Breaking News

ଖରାରେ ବଢୁଛି ମାଟିପାତ୍ରର ଚାହିଦା: ସଉକ ସହ ଶରୀରର ସୁସ୍ଥତା ପାଇଁ ମାଟି ପାତ୍ର କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ: ବଢୁଛି ଖରା, ଖୋଜା ପଡିଛି ମାଟି ପାତ୍ର । ଦିନକୁ ଦିନ ଖରାର ମାତ୍ରା ଏତେ ଅଧିକ ହେବାରେ ଲାଗିଛି ଯେ ମଣିଷ ସକାଳ ୧୧ଟା ପରେ ଘରୁ ପଦାକୁ ଗୋଡ କାଢି ପାରୁନି । ଆଉ ଦିନ ଦ୍ବିପହରେ ମୁଣ୍ଡଫଟା ଖରାରେ ମଣିଷ ଜୀବନ ବି ଚାଲିଯିବାରୁ ଭୟ ଘାରୁଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମର ପ୍ରବାହ ନେଇ ସତର୍କ ଘଣ୍ଟି ଜାରି କରାଯାଉଥିବା ବେଳେ ଏହି ଗ୍ରୀଷ୍ମକୁ ଦୃଷ୍ଟିରେ ଲୋକେ ଏସି, ଫ୍ରିଜ କିଣୁଥିବା ଦେଖିବାକୁ ମିଳୁଛି । ଖରାରୁ ଆସି ଲୋକେ ଫ୍ରିଜ୍ ଖୋଲି ହଠାତ୍ ଢକଢକ କରି ଥଣ୍ଡା ପାଣି ପିଇଯାଉଥିବା ବେଳେ ଡାକ୍ତର କିନ୍ତୁ ଫ୍ରିଜର ଥଣ୍ଡା ପାଣି ପିଇବାକୁ ବାରଣ କରୁଛନ୍ତି । ଫ୍ରିଜ୍ ପାଣି ବଦଳରେ ମାଟି ହାଣ୍ଡି ପାଣି କିମ୍ବା ମାଟିପାତ୍ରରେ ଥିବା ପାଣି ପିଇବାକୁ ପରାମର୍ଶ ଦେଉଛନ୍ତି । ଯାହା ଫଳରେ ବଜାରରେ ଏବେ ମାଟି ପାତ୍ରର ଚାହିଦା ଅନେକ ରହିଛି ।

ଖରା ବଢୁଥିବାରୁ ରାସ୍ତା କଡରେ ମାଟିପାତ୍ର ବିକ୍ରି ହେଉଛି । ଲୋକେ ଦୋକାନରେ ଗହଳି ଲଗାଇ କିଣୁଛନ୍ତି । ଆଉ ମାଟିପାତ୍ର ବିକ୍ରେତାଙ୍କ ସହ ପାତ୍ର ନିର୍ମାତାମାନେ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ଉଧମପୁରର ଜଣେ ବ୍ୟବସାୟୀ କହିଛନ୍ତି- ମୁଁ ୪୫ ବର୍ଷ ଧରି ଏହି ମାଟିପାତ୍ର ତିଆରି କରୁଛି। ପୂର୍ବରୁ ମୋ ପାଖରେ ଯଥେଷ୍ଟ କାମ ନଥିଲା, କିନ୍ତୁ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପର ଠାରୁ ଏବଂ ମୋଦୀ ମାଟି ପାତ୍ର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ବୋଲି ସମସ୍ତଙ୍କୁ କହିବା ପରଠାରୁ ଆମ ବେପାର ବଢିଛି । ଅନ୍ୟଦିନ ଅପେକ୍ଷା ଗ୍ରୀଷ୍ମ ଋତୁରେ ମାଟିପାତ୍ରର ଚାହିଦା ବଢ଼ିଯାଏ । ଲୋକମାନେ ମାଟି ପାତ୍ର ବ୍ୟବହାର କରନ୍ତି କାରଣ ଏହା କମ୍ ରୋଗ ସୃଷ୍ଟି କରେ… ତେବେ ଆସନ୍ତୁ ଜାଣିବା ମାଟିପାତ୍ରରେ ପାଣି ଦେହ ପାଇଁ କେତେ ଲାଭ ଦାୟକ

ଦେହ ପାଇଁ ଭଲ ମାଟିପାତ୍ର ପାଣି…

ମାଟି ହାଣ୍ଡିର ପାଣି ପ୍ରାକୃତିକ ଭାବରେ ଆଲକାଲାଇନ୍ ହୋଇଥାଏ । ଯାହା ଏସିଡିକ୍ ପ୍ରକୃତିକୁ ହ୍ରାସ କରିଥାଏ ଏବଂ ଚଐ କୁ ସନ୍ତୁଳିତ କରିଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ ଏହା ବୃଦ୍ଧାବସ୍ଥାକୁ ରୋକିବା ପାଇଁ ମଧ୍ୟ ସହାୟକ ହୋଇଥାଏ ।

ଡିହାଇଡ୍ରେସନକୁ ରୋକି ପାଚନକୁ ବଢ଼ାଇଥାଏ ମାଟିହାଣ୍ଡିର ପାଣି । ଏହା ଏସିଡିଟିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ମାଟିହାଣ୍ଡିରେ ଜମା ହୋଇଥିବା ପାଣିରେ କୌଣସି ବିଷାକ୍ତ ରାସାୟନିକ ପଦାର୍ଥ ନ ଥାଏ । ଏହି ପାଣିରେ ଥିବା ମିନେରାଲ୍ସ ଗୁଣ ଡାଇଜେଷ୍ଟିଭ୍ ସିଷ୍ଟମକୁ ଉନ୍ନତ କରେ ।

ମାଟି ପାତ୍ରରେ ଜମା ହୋଇଥିବା ପାଣି ଅଂଶୁଘାତରୁ ରକ୍ଷା କରିବାରେ ସାହାଯ୍ୟ କରେ, କାରଣ ଏହା ପୋଷକ ତତ୍ତ୍ୱ ଏବଂ ମିନେରାଲ୍ସକୁ ବଜାୟ ରଖେ । ବାସ୍ତବରେ, ମାଟିରେ ଜମା ହୋଇଥିବା ପାଣିରେ ଅଧିକ ମିନେରାଲ୍ସ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ, ଫସଫରସ୍ ରହିଥାଏ । ମାଟି ପାଣିକୁ ପ୍ରାକୃତିକ ଭାବରେ ଥଣ୍ଡା କରେ ଏବଂ ତାପମାତ୍ରାକୁ ପ୍ରାୟ ୫ ଡିଗ୍ରୀ ଯାଏଁ ହ୍ରାସ କରିଥାଏ, ଯାହା ଫଳରେ ଫ୍ରିଜ୍ ପାଣିର ଆବଶ୍ୟକତା ଶେଷ ହୋଇଯାଏ ।

ମାଟିପାତ୍ରର ପାଣି ଶରୀର ପାଇଁ ମଧ୍ୟ ଭଲ ଏବଂ ପରିବେଶ ଅନୁକୂଳ ଅଟେ । ଥଣ୍ଡା , କାଶର ଶିକାର ହେଉଥିବା ଲୋକ ଫ୍ରିଜ୍ ପାଣି ବଦଳରେ ମାଟିହାଣ୍ଡି ପାଣିକୁ ପିଇପାରିବେ ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.