Breaking News

ଖାଲି କରିଥିଲେ, ସୁରକ୍ଷା ଦେଇପାରିଲେନି: ସରକାରୀ ଜମିରେ ୫ ଲକ୍ଷରେ ବିକ୍ରି ହେଉଛି ଘର

ବିଡିଏର ଗୋଟିଏ ପରେ ଗୋଟିଏ ବିଫଳତା ନୂଆ ନୂଆ ଅଡ଼ୁଆ ଛିଡ଼ା କରୁଛି। ଶ୍ୟାମପୁରରେ ୬୮ ଏକର ମୂଲ୍ୟବାନ ଜମି ଚାଲିଯିବା ପରେ ବାବା ବୈକୁଣ୍ଠଧାମ ଆଶ୍ରମ ନିକଟରେ ୩୭ ଏକର ଚାଲିଯିବାକୁ ବସିଛି।

ଭୁବନେଶ୍ବର: ବିଡିଏର ଗୋଟିଏ ପରେ ଗୋଟିଏ ବିଫଳତା ନୂଆ ନୂଆ ଅଡ଼ୁଆ ଛିଡ଼ା କରୁଛି। ଶ୍ୟାମପୁରରେ ୬୮ ଏକର ମୂଲ୍ୟବାନ ଜମି ଚାଲିଯିବା ପରେ ବାବା ବୈକୁଣ୍ଠଧାମ ଆଶ୍ରମ ନିକଟରେ ୩୭ ଏକର ଚାଲିଯିବାକୁ ବସିଛି। ଏଭଳି ଶହ ଶହ ଏକର ଜମି ଜବରଦଖଲକାରୀ ହଡପ କରିନେଉଛନ୍ତି। ବିଡିଏର ଏଭଳି ଅସହାୟତା ଜବରଦଖଲକାରୀଙ୍କ ପାଇଁ ପୁଷମାସ ହୋଇଛି। ମହିଷ‌ାଖାଲ ଗୃହ ନିର୍ମାଣ ପ୍ରକଳ୍ପରେ ବସ୍ତିବାସିନ୍ଦା ଘର ପାଇବା ପରେ ବସ୍ତିରୁ ଯେଉଁ ଜାଗା ଛାଡ଼ିଲେ ସେଠାରେ ଘର ତିଆରି ଆରମ୍ଭ ହୋଇଛି। ବାଥ୍‌ରୁମ୍‌ ସହ ଗୋଟିଏ ଘରକୁ ୪ରୁ ୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଏବେ ପ୍ରାୟ ୪୦ଟି ଘର ନିର୍ମାଣାଧୀନ ରହିଥିବା ବେଳେ ୧୩ଟି ଜାଗାରେ ଲୁହା ଖୁଣ୍ଟ ପୋତା ଯାଇ ଘର ତିଆରି ପାଇଁ ସଂରକ୍ଷିତ ରଖାଯାଇଛି। ଲୁଚାଚୋରାରେ ନୁହେଁ, ବରଂ ଖୋଲାଖୋଲି ଭାବରେ ଏହି ବେଆଇନ ନିର୍ମାଣ ହେଉଛି।

