Breaking News

ଖଣ୍ଡଗିରି, ଉଦୟଗିରିରେ ନୂଆବର୍ଷ ଭିଡ଼: ୧୦ ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ

ଅଧରାତିରେ ନୂତନ ବର୍ଷ ୨୦୨୫କୁ ଧୁମ୍‌ଧାମ୍‌ରେ ସ୍ବାଗତ ପରେ ସକାଳୁ ଦିଅଁ ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବା ପାଇଁ ଦେବାଳୟରେ ଲାଗିଥିଲା ଭିଡ଼। ମୁଖ୍ୟତଃ ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭୋର୍‌ରୁ ଧାଡ଼ି ବାନ୍ଧିଥିଲେ।

ଅଧରାତିରେ ନୂତନ ବର୍ଷ ୨୦୨୫କୁ ଧୁମ୍‌ଧାମ୍‌ରେ ସ୍ବାଗତ ପରେ ସକାଳୁ ଦିଅଁ ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବା ପାଇଁ  ଦେବାଳୟରେ ଲାଗିଥିଲା ଭିଡ଼। ମୁଖ୍ୟତଃ ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭୋର୍‌ରୁ ଧାଡ଼ି ବାନ୍ଧିଥିଲେ। ଦିନ ସାରା ଭୋଜିଭାତ, ଖିଆପିଆରେ ଦିନ ବିତିଥିଲା। ଅନେକ ପରିବାର ସହ ଉଦୟଗିରି, ଖଣ୍ଡଗିରି, ଧଉଳି, ନନ୍ଦନକାନନ, ରାଜ୍ୟ ସଂଗ୍ରହାଳୟ ପ୍ରମୁଖ ସ୍ଥାନକୁ ବୁଲି ଯାଇଥିଲେ। ଆଉ କିଛି ସପିଂ ମଲ୍‌, ସିନେମା ଦେଖାରେ ସମୟ ବିତାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଥିବାରୁ ଶାସକ ଦଳର ଅଧିକାଂଶ ନେତା ନୂଆବର୍ଷ ପାଳନ ନକରିବାକୁ ଘୋଷଣା କରିଥିଲେ। ତଥାପି ଦଳୀୟକର୍ମୀ ନେତାଙ୍କ କ୍ବାର୍ଟର୍ସରେ ଭିଡ଼ ଜମାଇଥିଲେ। ସମସ୍ତ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବାକୁ କର୍ମଚାରୀ  ମଧ୍ୟ ଭିଡ଼ କରିଥିଲେ।

ଖଣ୍ଡଗିରି: ଡିସେମ୍ବର ୨୫ ତାରିଖରୁ ଖଣ୍ଡଗିରି ଓ ଉଦୟଗିରିରେ ଭିଡ଼ ବଢ଼ୁଥିଲା। ଦୈନିକ ପ୍ରାୟ ୭ରୁ ୮ ହଜାର ପର୍ଯ୍ୟଟକ ଆସୁଥିଲେ। ୩୧ ତାରିଖ ମଙ୍ଗଳବାର ୬ ହଜାରରୁ ଅଧିକ ପର୍ଯ୍ୟଟକ ବୁଲି ପ‌ାହାଡ଼ ଦେଖିଥିଲେ। ହେଲେ ନୂଆବର୍ଷରେ ସବୁ ରେକର୍ଡ ଭାଙ୍ଗି ଯାଇଛି। ଆଜି ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୧୨ ହଜାର ଟପିଥିବା ବେଳେ ପାଖାପାଖି ୪ ଲକ୍ଷ ଟଙ୍କା ଆଦାୟ ହୋଇଥିବା ଏଏସ୍‌ଆଇ ସୂତ୍ରରୁ ସୂଚନା ମିଳିଛି। ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ମାଗଣା ଟିକଟ ବ୍ୟବସ୍ଥା କରାଯାଇଥିଲା। ଏହାର ଲାଭ ଉଠାଇବାକୁ ଯାଇ ୧୧ଶହରୁ ଅଧିକ ପିଲା ଆଜି ଏହି ଐତିହ୍ୟକୁ ବୁଲି ଦେଖିଛନ୍ତି। ଜାତୀୟ ରାଜପଥରୁ ପାହାଡ଼ ପର୍ଯ୍ୟନ୍ତ ଲୋକଙ୍କ ଗହଳି ଏତେ ହୋଇଥିଲା ‌ଯେ, ଶହଶହ କାର୍‌ ରାସ୍ତାକୁ ଜାମ୍‌ କରି ରଖିଥିଲେ। ଯମଜ ପାହାଡ଼ରେ ଏତେ ସଂଖ୍ୟକ ପର୍ଯ୍ୟଟକ ବୁଲୁଥିବା ଯୋଗୁଁ ରାସ୍ତାରେ ଅସମ୍ଭାଳ ଭିଡ଼ ହୋଇଥିଲା। ଗହଳି ଯୋଗୁଁ ଗାଡ଼ି ପାର୍କିଂରେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହୋଇଥିଲା‌। ଦୂରରେ ପାର୍କିଂ ବ୍ୟବସ୍ଥା କରାଯାଇଥିବାରୁ‌ ଲୋକେ ମନଇଚ୍ଛା ଏଣେତେଣେ ବାଇକ୍‌ ଓ କାର୍‌ ରଖି ପଳାଇଥିଲେ। ଫଳ‌ରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଜୟଦେବ ବାଟିକା, ଝରଣାରେ ସେଲ୍ଫି 

