Breaking News

ଗଞ୍ଜାମରୁ ହେଉଥିଲା ପିସି ସଂଗ୍ରହ: ୨୦୧୯ରୁ ୨୦୨୪ ମଧ୍ୟରେ ଆକାଉଣ୍ଟ୍‌କୁ ଆସିଛି କୋଟିଏ ଟଙ୍କା

ପ୍ରକଳ୍ପ କାମ ମାଲକାନଗିରି ଜିଲ୍ଲାରେ। କିନ୍ତୁ କାମ ବାବଦ ପିସି ସଂଗ୍ରହ ହେଉଥିଲା ଗଞ୍ଜାମରୁ। ଜଳ ବିଭାଜିକ ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ଠିକାଦାରଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦରେ ଜନ ସେବା କେନ୍ଦ୍ର କରିଥିବା ଅଲେଖ ଚନ୍ଦ୍ର ପ୍ରଧାନ।

ଜୟପୁର/ମାଲକାନଗିରି: ପ୍ରକଳ୍ପ କାମ ମାଲକାନଗିରି ଜିଲ୍ଲାରେ। କିନ୍ତୁ କାମ ବାବଦ ପିସି ସଂଗ୍ରହ ହେଉଥିଲା ଗଞ୍ଜାମରୁ। ଜଳ ବିଭାଜିକ ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ଠିକାଦାରଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦରେ ଜନ ସେବା କେନ୍ଦ୍ର କରିଥିବା ଅଲେଖ ଚନ୍ଦ୍ର ପ୍ରଧାନ। ଠିକାଦାରଙ୍କଠାରୁ ଆରମ୍ଭ କରି ସାର ଯୋଗାଣ ଏଜେଣ୍ଟ୍‌, ମେଟିରିଆଲସ୍‌ ବିଲ୍, ଶ୍ରମିକଙ୍କ ନାଁରେ ହରିଲୁଟ୍ ହେଉଥିବା ଅର୍ଥ ଯାଉଥିଲା ଅଲେଖଙ୍କ ନିକଟକୁ। ଅଲେଖ ୨୦୧୯ରୁ ୨୦୨୪ ମଧ୍ୟରେ ଶାନ୍ତନୁଙ୍କ ଆକାଉଣ୍ଟ୍‌କୁ ପଠାଇଛନ୍ତି ୧କୋଟି ଟଙ୍କା। ଭିଜିଲାନ୍ସ ତଦନ୍ତ ସମୟରେ ଏହି ତଥ୍ୟ ପଦାକୁ ଆସିଛି। ଶାନ୍ତନୁଙ୍କ ସମେତ ଭିଜିଲାନ୍‌ସ ଦୁର୍ନୀତିରେ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର୍‌ ବିଶ୍ବଜିତ୍‌ ମଣ୍ଡଳ, ଚୁକ୍ତିଭିତ୍ତିକ କର୍ମଚାରୀ ଅମୀୟକାନ୍ତ ସାହୁ ଓ ସହକାରୀ କୃଷି ଇଞ୍ଜିନିୟର୍‌ ମୋହନ ମଣ୍ଡଳକୁ ଅଟକ ରଖିଛି।

୨୦୧୯ରୁ ୨୦୨୪ ମଧ୍ୟରେ ଆକାଉଣ୍ଟ୍‌କୁ ଆସିଛି କୋଟିଏ ଟଙ୍କା
ଭୁବନେଶ୍ବର ଲକର୍‌ରୁ ମିଳିଲା ନଗଦ ୨ଲକ୍ଷ ଓ ଜମି କାଗଜପତ୍ର
ଶ୍ରମିକଙ୍କ ନାଁରେ ପାସ୍‌ବୁକ୍ ଖୋଲି ଚଳୁ କରୁଥିଲେ ପ୍ରକଳ୍ପ ଟଙ୍କ‌ା
ବିଗତ ୨ବର୍ଷର ପ୍ରକଳ୍ପ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବ ଟିମ୍‌

