Breaking News

ଖଣ୍ଡାରେ ହାଣିପକାଇଲେ: ଅଣ୍ଡିଲୋରେ ମୁଣ୍ଡ ଗଡ଼ିଲା, ମୃତକଙ୍କ ମା ଓ ସାଙ୍ଗ ଗୁରୁତର, ଅଭିଯୁକ୍ତ ଅଟକ

ସାଇକେଲ୍‌ ଚୋରି ଭଳି ଏକ ସାମାନ୍ୟ କଥାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ବାଲିଅନ୍ତା ଅଣ୍ଡିଲୋରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଗାଁ ମୁଣ୍ଡ ଛକରେ ମିଲନ୍‌....

ହୋଲି ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ରାଜଧାନୀ। ଗୁରୁବାର ସନ୍ଧ୍ୟାରେ ରକ୍ତରଞ୍ଜିତ ହୋଇପଡ଼ିଛି ରାଜଧାନୀ। ଖଣ୍ଡା ଚୋଟରେ ଗୋଟିଏ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଏବଂ ଅନ୍ୟ ମାମଲାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ବାଲିଅନ୍ତାରେ ଗାଁ ଦାଣ୍ଡରେ ଜଣେ ଯୁବକ ଖଣ୍ଡା ଧରି ଗୋଡ଼ାଇ ଗୋଡ଼ାଇ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ହାଣି ପକାଇଛି। ଜଣକ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେହିଭଳି ସୂର୍ଯ୍ୟନଗରବସ୍ତିରେ ୪ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି। ଆହତ ଯୁବକଙ୍କ ଗୋଟିଏ ହାତ କଟା ହେବା ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ଦୁଇ ଦୁଇଟି ପ୍ରାଣାନ୍ତକ ଆକ୍ରମଣ ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି।

ବାଲିଅନ୍ତା ବଜାର: ସାଇକେଲ୍‌ ଚୋରି ଭଳି ଏକ ସାମାନ୍ୟ କଥାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ବାଲିଅନ୍ତା ଅଣ୍ଡିଲୋରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଗାଁ ମୁଣ୍ଡ ଛକରେ ମିଲନ୍‌ ଭୋଇ(୩୦)ଙ୍କୁ ତାଙ୍କ ସାହିର ତରୁଣ ଭୋଇ ଓରଫ ଟିମା ଖଣ୍ଡାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖଣ୍ଡା ଚୋଟରେ ମିଲନ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ତାଙ୍କ ମା ମିନା ଭୋଇ ଓ ମୁସଲମାନସାହିର ସାଙ୍ଗ ଅଜିତ୍‌ ଶାହା ଗୁରୁତର ହୋଇଛନ୍ତି। ହତ୍ୟା ଅଭିଯୁକ୍ତ ଟିମା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ହେଁ ପରେ ବାଲିଅନ୍ତା ଥାନା ପୁଲିସ ତାକୁ ଧରିବାରେ ସକ୍ଷମ ହୋଇଛି। କିନ୍ତୁ ଖଣ୍ଡାକୁ ସେ ଗହୀର ଭିତରେ ଫୋପାଡ଼ି ଦେଇଥିବାରୁ ମିଳିପାରିନାହିଁ। ସେହିଭଳି ପୁଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି ଏବଂ ଗୁରୁତର ମିନା ଓ ଅଜିତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ହଠାତ୍ ସଂଜବୁଡ଼ଟାରେ ଗାଁ ମୁଣ୍ଡରେ ଘଟିଥିବା ଏଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ପରେ ଅଣ୍ଡିଲୋରେ କୋକୁଆଭୟ ଖେଳିଯାଇଥିଲା ଏବଂ ବହୁ ଲୋକଙ୍କ ଘରେ ତାଟି କବାଟ ପଡ଼ିଯାଇଥିଲା। ଟିମା ଖଣ୍ଡା ଧରି ବୁଲୁଛି ବୋଲି ଗାଁରେ ଖବର ଖେଳିଯିବା ପରେ ଗାଁ ଦାଣ୍ଡ ଶୂନଶାନ୍‌ ହୋଇଯାଇଥିଲା।