ନୂଆବର୍ଷ ପାଇଁ ଜୟଦେବ ବାଟିକାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସକାଳ ୮ଟାରୁ ଗହଳି ଆରମ୍ଭ ହୋଇଯାଇଥିଲା। ଅପରାହ୍ନ ୪ଟା ପରେ କିନ୍ତୁ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା। ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଗାନ୍ଧୀ ଶାନ୍ତି କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିର ଲମ୍ବା ଧା‌ଡ଼ି ଦେଖିବାକୁ ମିଳିଥିଲା। ଜୟଦେବ ବାଟିକାରେ ଜଣକୁ ୩୦ ଟଙ୍କା ଓ ବାଇକ ପ୍ରବେଶକୁ ୩୦ ଟଙ୍କା ଲେଖାଏ ରହିଥିବା ବେଳେ ୩ ଚକିଆ ଯାନ ପାଇଁ ୫୦ ଟଙ୍କା ଓ ୪ ଚକିଆ ଯାନ ପାଇଁ ୧୦୦ ଟଙ୍କା ଦେୟ ଦେବାକୁ ପଡୁଥିଲା। ତେଣୁ ତିନି ଚକିଆ ଓ ଚାରି ଚକିଆ ଯାନ ପାଇଁ ଟିକେଟ୍ ନକରିବ‌ା ପାଇଁ ପର୍ଯ୍ୟଟକମାନେ ରାସ୍ତା କଡ଼ରେ ଗାଡ଼ି ରଖି ବାଟିକା ବୁଲିବାକୁ ଯାଇଥିଲେ। ଫଳରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ସୂଚନା ଅନୁସାରେ ଆଜି ବାଟିକାକୁ ୮୫୦୦ ଲୋକ ଆସିଥିବା ବେଳେ ହଜାରେ ପିଲା ବୁଲିବାକୁ ଆସିଥିଲେ। ସେହିପରି ୨୪ଟି ପିଣ୍ଡି ଗୋଟିଏ କନଫରେନ୍ସ ହଲ୍‌ ବୁକ୍ ହୋଇଥିଲା। ସମସ୍ତ ଗାଡ଼ି, ପିଣ୍ଡି ଓ ପର୍ଯ୍ୟଟକଙ୍କ ଠାରୁ ଗୋଟିଏ ଦିନରେ ଆଜି ୪ଲକ୍ଷ ୫୦ ହଜାର ଟଙ୍କା ଆଦାୟ ହୋଇଛି।

ଆନନ୍ଦବନ ବୁଲିଲେ ୩୨୩୧

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଆନନ୍ଦବନକୁ ଆଜି ୩୨୩୧ ଜଣ ବୁଲି ଦେଖିଛନ୍ତି। ବର୍ଷର ଶେଷ ଦିନରେ ୮୯୮ ଜଣ ବୁଲି ଦେଖିଥିବା ବେଳେ ନୂଆବର୍ଷରେ ୩ ଗୁଣାରୁ ଅଧିକ ସଂଖ୍ୟାର ପର୍ଯ୍ୟଟକ ବୁଲି ଦେଖିଛନ୍ତି। ବଡ଼ କଥା ହେଉଛି ବନ ବନ୍ଦ୍‌ ହେବା ପରେ ମଧ୍ୟ ଏହା ବାହାରେ ଛିଡ଼ା ହୋଇ ପର୍ଯ୍ୟଟକ ଜଳଫୁଆରା ପାଖେ ଫଟୋ ଉଠା‌ଉଥିବା ଦେଖିବାକୁ ମିଳିଥିଲା। ଉଭୟ ପାର୍ଶ୍ବର ଜଙ୍ଗଲକୁ ଯୋଡ଼ୁଥିବା ପୋଲ ଓ ଜଳାଶୟରେ ପର୍ଯ୍ୟଟକ ସେଲ୍ଫିର ମଜା ନେଇଥିବା ଦେଖାଯାଇଛି।

