Breaking News

ଖଣ୍ଡଗିରି ପାର୍କିଂରେ ଅସଲି-ନକଲି ଠିକାଦାର ପିଟା‌ପିଟି: ଟଙ୍କା ନେଇ ବିଏମ୍‌ସି ଚୁପ୍‌, ଆଖି ବୁଜି ଦେଇଛି ପୁଲିସ୍‌, ଦିନକୁ ୭ଲକ୍ଷ ଲୁଟ୍‌

ଖଣ୍ଡଗିରି ମେଳା ପାର୍କିଂରେ ଲୁଟ୍‌ତରାଜ୍‌ ଥମିବା ନାଁ ଧରୁନି। କାର୍ଯ୍ୟାନୁଷ୍ଠାନ ନେବାରେ ବିଏମ୍‌ସି ଅସହାୟ ବୋଲି ଜାଣିବା ପରେ ଶୋଷଣ ସୀମା ଲଂଘିଛି। ପୂର୍ବରୁ ବିଏମ୍‌ସି ଠାରୁ ବିଧିବଦ୍ଧ ସ୍ବୀକୃତି ନେଇଥିବା ସଂସ୍ଥା ଲୁଟୁଥିବା ବେଳେ ଏବେ ବିନା ସ୍ବୀକୃତିରେ ଲୁଟିବାକୁ କେତେକ ଗୋଷ୍ଠୀ ଉଭା ହୋଇଛନ୍ତି।

ଖଣ୍ଡଗିରି: ଖଣ୍ଡଗିରି ମେଳା ପାର୍କିଂରେ ଲୁଟ୍‌ତରାଜ୍‌ ଥମିବା ନାଁ ଧରୁନି। କାର୍ଯ୍ୟାନୁଷ୍ଠାନ ନେବାରେ ବିଏମ୍‌ସି ଅସହାୟ ବୋଲି ଜାଣିବା ପରେ ଶୋଷଣ ସୀମା ଲଂଘିଛି। ପୂର୍ବରୁ ବିଏମ୍‌ସି ଠାରୁ ବିଧିବଦ୍ଧ ସ୍ବୀକୃତି ନେଇଥିବା ସଂସ୍ଥା ଲୁଟୁଥିବା ବେଳେ ଏବେ ବିନା ସ୍ବୀକୃତିରେ ଲୁଟିବାକୁ କେତେକ ଗୋଷ୍ଠୀ ଉଭା ହୋଇଛନ୍ତି। ବିଏମଖ୍‌ସିର ସ୍ବୀକୃତି ନଥିଲେ ମଧ୍ୟ ସରକାରୀ ଜାଗା‌ ଘେରାଇ ପାର୍କିଂ ସ୍ଥଳ ତିଆରି କରିଛନ୍ତି। ଟିକେଟ୍‌ ଛାପି ଲୋକଙ୍କୁ ଲୁଟୁଛନ୍ତି। ଯେଉଁ ଗୋଷ୍ଠୀ ଧାର୍ଯ୍ୟ ଅର୍ଥ ଜମା କରି ବିଏମ୍‌ସିଠାରୁ ସ୍ବୀକୃତି ଆଣିଛନ୍ତି ତାଙ୍କର ବେପାର କ୍ଷତି ହେଉଛି। ଫଳରେ ଉଭୟ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ବିଏମ୍‌ସି ଓ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ବିବାଦ ଉଗ୍ରରୂପ ନେଇଛି। ଛକାପଞ୍ଝା ଚାଲିଥିବାରୁ ବଡ଼ ଅଘଟଣ ଘଟିବା ଆଶଙ୍କା କରାଯାଉଛି।

