Breaking News

ଖରା ଆରମ୍ଭରୁ ଜଳକଷ୍ଟ: ଶୁଖିଲାଣି ନଦୀ, ଜଳଭଣ୍ଡାରରେ ଜଳସ୍ତର ହ୍ରାସ

ଖରା ଆରମ୍ଭରୁ ବାଧିଲାଣି ଜଳକଷ୍ଟ। କେନ୍ଦୁଝର ଜିଲ୍ଲାର ପ୍ରମୁଖ ନଦୀ ବୈତରଣୀ ସମେତ ଅନ୍ୟାନ୍ୟ ନଦୀନାଳ ଶୁଖିବାକୁ ବସିଥିବା ବେଳେ ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଲାଣି। ଗତବର୍ଷ ପରି ଏଥର ବି ଜିଲ୍ଲାବାସୀ ଜଳ ସଂକଟର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

କେନ୍ଦୁଝର: ଖରା ଆରମ୍ଭରୁ ବାଧିଲାଣି ଜଳକଷ୍ଟ। କେନ୍ଦୁଝର ଜିଲ୍ଲାର ପ୍ରମୁଖ ନଦୀ ବୈତରଣୀ ସମେତ ଅନ୍ୟାନ୍ୟ ନଦୀନାଳ ଶୁଖିବାକୁ ବସିଥିବା ବେଳେ ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଲାଣି। ଗତବର୍ଷ ପରି ଏଥର ବି ଜିଲ୍ଲାବାସୀ ଜଳ ସଂକଟର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଭିନ୍ନ ଶିଳ୍ପସଂସ୍ଥା ସରକାରଙ୍କ ସହ କରିଥିବା ଚୁକ୍ତି ଉଲ୍ଲଂଘନ କରି ବୈତରଣୀରୁ ଜଳ ଶୋଷୁଥିବାରୁ ଖରାଦିନେ ଏଭଳି ସମସ୍ୟା ସୃଷ୍ଟି ‌ହେଉଛି।

କେନ୍ଦୁଝର ଜିଲ୍ଲାରେ ଏକାଧିକ ନଦୀ ଓ ପାହାଡ଼ୀ ଝରଣା ରହିଛି। ଏସବୁ ନଦୀନାଳ ଜଳରେ ଚାଷବାସ ସାଙ୍ଗକୁ ଲୋକେ ପାନୀୟଜଳ ଭାବେ ବ୍ୟବହାର କରିଥାନ୍ତି। କେବଳ ବର୍ଷାଦିନକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ନଦୀନାଳ ଶୁଖିଲା ପଡ଼ୁଛି। ଜଳ ପରିଚାଳନାରେ ଅବ୍ୟବସ୍ଥା ଓ ଦୂରଦୃଷ୍ଟି ଅଭାବରୁ ଏହି ସମସ୍ୟା ବର୍ଷବର୍ଷ ଧରି ଲାଗିରହିଛି। କେନ୍ଦୁଝରର ଜୀବନରେଖା କୁହାଯାଉଥିବା ବୈତରଣୀ ନଦୀରୁ ୬ଟି ଶିଳ୍ପସଂସ୍ଥା ଜଳ ସଂଗ୍ରହ କରୁଛନ୍ତି। ଖରାଦିନେ ଜଳ ସଂଗ୍ରହ ନ କରିବାକୁ ଚୁକ୍ତି ରହିଛି। କିନ୍ତୁ ଏହା କେବଳ କାଗଜପତ୍ରରେ ସୀମିତ।

