Breaking News

ଖତଖାଉଛି ଗ୍ୟାସ୍‌ଚାଳିତ ଶବଦାହ ମେସିନ: ୧୦ ମାସ ବିତିଲା, ଉଦ୍‌ଘାଟନ ହେଉନି

ସ୍ମାର୍ଟ ସିଟିରେ ଆଉ କାଠରେ ‌ପୋଡ଼ା ହେବନି ଶବ। ଧୁଆଁ ହେବନି କି ମଶାଣି ଚାରିପାଖରେ ପାଉଁଶ ଉଡ଼ିବନି। ଏଥିପାଇଁ ଆଇଗିଣିଆ ଓ ଜାଗମରାରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ମଡେଲ୍‌ ଶ୍ମଶାନ ନିର୍ମାଣ ହୋଇଛି।

0

ଖଣ୍ଡଗିରି: ସ୍ମାର୍ଟ ସିଟିରେ ଆଉ କାଠରେ ‌ପୋଡ଼ା ହେବନି ଶବ। ଧୁଆଁ ହେବନି କି ମଶାଣି ଚାରିପାଖରେ ପାଉଁଶ ଉଡ଼ିବନି। ଏଥିପାଇଁ ଆଇଗିଣିଆ ଓ ଜାଗମରାରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ମଡେଲ୍‌ ଶ୍ମଶାନ ନିର୍ମାଣ ହୋଇଛି। ଅତ୍ୟାଧୁନିକ ଶୈଳିରେ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଛି। ଏଠାରେ ଶବ ପୋଡ଼ିବାକୁ ବର୍ଣ୍ଣର, ଅସ୍ଥି ସଂଗ୍ରହ ଗୃହ, ଡିଜି ଗୃହ ନିର୍ମାଣ ହୋଇ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ଉପଲବ୍ଧ କରାଯାଇଛି। ଗ୍ୟାସ୍‌ ଚାଳିତ ଶବଦାହ ମେସିନ୍ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ସାଧାରଣ ଲୋକଙ୍କ କାମରେ ଲାଗୁନି। ବିଏମ୍‌ସି ଓ ଠିକା ସଂସ୍ଥା ମଧ୍ୟରେ ଏହାକୁ ବ୍ୟବହାର କରିବାକୁ କେତେ ଶୁଳ୍କ ଦେବାକୁ ‌ହେବ ତାହା ସ୍ଥିର ହୋଇ ପାରି ନଥିବାରୁ ୧୦ ମାସରୁ ଅଧିକ ସମୟ ହେଲା ୨ଟି ମଶାଣିରେ ଏହା କେବଳ ‘ସୋ’ ପିସ୍‌’  ହୋଇ ପଡ଼ି ରହିଛି ବୋଲି ଅଭିଯୋଗ ହେଉଛି।