ଖଣ୍ଡଗିରିରେ ପାର୍କିଂ ପାଇଁ ବିଏମ୍‌ସି ଖଣ୍ଡଗିରି ଥାନା ସାମନା, ଖାରବେଳ ପାର୍କ, ଜାଗମରା ହାଉସିଂ ବୋର୍ଡ ସାମନା, ଖଣ୍ଡଗିରି ବାରି ଓ ଖଣ୍ଡଗିରି ଓଭର୍‌ବ୍ରିଜ୍‌ ତଳେ, ଏଭଳି ୫ଟି ଜାଗା ପାର୍କିଂ ପାଇଁ ବିଏମ୍‌ସି ଚିହ୍ନଟ କରି ଠିକା ଦେଇଥିଲା। ବିଧିବଦ୍ଧ ଭାବରେ ଠିକା ନେଇଥିବା ସଂସ୍ଥାମାନେ ପ୍ରଥମରୁ ହିଁ ଲୁଟ୍‌ତରାଜ ଆରମ୍ଭ କରିଥିଲେ। ଧାର୍ଯ୍ୟ ଦେୟରୁ ୫ରୁ ୧୦ ଗୁଣା ନେଉଥିଲେ। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ଧାର୍ଯ୍ୟ ଦେୟର ଏକ ଫଳକ ଲଗାଇଥିଲା। ହେଲେ ଠିକାଦାର ତାକୁ ଫିଙ୍ଗି ଦେଇଥିଲେ। ହେଲେ ବିଏମ୍‌ସି ଠିକାଦାରଙ୍କ ପାଖରେ ଲାଚାର ଥିଲା। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନଥିଲା। ବିଏମ୍‌ସିର ଏଭଳି ଅସହାୟତା ଦେଖି ବେଆଇନ ଭାବରେ ଏବେ ୩ଟି ଜାଗାରେ ପାର୍କିଂ  ହେଉଛି। ଥାନା ପାଖରେ, କେସିଏ ଗ୍ରାଉଣ୍ଡ୍‌ ଓ ବାରଭୂଜା ଭଜନ ମଣ୍ଡପ ପାଖରେ ପାର୍କିଂ କରାଯାଇ ଟଙ୍କା ଆଦାୟ ହେଉଛି। କିଏ ୨ ଚକିଆକୁ ୩୦ ଟଙ୍କା ତ କିଏ ୫୦ ଟଙ୍କା ନେଉଛି। ୪ ଚକିଆ ପାଇଁ ପାର୍କିଂ ଦେୟ ଯାହା ପାଟିରୁ ବାହାରୁଛି। ଏଭଳି ଗୋଟିଏ ଦିନରେ ପ୍ରାୟ ୫ଲକ୍ଷରୁ ଅଧିକ ବେଆଇନ ଭାବରେ ଆଦାୟ ହେଉଛି। ଏଣେ ଅସଲି ଠିକାଦାରଙ୍କ ବେପାର କମିଯାଉଥିବାରୁ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗୋଟିଏ ଗୋଟିଏ ପାର୍କିଂ ସ୍ଥଳ ପାଇଁ ବିଏମ୍‌ସିକୁ ଠିକାଦାର ୫ରୁ ୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିବାକୁ ପଡ଼ିଥିବାରୁ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ଓ ହାତାହାତି ପର୍ଯ୍ୟନ୍ତ କଥା ଯାଇଛି। ଗତ ରାତିରେ ସେଠାରେ ତୁମୁଳକାଣ୍ଡ ହୋଇଛି।

ବଡ଼କଥା ହେଉଛି, ଚିହ୍ନଟ ହୋଇଥିବା ୫ଟି ପାର୍କିଂ ସ୍ଥଳ ଭିନ୍ନ ଅନ୍ୟ ଜାଗାରେ ପାର୍କିଂ ହେଲେ ତାହାକୁ ପୁଲିସ ରୋକିବ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଏମ୍‌ସି କମିସନରେଟ୍‌ ପୁଲିସ୍‌କୁ ଚିଠି ଲେଖି ଦାୟିତ୍ବ ସାରିଦେଇଛି। ଏଣେ ପୁଲିସ ଗତକାଲିର ମାମଲାରେ ଉଭୟଙ୍କୁ ଧମକାଇ ଫେରାଇଦେଇଛି। ଫଳରେ ବେଆଇନ ଭାବେ ଆଜି ବି ପାର୍କିଂ ଚାଲିଛି। ପୁଲିସ ଓ ବିଏମ୍‌ସି କେହି ବୁଝୁ ନଥିବାରୁ ବିଧିବଦ୍ଧ ଭାବରେ ଠିକା ନେଇଥିବା ଗୋଷ୍ଠୀ ଆଇନ ହାତକୁ ନେବାକୁ ସଜବାଜ ହେଉଛନ୍ତି। ଅଭିଯୋଗ କଲେ କର୍ତ୍ତୃପକ୍ଷ ‘ନିଜେ ବୁଝ’ ବୋଲି କହୁଥିବା ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ପାର୍କିଂ ଦର ଘଣ୍ଟାକୁ ୨ ଚକିଆ ଓ ୩ ଚକିଆ ପାଇଁ ୧୦ଟଙ୍କା, ୪ ଚକିଆ ପା‌ଇଁ ୨୦ ଟଙ୍କା ଓ ଭାରୀଯାନ ପାଇଁ ୨୫ ଟଙ୍କା ବିଏମ୍‌ସି ଧାର୍ଯ୍ୟ କରିଥିଲା। ୨ ଘଣ୍ଟାରୁ ଅଧିକ ସମୟ ରଖି‌ଲେ ଏହା ଯଥାକ୍ରମେ ୨୦, ୩୦, ୪୦, ୬୦ ହେବାକୁ ସର୍ତ୍ତ ଥିଲା। ଯେଉଁମାନେ ଧାର୍ଯ୍ୟ ଟଙ୍କା ଠାରୁ ଅଧିକ ନେବେ, ଟିକେଟ୍‌ରେ ସମସ୍ତ ବିବରଣୀ ନରଖିବେ, ସେମାନଙ୍କୁ ୧ହଜାର ଟଙ୍କା ଜରିମାନା ହେବ ବୋଲି ମଧ୍ୟ ତାଗିଦ କରାଯାଇଥିଲା। ଏ ନେଇ ବିଏମ୍‌ସି ଲଗାଇଥିବା ହୋର୍ଡିଂକୁ ଫିଙ୍ଗି ଦେଇ ଲୁଟ୍‌ତରାଜ ଚାଲିଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.