ଶୁଖିଲାଣି ନଦୀ, ଜଳଭଣ୍ଡାରରେ ଜଳସ୍ତର ହ୍ରାସ
ଚୁକ୍ତି ଉଲ୍ଲଂଘନ କରୁଛନ୍ତି ଶିଳ୍ପସଂସ୍ଥା

ଝୁମ୍ପୁରା ବ୍ଲକ୍‌ ବସନ୍ତପୁରଠାରେ ଥିବା ଆର୍ସେଲର୍‌ ମିତ୍ତଲ ନିପନ୍‌ ଷ୍ଟିଲ୍‌ ଇଣ୍ଡିଆ ୧୧.୭୭ କ୍ୟୁସେକ୍ ଜଳ ବ୍ୟବହାର କରିବାକୁ ଏନ୍‌ଓସି ପାଇଛି। ଖରାଦିନେ ବିଶେଷକରି ମାର୍ଚ୍ଚରୁ ଜୁନ୍‌ ମାସ ପର୍ଯ୍ୟନ୍ତ ନଦୀଜଳ ବ୍ୟବହାର ନ କରିବାକୁ ଚୁକ୍ତିରେ ଉଲ୍ଲେଖ ରହିଛି। ଏହି ନିୟମକୁ କମ୍ପାନି କର୍ତ୍ତୃପକ୍ଷ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଆର୍ସେଲର୍‌ ମିତ୍ତଲ ନିପନ୍‌ ଷ୍ଟିଲ୍‌ ବସନ୍ତପୁର ପଞ୍ଚାୟତ ଭାଲିଆକୁଦର ନିକଟରେ ଏକ ବିରାଟ ଇନ୍‌ଟେକ୍‌ ୱେଲ୍‌ କରି ନଦୀରୁ ଜଳ ଶୋଷୁଛି। ଅସ୍ଥାୟୀ ଆଡ଼ିବନ୍ଧ କରିବା ସହ ମୋଟର ଲଗାଇ ଇନ୍‌ଟେକ୍ ୱେଲ୍‌ରୁ ପାଣି ଉଠାଇ ୯ କିଲୋମିଟର ଦୂରରେ ଥିବା ଦବୁନାସ୍ଥିତ ନିଜସ୍ୱ କାରଖାନାରେ ପହଞ୍ଚାଉଛି। ଫଳରେ ନଦୀ ଜଳସ୍ରୋତ କମିବାରେ ଲାଗିଛି।

କେନ୍ଦୁଝର ସହରର ଶୋଷ ମେଣ୍ଟାଉଥିବା ସାନମାଛକାନ୍ଦଣା ହେଉଛି ଚିରସ୍ରୋତା। ଏହା ସୁମଠ ପର୍ବତରୁ ବାହାରି ଉପରକଅଁସ, ତଳରଢୁଆଁ, ଚମ୍ପେଇ ଦେଇ ପ୍ରବାହିତ ହୋଇଛି। ଏହି ନଦୀର ବଡ଼ଘାଗରାଠାରେ ଡ୍ୟାମ୍‌ ନିର୍ମାଣ କରାଯାଇଛି। ଚଳିତବର୍ଷ ମାର୍ଚ୍ଚରୁ ସାନମାଛକାନ୍ଦଣା ନଦୀଶଯ୍ୟା ଶୁଷ୍କ ପଡ଼ିଲାଣି। ମେ ଓ ଜୁନ୍‌ ମାସ ବେଳକୁ ଏହି ଚିରସ୍ରୋତା ନଦୀ ଶୁଖିଯିବାର ଆଶଙ୍କା ରହିଛି। ବଡ଼ଘାଗରା ଡ୍ୟାମ୍‌ରେ ଜଳ ନ ରହିଲେ ଚାଷକାମ ପ୍ରଭାବିତ ହେବା ସହ କେନ୍ଦୁଝର ସହରକୁ ଜଳଯୋଗାଣ ବାଧାପ୍ରାପ୍ତ ହେବ। ଗତବର୍ଷ ଡ୍ୟାମ୍‌ରେ ଜଳସ୍ତର ହ୍ରାସ ପାଇବା ଯୋଗୁଁ ମାସେରୁ ଅଧିକ ସମୟ ଧରି କେନ୍ଦୁଝର ସହରରେ ଜଳସଙ୍କଟ ଦେଖାଦେଇଥିଲା। ଏବର୍ଷ ମଧ୍ୟ ସମାନ ସ୍ଥିତି ଉପୁଜିବାର ଆଶଙ୍କା ରହିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.