କ୍ରାଇମବ୍ରାଞ୍ଚ ନୟାନ୍ତ: କୋରାପୁଟରୁ କାନାଡ଼ା
ବର୍ଷ ୨୦୨୪ ଥିଲା କ୍ରାଇମ୍ବ୍ରାଞ୍ଚ ପୁଲିସ ପାଇଁ ଆହ୍ବାନମୂଳକ। କୋରାପୁଟର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଦି ଧାଡ଼ି ଭଲରେ ଲେଖି ପାରୁନଥିବା ପିଲା କେଉଁଠି ମାଟ୍ରିକ୍ରେ ୯୫ ପ୍ରତିଶତ ନମ୍ବର ରଖିଥିବା ମାର୍କସିଟ୍ ଦେଇ ଚାକିରି କଲେଣି କାନାଡ଼ାରେ ଥାଇ ପନ୍ନୁ ରାଜ୍ୟ ପୁଲିସକୁ ଧମକ ଦେଲାଣି।
ବର୍ଷ ୨୦୨୪ ଥିଲା କ୍ରାଇମ୍ବ୍ରାଞ୍ଚ ପୁଲିସ ପାଇଁ ଆହ୍ବାନମୂଳକ। କୋରାପୁଟର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଦି ଧାଡ଼ି ଭଲରେ ଲେଖି ପାରୁନଥିବା ପିଲା କେଉଁଠି ମାଟ୍ରିକ୍ରେ ୯୫ ପ୍ରତିଶତ ନମ୍ବର ରଖିଥିବା ମାର୍କସିଟ୍ ଦେଇ ଚାକିରି କଲେଣି କାନାଡ଼ାରେ ଥାଇ ପନ୍ନୁ ରାଜ୍ୟ ପୁଲିସକୁ ଧମକ ଦେଲାଣି। କେଉଁଠି କେଶର କେଳେଙ୍କାରୀରେ ୩ କୋଟି ଟଙ୍କା ଠକେଇ ଘଟଣାରେ ଆଇଏଏସ୍ ଅଧିକାରୀଙ୍କ ନାଁ ଆସିଲା ତ ଆଉ କେଉଁଠି ସାଇବର ଠକ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟି ନେଲେ। ୩ଶହ ମହିଳାଙ୍କ ଇଜ୍ଜତ ଲୁଟିଥିବା ଦୁର୍ବୃତ୍ତର କାରନାମା, ଯାଜପୁର ରାଜନୀତିକୁ ନେଇ ହଟଚମଟ ପୁଲିସ-ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଲା। ଡିଜିଟାଲ୍ ଆରେଷ୍ଟ ହେଉ କି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାତିଅଧରେ ଅଟକ ଘଟଣା ହେଉ….ଏସବୁର ତଦନ୍ତ ଦାୟିତ୍ବ ଧରାଇ ଦିଆଯାଇଥିଲା କ୍ରାଇମ୍ବ୍ରାଞ୍ଚ୍କୁ। ଯେଉଁ ବିଶ୍ବାସ ଓ ଭରସାରେ କ୍ରାଇମ୍ବ୍ରାଞ୍ଚ ହାତକୁ ଏସବୁ ମାମଲାକୁ ଟେକି ଦିଆଯାଇଥିଲା, ସେଥିରେ ଶହେ ପ୍ରତିଶତ ଉତୁରି ନଥିଲେ ବି ଅଳ୍ପବହୁତ ସଫଳତା ପାଇଥିଲା କ୍ରାଇମ୍ବ୍ରାଞ୍ଚ।
ଡାକ ବିଭାଗ ଜିଡିଏସ୍ ନିଯୁକ୍ତି ଜାଲିଆତି