ଦୁଇ ଦିନ ପୂର୍ବେ ଅଭିଯୁକ୍ତ ଟିମାର ସାଇକେଲ୍‌ଟି ଚୋରି ହୋଇଥିଲା। ସାଇକେଲ୍‌ ଚୋରିରେ ମିଲନ୍‌ର ହାତ ଅଛି ବୋଲି ଟିମା ସନ୍ଦେହ କରିଥିଲା। ମିଲନ୍‌ ଓ ମୁସଲମାନସାହିର ଅଜିତ ମିଶି ତା’ ସାଇକେଲ୍‌ ଚୋରି କରିଛନ୍ତି ବୋଲି ଟିମା ଏଠିସେଠି କହୁଥିଲା। ଏହାକୁ ନେଇ ମିଲନ୍‌ ଓ ଟିମା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ କଥା ମାତ୍ର ଏତିକି। କିନ୍ତୁ ଟିମା ଏଥିରେ ବେଶ୍‌ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲା। ଆଜି ସନ୍ଧ୍ୟାବେଳେ ମିଲନ୍‌ ଓ ଅଜିତ ଗାଁ ମୁଣ୍ଡରେ ଏକାଠି ବସିଥିଲେ। ପ୍ରାୟ ସବୁଦିନ ସେମାନେ ଉକ୍ତ ଜାଗ‌ାରେ ଏକାଠି ବସିବା ଦେଖିବାକୁ ମିଳେ। କିନ୍ତୁ ଆଜି ସେଇଠି ମୃତ୍ୟୁ ସହ ମୁହାଁମୁହିଁ ହେଲେ ମିଲନ୍‌। ହଠାତ୍ ଟିମା ଏକ ଖଣ୍ଡା ଧରି ସେଠାରେ ପହଞ୍ଚିଥିଲା। ଖଣ୍ଡାକୁ ସେ ଗାମୁଛାରେ ଗୁଡ଼ାଇ ଆଣିଥିବାରୁ ମିଲନ୍‌ ଓ ଅଜିତ୍‌ ଜାଣି ପାରି ନଥିଲେ କି ଟିମା ସେମାନଙ୍କ ଆଡ଼କୁ ଆସୁଛି ବୋଲି ଗୁରୁତ୍ବ ଦେଇ ନଥିଲେ।

ଟିମା ଗାମୁଛାରୁ ଖଣ୍ଡାକୁ ବାହାର କରିବା ଦେଖି ସେମାନେ ଠିଆ ହୋଇପଡ଼ିଥିଲେ। କିନ୍ତୁ ସେମାନେ ସେଠାରୁ ପଳାଇବାକୁ ଦୌଡ଼ିବା ପୂର୍ବରୁ ମିଲନ୍‌ କାନ୍ଧରେ ଖଣ୍ଡା ପାହାର ପଡ଼ିଥିଲା। ଗୋଟିଏ ଚୋଟରେ ମିଲନ ତଳେ ପଡ଼ିଯାଇଥିଲେ। ସେହିଭଳି ଆଉ ଗୋଟିଏ ଚୋଟ ପଡ଼ିଥିଲା ଅଜିତ୍‌ କାନ୍ଧରେ। ମାତ୍ର ଖଣ୍ଡା ଚୋଟ କାନମୁଣ୍ଡାରେ ବାଜିଥିଲା। ତେଣୁ ଅଜିତ୍‌ ଘଟଣାସ୍ଥଳରୁ ପ୍ରାଣବିକଳରେ ଦୌଡ଼ି ବିଲ ଭିତରକୁ ପଶିଯାଇଥିଲେ। ଏପଟେ ତଳେ ପଡ଼ି ଛଟପଟ ହେଉଥିବା ମିଲନ୍‌କୁ ପୁଣି ୩ରୁ ୪ ଚୋଟ ପକାଇଥିଲା ରକ୍ତମୁଖା ଟିମା। ମୁଣ୍ଡରେ ଖଣ୍ଡା ପାହାର ବାଜିବା ପରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଏବଂ କିଛି ସମୟ ପରେ ମିଲନ୍‌ଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା। ଚିତ୍କାର ଶୁଣି ମିଲନ୍‌ଙ୍କ ମା ମିନା ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ତାଙ୍କୁ ଦେଖିବା ମାତ୍ରେ ଟିମାର ରାଗ ପୁଣି ବଢ଼ିଯାଇଥିଲା। ସେ ମିନାଙ୍କୁ ମଧ୍ୟ ୨/୩ ଚୋଟ ପକାଇଥିଲା। ଫଳରେ ତାଙ୍କ ହାତ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ସ୍ତ୍ରୀ ପଳାଇବା ପରେ ମାନସିକ ବିକାରଗ୍ରସ୍ତ ଥିଲା ଟିମା
ଦୁଇ ବର୍ଷ ପୂର୍ବେ ଟିମାର ସ୍ତ୍ରୀ ତାକୁ ଛାଡ଼ି ପଳାଇଛି। ସେବେଠୁ ଟିମାଠାରେ ସାମାନ୍ୟ ଭାବେ ମାନସିକ ବିକୃତି ଦେଖିବାକୁ ମିଳୁଥିଲା। ଟିକିଏ ଟିକିଏ କଥାରେ ସେ ରାଗି ଯାଉଥିଲା। ପୂର୍ବରୁ ତା’ର ବେଶ୍ ଭଲ ସ୍ବଭାବ ଥିଲା। କିନ୍ତୁ ସ୍ତ୍ରୀ ଚାଲିଯିବା ପରେ ସେ କାହା ସହ ବେଶି ମିଳାମିଶା କରୁ ନଥିଲା। ଥଟାମଜାଠାରୁ ସେ ବେଶ୍ ଦୂରରେ ଥିଲା। କେହି ଥଟାମଜା କଲେ, ସେ ଭୀଷଣ ରାଗି ଗାଳିମନ୍ଦ କରୁଥିଲା। ପ୍ରାୟ ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରୁଥିଲା। ସାଇକେଲ୍‌ ଚୋରି ହେବା ପରେ ସେ ସାହିରେ ଗାଳିମନ୍ଦ କରୁଥିଲା ଏବଂ ଚୋର କିଏ ଜଣାପଡ଼ିଲେ, ତାକୁ ହାଣିବ ବୋଲି କହି ବୁଲୁଥିଲା। ଏମିତିକି ସେ ମିଲନ୍‌ ଓ ଅଜିତ ନାଁ ନେଇ ଗାଳି କରୁଥିଲା। ଆଜି ଦିପହର ସାରା ସେ ସାହିରେ ଗାଳି କରି ଏମୁଣ୍ଡରୁ ‌ସେମୁଣ୍ଡ ପର୍ଯ୍ୟନ୍ତ ଟହଲ ମାରୁଥିଲା।ସତକୁ ସତ ଆଜି ସନ୍ଧ୍ୟାରେ ସେ ବୀଭତ୍ସ ହତ୍ୟାକାଣ୍ଡ ଭିଆଇଲା।

