Breaking News

ଖଣ୍ଡଗିରି ଯାତ୍ରା ମହାସମର ପାଇଁ ସଜବାଜ: ମହିଳା କୈନ୍ଦ୍ରିକ କାହାଣୀକୁ ଗୁରୁତ୍ବ

ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଆଉ କମ୍ ଦିନ ଥିବାରୁ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଜବାଜ ହେଲେଣି ଯାତ୍ରା କମିଟି।

ଖଣ୍ଡଗିରି: ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଆଉ କମ୍ ଦିନ ଥିବାରୁ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଜବାଜ ହେଲେଣି ଯାତ୍ରା କମିଟି। ନୂଆ ନୂଆ କାହାଣୀ, ଦମ୍‌ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୨ ଯାତ୍ରାଦଳଙ୍କୁ ବଇନା ଦେଇ ସାରିଲେଣି। ଯାତ୍ରା ସହ ଯୋଡ଼ି ହୋଇଯାଇଥିବା ଅଶ୍ଳୀଳ ନୃତ୍ୟକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହେଉଥିବା ବେଳେ ଖଣ୍ଡଗିରିର ପବିତ୍ର ଭୂମିରେ ଏଥର କୌଣସି ଅଶ୍ଳିଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଯୋଜନା ହୋଇଛି। ଚଳିତ ଥର ପୁରୁଣା ଦଳ ସହ ୩ଟି ନୂଆ ପାର୍ଟି ସାମିଲ ହେବାକୁ ଥିବାରୁ ନାଟକ ପୂର୍ବବର୍ଷ ଅପେକ୍ଷା ଅଧିକ ରୋମାଞ୍ଚକ ହେବ ବୋଲି ଆୟୋଜନ କମିଟି ଆଶା ରଖିଛନ୍ତି। ଯାତ୍ରା ଯାଜ୍ଞସେନୀ, ଯାତ୍ରା ବିଶ୍ବଦରବାର ଓ ଅପେରା ପୃଥ୍ବୀରାଜ ଏଥର ପ୍ରଥମ ଥର ପାଇଁ ଖଣ୍ଡଗିରିରେ ନିଜର ଭାଗ୍ୟ ପରୀକ୍ଷା କରିବେ। ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିର, ଦୁର୍ଗା ମନ୍ଦିର, ଅପେରା ପୃଥ୍ବୀରାଜ, ଶିବାନୀ ଗଣନାଟ୍ୟ, ଯାତ୍ରା ବିଶ୍ବଦରବାର, ଯାତ୍ରା ଯାଜ୍ଞସେନୀ ଆସିବେ। ଦ୍ବିତୀୟ ପର୍ଯ୍ୟାୟରେ କୋଣାର୍କ, ସ୍ବର୍ଣ୍ଣମହଲ, ତୁଳସୀ, ସିଂହବାହିନୀ, ସ୍ବପ୍ନମହଲ, ରଙ୍ଗମହଲ ସାମିଲ ହେବେ। କେଉଁ ପାର୍ଟି କେଉଁ ବହି ନେଇ ଆସିବେ ତାହା ଗତ ଜୁନ୍ ମାସରୁ ଆଖଡ଼ାଘରୁ ଚୂଡ଼ାନ୍ତ ହୋଇସାରିଛି।

ମହିଳା କୈନ୍ଦ୍ରିକ କାହାଣୀକୁ ଗୁରୁତ୍ବ
୧୫ରେ ବିଏମ୍‌ସି ସହ ଆଲୋଚନା
ଏଥର ଅଶ୍ଳୀଳତାମୁକ୍ତ ହେବ: ଯାତ୍ରା କମିଟି

ଗତବର୍ଷ ‘କାନ୍ଦେନା ଲୁହ ସରିଯିବ’, ‘କେତେ କାନ୍ଦିବୁରେ ଗଉରା ଦାସ’,‘ଦେବଦାସୀ ହେବି ତୋରି ପାଇଁ’, ‘ସେଇ ଗୋଟିଏ ଭୁଲ୍ ପାଇଁ’, ‘କାନ୍ଦେନାରେ ବାଇଆ ମନ’ ଭଳି ଦୁଃଖଭରା ନାଟକ ଦର୍ଶକଙ୍କୁ ଲୁହରେ ଭିଜାଇଥିଲା। ତେବେ ଚଳିତ ବର୍ଷ ପ୍ରାୟ ସମସ୍ତ ନାଟକ ମହିଳା କୈନ୍ଦ୍ରୀକ ହେବାକୁ ଯାଉଛି। ଯାତ୍ରା ଦୁର୍ଗା ମନ୍ଦିରର ‘ଡିଏସ୍‌ପି ଦୁର୍ଗା’, ସ୍ବର୍ଣ୍ଣ ମହଲର ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’, ଅପେରା ପୃଥ୍ବୀରାଜର ‘ରାଜଧାନୀର ରଜନୀଗନ୍ଧା’, ସ୍ବପ୍ନ ମହଲର ‘ଜବାବ ମାଗୁଛି ଉଦଣ୍ଡୀ ସୀତା’, ଯାତ୍ରା ଯାଜ୍ଞସେନୀର ‘ପାଞ୍ଚ ପତିରେ ମୁଁ ସତୀ’, ତୁଳସୀର ‘ଜହ୍ନ ରାତିର ଝଡ଼’, ସୂର୍ଯ୍ୟମନ୍ଦିରର ‘ହାଇଦର’, ଶିବାନୀର ‘ହା କୃଷ୍ଣ ବୋଲି ଯାଉ ଜୀବନ’, ସିଂହବାହିନୀର ‘ବଡ଼ ବେଦରଦୀ କଳା ସାଆନ୍ତ’, ଯାତ୍ରା ବିଶ୍ବଦରବାରର ‘କହିଲେ ଲାଜ, ଶୁଣିଲେ ପାପ’, ରଙ୍ଗମହଲର ‘ପାପ ଜାଣିନିକି ପୁଣ୍ୟ ଜାଣିନି’ ନାଟକ ମଞ୍ଚସ୍ଥ ହେବ।
ଅନ୍ୟପକ୍ଷରେ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିବା ଯାତ୍ରାରେ ଅଶ୍ଳୀଳତା ପ୍ରସଙ୍ଗକୁ ଆୟୋଜକ ଗୁରୁତ୍ବର ସହ ‌ନେଇଛନ୍ତି। ପୂର୍ବରୁ ବହୁ କଟକଣା, ନୀତିନିୟମ, କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ରାଜ୍ୟର କୌଣସି ଜାଗାରେ ଏହାକୁ ରୋକାଯାଇପାରି ନାହିଁ। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିବା କଳାକାରଙ୍କୁ ଯାତ୍ରା କମିଟି ଅଧିକ ପାଉଣା ଦେଇ ମଞ୍ଚକୁ ଆଣୁଛନ୍ତି। ଖଣ୍ଡଗିରିର କମିଟିଗୁଡ଼ିକ ଏଥିରୁ କିଭଳି ବିରତ ହେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ଖଣ୍ଡଗିରି ହରେକୃଷ୍ଣ ମହତାବ ଯାତ୍ରା କମିଟିର କୃଷ୍ଣଚନ୍ଦ୍ର ଜେନା କହିଛନ୍ତି ଗାଁ ଗହଳିରେ ଦେଖାଯାଉଥିବା ଚିତ୍ର ଖଣ୍ଡଗିରିରେ ଦେଖିବାକୁ ମିଳିବ ନାହିଁ। ଯାତ୍ରାରେ ଅଶ୍ଳୀଳତା ସଂପୂର୍ଣ୍ଣ ବନ୍ଦ କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରିଛୁ। ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ସମ୍ପାଦକ ପ୍ରମୋଦ କୁମାର ଜେନା କହିଛନ୍ତି ଆସନ୍ତା ୧୫ ତାରିଖରେ ବିଏମ୍‌ସି କମିସନରଙ୍କ ସହ ବୈଠକ ହୋଇ ଆଶ୍ଳୀଳତାକୁ ସମ୍ପୁର୍ଣ୍ଣ ବନ୍ଦ ପାଇଁ ବ୍ୟବସ୍ଥା ହେବ। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାକୁ ସ୍ବତନ୍ତ୍ର କଳାକାର ଡକାଯିବ ନାହିଁ। ସେହିପରି ଥାନାରେ ଅଣ୍ଡର ଟେକିଙ୍ଗ୍ ଲେଖୁଥିବାରୁ ଅଶ୍ଳୀଳତାକୁ ପ୍ରଶ୍ରୟ ନଦେବା ଏକ ପ୍ରକାର ସୁନିଶ୍ଚିତ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.