Breaking News

ଖୋ ଖୋ ବିଶ୍ବକପ୍ଅ: ଷ୍ଟ୍ରେଲିଆର ନେତୃତ୍ବ ନେଉଛନ୍ତି ଭାରତୀୟ ମା’

ଦିଲ୍ଲୀରେ ଚାଲିଥିବା ପ୍ରଥମ ଖୋ ଖୋ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ମହିଳା ଦଳର ନେତୃତ୍ବ ନେଉଥିବା ଜଣେ ଭାରତୀୟ ମା’ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋନମ ଗର୍ଗ ନାମକ ଏହି ମହିଳା ଜଣକ ହେଉଛନ୍ତି ଜଣେ ୯ବର୍ଷୀୟ ବାଳକର ଜନନୀ।

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ପ୍ରଥମ ଖୋ ଖୋ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ମହିଳା ଦଳର ନେତୃତ୍ବ ନେଉଥିବା ଜଣେ ଭାରତୀୟ ମା’ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋନମ ଗର୍ଗ ନାମକ ଏହି ମହିଳା ଜଣକ ହେଉଛନ୍ତି ଜଣେ ୯ବର୍ଷୀୟ ବାଳକର ଜନନୀ। ତେବେ ନିଜ ଗତି ଓ ଫୂର୍ତ୍ତିରେ ସମସ୍ତଙ୍କୁ ଚକିତ କରୁଛନ୍ତି। ସୋନମ ପିଲାଦିନେ ଖୋ ଖୋ ଖେଳୁଥିଲେ। ପୁରୁଣା ଦିନର ସେହି କଳା କୌଶଳକୁ ଉପଯୋଗ କରି ଆଜି ନିଜ ଜନ୍ମିତ ଦେଶରେ ପାଳିତ ଦେଶ ପକ୍ଷରୁ ବିଶ୍ବକପ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଖାଲି ସେତିକି ନୁହେଁ, ସବୁ ମା’ଙ୍କ ପାଇଁ ପ୍ରେରଣାର ଉତ୍ସ ବି ପାଲଟିଛନ୍ତି। ଚଣ୍ଡିଗଡ଼ର ପାଣି ପବନରେ ବଡ଼ ହୋଇଥିବା ସୋନମ ବିବାହ ପରେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ଗତ ୧୦ବର୍ଷ ହେବ ସେଠାରେ ସେ ରହି ଆସୁଛନ୍ତି। ପେସାରେ ଜଣେ ଅର୍ଥଶାସ୍ତ୍ରୀ ଥିବା ସୋନମ କହିଛନ୍ତି, ୨୦-୨୨ବର୍ଷ ତଳେ ମୁଁ ଖୋ ଖୋ ଖେଳୁଥିଲି। ଯେତେବେଳେ ଖୋ ଖୋ ବିଶ୍ବକପ୍ କଥା ଶୁଣିଲି, ବହୁତ ଖୁସି ହୋଇଯାଇଥିଲି। ସଙ୍ଗେସଙ୍ଗେ ପିଲା ବେଳ କଥା ମନେ ପଡ଼ିଯାଇଥିଲା। ଏଣୁ ଅଷ୍ଟ୍ରେଲିଆ ଖୋ ଖୋ କମିଟି ସହ ଯୋଗାଯୋଗ କରି ସେମାନଙ୍କ ଦଳରେ ସାମିଲ ହୋଇଯାଇଥିଲି। କିଛି ଦିନ ପରେ ମୁଁ ଦଳର ଅଧିନାୟିକା ନିଯୁକ୍ତ ହୋଇଥିଲି।

ଖେଳାଖେଳି, ଆହ୍ବାନଭରା ପେସା ଏବଂ ସାଧାରଣ ଜୀବନ ସହ କିଭଳି ସନ୍ତୁଳନ ରକ୍ଷା କରୁଛନ୍ତି ବୋଲି ହୋଇଥିବା ପ୍ରଶ୍ନରେ ସେ ଉତ୍ତର ଦେଇଛନ୍ତି ଯେ ମୋର ଏକ ୯ବର୍ଷର ପୁଅ ଅଛି। ପୂର୍ଣ୍ଣକାଳୀନ ଚାକିରି, ଘର ଓ ଖୋ ଖୋ ଖେଳିବା ଆଦୌ ସହଜ ହେଉନି। ତେବେ ସ୍ବାମୀ ଓ ପୁଅର ଦୃଢ଼ ସମର୍ଥନ ପାଇଁ ମୁଁ ଏକସଙ୍ଗରେ ଏତେଗୁଡ଼ିଏ କାର୍ଯ୍ୟ କରିପାରୁଛି। ବିଶ୍ବକପ୍‌ରେ ଅଂଶଗ୍ରହଣ କରିବା ଲାଗି ମୁଁ ଚାକିରିରୁ କିଛି ଦିନ ଛୁଟି ନେଇଛି। ପୁଅର ଗ୍ରୀଷ୍ମ ଛୁଟି ଚାଲିଛି। ସ୍ବାମୀ ଘରୁ କାମ କରୁଛନ୍ତି। ମୋ ଅନୁପସ୍ଥିତିରେ ସେ ହିଁ ଆମ ପୁଅର ଦେଖାଶୁଣା କରୁଛନ୍ତି। ମୋ ପୁଅ କ୍ରିକେଟ୍ ପାଇଁ ପୂରା ପାଗଳ। ମୋ ପାଇଁ ତାକୁ ଏବେ ଖୋ ଖୋ ମଧ୍ୟ ଭଲ ଲାଗିଲାଣି। ଇଂଲଣ୍ଡଠାରୁ ହାରିବା ପରେ ସେ ଏହାର ଭିଡିଓ ଦେଖି କାନ୍ଦି ପକାଇଥିଲା।

