବୁଦାଗିରି ନାମରେ ନାମିତ କରି ସେଠାରେ ମା’ ବିମଳାଙ୍କ ସାଧନା କରିଥିଲେ। ମା’ ବିମଳା ତାଙ୍କ ସାଧନାରେ ସନ୍ତୁଷ୍ଟ ହୋଇ ଅଭୟ ଶକ୍ତି ପ୍ରଦାନ କରିଥିଲେ। ଏହା ପରେ କେଶବ ରାଜ୍ୟ ଗଠନ ପାଇଁ ଅଣ୍ଟା ଭିଡ଼ିଥିଲେ। ପ୍ରଥମେ ବୁଦାଗିରି ପର୍ବତମାଳାରେ ବାସ କରୁଥିବା ‘କଟାରି’ ନାମକ ପରାକ୍ରମୀ ଜନଜାତିଙ୍କୁ ଯୁଦ୍ଧରେ ପରାସ୍ତ କରିଥି‌ଲେ। ବୁଦାଗିରି ରାଜ୍ୟ ସ୍ଥାପନ କରିବା ପରେ ପିଲା ରୂପରେ ମା’ଙ୍କ ଆବିର୍ଭାବ ହୋଇଥିବାରୁ ରାଜା ତାଙ୍କୁ ବାଳକୁମାରୀ ଭାବେ ନାମିତ କରିବା ସହ ଇଷ୍ଟଦେବୀ ଭାବେ ପୂଜାର୍ଚ୍ଚନା କରୁଥିଲେ।

ସମୟସ୍ରୋତରେ ବୁଦାଗିରି ରାଜ୍ୟର ରାଜଧାନୀ ସ୍ଥାନାନ୍ତର ହୋଇଥିଲା। ପ୍ରଥମେ ମୁଣ୍ଡକେରି, ପୋଡ଼ାପଦର ଏବଂ ପରେ ଚିକିଟି (ଚିତ୍ତକିଟି)ରେ ରାଜପ୍ରସାଦ ନିର୍ମାଣ କରି ସାମନ୍ତ କରଦ ରାଜପରିବାର ଶାସନ କରୁଥିଲେ। ଚିକିଟିରେ ରାଜପ୍ରାସାଦ ରହିଥିଲେ ହେଁ ରାଜା ପ୍ରତିଦିନ ବୁଦାଗିରି ଯାଇ ମା’ ବାଳକୁମାରୀଙ୍କ ଦର୍ଶନ କରୁଥିଲେ। ଥରେ ଲଗାଣ ବର୍ଷା ସହ ଚାରିପଟ ଜଳମଗ୍ନ ହୋଇଯିବାରୁ ରାଜା ପ୍ରାସାଦରୁ ବାହାରି ନପାରି ଘରେ ଉପବାସ କରି ନିଷ୍ଠାର ସହ ମା’ଙ୍କ ଆରାଧାନ କରିଥିଲେ। ମା’ ସ୍ବପ୍ନାଦେଶ ହୋଇ ରାଜାଙ୍କୁ କହିଥିଲେ, ‘ମୁଁ ତ‌ୁମ ପାଖରେ ରହି ଏଣିକି ରାଜପ୍ରାସାଦ ସମ୍ମୁଖ ସୁଉଚ୍ଚ କେରାଣ୍ଡିମାଳ ପାହାଡ଼ ତ୍ରିକୁଟ ଗୁମ୍ଫାରେ ପୂଜା‌ ପାଇବି’। ଖୋଜାଖୋଜି ପରେ ମା’ବାଳକୁମାରୀଙ୍କ ପାଷାଣ ବିଗ୍ରହ ଓ ଆସ୍ଥାନ ଠାବ ହୋଇଥିଲା। ରାଜା ପ୍ରତିଦିନ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ।

 

ସମୟଚକ୍ରରେ ପ୍ରଶାସନ ଓ କିଛି ଧର୍ମପରାୟଣ ବ୍ୟକ୍ତିଙ୍କ ସହଯୋଗରେ ଗୁମ୍ଫା ମଧ୍ୟରେ ଏକ‌ ଛୋଟିଆ ମନ୍ଦିର ନିର୍ମାଣ ହୋଇଥିଲା। ଶ୍ରଦ୍ଧାଳୁମାନେ ପଥର, କଣ୍ଟାବୁଦା ଓ ଜଙ୍ଗଲିଆ ରାସ୍ତା ଦେଇ ପାହାଡ଼ ଉପରେ ଚଢ଼ୁଥିଲେ। ୧୯୮୦ ମସିହାରେ ପାହାଡ଼ ଉପରକୁ ଯିବା ଲାଗି ୧୨୭୨ଟି ପାହାଚ ନିର୍ମାଣ ହୋଇଥିଲା। କିନ୍ତୁ ଶିଶୁ, ବୟସ୍କ ଓ ରୋଗଗ୍ରସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏହି ପାହାଚ ଚଢ଼ିବା କଷ୍ଟସାଧ୍ୟ ହୋଇଥିଲା। ଚିକିଟି ରାଜା ସାହେବଙ୍କ ଉଦ୍ୟମରେ ମୋରମ୍ ରାସ୍ତା ନିର୍ମାଣ ପାଇଁ ପ୍ରୟାସ ହୋଇଥିଲେ ହେଁ ବିରାଟ ପଥର ଏଥିରେ ବାଧକ ସାଜିଥିଲା। କେଶବ ରାଉତରାୟଙ୍କ ୨୮ତମ ବଂଶଜ ବର୍ତ୍ତମାନର ରାଜା ତ୍ରିଗୁଣାତିତ ଦେବଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଉଷାଦେବୀଙ୍କ ଉଦ୍ୟମରେ ଗୁମ୍ଫା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇଛି।  ବର୍ତ୍ତମାନ ମାତ୍ର ୨୧୧ ପାହାଚ ଚଢ଼ିବା ପରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିପାରୁଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.