Breaking News

ଖଣ୍ଡଗିରି ମେଳାକୁ ଆଉ ୨୦ ଦିନ: ଯାତ୍ରା ପରିଚାଳନା କରିବ କେନ୍ଦ୍ରୀୟ କମିଟି

ଫେବ୍ରୁଆରି ୪ରୁ ଖଣ୍ଡଗିରି ମେଳା। ଏହାର ଦୁଇ ଦିନ ପରେ ଅର୍ଥାତ ୬ ତାରିଖରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଯାତ୍ରା ମହାସମର। ୧୨ ଦିନ ଧରି ଗୋଟିଏ ପରେ ଗୋଟିଏ ଯାତ୍ରା ପାର୍ଟି ମଇଦାନକୁ ଓହ୍ଲାଇବା ସହ ଦର୍ଶକଙ୍କ ମନ କିଣିବେ।

ଖଣ୍ଡଗିରି: ଫେବ୍ରୁଆରି ୪ରୁ ଖଣ୍ଡଗିରି ମେଳା। ଏହାର ଦୁଇ ଦିନ ପରେ ଅର୍ଥାତ ୬ ତାରିଖରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଯାତ୍ରା ମହାସମର। ୧୨ ଦିନ ଧରି ଗୋଟିଏ ପରେ ଗୋଟିଏ ଯାତ୍ରା ପାର୍ଟି ମଇଦାନକୁ ଓହ୍ଲାଇବା ସହ ଦର୍ଶକଙ୍କ ମନ କିଣିବେ। କିଏ କେଉଁଭଳି ଭାବେ ଦର୍ଶକଙ୍କୁ ପେଣ୍ଡାଲ ନିକଟକୁ ଟାଣିପାରିବେ ସେନେଇ ରୂପରେଖ ପ୍ରସ୍ତୁତ କରୁଛନ୍ତି। ଏହାରି ଭିତରେ ଖଣ୍ଡଗିରି ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସ ଓ ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଛି। ଏହାକୁ ନମାନିଲେ ଯାତ୍ରା ଅଧାରୁ ବିଦା‌ କରି ଦିଆଯିବ। ସମ୍ପୃକ୍ତ ଯାତ୍ରା ପାର୍ଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ ବୋଲି ସ୍ଥିର ହୋଇଛି।

 ପୁଲିସ୍‌ ସହ ବସିଲା ପ୍ରଥମ ସମନ୍ବୟ ବୈଠକ
ଆଇଟମ୍‌ ଡ୍ୟାନ୍ସକୁ ବାରଣ; ଅଶ୍ଳୀଳ ନୃତ୍ୟ କଲେ ବିଦା ହେବେ

ଖଣ୍ଡଗିରି ଯାତ୍ରା ଦେଖିବାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯାତ୍ରାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଥିବାରୁ ତାହାକୁ ନଜରରେ ରଖି ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ‌ମେଳାରେ ଶାନ୍ତିଶୃଙ୍ଖଳା ରଖିବା ସହିତ ଯାତ୍ରା କିଭଳି ସୁଚାରୁରୂପେ ପରିଚାଳିତ ହୋଇପାରିବ ସେନେଇ ଖଣ୍ଡଗିରି ଥାନାରେ ୬ ଯାତ୍ରା କମିଟିର ସଭାପତି, ସମ୍ପାଦକ, ସ୍ଥାନୀୟ କର୍ପୋରେଟର, ଏସିପି ଓ ଆଇଆଇସିଙ୍କ ମଧ୍ୟରେ ପ୍ରାରମ୍ଭିକ ବୈଠକ ହୋଇଛି। ଯାତ୍ରାରେ କୌଣସି ପ୍ରକାରର ଅଶ୍ଳୀଳତାକୁ ସୁଯୋଗ ଦିଆଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯାତ୍ରା ପରିବେଷଣ ପୂର୍ବରୁ ନିୟମାବଳୀ ଜାରି ‌ସହ ତଦାରଖ କରିବାକୁ ୬ଟି ଯାତ୍ରା କମିଟିଙ୍କୁ ନେଇ ଏକ କେନ୍ଦ୍ରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି।

ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ କମିଟିଗୁଡ଼ିକ ଆଜି ନିଜର ମତ ସ୍ପଷ୍ଟ କରିଛନ୍ତି। ଯାତ୍ରା ପାର୍ଟି ଆଇଟମ୍‌ ଡ୍ୟାନ୍ସର ଆଣିଲେ ତାଙ୍କୁ ବ୍ୟାନ୍‌ କରାଯିବ। ରେକର୍ଡ ଡ୍ୟାନ୍ସ କରିପାରିବେ। ହେଲେ ସେଥିରେ ଅଶ୍ଳିଳତା ରହିବ ନାହିଁ। ୧୨ଟି ଯାତ୍ରା ପାର୍ଟି ମଧ୍ୟରୁ ଯିଏ ରେକର୍ଡ ଡ୍ୟାନ୍ସ ପରିବର୍ତ୍ତେ ଆଇଟମ୍ ଡ୍ୟାନ୍ସ କରିବେ ତାଙ୍କୁ ଖଣ୍ଡଗିରିରୁ ଫେରେଇ ଦିଆଯିବ। ଯାତ୍ରା ପରିବେଷଣ ସମୟରେ ଆଉ କେଉଁ କେଉଁ କଟକଣା ଲ‌ାଗିବ, କେ‌ତେ ଚେୟାର ପଡ଼ିବ, ‌ସୁରକ୍ଷା ଦୃଷ୍ଟିରୁ କ’ଣ ସବୁ ପ‌ଦକ୍ଷେପ ନିଆଯିବ ସେନେଇ ଗୁରୁବାର ବୈଠକରେ ବିଶେଷ ଆଲୋଚନା କରାଯିବ। ମଧ୍ୟାହ୍ନ ୧୨ଟାରେ ବାରୁଭୂଜା ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ବୈଠକରେ କେନ୍ଦ୍ରୀୟ କମିଟିର କର୍ମକର୍ତ୍ତା ବଛାଯିବେ। ଏହି ଅବସରରେ କମିଟିର ସଦସ୍ୟମାନେ କହିଛନ୍ତି ଯେ କେବଳ ଖଣ୍ଡଗିରି ନୁହେଁ, ସାରା ଓଡ଼ିଶାରୁ ଅଶ୍ଳୀଳତା ମୁକ୍ତ ଯାତ୍ରା ପରିବେଷଣ କରିବ‌ାକୁ ସରକାର ନିଷ୍ପତ୍ତି ନିଅନ୍ତୁ। ଏହାର ପର ବୈଠକ ଆସନ୍ତା ୨୫ ତାରିଖରେ ବସିବ ବୋଲି ଘୋଷଣା ହୋଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.