Breaking News

କୋଠଘର ଓ ୪ ଦୋକାନରେ ବୁଲିଲା କଳାକନା: କନ୍ତିଆରେ ସିରିଜ୍‌ ଚୋରି

ଗତକାଲି ରାତିରେ ଜଟଣୀ ଥାନା କନ୍ତିଆ ଗାଁରେ ବଡ଼ଧରଣର ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଗାଁ କୋଠଘର ଓ ୪ଟି ଦୋକାନରେ କଳାକନା ବୁଲାଇଦେଇଛନ୍ତି। ଭଗବତ ଘର ତଥା କୋଠଘର ଭିତରୁ ଗାଁର ଆରାଧ୍ୟଦେବତାଙ୍କ...

ଜଟଣୀ: ଗତକାଲି ରାତିରେ ଜଟଣୀ ଥାନା କନ୍ତିଆ ଗାଁରେ ବଡ଼ଧରଣର ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଗାଁ କୋଠଘର ଓ ୪ଟି ଦୋକାନରେ କଳାକନା ବୁଲାଇଦେଇଛନ୍ତି। ଭଗବତ ଘର ତଥା କୋଠଘର ଭିତରୁ ଗାଁର ଆରାଧ୍ୟଦେବତାଙ୍କ ପୂଜା ଉପକରଣ ଓ ଦୋଳବିମାନର ବହୁ ପିତ୍ତଳ ସାମଗ୍ରୀ ଚୋରି ହୋଇଛି। ସେହିଭଳି ୪ଟି ଦୋକାନରୁ ନଗଦ କିଛି ଟଙ୍କା ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌ ହୋଇଛି। ଗାଁ ଭିତରେ ଏଭଳି ଧରଣର ଚୋରି ପ୍ରଥମ ଥର ପାଇଁ ହୋଇଥିବାରୁ ଗ୍ରାମବାସୀଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଅଞ୍ଚଳରେ ପୁଲିସର ଦୁର୍ବଳ ପାଟ୍ରୋଲିଂ ଯୋଗୁ ନିଶାଡ଼ିଙ୍କ ଉତ୍ପାତ ବଢ଼ିଛି ଏବଂ ନିଶାଡ଼ିମାନେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି।

ଆଜି ସକାଳୁ ଏହି ଚୋରି ବାବଦରେ ଜଣାପଡ଼ିଥିଲା। ଭଗବତ ଘରକୁ ଫୁଲ ପାଣି ଦେବାକୁ ଯାଇଥିବା ପୂଜକ ତାଲା ଭଙ୍ଗା ଯାଇଥିବା ଦେଖି ଚୋରି ହୋଇଛି ବୋଲି ସନ୍ଦେହ କରିଥିଲେ। ତାଙ୍କଠାରୁ ଖବର ପାଇ ଗାଁର କିଛି ମୁରବି ଶ୍ରେଣୀୟ ଲୋକ ସେଠାରେ ପହଞ୍ଚିବା ପରେ ଠାକୁରଙ୍କ ପୂଜା ଉପକରଣ ଓ ଦୋଳବିମାନରେ ଲାଗୁଥିବା ପିତ୍ତଳ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା। ପରେପରେ ଦୋକାନଗୁଡ଼ିକରୁ ଚୋରି ହୋଇଛି ବୋଲି ଜଣାପଡ଼ିଥିଲା। ପ୍ରକାଶ ନିଶଙ୍କ ଓ ସୁରେଶ ନାୟକଙ୍କ ୨  ତେଜରାତି ଦୋକାନର କବାଟ ଭାଙ୍ଗି ଦୁର୍ବୃତ୍ତମାନେ କଳାକନା ବୁଲାଇଦେଇଥିଲେ। ପ୍ରକାଶଙ୍କ ଦୋକାନରୁ ନଗଟ ଟଙ୍କା ସହ କିଛି ଦାମୀ ସାମଗ୍ରୀ ଲୁଟି ନେଇଥିଲେ। ସେହିଭଳି ସୁରେଶଙ୍କ ତେଜରାତି ଦୋକାନରୁ ତେଲ, ସିଗାରେଟ୍‌ ଭଳି ଦାମୀ ଜିନିଷ ଉଠାଇ ନେଇଥିଲେ। ନିକଟରେ ଥିବା ଗନ୍ଧିଆ ଜେନାଙ୍କ ଜଳଖିଆ ଦୋକାନ ଓ ବାବୁଲି ଦାସଙ୍କ ଜଳଖିଆ ଦୋକାନରୁ ମଧ୍ୟ ନଗଦ ଟଙ୍କା ସହ ବହୁ ଜିନିଷପତ୍ର ଲୁଟି ନେଇଥିବା ଜଣାପଡ଼ିଥିଲା। ଗାଁରୁ ମିଳିଥିବା ଖବର ଅନୁସାରେ ଦୁର୍ବୃତ୍ତମାନେ କେତେଜଣଙ୍କ ଘରକୁ ପଶିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

 

ସୌଜନ୍ୟ – ସମ୍ବାଦ

Comments are closed.