୪ ବର୍ଷ ତଳେ ଗେଲ୍‌ ଇଣ୍ଡିଆ ପକ୍ଷରୁ ସାମାଜିକ ଦାୟିତ୍ବ ବୋଧ ପାଣ୍ଠି( ସିଏସ୍‌ଆର୍‌) ଜରିଆରେ କଟକ, ଆଇଗିଣିଆ ଓ ଜାଗମରାରେ ଗ୍ୟାସ୍‌ ଚାଳିତ ଶବଦାହ ମେସିନ୍‌ ପ୍ରସ୍ତୁତ କରିବାକୁ କାମ ଆରମ୍ଭ ହୋଇଥିଲା। ଏହାର ସ୍ଥାପନା ପାଇଁ ଗେଲ୍‌ ପକ୍ଷରୁ ଟେଲିକମ୍ ଇଞ୍ଜିନିୟର କମ୍ପାନିକୁ ଦାୟିତ୍ବ ଦିଆଯାଇଥିଲା। ୧୦ ମାସ ତଳୁ ଏହାର ସମସ୍ତ କାମ ସରିଲାଣି। କାମ ସରିବା ପରେ ଏହାର ସମ୍ପୁର୍ଣ୍ଣ ରକ୍ଷଣା ବେକ୍ଷଣା ପାଇଁ ଗେଲ୍‌, ଟେଲିକମ୍ ଇଞ୍ଜିନିୟର କମ୍ପାନିକୁ ଦାୟିତ୍ବ ହସ୍ତାନ୍ତର କରିସାରିଛି। କମ୍ପାନି ପକ୍ଷରୁ ଏହି ଅତ୍ୟାଧୁନିକ ମେସିନ୍‌କୁ ଚଳାଇବା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଅପରେଟର ଓ ୩ଟି ମଶାଣିର ତଦାରଖ ପାଇଁ ଜଣେ ସୁପରଭାଇଜର ମଧ୍ୟ ନିଯୁକ୍ତି ଦିଆଯାଇଛି। ହେଲେ ଏହା ଉଦ୍‌ଘାଟନ ହୋଇ ପାରୁନି। ସ୍ଥାନୀୟ ଲୋକେ ପୂର୍ବପରି କାଠରେ ଶବ ପୋଡ଼ୁଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଶବଦାହ ମେସିନ୍ ଏବେ ଖତ ଖାଇବାକୁ ବସିଲାଣି। ବ୍ୟବହାର ହେଉ ନଥିବାରୁ କେବେ ଏହାର ବର୍ଣ୍ଣରରେ ଧୂଳି ଜମିବା ସହ ଗ୍ୟ‌ାସ୍‌ ଟାଙ୍କିରେ କଣା ହେଲାଣି। ଏହି ମେସିନ୍‌ରେ ଗୋଟିଏ ଶବ ପୋଡ଼ିବାକୁ ୪୦ ମିନିଟ୍‌ ସମୟ ‌ଲାଗିବ ଓ ୧୦ କେଜି ଗ୍ୟାସ୍‌ ବ୍ୟବହାର ହେବ। ମେସିନ୍‌ ଲଗାତାର ୨୪ ଘଣ୍ଟା କାମ କରିପାରିବ। ମେସିନ୍‌ ସହିତ ଡିଜି ସଂଯୁକ୍ତ ହୋଇ ଥିବାରୁ ଲାଇନ୍‌ ନଥିବା ବେଳେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏଥିରେ ଲାଗିଥିବା ୨ଟି ବର୍ଣ୍ଣର, ଶବକୁ ପୋଡ଼ି ପାଉଁଶ କରିଦେବ। ସମସ୍ତ ପାଉଁଶ ଟନେଲ୍‌ ‌ଯୋଗେ ଅସ୍ଥି ସଂଗ୍ରହ ଗୃହରେ ଥିବା ଟ୍ରେ’ରେ ଏକତ୍ରିତ ହେବ। ଗୋଟିଏ ଶବରୁ ସର୍ବାଧିକ ଅଧ କିଲୋ ଅସ୍ଥି ବାହାରିବ। ଏଥିରୁ ପରିବାର ଲୋକେ ଅସ୍ଥି ସଂଗ୍ରହ କରି ପରବର୍ତ୍ତୀ କର୍ମ ପାଇଁ ବ୍ୟବହାର କରିବେ।

ଜାଗମର‌ାର ହରିହର କାନୁନ୍‌ଗୋଙ୍କ କହିବା କଥା ୨ ମାସ ତଳେ ଦୁର୍ଘଟଣାରେ ଜୀବନ ଯାଇଥିବା ଜଣେ ଯୁବତୀଙ୍କର ଶବ ପୋଡ଼ିବାକୁ ସ୍ଥାନୀୟ ଆଇଗିଣିଆ ମଶାଣିକୁ ଲୋକେ ଯାଇଥିଲେ। ହେଲେ ଗ୍ୟାସ୍‌ ଚାଳିତ ମେସିନ ଉଦ୍‌ଘାଟନ ହୋଇ ନାହିଁ ବୋଲି କହିବାରୁ ଲୋକେ କାଠରେ ପୋଡ଼ିଥିଲେ। ଏ ‌ନେଇ ବିଏମ୍‌ସି କହିଛି, ଏଠାରେ ଶବ ଦାହ ପାଇଁ ଅଭିଜ୍ଞ ଲୋକ ଦରକାର। ଏଥିପାଇଁ ଠିକା ନେଇଥିବା ସଂସ୍ଥା ପ୍ରଶିକ୍ଷଣ ପ୍ରଦାନ କରୁଛି। ୩ ମାସ ସମ୍ପୃକ୍ତ ଠିକା ସଂସ୍ଥାର ଲୋକ ଶବଦାହ କରିବେ। ୩ ମାସ ପରେ ବିଏମ୍‌ସିର କର୍ମଚାରୀ ପ୍ରସ୍ତୁତ ହେବା ପରେ ଦାୟିତ୍ବ ନେବେ। ତେବେ କେତେ ଶବ ଦାହ ପିଛା କେତେ ୟୁଜର୍ସ ଫି’ଲୋକଙ୍କୁ ଦେବାକୁ ହେବ ତାହା ଧାର୍ଯ୍ୟ ହୋଇ ନାହିଁ। ଖୁବ୍‌ଶୀଘ୍ର ଏ ସବୁର ବ୍ୟବସ୍ଥା କରାଯିବ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.