ଡାକ ବିଭାଗର ଗ୍ରାମୀଣ ଡାକ ସେବକ(ଜିଡିଏସ୍) ନିଯୁକ୍ତିରେ ବଡ଼ ଧରଣର କେଳେଙ୍କାରୀ ଧରାପଡ଼ିଥିଲା। ନିଯୁକ୍ତି ପାଇଁ ଚୟନ ହୋଇଥିବା ଜଣେ ପ୍ରାର୍ଥୀ ଚନ୍ଦନ ଚରଣ ସାହୁକୁ କ୍ରାଇମ୍ବ୍ରାଞ୍ଚ ୨୦୨୪ ଜୁନ୍ ୧୦ରେ ଗିରଫ କରିଥିଲା। ମାଟ୍ରିକ ମାର୍କସିଟ୍ରେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଚନ୍ଦନ ଇଂରାଜୀରେ ଧାଡ଼ିଏ ଶୁଦ୍ଧ ବାକ୍ୟ ଲେଖିବାରେ ବି ସମର୍ଥ ହୋଇ ନଥିବା ତଦନ୍ତରୁ ଜଣାପଡ଼ିଥିଲା। ଚନ୍ଦନ ଭଳି ୨୨ ଜଣ ପ୍ରାର୍ଥୀ ଜାଲ୍ ସାର୍ଟିଫିକେଟ୍ ବ୍ୟବହାର କରିଥିବା ତଦନ୍ତରୁ ଧରାପଡ଼ିବା ପରେ ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଫେରାର୍ ହୋଇଯାଇଥିଲେ। କୋରାପୁଟ ଜିଲ୍ଲାରେ ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ଦେଇ ୨୨ପ୍ରାର୍ଥୀ ଗ୍ରାମୀଣ ଡାକ ସେବକ(ଜିଡିଏସ) ପଦବି ପାଇଁ ଚୟନ ହୋଇଥିଲେ। କୋରାପୁଟ ଡାକ ଡିଭିଜନ୍ ଜାଣିବା ପରେ ଜୟପୁର ଟାଉନ୍ ଥାନାରେ ୨୦୨୩ ଏପ୍ରିଲ ୫ରେ ଅଭିଯୋଗ କରିଥିଲେ। ପରେ ଏହି ମାମଲା କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଏହି ପ୍ରାର୍ଥୀମାନେ ଉତ୍ତରପ୍ରଦେଶ, ଓଡ଼ିଶାର ମାଟ୍ରିକ୍ ଓ ଯୁକ୍ତ ୨ ସାର୍ଟିଫିକେଟ୍ ବ୍ୟବହାର କରିଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ସମସ୍ତେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିଲେ। ଏହି ମାମଲାରେ ୭ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଜିଡିଏସ୍ ପଦବି ପାଇଁ ପ୍ରାର୍ଥୀମାନେ ଅନ୍ଲାଇନ୍ରେ ଆବେଦନ ସମୟରେ ଜାଲ୍ ମାଟ୍ରିକ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦାଖଲ କରିଥିଲେ। ବଲାଙ୍ଗୀରରେ ମଧ୍ୟ ସମାନ ଧରଣର ଜାଲ୍ ସାର୍ଟିଫିକେଟ୍ ରୢାକେଟ୍ ୨୦୨୩ରେ ଧରାପଡ଼ିଥିଲା। ଏହି କାରବାରରେ ୨୦ ଜଣ ଅଭିଯୁକ୍ତଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା।
୩୦୦ ମହିଳାଙ୍କ ଇଜ୍ଜତ ଲୁଟ୍
୨୦୧୩ ପରଠାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ମାନସ ରଥ ଓରଫ ପ୍ରଭାକର ଶ୍ରୀବାସ୍ତବ ଓରଫ ବିରଞ୍ଚି ନାରାୟଣ ନାଥ ମାଟ୍ରିମୋନି ୱେବ୍ସାଇଟ୍ରେ ନିଜର ଆକାଉଣ୍ଟ ଖୋଲି ନିଜକୁ ରେଳବାଇ କର୍ମଚାରୀ, ଆୟକର ଇନ୍ସ୍ପେକ୍ଟର୍, କଷ୍ଟମ୍ ଓ ସେଣ୍ଟ୍ରାଲ୍ ଏକ୍ସାଇଜ୍ ବିଭାଗର ଅଧିକାରୀ ଇତ୍ୟାଦି ପରିଚୟ ଦେଉଥିଲା। ଏହି ନାଁରେ ସେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିୟାନା, ଦିଲ୍ଲୀର ଉଚ୍ଚଶିକ୍ଷତା ତଥା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଆର୍ଥିକ ଓ ଶାରୀରିକ ଶୋଷଣ କରିଆସୁଥିଲା। ମହିଳାଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ରଖିବା ସହିତ ତାହାର ଭିଡିଓ କରି ନେଉଥିଲା। ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ମୂଲ୍ୟବାନ ସାମଗ୍ରୀ ଦାବି କରୁଥିଲା। ନଦେଲେ ଏସବୁ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବାକୁ ଧମକ ଦେଉଥିଲା। ଓଡ଼ିଶାରେ ତା’ ବିରୋଧରେ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ବାହାରେ ମଧ୍ୟ ମାମଲା ରହିଛି। ୧୧ ବର୍ଷ ଭିତରେ ମାନସର ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହୋଇଥିବା ନେଇ କ୍ରାଇମ୍ବ୍ରାଞ୍ଚ ସେପ୍ଟେମ୍ବର ୧୩ରେ ପର୍ଦ୍ଦାଫାସ କରିଥିଲା। ତେବେ ମାନସର ମୋବାଇଲରୁ ପାଖାପାଖି ୩୦୦ ଉଚ୍ଚଶିକ୍ଷିତା ମହିଳାଙ୍କ ଆପତ୍ତିଜନକ ଫଟୋ ଦେଖି କ୍ରାଇମ୍ବ୍ରାଞ୍ଚର ହୋସ୍ ଉଡ଼ିଯାଇଥିଲା। ସେ ଦୁଇ ମହିଳାଙ୍କୁ ବିବାହ କରିଥିବା ବେଳେ ୧୧ ବର୍ଷ ଧରି ଏଭଳି କେଳେଙ୍କାରୀରେ ଲିପ୍ତ ଥିଲା।
କ୍ରିପ୍ଟୋ କେଳେଙ୍କାରୀ
କ୍ରିପ୍ଟୋ ମୁଦ୍ରାରେ ନିବେଶ ଆଳରେ ୫୪ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ବରଗଡ଼ର ପେ’ଇଙ୍କ୍ କମ୍ପାନିର ନିର୍ଦ୍ଦେଶକ ସୁମିତ କୁମାର ଦାସ, ଅମିୟ ରଞ୍ଜନ ଶତପଥୀ ଓ ଛତିଶଗଡ଼ ଭିଲାଇର ଫିନ୍ପେ’ର ନିର୍ଦ୍ଦେଶକ ସିଦ୍ଧାର୍ଥ ଶତପଥୀକୁ କ୍ରାଇମ୍ବ୍ରାଞ୍ଚ ମେ ୮ ତାରିଖରେ ଗିରଫ କରିଥିଲା। ବରଗଡ଼ର ଦୁଇ ଅଭିଯୁକ୍ତ ନକଲି ଟ୍ରେଡିଂ ସଫ୍ଟୱେର୍ ପ୍ରସ୍ତୁତ କରି ସାଇବର୍ ଅପରାଧୀଙ୍କୁ ଭଡ଼ାରେ ଦେଇଥିଲେ। ବରଗଡ଼ ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ଥିବା ଏହି ପେ’ଇଙ୍କ୍ କମ୍ପାନି ଠାବ କରାଯାଇଥିଲା। ଏମାନଙ୍କ ନିକଟରୁ ଛତିଶଗଡ଼ ରାୟପୁରର ଭିଲାଇରେ ଥିବା ଫିନ୍ପେ’ର ନିର୍ଦ୍ଦେଶକ ସିଦ୍ଧାର୍ଥ ସଫ୍ଟୱେର୍ ଭଡ଼ାରେ ନେଉଥିଲା। ଭଡ଼ା ବାବଦକୁ ମାସିକ ୨୫ ହଜାର ଟଙ୍କା ଦେଉଥିଲା। ସାଇବର୍ ଅପରାଧୀମାନେ ଏହା ମାଧ୍ୟମରେ ଗ୍ରାହକଙ୍କୁ ନିବେଶ କରିବାକୁ କହି ଟଙ୍କା ଲୁଟୁଥିଲେ। ଭୁବନେଶ୍ବର ନୀଳାଦ୍ରିବିହାର ଅଞ୍ଚଳରେ ଡି. ପ୍ରବୀଣଙ୍କର ୫୪ ଲକ୍ଷ ୭୫ ହଜାର ଟଙ୍କା ନିବେଶ ଆଳରେ ଏହି ଗ୍ୟାଙ୍ଗ୍ ଲୁଟିଥିବାରୁ ଏହାର ତଦନ୍ତ ସମୟରେ କ୍ରାଇମ୍ବ୍ରାଞ୍ଚ ପୂରା କାରବାରର ପର୍ଦ୍ଦାଫାସ କରିଥିଲା। ତେବେ ଏଥିରେ ଦିଲ୍ଲୀର ଜଣେ ଗ୍ୟାଙ୍ଗ ସହଯୋଗୀ ଫେରାର ରହିଛି।
‘ଡିଜିଟାଲ୍ ଆରେଷ୍ଟ’ ପଛର ମାଷ୍ଟରମାଇଣ୍ଡ୍ ପାର୍ଥ ଗୋପାନି
ସାରା ଦେଶରେ ଯେତେ ସବୁ ‘ଡିଜିଟାଲ୍ ଆରେଷ୍ଟ’ ଘଟଣା ସାମ୍ନାକୁ ଆସିଛି, ସେସବୁ ପଛର ଅସଲ ଖଳନାୟକ ହେଉଛି ଅନ୍ତର୍ଜାତୀୟ ଅପରାଧୀ ପାର୍ଥ ଗୋପାନି। ସେ କମ୍ବୋଡ଼ିଆରେ ଲୁଚି ରହିଥିବା ବେଳେ ଏହାର ସ୍କେଚ୍ ଓଡ଼ିଶା ପୁଲିସ ଜାରି କରିଛି। ଚୀନ୍ର ସାଇବର୍ ଅପରାଧୀଙ୍କ ସହିତ ମିଶି ପାର୍ଥ ଗୋପାନି ଏଭଳି ଆର୍ଥିକ କେଳେଙ୍କାରୀ କରୁଥିବା କ୍ରାଇମ୍ବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି। ପାର୍ଥ ଗୋପାନିର ଏହି ‘ଡିଜିଟାଲ୍ ଆରେଷ୍ଟ’ ସାମ୍ରାଜ୍ୟରେ ସାମିଲ ହୋଇଥିବା ସାଇବର୍ ଅପରାଧୀମାନେ ମୁଖ୍ୟତଃ ଅବସରପ୍ରାପ୍ତ ସରକାରୀ ଅଧିକାରୀ, କର୍ପୋରେଟ୍ କ୍ଷେତ୍ରରେ କାମ କରୁଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହି ଗ୍ୟାଙ୍ଗ୍ ସାଧାରଣ ଲୋକଙ୍କୁ ମୁଖ୍ୟତଃ ସିବିଆଇ, ଇଡି, କଷ୍ଟମସ୍, ନାର୍କୋଟିକ୍, ଆର୍ବିଆଇ, ଟ୍ରାଇ, ଆୟକର ଓ ମୁମ୍ବାଇ ସାଇବର୍ ପୁଲିସ ଅଧିକାରୀ ପରିଚୟ ଦେଇ କଥା ହେଉଛନ୍ତି। ବୟସ୍କ ଲୋକଙ୍କୁ ଫୋନ୍ କରି ସେମାନଙ୍କ ନାଁରେ ବ୍ରାଉନସୁଗାର୍, ଆର୍ଥିକ ଅନିୟମିତତା, ବନ୍ଧୁକ କାରବାର ଭଳି ମାମଲା ଥିବା କଥା କହି ଭୟଭୀତ କରାଉଛନ୍ତି। ସ୍କାଏପି ମାଧ୍ୟମରେ ଭିଡିଓ କଲ୍ କରୁଛନ୍ତି। ପୁଲିସ ଅଫିସର କିମ୍ବା ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତିମାନେ ପୁଲିସ ପୋଷାକରେ ଭିଡିଓ କଲ୍ କରୁଛନ୍ତି। ତାଙ୍କ ପଛପଟ ସ୍କ୍ରିନ୍ ଥାନା ଓ ସରକାରୀ କାର୍ଯ୍ୟାଳୟ ରହୁଛି। ଯାହାଫଳରେ ସାଧାରଣ ଲୋକଟି ସହଜରେ ବିଶ୍ବାସ କରିବା ସହିତ ଭୟଭୀତ ହୋଇଯାଉଛି। ଏହି ମାମଲା ଚାପିବାକୁ ହେଲେ ଟଙ୍କା ପଠାଇବାକୁ ଧମକାଉଛନ୍ତି। ପରେ ଟଙ୍କା ଦେଇ ସାଧାରଣ ଲୋକଟି ଏକ ଅନ୍ତର୍ଜାତୀୟ ସାଇବର୍ ଅପରାଧୀ ଗ୍ୟାଙ୍ଗର ଜାଲରେ ଫସିଯାଉଛି।
