Breaking News

ଗଞ୍ଜାମର ଭିନ୍ନ ପହିଲିଭୋଗ

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପୀ ମହାପ୍ରଭୁଙ୍କୁ ପହିଲିଭୋଗ ହୁଏ। ପୁରାଣ ମତରେ ଏହା ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ମା’ ଯଶୋଦାଙ୍କ ସେବା। ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁସାରେ, ଏହି ପହିଲିଭୋଗରେ ଯେଉଁ ସବୁ ଭୋଗର...

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପୀ ମହାପ୍ରଭୁଙ୍କୁ ପହିଲିଭୋଗ ହୁଏ। ପୁରାଣ ମତରେ ଏହା ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ମା’ ଯଶୋଦାଙ୍କ ସେବା। ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁସାରେ, ଏହି ପହିଲିଭୋଗରେ ଯେଉଁ ସବୁ ଭୋଗର ନାମ ଉଲ୍ଲେଖ ରହିଛି, ସେ ସମସ୍ତ ହେଉଛି ଶୁଖିଲା ଭୋଗ। ସବୁଗୁଡ଼ିକ ପିଠାଜାତୀୟ। କିନ୍ତୁ ଗଞ୍ଜାମ ଜିଲ୍ଲାର ମଠ ମନ୍ଦିର ମାନଙ୍କରେ ହେଉଥିବା ପହିଲିଭୋଗ ଏହାଠାରୁ ସଂପୂର୍ଣ୍ଣ ଭିନ୍ନ, ସଙ୍ଖୁଡ଼ି ଭୋଗ। ଏଥିରେ ଥାଏ ମିଠା ଅନ୍ନ, ଡାଲି, ଘାଣ୍ଟ ତରକାରