Breaking News

ଗଙ୍ଗୁଆକୁ ନେଇ ବଡ଼ ଯୋଜନା: ଜୟପୁର ନଳା ଢାଞ୍ଚାରେ ପୁନରୁଦ୍ଧାର ହେବ

ବିଏମ୍‌ସି ଅଧୀନକୁ ଆସିବନି ଗଙ୍ଗୁଆ ନଳା। ଏହାର ମାଲିକାନା ଜଳସମ୍ପଦ ବିଭାଗର ଡ୍ରେନେଜ୍‌ ଅଧୀନରେ ରହିବ। ପୁନରୁଦ୍ଧାର ମଧ୍ୟ ଜଳସମ୍ପଦ ବିଭାଗ କରିବ। ଏହାକୁ ସଂଯୁକ୍ତ କରୁଥିବା ପ୍ରତିଟି ନଳା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କରିବ।

ଭୁବନେଶ୍ୱର: ବିଏମ୍‌ସି ଅଧୀନକୁ ଆସିବନି ଗଙ୍ଗୁଆ ନଳା। ଏହାର ମାଲିକାନା ଜଳସମ୍ପଦ ବିଭାଗର ଡ୍ରେନେଜ୍‌ ଅଧୀନରେ ରହିବ। ପୁନରୁଦ୍ଧାର ମଧ୍ୟ ଜଳସମ୍ପଦ ବିଭାଗ କରିବ। ଏହାକୁ ସଂଯୁକ୍ତ କରୁଥିବା ପ୍ରତିଟି ନଳା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କରିବ। ନଳାକୁ ଲାଗି ରହିଥିବା ଜବରଦଖଲ ଉଚ୍ଛେଦ କରିବ ବିଏମ୍‌ସି। ୨୦୩୬ର ଭୁବନେଶ୍ବର ସ୍ଥିତିକୁ ଆଖି ଆଗରେ ରଖି ଏହାକୁ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ଯୋଜନାରେ ପୁନରୁଦ୍ଧାର କରାଯିବ। ଜଳସମ୍ପଦ, ବିଏମ୍‌ସି, ଏଚ୍‌ ଆଣ୍ଡ ୟୁଡି, ୱାଟ୍‌କୋ, ବିଡିଏ, ପର୍ଯ୍ୟଟନ, ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିକାରୀଙ୍କୁ ନେଇ କମିଟି ଗଠନ ହେବ। ଏହାର ନୋଡାଲ୍‌ ଅଫିସର ଡ୍ରେନେଜ୍‌ ମୁଖ୍ୟଯନ୍ତ୍ରୀ ରହିବେ। କମିଟି ଗଙ୍ଗୁଆ ଉପରେ ସବିଶେଷ ବିବରଣୀ ସଂଗ୍ରହ କରିବ। ଡିସେମ୍ବର ‌ଶେଷ ସୁଦ୍ଧା ଏମାନଙ୍କୁ ନେଇ ଏକ ଦଳ ରାଜସ୍ଥାନ ଜୟପୁରରେ ଥିବା ଅମାନିସାହ ନଳା ଦେଖିବା ପାଇଁ ଯିବେ।ଯେଉଁ ଢଙ୍ଗରେ ଏହି ନାଳ ପୁନରୁଦ୍ଧାର ହୋଇଛି, ଗଙ୍ଗୁଆକୁ ସେଭଳି ରୂପ ଦିଆଯିବ। ୧୫ ଦିନ ପରେ ଏକ ବୈଠକ ବସିବ। ଟିମ୍‌ ଜୟପୁରରେ କଣ ଦେଖିଲେ ଓ ସଂଗ୍ରହ ହୋଇଥିବା ଗଙ୍ଗୁଆର ତଥ୍ୟକୁ ନେଇ ତର୍ଜମା ହେବ। କେବଳ ସହରୀ ବନ୍ୟା ରୋକିବାକୁ ନୁହେଁ, ବରଂ ଏହାର ସୌନ୍ଦର୍ଯ୍ୟୀକରଣ ସହରବାସୀଙ୍କୁ ଏକ ନିଆରା ଅନୁଭୁତି ଦେବ।

ଜୟପୁର ନଳା ଢାଞ୍ଚାରେ ପୁନରୁଦ୍ଧାର ହେବ
ଗଠନ ହେବ କମିଟି, ରାଜସ୍ଥାନ ଯିବେ ଅଧିକାରୀ

ଜଳସମ୍ପଦ ବିଭିନ୍ନ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ‌ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ପୂର୍ବରୁ ଥିବା ଏହି ନଦୀ ଏବେ ସହରରୁ ବର୍ଜ୍ୟ ଜଳ ନିଷ୍କାସନ କରୁଛି। କିନ୍ତୁ ଜବରଦଖଲ ଯୋଗୁ ଏହା ସଙ୍କୁଚିତ ହୋଇପଡ଼ିଛି। ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏନ୍‌ଜିଟି ଏହାକୁ ନେଇ ବାରମ୍ବାର ତାଗିଦ କରିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲ। ସିଡିପି ପ୍ରସ୍ତୁତ ବେ‌ଳେ ହୋଇଥିବ‌ା ଗଙ୍ଗୁଆ ମାଷ୍ଟର ପ୍ଲାନ୍‌ ଏହି ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଏଭଳି ଯୋଜନା ପ୍ରଥମ ନୁହେଁ, ଏକାଧିକ ଯୋଜନା ଫାଇଲ୍‌ ତଳେ ଚାପି ହୋଇଯାଇଛି।
ସୂଚନାଯୋଗ୍ୟ, ରାଜଧାନୀ ଇଞ୍ଜିନିୟରିଂ କଲେଜ୍‌ କଡ଼ ବୁଢ଼ୀ ନଳାରୁ ବାହାରିଥିବା ଗଙ୍ଗୁଆର ଲମ୍ବା ୩୧ କିମି ରହିଛି। ଏଥିରୁ ୧୭ କିମି ବିଏମ୍‌ସି ଅଞ୍ଚଳରେ ରହିଛି। ଏହା କଣ୍ଟି ଗାଁ ପାଖରେ ଦୟାନଦୀରେ ମିଶିଛି। ବିଡିଏ ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଥିବା ବେଳେ ବିଏମ୍‌ସି ଆଇଆଇଟି ରୁର୍‌କି ସହଯୋଗରେ ବନ୍ୟାଜଳ ପରିଚାଳନା ପ୍ଲାନ୍‌ ପ୍ରସ୍ତୁତ କରୁଛି। ଜଳସମ୍ପଦ ବିଭାଗ ପକ୍ଷରୁ ବାର୍ଷିକ ୧୦ ଲକ୍ଷ ଟଙ୍କା ବ୍ୟୟରେ ଦଳ ସଫା କରାଯାଉଛି।

ସୌଜନ୍ୟ-ସମ୍ୱାଦ

Comments are closed.