ବାଣିଜ୍ୟ

କ୍ୟୁବାରେ ଇନ୍ଧନ ସଂକଟ ଗୁରୁତର, ବାରମ୍ବାର ବିଜୁଳି କାଟ୍ ଯୋଗୁ ବାର୍ଷିକ ସିଗାର ଫେଷ୍ଟିଭାଲ ବାତିଲ

କ୍ୟୁବା ଗୁରୁତର ଇନ୍ଧନ ସଂକଟର ସମ୍ମୁଖୀନ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ କ୍ୟାବାରେ ଫେବୃଆରୀ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସିଗାର ମେଳାକୁ ସ୍ଥଗିତ କରିଦିଆଯାଇଛି।

ହୱାନା ୧୫।୨: ଆମେରିକାର କଟକଣା କାର୍ଯ୍ୟାନୁଷ୍ଠାନ ଯୋଗୁ କ୍ୟୁବା ଗୁରୁତର ଇନ୍ଧନ ସଂକଟର ସମ୍ମୁଖୀନ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ କ୍ୟାବାରେ ଫେବୃଆରୀ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସିଗାର ମେଳାକୁ ସ୍ଥଗିତ କରିଦିଆଯାଇଛି। କ୍ୟୁବା ସିଗାର ମେଳା ଆୟୋଜକ କହିଛନ୍ତି ଯେ ଆମେରିକାର ତୈଳ ପ୍ରତିବନ୍ଧକ କାରଣରୁ ଦେଶରେ ଭୀଷଣ ବିଦ୍ୟୁତ କାଟ ହେଉଛି ଓ ଇନ୍ଧନ ସଂକଟ ଦେଖା ଦେଇଛି। ଏଣୁ ସିଗାର ମେଳା ଆୟୋଜକ ହବାନୋସ ଏସ.ଏ କହିଛନ୍ତି ଯେ ସେ ଏହି ପ୍ରସିଦ୍ଧ ଆୟୋଜନର ମାନ ବଜାୟ ରଖିବାକୁ ଏହାକୁ ସ୍ଥଗିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ସରକାରୀ ମାଲିକାନାଧୀନ କମ୍ପାନୀ କ୍ୟୁବା ତାବାକୋ ଓ ଅନ୍ତର୍ଜାତୀୟ ଫାର୍ମ ଅଲ୍ଟାଡିସ୍ ଜଏଣ୍ଟ ଭେଞ୍ଚରର ହବାନୋସ ଏସ.ଏ.କ୍ୟୁବା ସିଗାରର ବୈଶ୍ୱିକ ବିକ୍ରି ଏକାଧିକାର ରଖନ୍ତି। କମ୍ପାନୀ ପ୍ରତିବର୍ଷ ହବାନୋସ ଫେଷ୍ଟିଭାଲର ଆୟୋଜନ କରିଥାଏ, ଯାହା ସିଗାର ପ୍ରେମୀ ଓ ସାରା ବିଶ୍ୱର ବିତରକଙ୍କ ନିମନ୍ତେ ଏକ ପ୍ରମୁଖ ଆୟୋଜନ। ଏହି ଫେଷ୍ଟିଭାଲରେ ଅଂଶଗ୍ରହଣକାରୀ ତମାଖୁ ବାଗାନ ପରିଦର୍ଶନ କରନ୍ତି ଓ ନିଲାମରେ ମଧ୍ୟ ଭାଗ ନେବା ସହ ସିଗାର ଶିଳ୍ପ କୌଶଳର ଝଲକ ଦେଖାନ୍ତି।