ବ୍ରହ୍ମପୁରର ଡକ୍ଟର ଅଶୋକ କୁମାର ବେହେରାଙ୍କୁ ମୁମ୍ବାଇ ସାଇବର୍ କ୍ରାଇମ୍ ଡିଭିଜନର ପୁଲିସ ଅଫିସର ପରିଚୟରେ ଜଣେ ବ୍ୟକ୍ତି ଫୋନ୍ କରିଥିଲା। ଡକ୍ଟର ବେହେରାଙ୍କ ଆଧାର କାର୍ଡ ଏକ ଅଜଣା ନମ୍ବର ସହିତ ଲିଙ୍କ୍ ହୋଇଥିବା ବେଳେ ଉକ୍ତ ନମ୍ବର ମାଧ୍ୟମରେ ବେଆଇନ ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ଆମଦାନିରେ ବ୍ୟବହାର ହୋଇଥିବା ସମ୍ପୃକ୍ତ ପୁଲିସ ଅଧିକାରୀ କହିଥିଲା। ଗିରଫ ଭୟ ଦେଖାଇ ୧ କୋଟି ଟଙ୍କା ଲୁଟିନେଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ନଭେମ୍ବର ୨୮ରେ ତେଲେଙ୍ଗାନା ନିଜାମାବାଦରେ ଥିବା ୟାଲାମ୍ମାଗୁଟ୍ଟାର ଅବଦୁଲ ସଲିମକୁ ଗିରଫ କରିଥିଲା। ସେ ୨୦୧୭ ଓ ୨୦୨୪ରେ ଦୁଇ ଥର ସାଉଦି ଆରବ ଯାଇଥିବା ଜଣାପଡ଼ିଥିଲା। ଗୋଟିଏ ସାଉଦି ଆରବ ସିମ୍ କାର୍ଡ ବି ତା’ ନିକଟରୁ ମିଳିଥିଲା। ଏହି ଘଟଣାର ତଦନ୍ତ ସମୟରେ ପାର୍ଥ ଗୋପାନି ଲିଙ୍କ୍ ମିଳିଥିଲା।
କ୍ରାଇମ୍ବ୍ରାଞ୍ଚରେ ଯାଜପୁର ରାଜନୀତି
ବିରଜା ହାଟ ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପ୍ରତିବାଦରେ ବୁଢ଼ାଘାଟ ନିକଟରେ ନଭେମ୍ବର ୨୦ରେ ବିଜେଡି ପକ୍ଷରୁ ହେଉଥିବା ଆନ୍ଦୋଳନ ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ବିଜେଡିର ଅନ୍ୟତମ ମଙ୍ଗୁଆଳ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବପ୍ରସାଦ ଦାସଙ୍କ ନେତୃତ୍ବରେ ବିଜେଡି ସମର୍ଥକମାନେ ଯାଜପୁର ଟାଉନ ଥାନାରେ ପହଞ୍ଚି ବିଧାୟକ ଶ୍ରୀ ସାହୁଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ନଭେମ୍ବର ୨୧ରେ ବିରଜା ମନ୍ଦିର ନିକଟ ବିରଜା ହାଟ ପଡ଼ିଆରେ ଭବଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ହାଟରେ ଥିବା ବ୍ୟବସାୟୀଙ୍କୁ ଆକ୍ରମଣ ସହିତ ରାସ୍ତାରୋକ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବିଏନ୍ଏସ୍ର ଧାରା ୧୬୩ ଲାଗୁ ହୋଇଥିଲା। ବିରଜା ହାଟ ପ୍ରସଙ୍ଗ ଓ ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କୁ ମାଡ଼ ଘଟଣା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଥିଲା। ଟାଉନ ଥାନା ପୁଲିସ ୨୩ ତାରିଖରେ ଭବଙ୍କୁ ଗିରଫ କରିଥିଲା। ଏହି ମାମଲାରେ ୨୦ରୁ ଅଧିକ ଗିରଫ ହୋଇଥିଲେ। ଯାଜପୁର ଏସ୍ଡିପିଓ ସତ୍ୟବ୍ରତ ଲେଙ୍କାଙ୍କୁ ତତ୍କାଳ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ଡିଏସ୍ପି କୈଳାସ ଚନ୍ଦ୍ର ସେଠୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଡିଜି ଵାଇ.ବି. ଖୁରାନିଆ ନଭେମ୍ବର ୨୪ରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ସଦର ଥାନାରେ ଗୋଟିଏ, ଯାଜପୁର ଟାଉନ୍ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତଭାର କ୍ରାଇମବ୍ରାଞ୍ଚ ନେଇଥିଲା। ଡିଏସ୍ପି ସରୋଜକାନ୍ତ ମହନ୍ତଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍ ଘଟଣାର ତଦନ୍ତ କରିଥିଲା। ଏହି ଘଟଣାରେ ଉଭୟ ବିଜେପି-ବିଜେଡ଼ି ମୁହାଁମୁହିଁ ହୋଇଥିଲେ। ଦୁଇରୁ ତିନି ଦିନ କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁରରେ ଡେରା ପକାଇ ରହିବା ପରେ ଫେରି ଆସିଥିଲେ। କିନ୍ତୁ ଏହା ପରେ ତଦନ୍ତର ଗତି କେଉଁଆଡ଼କୁ ଗଲା ତାହା ଏବେ ଅସ୍ପଷ୍ଟ।
୩ କୋଟିର ‘କେଶର’ କେଳେଙ୍କାରୀ; ସନ୍ଦେହରେ ଆଇଏଏସ୍ ଅଧିକାରୀ
ବିଶ୍ବ ବ୍ୟାଙ୍କକୁ କେଶର ଯୋଗାଣ କରିବା ପାଇଁ ଜାଲ୍ କ୍ରୟ ନିର୍ଦ୍ଦେଶନାମା ବଳରେ ଭୁବନେଶ୍ବରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନିକଟରୁ ୩ କୋଟି ଟଙ୍କା ଠକି ନେବା ଘଟଣାରେ ୨୦୨୪ ଜୁଲାଇ ୧୩ରେ ପର୍ଦ୍ଦାଫାସ କରିଥିଲା କ୍ରାଇମ୍ବ୍ରାଞ୍ଚ। ଏହି ଘଟଣାରେ କ୍ରାଇମ୍ବ୍ରାଞ୍ଚ ଦୁଇ ନାଇଜେରିଆର ନାଗରିକ ଖ୍ରୀଷ୍ଟୋଫର୍ ଚିଜୋବାମ୍ ଓରଫ ଚିଜୋବାମ୍ କ୍ରିଷ୍ଟ, ନାମଡି ଷ୍ଟାନଲି ମବାମାଲୁ ଓରଫ ଜର୍ମାନ ଓ ଦିଲ୍ଲୀର ଆରତି ଗୌତମଙ୍କୁ ଗିରଫ କରିଥିଲା। କିନ୍ତୁ ଏହି ଆର୍ଥିକ କେଳେଙ୍କାରୀରେ ଓଡ଼ିଶା କ୍ୟାଡରର ଜଣେ ପୂର୍ବତନ ଆଇଏଏସ୍ ଅଫିସର ସରୋଜ କୁମାର ଝା’ଙ୍କ ଭୂମିକା ସନ୍ଦେହକୁ ଆସିବା ଘଟଣା ଅଧିକ ଚର୍ଚ୍ଚା ସୃଷ୍ଟି କରିଥିଲା। ଠକେଇର ଶିକାର ହୋଇଥିବା ବ୍ୟବସାୟୀଙ୍କ ଆଇଏଏସ୍ ଅଫିସର ଶ୍ରୀ ଝା’ଙ୍କ ସହିତ ଓଡ଼ିଶାରେ ଚକିରି କରୁଥିବା ସମୟରେ ପରିଚୟ ହୋଇଥିଲା। ଶ୍ରୀ ଝା ପରେ ଵାସିଂଟନରେ ବିଶ୍ବବ୍ୟାଙ୍କ ଗ୍ରୁପର ଵାଟର୍ ଗ୍ଲୋବାଲ ପ୍ରାକ୍ଟିସ୍ର ଗ୍ଲୋବାଲ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ୨୦୨୩ ଡିସେମ୍ବର ୪ରେ ହ୍ବାଟସ୍ଆପ ଓ ଇମେଲ୍ରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ହୋଇଥିଲା। ଶ୍ରୀ ଝା ଭୁବନେଶ୍ବରର ଉକ୍ତ ବ୍ୟବସାୟୀଙ୍କୁ ଏକ ଇ-ମେଲ୍ ପଠାଇ ବିଶ୍ବବ୍ୟାଙ୍କ ମୁଖ୍ୟାଳୟ ପାଇଁ ଇରାନ୍ର କେଶର ଯୋଗାଣ ପ୍ରକଳ୍ପରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ଭୁବନେଶ୍ବରର ଉକ୍ତ ବ୍ୟବସାୟୀ ଶ୍ରୀ ଝା’ଙ୍କ ପ୍ରସ୍ତାବରେ ରାଜି ହୋଇ ଠକେଇର ଶିକାର ହୋଇଥିଲେ। କ୍ରାଇମବ୍ରାଞ୍ଚରେ ଏ ନେଇ ଫେବ୍ରୁଆରି ୨୬ରେ ଏହି ବ୍ୟବସାୟୀ ଅଭିଯୋଗ କରିଥିଲେ। ଯଦିଓ କ୍ରାଇମବ୍ରାଞ୍ଚ ଉପରୋକ୍ତ ତିନି ଜଣଙ୍କୁ ଗିରଫ କରିଥିଲା, କିନ୍ତୁ ଏହି ଆଇଏଏସ୍ ଅଫିସରଙ୍କ ସମ୍ପୃକ୍ତି ଦିଗରେ କି ପ୍ରକାର ତଦନ୍ତ କଲା ତାହା ସାମନାକୁ ଆସିପାରିଲା ନାହିଁ।
ସାଇବର୍ ଠକ ହଜାର କୋଟିର ମାଲିକ
ସାରା ଦେଶରେ ଅନଲାଇନ୍ ନିବେଶ କେଳେଙ୍କାରୀ ପଛର ଅନ୍ୟତମ ଦୁଇ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଅନ୍ତର୍ଜାତୀୟ ସାଇବର୍ ଲୁଟେରା ଦୁଇ ଭାଇ ହେଉଛନ୍ତି ସୟଦ ସମଦ୍ ଓ ସୟଦ ସଲିମ। ଗୁଜୁରାଟ ଅହମଦାବାଦର ଏହି ଦୁଇ ଭାଇ ଓଡ଼ିଶା ସମେତ ସାରା ଦେଶରୁ ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି। ଦୁଇ ଭାଇ ଏବେ ଓଡ଼ିଶା କ୍ରାଇମବ୍ରାଞ୍ଚ ସମେତ ସାରା ଦେଶରେ ମୋଷ୍ଟ ଵାଣ୍ଟେଡ ତାଲିକାରେ ରହିଛନ୍ତି। ଅନ୍ଲାଇନରେ ଅର୍ଥ ନିବେଶ ଆଳରେ ସାଇବର୍ ଅପରାଧୀମାନେ ନକଲି ଟ୍ରେଡିଂ ଆପ୍ଲିକେସନ ଖୋଲି ନିବେଶକଙ୍କ ଟଙ୍କା ଠକି ନେଉଛନ୍ତି। କ୍ରାଇମବ୍ରାଞ୍ଚର ସାଇବର୍ ଥାନା ସମେତ ରାଜ୍ୟର ମୋଟ ୧୫ ସାଇବର୍ ଥାନାରେ ସମାନ୍ତରାଳ ଭାବେ ମାମଲା ରୁଜୁ ହୋଇଛି। ହରିୟାନା, ଗୁଜୁରାଟ, ରାଜସ୍ଥାନରେ ମଧ୍ୟ ମାମଲା ରହିଛି। ତେବେ ଧାମରା ବନ୍ଦରର ମାନବ ସମ୍ବଳ ଅଧିକାରୀ ଭୁବନେଶ୍ବର ଲିଙ୍ଗରାଜ ଥାନା ଅଞ୍ଚଳର ବାସିନ୍ଦା ସତ୍ୟଜିତ ରଥଙ୍କୁ ଅନ୍ଲାଇନ୍ ଟ୍ରେଡିଂରେ ଆମେରିକୀୟ ଡଲାର୍ ରୋଜଗାର କରିବାର ଲୋଭ ଦେଖାଇ ଏହି ଗ୍ୟାଙ୍ଗ୍ ତାଙ୍କ ଠାରୁ ୬୦ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଥିଲେ। ମାମଲାର ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଦୁଇ ଭାଇଙ୍କ ଠିକଣା ପାଇଛି। ମେ ୭ ତାରିଖରେ ଅହମଦାବାଦ ଭେଜଲପୁର ଥାନା ଅନ୍ତର୍ଗତ ଫତେୱାଡ଼ିର ଫକିର ଅଲଫଜ ବିଶମିଲ୍ଲା, ଶେଖ ହୁମାପରବିନ୍ ରଫିକ୍, ରଫିକ୍ ଅବଦୁଲମଜିଦ ଶେଖ, ଅହେମଦଖାନ୍ ସରଦାରଖାନ ବାଲୋଚକୁ ଗିରଫ କରିବା ପରେ ଏହି ଦୁଇ କାର୍ପଟଦାରଙ୍କ ଚେହେରା ସାମନାକୁ ଆସିଥିଲା। ମାଷ୍ଟରମାଇଣ୍ଡ୍ ସୟଦ ସମଦ୍ ଅହମଦାବାଦର ବାସିନ୍ଦା ହୋଇଥିବା ବେଳେ ସେ ଏବେ ମୁମ୍ବାଇରେ ରହୁଛି। ତା’ ସାନ ଭାଇ ସୟଦ ସଲିମ୍ ଦୁବାଇରେ ରହୁଛି। ଦୁବାଇରେ ଥିବା ସାନ ଭାଇ ସଲିମ୍ ଘର କରି ସ୍ଥାୟୀ ବାସିନ୍ଦା ହୋଇ ରହିଥିବା ବେଳେ ସେ ସେଠାରେ ନକଲି ଅନ୍ଲାଇନ୍ ଟ୍ରେଡିଂ ଆପ୍ଲିକେସନ୍ ପ୍ରସ୍ତୁତ କରୁଛି। ବଡ଼ ଭାଇ ସମଦ୍ ଭାରତରୁ ନିବେଶ କେଳେଙ୍କାରୀ ମାଧ୍ୟମରେ ଟଙ୍କା ସଂଗ୍ରହ କରୁଛି। ଦୁଇ ଭାଇ ସାରା ଦେଶରୁ ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା କ୍ରାଇମବ୍ରାଞ୍ଚ ଆକଳନ କରୁଛି। ଏହି ମାମଲାରେ ଉପରୋକ୍ତ ଦୁଇ ଭାଇ, ମହାରାଷ୍ଟ୍ର ପୁନେର ୭ ଜଣ ଓ ଦିଲ୍ଲୀର ୨ ଜଣ ଏବେ ବି ଫେରାର ଅଛନ୍ତି। ୨୦୨୩ ଓ ୨୦୨୪ରେ ଏଭଳି ଅନ୍ଲାଇନ୍ରେ ଅର୍ଥ ନିବେଶ ଠକେଇ କାରବାରରେ ଓଡ଼ିଶାରୁ ୨୫ କୋଟି ୫ ଲକ୍ଷ ଟଙ୍କା ସାଇବର୍ ଠକ ଲୁଟି ସାରିଥିବା ସାଇବର୍ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୌଜନ୍ୟ-ସମ୍ୱାଦ
Comments are closed.