Breaking News

ଖୋ ଖୋ ବିଶ୍ବକପ୍ ସମ୍ଭାବ୍ୟ ଦଳରେ ଓଡ଼ିଶାରୁ ୭

ସ୍ବଦେଶୀ ଖେଳ ଖୋ ଖୋର ପ୍ରଥମ ବିଶ୍ବକପ୍ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଜାନୁଆରି ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୨୪ଟି ଦେଶ ଅଂଶଗ୍ରହଣ କରିବେ।

ଭୁବନେଶ୍ବର: ସ୍ବଦେଶୀ ଖେଳ ଖୋ ଖୋର ପ୍ରଥମ ବିଶ୍ବକପ୍ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଜାନୁଆରି ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୨୪ଟି ଦେଶ ଅଂଶଗ୍ରହଣ କରିବେ। ସାରା ବିଶ୍ବର ନଜର ଥିବା ଏହି ବିଶ୍ବକପ୍ ଲାଗି ସୋମବାର ଭାରତୀୟ ସମ୍ଭାବ୍ୟ ଦଳ ଘୋଷିତ ହୋଇଛି। ସେଥିରେ ଭାରତୀୟ ମହିଳା ଦଳରେ ଓଡ଼ିଶାର ୪ଜଣ ଏବଂ ପୁରୁଷ ଦଳରେ ୩ଜଣ ଖେଳାଳି ସ୍ଥାନ ପାଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ୭ଜଣ ଖେଳାଳିଙ୍କ ମଧ୍ୟରୁ ୪ଜଣ (ଜଣେ ପୁରୁଷ, ୩ଜଣ ମହିଳା) କିସ୍ ବିଶ୍ବବିଦ୍ୟାଳୟର ବୋଲି ଜଣାପଡ଼ିଛି। ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶା ଖେଳାଳିଙ୍କୁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ଖୋ ଖୋ ସଂଘର ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର ଏବଂ ମୁଖ୍ୟ ପ୍ରଶିକ୍ଷକ କାଳିନ୍ଦୀ ଚରଣ ରାଉତ ଶୁଭକାମନା ଜଣାଇଛନ୍ତି।

ଜାତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶା ଖେଳାଳିମାନେ ହେଲେ (ମହିଳା): ଶୁଭଶ୍ରୀ ସିଂହ, ଅର୍ଚ୍ଚନା ମାଝୀ, ମାଗାଇ ମାଝୀ (କିସ୍), ଅନନ୍ୟା ପ୍ରଧାନ (ପୁରୀ)। ପୁରୁଷ: ପବନୀ ଶବର (କିସ୍), ଭରତ କୁମାର ପ୍ରଧାନ (ପୁରୀ), ଦେବେନ୍ଦ୍ର ନାଥ (ଜଗତସିଂହପୁର)। ଏହି ଖେଳାଳିମାନେ ଚଳିତମାସ ୧୦ରୁ ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଚୟନ ଶିବିରରେ ଦମ୍ ଦେଖାଇ ଚୂଡ଼ାନ୍ତ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଚେଷ୍ଟା କରିବେ। ଆଜି କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବର ପୁରସ୍କାର ବିତରଣୀ ଉତ୍ସବ ଅବସରରେ ଶ୍ରୀ ସାମନ୍ତ ଏହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ ସାମନ୍ତ ଓ ଶ୍ରୀ ମିଶ୍ର ଏତେ ସଂଖ୍ୟାରେ ଓଡ଼ିଆ ଖେଳାଳି ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ନେଇ କିଟ୍ ଓ କିସ୍‌ର ମୁଖ୍ୟ ପ୍ରଶିକ୍ଷକ କାଳିନ୍ଦୀ ଚରଣ ରାଉତ ଏବଂ ଓଡ଼ିଶା ଖୋ ଖୋ ଉଚ୍ଚଗୁଣବତ୍ତା କେନ୍ଦ୍ରର ପ୍ରଶିକ୍ଷକ ସଂଜୀବ ଶର୍ମାଙ୍କୁ ସେମାନଙ୍କ ନିରନ୍ତର ପ୍ରୟାସ ଲାଗି କୃତଜ୍ଞତା‌ ଜ୍ଞାପନ କରିଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.