ନନ୍ଦନକାନନରେ କମିଲେ ଭୋଜି ପାଇଁ ହଟହଟା

ବାର: ନୂଆ ବର୍ଷ ୨୦୨୫ର ପ୍ରଥମ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଲୋକାରଣ୍ୟ ହୋଇଥିଲା। ସକାଳ ସମୟରୁ ଟିକେଟ୍‌ କାଉଣ୍ଟର ଠାରୁ ଆରମ୍ଭ କରି ପରିସରର ଜୀବଜନ୍ତୁ ଖୁଆଡ଼ ପାଖ ସବୁଆଡେ ପ୍ରବଳ ଭିଡ଼ ଲାଗି ରହିଥିଲା। ନନ୍ଦନକାନନରେ ଚଳିତ ନୂଆବର୍ଷର ପ୍ରଥମ ଦିନରେ ସର୍ବମୋଟ ୩୫ ହଜାର ୬୫୬ ଖଣ୍ଡ ଟିକଟ ବିକ୍ରି ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିକ୍ରି ହୋଇଥିବା ଟିକଟ ମଧ୍ୟରେ ଟିକେଟ ଘରୁ ୩୦ ହଜାର ୭୯୧ ଟିକେଟ ବିକ୍ରି ହୋଇଛି। ଏହି ବିକ୍ରି ହୋଇଥିବା ଟିକେଟ  ମଧ୍ୟରେ ବୟସ୍କ ୨୫୭୫୭, ଶିଶୁ ୫୨୨, ବିଦେଶୀ ପର୍ଯ୍ୟଟକ ୧୨ ଓ ଗୋଟିଏ କ୍ୟାମେରା ଟିକେଟ ରହିଛି। ୧୭ଟି ବୟସ୍କ ରୋପୱେ ଟିକେଟ ବିକ୍ରି ହୋଇଥିବା ଜଣାପଡ଼ିଛି। ସେହିପରି ଅନଲାଇନ୍‌ରେ ବୟସ୍କ ଟିକେଟ ୧୧୮୪, ଶିଶୁ ୨୮୪, ବିଦେଶୀ ୧, କ୍ୟାମେରା ୪, ଏଚ୍‌ଭି କ୍ୟାମେରା ୧ ଖଣ୍ଡକୁ ମିଶାଇ ମୋଟ ୧୪୮୧ ଟିକଟ ବିକ୍ରି ହୋଇଛି। ହ୍ବାଟ୍ସଆପ୍‌ କୋଡ୍‌ ସ୍କାନ୍‌ କରି ବୟସ୍କ ୨୯୦୧, ଶିଶୁ ୪୧୩, ବିଦେଶୀ ୧, ୧୧ କ୍ୟାମେରା ଟିକେଟ ସହିତ ୫୨ଟି ଭିନ୍ନକ୍ଷମ ଟିକେଟ ବିକ୍ରି ହୋଇଛି। ସମସ୍ତ ଟିକେଟ ବିକ୍ରି ବାବଦକୁ ମୋଟ ୧୩ ଲକ୍ଷ ୩୯ ହଜାର ୩୭୦ ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା କର୍ତୁପକ୍ଷଙ୍କ ସୂତ୍ରରୁ ପ୍ରକାଶ। ନନ୍ଦନକାନନର ନୂଆବର୍ଷର ପହିଲି ଦିନରେ ଗତ ୨୦୧୭ ମସିହାରେ ୫୦,୬୬୮ ଖଣ୍ଡ ଟିକେଟ ବିକ୍ରି ହୋଇଥିବାର ସର୍ବକାଳୀନ ରେକର୍ଡ ରହିଛି। ଗତ ୨୦୨୩ ଆଜିର ଦିନରେ ୩୬୫୩୨ ଖଣ୍ଡ ଟିକେଟ ବିକ୍ରି ହେଇଥିବା ବେଳେ ୨୦୨୪ ପହିଲି ଦିନରେ ୨୯୧୨୬ ଖଣ୍ଡ ଟିକେଟ ବିକ୍ରି ହୋଇଥିଲା। ଚଳତ ବର୍ଷ ବୁଧବାର ପଡିବା ଶତ୍ତ୍ୱେ ଗତ ଦୁଇ ବର୍ଷ ତୁଳନାରେ ପର୍ଯ୍ୟଟକ ସଂଖ୍ୟ କମିଛି। ଚଳିତ ନୂଆବର୍ଷର ପହିଲି ଦିନରେ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୨୫୬୫ ଖଣ୍ଡ ଟିକେଟ ବିକ୍ରି ହୋଇଛି ଓ ଟିକେଟ ବାବଦକୁ ୮୩ ହଜାର ୭୭୦ ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ସୂଚ଼ନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ବର୍ଷେ ହେଲା ପ୍ରାକୃତିକ କାଞ୍ଜିଆ ଓ କିଆ ଖଣୀ ହ୍ରଦର ପରିବେଶ ସୁରକ୍ଷା ପାଇଁ ସରକାର ବିଧିବଦ୍ଧ ଭାବେ ଘୋଷଣା କରି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଭୋଜି ବନ୍ଦ କରିଛନ୍ତି। ଭୋଜି ବନ୍ଦ ଥିବା ଜାଣି ନ ପାରି ନୂଆ ବର୍ଷରେ ଦୂର ଦୂରାନ୍ତରୁ ଭୋଜି କରିବାକୁ କିଛି ପର୍ଯ୍ୟଟକ ଆସି ନିରାଶ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଭୋଜି କରିବାକୁ ସୁଯୋଗ ଦିଆ ନଯିବାରୁ ବାଧ୍ୟ ହୋଇ ରାସ୍ତା କଡ଼ର ଏଣେତେଣେ ଭୋଜି କରୁଥିବର ଦୃଶ୍ୟ ଦେଖିବାକୁ ମିଳିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.