ଅଷ୍ଟ୍ରେଲିଆର କ୍ରୀଡ଼ା ସଂସ୍କୃତିକୁ ସୋନମ ଭୂୟସୀ ପ୍ରଶଂସା କରିଛନ୍ତି। ଖୋ ଖୋ ସେଠାରେ ସେତେଟା ଲୋକପ୍ରିୟ ନଥିଲେ ମଧ୍ୟ ମାତ୍ର ୨ରୁ୩ମାସ ଭିତରେ ଦଳ ଗଠନ କରି ସେମାନେ ବିଶ୍ବକପ୍‌କୁ ପଠାଇଛନ୍ତି। ଅଷ୍ଟ୍ରେଲିଆ ଦଳରେ ଭାରତ ସହ ଫିଲିପାଇନ୍ସ, ଆୟର୍ଲାଣ୍ଡ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶର ଖେଳାଳି ଅଛନ୍ତି। ଏହା ଏକ ବିବିଧତାଭରା ଦଳ। କ୍ରୀଡ଼ା କ୍ଷେତ୍ରରେ ଭାରତ କରୁଥିବା ଉନ୍ନତି ନେଇ ମଧ୍ୟ ସେ ବେଶ୍ ଖୁସି ଅଛନ୍ତି। ତେବେ ଭରତୀୟ କ୍ରିକେଟ୍ ଦଳ ଯେତେବେଳେ ବର୍ଡର-ଗାଭାସ୍କର ଟ୍ରଫି ହାରିଥିଲା, ତାଙ୍କ ମନରେ ମିଶ୍ରିତ ଭାବନା ଆସିଥିଲା। ମୁଁ ଜଣେ ଭାରତୀୟ ବଂଶୋଦ୍ଭବ ହୋଇଥିଲା ବେଳେ ଅଷ୍ଟ୍ରେଲିଆର ନାଗରିକ। ଏଣୁ ଖୁସି ହେବି କି ଦୁଃଖୀ ତାହା ଜାଣି ପାରି ନଥିଲି ବୋଲି କହିଛନ୍ତି। ଅଷ୍ଟ୍ରେଲିଆ ଖୋ ଖୋ ଦଳର ନେତୃତ୍ବ ନେଇ କିନ୍ତୁ ସେ ବେଶ୍ ଉଲ୍ଲସିତ ଅଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଲଢ଼ୁଆ ପ୍ରବୃତ୍ତିକୁ ବେଶ୍ ପସନ୍ଦ କରୁଥିବା ସୋନମ ହେଉଛନ୍ତି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କର ଜଣେ ବଡ଼ ପ୍ରଶଂସକ। ବୁମ୍‌ରାଙ୍କ ଶାନ୍ତ ଓ ସରଳ ବ୍ୟକ୍ତିତ୍ବ ତାଙ୍କୁ ସବୁଠୁ ବେଶି ପ୍ରଭାବିତ କରେ ବୋଲି ମତ ରଖିଛନ୍ତି ସେ।

ଖୋ ଖୋ ବିଶ୍ବକପ୍: ଭାରତ ଗ୍ରୁପ୍ ଟପ୍ପର

dfdvv
ଭୁବନେଶ୍ବର: ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ପ୍ରଥମ ଖୋ ଖୋ ବିଶ୍ବକପ୍‌ର ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ଗ୍ରୁପ୍ ଟପ୍ପର ହୋଇଛି। ପୂର୍ବରୁ କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିସାରିଥିବା ଭାରତୀୟ ପୁରୁଷ ଦଳ ଗୁରୁବାର ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ଭୁଟାନକୁ ୭୧-୩୨ରେ ହରାଇ ୪ମ୍ୟାଚ୍‌ରୁ ୪ ବିଜୟ ସହ ଅପରାଜେୟ ରହିଛି। ସେହିଭଳି ଗ୍ରୁପ୍‌-ଏ’ର ବିଜେତା ହୋଇଛି। ଶୁକ୍ରବାର କ୍ବାର୍ଟରଫାଇନାଲ୍‌ରେ ଭାରତ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ। ସେହି ଗ୍ରୁପ୍-ଏ’ରେ ସ୍ଥାନ ପାଇଥିବା‌ ଭାରତୀୟ ମହିଳା ଦଳ ମଧ୍ୟ ଅନୁରୂପ ଭାବେ ୩ମ୍ୟାଚ୍‌ରୁ ୩ ବିଜୟ ସହ ନିଜ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ହୋଇଛି। ଭାରତ ଆଜି ମାଲେସିଆକୁ ୧୦୦-୨୦ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି। ଶୁକ୍ରବାରର କ୍ବାର୍ଟରଫାଇନାଲ୍‌ରେ ବାଂଲାଦେଶକୁ ଭେଟିବ ଭାରତୀୟ ମହିଳା ଦଳ। ଉଭୟ ବର୍ଗରେ ଭାରତ ସେମିଫାଇନାଲ୍ ପ୍ରବେଶ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.