ହବାନୋସ ଏସ.ଏ.ଙ୍କ ବୟାନରେ ଫେଷ୍ଟିଭାଲର ୨୬ତମ ସଂସ୍କରଣ ନିମନ୍ତେ କୌଣସି ତାରିଖ ମଧ୍ୟ ଘୋଷଣା କରିନାହାନ୍ତି। ଗତବର୍ଷ ଆୟୋଜନ କାଳରେ ଏକ ନିଲାମରେ ଏକ ସିଗାର ବ୍ୟାଚ୍ ନିମନ୍ତେ ୧୮ ମିଲିୟନ ଡଲାର ମିଳିଥିଲା। କମ୍ପାନୀ ଗତବର୍ଷର ରେକର୍ଡ ୮୨୭ ମିଲିୟନ ଡଲାରର ରେକର୍ଡ ବିକ୍ରି ସୂଚନା ଦେଇଥିଲା। କେବଳ ସିଗାର ଫେଷ୍ଟିଭାଲ ନୁହେଁ ବିଦ୍ୟୁତ ସଂକଟ କାରଣରୁ କ୍ୟୁବାରେ ଅନ୍ୟ ସାଂସ୍କୃତିକ ଆୟୋଜନ ମଧ୍ୟ ବନ୍ଦ କରାଯାଇଛି। ଏଥିରେ ଏକ ପୁସ୍ତକ ମେଳା ମଧ୍ୟ ରହିଛି।

କ୍ୟୁବା ଦ୍ୱୀପ ଗତ କିଛି ବର୍ଷ ହେଲା ଗୁରୁତର ଇନ୍ଧନ ସଂକଟ ଯୋଗୁ ବିଦ୍ୟୁତ କାଟର ସମ୍ମୁଖୀନ ହୋଇ ଆସୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁୟାରୀ ଶେଷ ସପ୍ତାହରେ କ୍ୟୁବାକୁ ତୈଳ ବିକ୍ରି କରୁଥିବା ଦେଶଙ୍କ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ। କାରଣ ଦ୍ୱୀପର କମ୍ୟୁନିଷ୍ଟ ଶାସକଙ୍କ ଉପରେ ରାଜନୈତିକ ଓ ଆର୍ଥିକ ସଂସ୍କାର ଲାଗୁ କରିବା ପାଇଁ ୱାସିଂଟନ ଚାପ ପକାଉଛି। କ୍ୟୁବା ତା ଶକ୍ତି ଆବଶ୍ୟକତାର ୬୦ ପ୍ରତିଶତ ଆମଦାନୀ କରିଥାଏ ଓ ଏଥି ପାଇଁ ଦୀର୍ଘ ସମୟରୁ ଭେନେଜୁଏଲା ଓ ମେକ୍ସିକୋ ଉପରେ ନିର୍ଭରଶୀଳ।

ତେବେ ଗତ ଜାନୁୟାରୀରେ ଭେନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକୀୟ ସୈନ୍ୟ ଗିରଫ କରିବା ପରେ ସେଠାରୁ କ୍ୟୁବାର ସିପମେଣ୍ଟ ବାତିଲ ହୋଇ ଯାଇଛି। ସେହିପରି ଟ୍ରମ୍ପଙ୍କ ଶୁଳ୍କ ଧମକ ଯୋଗୁ ଫେବୃଆରୀରୁ ମେକ୍ସିକୋ ତୈଳ ସିପମେଣ୍ଟ ବନ୍ଦ କରିଦେଇଛି। ଇନ୍ଧନ ସଂକଟ କାରଣରୁ ଚଳିତ ସପ୍ତାହ ଆରମ୍ଭରେ କାନାଡାର ୩ ଏୟାର ଲାଇନ୍ସ କ୍ୟୁବାକୁ ଉଡାଣ ରଦ୍ଦ କରିଦେଇଛନ୍ତି। ଯଦିଓ ଅନ୍ୟ ଏୟାରଲାଇନ୍ସଙ୍କ ଉଡାଣ ଜାରି ରହିଛି ତେବେ ବିମାନ ଡୋମିନିକନ ଗଣରାଜ୍ୟରେ ଅବତରଣ କରି ରିଫ୍ୟୁଲିଂ କରୁଛନ୍ତି।

ଇନ୍ଧନ ଅଭାବ ଦ୍ୱୀପକୁ ପର୍ଯ୍ୟଟକଙ୍କ ଆଗମନକୁ ପ୍ରଭାବିତ କରିଛି। କେତେକ ଏଜେନ୍ସୀ ଯାତ୍ରା ରଦ୍ଦ କରିଦେଇଛନ୍ତି। କାରଣ ସରକାର ବିଦ୍ୟୁତ ସଞ୍ଚୟ କରିବା ପାଇଁ ହୋଟେଲ ବନ୍ଦ କରିଦେଇଛନ୍ତି ଓ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତରିତ କରିବା କାମ ଜାରି ରହିଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button