ମହିଷାଖାଲ ଗୃହ ନିର୍ମାଣ ପ୍ରକଳ୍ପକୁ ନୂଆ ଅଡ଼ୁଆ

ମହିଷାଖାଲରେ ରହୁଥିବା ରାଜୀବ ଆବାସ ଯୋଜନା(ରେ’) ର ହିତାଧିକାରୀଙ୍କୁ ଇନ୍‌-ସିଟୁ ସ୍ଲମ୍‌ ରିଡେଭଲପ୍‌ମେଣ୍ଟରେ ଘର ଦେବାପାଇଁ ଯୋଜନା ହୋଇଥିଲା। ୧୯ଟି ବ୍ଲକ୍‌ରେ ୭୬୦ ଘର କରିବାକୁ ଯୋଜନା ଥିଲେ ମଧ୍ୟ ୧୫ଟି ବ୍ଲକ୍‌ରେ ୬୦୦ ଘର ତିଆରି ହୋଇପାରିଥିଲା। ଏହାକୁ ପ୍ରସ୍ତୁତ କରିବାକୁ ବିଡିଏକୁ ୭ ବର୍ଷ ଲାଗି ଯାଇଥିଲା। ପ୍ରତ୍ୟେକ ଘର ପାଇଁ ୧ଲକ୍ଷ ୨୦ ହଜାର ଦେୟ ରହିଥିଲା। ବିଏମ୍‌ସି ହିତାଧିକାରୀ ଚିହ୍ନଟ କରିଥିଲା। ୧.୨୦ଲକ୍ଷ ଦାଖଲ କରିବା ପରେ ଘର ଦଖଲ ଦିଆଯାଉଥିଲା। କ୍ରମାନ୍ବୟରେ ଏହି କାମ ଚାଲିଥିଲା‌। କିନ୍ତୁ ଫନି ବେଳେ ଅନେକଙ୍କର ଘର ଭାଙ୍ଗିଯିବାରୁ ଏହି ପ୍ରକଳ୍ପରେ ହୋଇଥିବା ଘର ତାଲା ଭାଙ୍ଗି କେତେକ ବାସିନ୍ଦା ପଶି ଯାଇଥିଲେ। ଏଥିରେ ଅଧିକାଂଶ ଅଯୋଗ୍ୟ ରହିଥିଲେ। ପାଖାପାଖି ୫୬୦ ଘରେ ଯୋଗ୍ୟ ଓ ଅଯୋଗ୍ୟ ମିଶି ରହୁଥିଲେ। ଦୀର୍ଘ ଦିନ ଏଭଳି ରହିବା ପରେ ୨୦୨୩ ମସିହାରେ ଅଯୋଗ୍ୟଙ୍କୁ ବାହାର କରି ଯୋଗ୍ୟଙ୍କୁ ଦଖଲ ଦେବାପାଇଁ ବିଡିଏ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପ୍ରାୟ ୪୬୦ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ। ୪୦ ଜଣ ଅଯୋଗ୍ୟ ରହିଥିଲେ। ଏମାନଙ୍କୁ ଉଚ୍ଛେଦ କରିବା ବେ‌ଳେ କେତେକ ନେତା କଣ୍ଟା ହୋଇଥିଲେ। ଉଚ୍ଛେଦ ଟିମ୍‌ର ଯେଉଁ ଅଫିସର ନେତୃତ୍ବ ନେଉଥିଲେ ତାଙ୍କୁ ରାତି ଅଧଇଆ ବିଡିଏରୁ ହଟାଇ ଦିଆଯାଇଥିଲା। ସେବେଠାରୁ ଏହି ସମସ୍ୟା ତୁଟିନି। ଅଯୋଗ୍ୟ ସେମିତ ଅଛନ୍ତି।

ଏଣେ ଯେଉଁ ଜାଗାରୁ ଯୋଗ୍ୟ ବସ୍ତିବାସିନ୍ଦାଙ୍କୁ ହଟାଇ ପ୍ରକଳ୍ପରେ ଘର ଦିଆଯାଇଥିଲା ସେହି ଜାଗାରେ ଏବେ ଘର ଯୁଦ୍ଧକାଳୀନ ଭିତ୍ତିରେ ତିଆରି ହେଉଛି। ୨୪ ଘଣ୍ଟାରେ ଘର ଛିଡ଼ା ହୋଇଯାଉଛି। ସବୁଦିନ ୧୦ରୁ ୧୨ ଜଣ ଯୁବକ ବସି ରହି ନିର୍ମାଣ ତଦାରଖ କରୁଛନ୍ତି। ବିଜୁଳି ଓ ପାଣି ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ମିଳୁଛି। ଘରର ଏତେ ଚାହିଦା ରହିଛି ଯେ, ନିର୍ମାଣ ହେବା ପୂର୍ବରୁ ବିକ୍ରି ହୋଇଯାଉଛି। ବାଥ୍‌ରୁମ୍‌ ସହ ଗୋଟିଏ ରୁମ୍‌କୁ ୫ ଲକ୍ଷ ଟଙ୍କା ରହିଥିବା ବେଳେ ଭଡ଼ା ମାସକୁ ୨ ହଜାର ଟଙ୍କା ରହିଛି। ଦଖଲ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ହେଲେ କ୍ଷତି ହେବା ସମ୍ଭାବନା ଥିବାରୁ ଅଧ‌ା ନିର୍ମାଣ ହେଉ ହେଉ ଦଲାଲ ପଇସା ନେଇ ଯାଉଛି। ଜଣେ ଅଧିକାରୀଙ୍କ କହିବା କଥା ହେଉଛି, ପ୍ରାୟ ସବୁ ଗୃହ ନିର୍ମାଣ ଯୋଜନାରେ ଏଭଳି ସମସ୍ୟା ହେଉଛି। ଯେଉଁଘର ବସ୍ତିରୁ ଖାଲି ହେଉଛି ତାହାକୁ ଭାଙ୍ଗି ତୁରନ୍ତ ବିଡିଏ ଦଖଲ ନେବାକଥା। କିନ୍ତୁ ଏଭଳି ହେଉ ନଥିବାରୁ ପୁଣି ଥରେ ଦଖଲ ହୋଇଯାଉଛି। ତେବେ ନୂଆ ପ୍ରକଳ୍ପରେ ଏହାକୁ କଡ଼ାକଡ଼ି କରାଯାଇଛି। ପୁରୁଣା ପ୍ରକଳ୍ପରେ ସମସ୍ୟା ହେଉଛି।

ସୌଜନ୍ୟ-ସମ୍ୱାଦ

Comments are closed.