Breaking News

ଖସୁଛି ଇନ୍ଦ୍ରାବତୀ ଜଳସ୍ତର: ସଙ୍କଟରେ ରବିଚାଷ

କଳାହାଣ୍ଡି ଜିଲ୍ଲାର ଜୀବନଧାରା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବାବେଳେ ରବିଚାଷ ପାଇଁ ଚାଷୀ ସଙ୍କଟରେ ଅଛନ୍ତି। ଗତବର୍ଷ ୬୩୨.୨୬ ମିଟର ଜଳସ୍ତର ଥିବା ବେଳେ ସୋମବାର ୬୩୧.୬୪୫ ମିଟର ରହିଥିଲା।

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୀବନଧାରା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବାବେଳେ ରବିଚାଷ ପାଇଁ ଚାଷୀ ସଙ୍କଟରେ ଅଛନ୍ତି। ଗତବର୍ଷ ୬୩୨.୨୬ ମିଟର ଜଳସ୍ତର ଥିବା ବେଳେ ସୋମବାର ୬୩୧.୬୪୫ ମିଟର ରହିଥିଲା। ବର୍ଷା ହୋଇ ନଥିବା ଯୋଗୁଁ ଜଳଭଣ୍ଡାର ଜଳସ୍ତର ଖସିବାରେ ଲାଗିଛି।

ଅପର ଇନ୍ଦ୍ରାବତୀ ପ୍ରକଳ୍ପ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୧.୬୪୫ ମିଟର ରହିଥିଲା। ଇନ୍ଦ୍ରାବତୀ ଜଳଭଣ୍ଡାରକୁ ୧୫.୧୮୫ କ୍ୟୁମେକ୍ସ ପାଣି ପ୍ରବେଶ କରୁଥିବା ବେଳେ ୬୫.୯୬୦ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି। ସେହିଭଳି ମଙ୍ଗଳପୁର ହାତୀ ବ୍ୟାରେଜ୍‌ରେ ଜଳସ୍ତର ୨୬୧ ମିଟର ରହିଛି। ବାମ ମୁଖ୍ୟ କେନାଲରେ ଅନ୍ୟ ବର୍ଷ ୬୯.୭୭ କ୍ୟୁମେକ୍ସ ପାଣି ଛଡ଼ା ଯାଇଥାଏ। କିନ୍ତୁ ବର୍ତ୍ତମାନ ୪୯ କ୍ୟୁମେକ୍ସ ପାଣି ଛଡ଼ାଯାଉଛି। ଅର୍ଥାତ୍‌ ପାଣି କମ୍‌ ଥିବାରୁ ୭୦.୨୩ % ଛଡ଼ାଯାଉଛି। ସେହିଭଳି ଡାହାଣ ମୁଖ୍ୟ କେନାଲ୍‌ରେ ୫୦ କ୍ୟୁମେକ୍ସ ପରିବର୍ତ୍ତେ ୨୨.୪୭ କ୍ୟୁମେକ୍ସ ପାଣି ଅର୍ଥାତ୍ ୪୪.୯୪% ଛଡ଼ାଯାଉଛି। ମେଗାଲିଫ୍ଟ କେନାଲରେ ୩୦ କ୍ୟୁମେକ୍ସ ଛଡ଼ା ଯାଇଥାଏ। କିନ୍ତୁ ବର୍ତ୍ତମାନ ରବି ଚାଷ ନିମନ୍ତେ ଏହାକୁ ବନ୍ଦ କରାଯାଇଛି। ୬୦୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ କ୍ଷମତା ଥିବା ବେଳେ ଆଜି ମାତ୍ର ୧୭୪.୧୦୪ ମେଗାୱାଟ୍‌ ଉତ୍ପାଦନ କରାଯାଇଛି।

ଗତବର୍ଷ ଆଜି ଦିନରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୨.୨୬ ମିଟର ରହିଥିଲା। ବର୍ତ୍ତମାନ ଉଭୟ ଇନ୍ଦ୍ରାବତୀ ବାମ ଓ ଡାହାଣ ମୁଖ୍ୟ କେନାଲରେ ୫୩ ହଜାର ୩୭୪ ହେକ୍ଟର ଜମିରେ ରବି ଚାଷ କରାଯାଉଛି। ଏ ପର୍ଯ୍ୟନ୍ତ ଆଦୌ ବର୍ଷା ହୋଇ ନଥିବାରୁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହୋଇନାହିଁ। ଏହା ଯୋଗୁଁ ତଳମୁଣ୍ଡରେ ଥିବା ଜମିଗୁଡ଼ିକରେ ଚାଷୀମାନେ କିଭଳି ଫସଲ ବଞ୍ଚାଇବେ, ସେ ନେଇ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ଇନ୍ଦ୍ରାବତୀ ପ୍ରକଳ୍ପରେ ଜଳ ସଙ୍କଟ ଯୋଗୁଁ କଲମପୁର, ଜୁନାଗଡ଼, ଧର୍ମଗଡ଼ ଓ କୋକସରା ବ୍ଲକ୍‌ ଅଞ୍ଚଳର ଚାଷୀମାନେ କାଳବୈଶାଖୀଜନିତ ବର୍ଷା ଉପରେ ଆଶାବାନ୍ଧି ବସିଛନ୍ତି। ଚଳିତ ବର୍ଷ ଚାଷୀମାନେ ଇନ୍‌ପୁଟ୍‌ ସବ୍‌ସିଡି ପାଇଥିବା ଯୋଗୁଁ ଉତ୍ସାହିତ ହୋଇ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ଇନ୍ଦ୍ରାବତୀ ଜଳସଙ୍କଟ ଏଥିରେ ପ୍ରତିବନ୍ଧକ ସାଜିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.