ଭୁବନେଶ୍ବର କପିଳପ୍ରସାଦ ଷ୍ଟେଟ୍ ବ୍ୟାଙ୍କରେ ଶାନ୍ତନୁଙ୍କ ଲକର୍‌ ଥିବା ଜଣାପଡ଼ିବା ପରେ ଶାନ୍ତନୁଙ୍କୁ ନେଇ ଭୁବନେଶ୍ବର ଯାଇଛି ଭିଜିଲାନ୍‌ସ ଟିମ୍। ଯାଞ୍ଚ ସମୟରେ ଲକର୍‌ରୁ ଆଉ ୨ ଲକ୍ଷ ନଗଦ ଟଙ୍କା ସହିତ ଜମି କିଣାବିକା ଦଲିଲ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ପୂର୍ବରୁ ଶାନ୍ତନୁଙ୍କ ଘରୁ ୧ କୋଟି ୯୮ ଲକ୍ଷ ଜବତ ହୋଇଥିଲା। ବ୍ୟାଙ୍କ ଲକର୍‌ର ୨ ଲକ୍ଷକୁ ମିଶାଇ ମୋଟ ୨ କୋଟି ଜବତ ହୋଇଛି। ସେହିପରି ଡାଟା ଏଣ୍ଟ୍ରି ଅପରେଟର୍‌, ଚୁକ୍ତିଭିତ୍ତିକ କର୍ମଚାରୀ ଓ ସହକାରୀ କୃଷି ଇଞ୍ଜିନିୟରଙ୍କ ଘରୁ ଭିଜିଲାନ୍‌ସ ୮ ଲକ୍ଷ ୯୨ ହଜାର ୮୫୦ ଟଙ୍କା ଜବତ କରିଛି। ଭିଜିଲାନ୍‌ସ ଏହି ଚଢ଼ଉରେ ୨ କୋଟି ୮ ଲକ୍ଷ ୯୨ ହଜାର ନଗଦ ଜବତ କରିଛି। ଅଟକ ଥିବା ୩ କର୍ମଚାରୀଙ୍କ ଘରୁ ଭିଜିଲାନ୍‌ସ ଶ୍ରମିକଙ୍କ ନାଁରେ ଥିବା ବ୍ୟାଙ୍କ ପାସବୁକ୍‌କୁ ଜବତ କରିଛି। ମନରେଗାରେ କାମ ହେବା ପରେ ଶ୍ରମିକଙ୍କ ନାଁରେ ଥିବା ପାସ୍‌ବୁକରୁ ଟଙ୍କା ଉଠାଇ ହଡ଼ପ କରାଯାଉଥିବାର ପ୍ରମାଣ ମିଳିଛି।

ଭିଜିଲାନ୍‌ସର ଏକ ସ୍ବତନ୍ତ୍ର ଟିମ୍‌ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବ। ଏଥି ସହିତ ବିଗତ ୨ବର୍ଷ ଧରି ଜଳ ବିଭାଜିକା ପ୍ରକଳ୍ପ ଅଧୀନରେ ହୋଇଥିବା ସମସ୍ତ କାମ ଯାଞ୍ଚ ହେବ। ଫାଇଲ୍‌ଗୁଡ଼ିକ ଯାଞ୍ଚ କରିବା ପରେ ପ୍ରକଳ୍ପ ୱାରି ତଦନ୍ତ କରି ଦୁର୍ନୀତିର ଗୁମର ଖୋଲିବ ଭିଜିଲାନ୍‌ସ। ସେପଟେ ପିସି ସଂଗ୍ରହରେ ମଧ୍ୟସ୍ଥି ଭୂମିକା ତୁଲାଉଥିବା ଅଲେଖଙ୍କୁ କାବୁ କରିବା ପାଇଁ ଭିଜିଲାନ୍‌ସ ଅଧିକାରୀ ଜଗନ୍ନାଥ ପ୍ରସାଦରେ ଚଢ଼ଉ କରିଛନ୍ତି। ଅଲେଖ ଗିରଫ ହେବା ପରେ ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଭିଜିଲାନ୍‌ସ ଅଧିକାରୀ କହିଛନ୍ତି। ବୁଧବାର ଭିଜିଲାନ୍‌ସ ଶାନ୍ତନୁଙ୍କ ଘରୁ ନଗଦ ୧.୯୮ କୋଟି ଟଙ୍କା ସହ ଜୟପୁରସ୍ଥିତ ୩ ମହଲା କୋଠା, ୪ଟି ପ୍ଲଟ୍, ଗୋଟିଏ କାର୍‌, ଦୁଇଟି ବାଇକ୍, ବୀମା ଓ ବ୍ୟାଙ୍କ ଜମା କାଗଜପତ୍ର ଜବତ କରିଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.