Breaking News

ଖାଦ୍ୟ, ବସ୍ତ୍ର, ବାସଗୃହ ନୁହେଁ ସର୍ବନିମ୍ନ ଆବଶ୍ୟକତା: ଶିକ୍ଷା, ସ୍ବାସ୍ଥ୍ୟ ଚିନ୍ତା ଅଧିକ

ଦିନ ଥିଲା ପେଟ ଲାଗି ଦାନା ଯୋଗାଡ଼ କରିବା ଥିଲା ଜୀବନର ସବୁଠୁ ବଡ଼ ଚିନ୍ତା। ପେଟକୁ ଦାନା, ଦେହକୁ କନା ଓ ରହିବାକୁ ଘର ଅନେକ ବର୍ଷ ପର୍ଯ୍ୟନ୍ତ ସର୍ବନିମ୍ନ ଆବଶ୍ୟକତା ହୋଇରହିଥିଲା।

ନୂଆଦିଲ୍ଲୀ: ଦିନ ଥିଲା ପେଟ ଲାଗି ଦାନା ଯୋଗାଡ଼ କରିବା ଥିଲା ଜୀବନର ସବୁଠୁ ବଡ଼ ଚିନ୍ତା। ପେଟକୁ ଦାନା, ଦେହକୁ କନା ଓ ରହିବାକୁ ଘର ଅନେକ ବର୍ଷ ପର୍ଯ୍ୟନ୍ତ ସର୍ବନିମ୍ନ ଆବଶ୍ୟକତା ହୋଇରହିଥିଲା। ମାତ୍ର ଗତ କିଛି ବର୍ଷ ମଧ୍ୟରେ ଅର୍ଥନୀତିର ଦ୍ରୁତ ବିକାଶ ସର୍ବନିମ୍ନ ଆବଶ୍ୟକତାର ପରିଭାଷା ବଦଳାଇ ଦେଇଛି। ଦେଶର ସିଂହଭାଗ ଲୋକମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ସର୍ବନିମ୍ନ ଆବଶ୍ୟକତା ହୋଇରହିନାହିଁ। ସେମାନଙ୍କ ପାଇଁ ଏବେ ସବୁଠୁ ବଡ଼ ଆହ୍ବାନ ହେଉଛି ପିଲାଙ୍କ ପାଠପଢ଼ା ଓ ସୁସ୍ଥତା ପାଇଁ ହସ୍ପିଟାଲ୍‌ରେ ଖର୍ଚ୍ଚ।

ଜାତୀୟ ପରିସଂଖ୍ୟାନ ୨୦୨୪ ତଥ୍ୟ କହୁଛି ୨୦୧୨-୧୩ ଆର୍ଥିକ ବର୍ଷ ପରେ ସର୍ବନିମ୍ନ ଆବଶ୍ୟକତାରେ ଲୋକମାନଙ୍କ ବ୍ୟୟ କମ୍ ହୋଇଛି। ସେହି ସମୟରେ କିନ୍ତୁ ସ୍ବାସ୍ଥ୍ୟ ଖର୍ଚ୍ଚରେ ୮.୨ ପ୍ରତିଶତ ଓ ଶିକ୍ଷାରେ ୭.୫ ପ୍ରତିଶତ ବୃଦ୍ଧି ‌ହୋଇଛି। ପୂର୍ବରୁ ଲୋକମାନଙ୍କ ମୋଟ ବ୍ୟୟରେ ବାସଗୃହର ଭାଗ ୧୬.୪ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ତାହା ୧୩ ପ୍ରତିଶତକୁ ଖସିଆସିଛି। ପରିବହନ ଓ ଯୋଗାଯୋଗରେ ବ୍ୟୟ ଭାଗ ଯଥାକ୍ରମେ ୮.୨ ପ୍ରତିଶତ ଓ ୭.୮ ପ୍ରତିଶତ ରହିଛି। ତେବେ ମୋଟ ବ୍ୟୟରେ ଏବେବି ଖାଦ୍ୟ ଓ ପାନୀୟର ସିଂହଭାଗ ଅଂଶ ରହିଛି। ୨୦୧୨-୧୩ ପୂର୍ବରୁ ଏହି ଦୁଇ ବର୍ଗରେ ମୋଟ ବ୍ୟୟର ୩୦.୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଉଥିଲା। ସେହି ହାର ୨୮.୨ ପ୍ରତିଶତକୁ ହ୍ରାସ ପାଇଛି। ତେ‌ବେ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢ଼ିଛି। ସେଥିପାଇଁ ତାହାର ଗ୍ରହଣୀୟତାରେ ୧୦.୪ ପ୍ରତିଶତ ବୃଦ୍ଧି ‌ହୋଇଥିବା ବେଳେ ମାଂସରେ ୮.୭ ପ୍ରତିଶତ, ମାଛ ଓ ସିଫୁଡ୍‌ରେ ୮.୩ ପ୍ରତିଶତ ଓ ଅଣ୍ଡା କିଣିବାରେ ୭.୧ ପ୍ରତିଶତ ବୃଦ୍ଧି ଘଟିଛି। ଏହି ରିପୋର୍ଟରୁ ଆସୁଥିବା ବଡ଼ ଚିତ୍ରଟି ହେଉଛି ଦେଶରେ ମଧ୍ୟବିତ୍ତ ଲୋକଙ୍କ ସଂଖ୍ୟା ବଢ଼ୁଛି। ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଥିବା ଲୋକଙ୍କ ସଂଖ୍ୟା କମ୍ ହୋଇଛି।

ସୌଜନ୍ୟ-ସମ୍ୱାଦ

Comments are closed.