ସୂର୍ଯ୍ୟନଗରରେ ହାତ କଟିଲା

ଭୁବନେଶ୍ବର: ଗୁରୁବାର ରାତି ପ୍ରାୟ ୧୧ଟା ବେଳେ କ୍ୟାପିଟାଲ ଥାନା ସୂର୍ଯ୍ୟନଗର ବସ୍ତିରେ ଦୁର୍ବୃତ୍ତମାନଙ୍କ ଖଣ୍ଡା ଚୋଟରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆହତ ଯୁବକ ହେଲେ ରାଜେଶ କୁମାର ପଲେଇ। ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ରବି ଦାସ ଓ ତା’ର କିଛି ସହଯୋଗୀ ରାଜେଶକୁ ହାଣି ଥିବା ଜଣାପଡ଼ିଛି। ଖଣ୍ଡା ଚୋଟରେ ରାଜେଶଙ୍କ କହୁଣି ପାଖରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ ରବି ଦାସ ଓ ତା’ର ସହଯୋଗୀମାନଙ୍କୁ ଖୋଜୁଛି।

ପୂର୍ବରୁ ରବି ଦାସ ଓ ରାଜେଶ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ରବି ପ୍ରତିଶୋଧ ନେବାକୁ ଖୋଲାଖୋଲି ଧମକ ଦେଇଥିଲା। ଆଜି ରାତିରେ ରାଜେଶ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ହଠାତ୍ ୨ଟି ବାଇକ୍‌ରେ ଚାରି ଜଣ ସେଠାରେ ପହଞ୍ଚିଥିଲେ। ରବିକୁ ଦେଖି ରାଜେଶ ଘର ଭିତରକୁ ପଳାଇବାକୁ ଉଦ୍ୟମ କରିଥିଲା। ମାତ୍ର ତା ପୂର୍ବରୁ ରବିର ଖଣ୍ଡା ବାହାରି କରି ପାହାର ପକାଇଥିଲା। ରାଜେଶ ହାତ ଦେଖାଇ ଦେବାରୁ ପ୍ରଥମ ଚୋଟରେ ପାପୁଲି କଟି ଯାଇଥିଲା। ଏହାପରେ ରବି ପୁଣି ଏକ ଚୋଟ ମାରିଥିଲା। ସେ ମୁଣ୍ଡକୁ ଲକ୍ଷ୍ୟ କରି ଚୋଟ ମାରିଥିଲେ ହେଁ ରାଜେଶ କହୁଣି ଦେଖାଇଦେଇଥିଲେ। ଫଳରେ କହୁଣିଠାରୁ ହାତ ଅଧା ଛିଣ୍ଡିବା ଅବସ୍ଥାରେ ଲାଗିରହିଥିଲା। ଏତିକିବେଳେ ପଡ଼ୋଶୀମାନେ ପାଟି କରି ରବିକୁ ଧରିବା ପାଇଁ ଧାଇଁ ଆସିଥିଲେ। କିନ୍ତୁ ବାଇକ୍‌ ଯୋଗେ ରବି ଗ୍ୟାଙ୍ଗ୍‌ ବସ୍ତିରୁ ପଳାଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.