Breaking News

କ୍ୟାପିଟାଲ ହସ୍ପିଟାଲ୍‌ରେ ଆଇସିୟୁ ଅଭାବ: ଘରୋଇ ହସ୍ପିଟାଲକୁ ଧାଉଁଛନ୍ତି ରୋଗୀ

ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲ୍‌ ହେଉଛି କ୍ୟାପିଟାଲ ହସ୍ପିଟାଲ। ପିଜି ଇନଷ୍ଟିଚ୍ୟୁଟ୍ ଘୋଷଣା ହେବା ପରେ ଏହି ହସ୍ପିଟାଲକୁ ଦୈନିକ ହାରାହାରି ୪ହଜାରରୁ ଅଧିକ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି।

0

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲ୍‌ ହେଉଛି କ୍ୟାପିଟାଲ ହସ୍ପିଟାଲ। ପିଜି ଇନଷ୍ଟିଚ୍ୟୁଟ୍ ଘୋଷଣା ହେବା ପରେ ଏହି ହସ୍ପିଟାଲକୁ ଦୈନିକ ହାରାହାରି ୪ହଜାରରୁ ଅଧିକ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ ୪୦୦ ଗୁରୁତର ରୋଗୀ ଦୈନିକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କିନ୍ତୁ ଏହାବାଦ ବହୁ ଗୁରୁତର ରୋଗୀ ମଧ୍ୟ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ପାଇଁ ଆସୁଛନ୍ତି। ଦିନକୁ ଦିନ ରୋଗୀଙ୍କ ଭରସା ଜିଣୁଥିବା ଏହି ହସ୍ପିଟାଲ କିନ୍ତୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ବହୁ ପଛ‌ରେ ପଡ଼ିଛି। ଶଯ୍ୟା ସଂଖ୍ୟ‌ା ୧୦୦୦କୁ ବୃଦ୍ଧି କରାଯାଉଥିବା ବେଳେ, ଏତେ ବଡ଼ ହସ୍ପିଟାଲରେ ମାତ୍ର ୧୬ଟି ଆଇସିୟୁ ଶଯ୍ୟା ରହିଛି। ଏହା ସମୁଦ୍ରକୁ ଶଙ୍ଖେ ଭଳି ପ୍ରତୀୟମାନ ହେଉଛି। କିଛି ଦିନ ଭିତରେ ହୃଦ୍‌ରୋଗୀଙ୍କ ପାଇଁ ଆଉ ୧୦ଟି ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲ୍‌ରେ ଆଇସିୟୁ ଶଯ୍ୟ‌ା ଓ ହସ୍ପିଟାଲରେ ବିଭିନ୍ନ ୱାର୍ଡରେ ଶଯ୍ୟା ବୃଦ୍ଧି କରିବା ପାଇଁ ବହୁ ଥର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କ୍ୟାପିଟାଲ ହସ୍ପିଟାଲ୍‌ରେ ମୋଟ ୧୬ଟି ଆଇସିୟୁ ଶଯ୍ୟା ରହିଥିବା ବେଳେ ସେଥିମଧ୍ୟରୁ ୪ଟି ହୃଦ୍‌ରୋଗ ବିଭାଗ ପାଇଁ ରହିଛି। ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ଗୋଟିଏ, ସର୍ଜରି, ଅସ୍ଥିଶଲ୍ୟ ଆଦି ପାଇଁ ଗୋଟିଏ ଲେଖାଏଁ ଶଯ୍ୟା ସଂରକ୍ଷଣ ରହିଛି। ମାତ୍ର ୮ଟି ଶଯ୍ୟା‌ ଅନ୍ୟ ସାଧାରଣ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିଛି। ସେଥିରୁ ଭିଭିଆଇପିମାନଙ୍କ ପାଇଁ ମଧ୍ୟ ଦୁଇଟି ଶଯ୍ୟା‌ ସଂରକ୍ଷିତ ରହିଛି। ରୋଗୀ ସଂଖ୍ୟା ବୃଦ୍ଧି ହେଉଥିବାରୁ ସବୁଦିନ ଆଇସିୟୁ ଶଯ୍ୟା ଭର୍ତ୍ତି ରହୁଛି। ଆଇସିୟୁ ନଥିବ‌ାରୁ ଗୁରୁତର ‌ରୋଗୀମାନଙ୍କ ସମ୍ପର୍କୀୟ ସେମାନଙ୍କୁ ଘରୋଇ ହସ୍ପିଟାଲକୁ ନେଇଯାଉଛନ୍ତି। ଆଉ ଗରିବ ଲୋକମାନେ ଭାଗ୍ୟକୁ ଆଦରି ଆଇସିୟୁ ପାଇଁ ପଡ଼ି ରହୁଛନ୍ତି। ପ୍ରତିଦିନ ପ୍ରାୟ ୫ଜଣ ରୋଗୀ ଆଇସିୟୁ ନପାଇ ଫେରୁଥିବା ଜଣାପଡ଼ିଛି। ଏନେଇ ରୋଗୀଙ୍କ ସଂପର୍କୀୟ ନୟାଗଡ଼ର ସୁରେଶ ସାହୁ କହିଛନ୍ତି, ତାଙ୍କ ବାପା ନିଶ୍ବାସପ୍ରଶ୍ବାସ ନେବା‌ରେ ଅସୁବିଧ‌ା ଅନୁଭବ କରିବାରୁ, ଗତକାଲି ରାତି ପ୍ରାୟ ୮ଟା ସମୟ‌ରେ ହସ୍ପିଟାଲ ଜରୁରିକାଳୀନ ବିଭାଗରେ ଭର୍ତ୍ତି କରାଇଥିଲେ। ଡାକ୍ତର ତାଙ୍କୁ ଅକ୍ସିଜେନ ଲଗାଇବା ସହିତ ଗୁରୁତର ଅଛନ୍ତି କହି ଆଇସିୟୁ ଦରକାର ବୋଲି ଜଣାଇଥି‌ଲେ।

ହସ୍ପିଟାଲରେ ଆଇସିୟୁ ନାହିଁ, ତେଣୁ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରିଥିଲେ। କିନ୍ତୁ ଏମ୍‌ସରେ ବି ଆଇସିୟୁ ନଥିବ‌ାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସ‌ା କରାଯାଉଛି। ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ନରସିଂହ ପରିଡ଼ା କହିଛନ୍ତି ଯେ ତାଙ୍କ ମ‌ା’ଙ୍କ କିଡ୍‌ନି ଖରାପ ରହିଥିଲା‌। ତେଣୁ ସେମାନେ ରାତି ଅଧରେ ନୟ‌ାଗଡ଼ରୁ ଭୁବନେଶ୍ବର ଆଣିଥିଲେ। କିନ୍ତୁ ସକାଳ ଯାଏଁ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁ ନମିଳିବାରୁ ବାଧ୍ୟ ହୋଇ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଗୁରୁତର ରୋଗୀଙ୍କ ପାଇଁ ଜରୁରିକାଳୀନ ବିଭାଗରେ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୪ଟି ବେଡ୍ ଲେଖାଏଁ ଏଚଡିୟୁ ବ୍ୟବସ୍ଥା କରାଯାଇଛି। ଏହାବାଦ ୧୬ଟି ଶଯ୍ୟ‌ା ସଂରକ୍ଷିତ ରହିଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ୍ ଯୋଗାଇ ଦିଆଯାଉଥିବା ବେଳେ ବାହାରୁ ଚିକିତ୍ସା‌ ହୋଇ କେବଳ ଆଇସିୟୁ ପାଇଁ ଆସୁଥିବ‌ା ରୋଗୀଙ୍କୁ ଦିଆଯାଇ ପାରୁନାହିଁ। ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବା ପ‌ାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। ଖୁବ୍‌ଶୀଘ୍ର ହୃଦ୍‌ରୋଗ ବିଭାଗ ପାଇଁ ଆଉ ୧୦ ଟି ଶଯ୍ୟ‌ା ବୃଦ୍ଧି କରାଯିବ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.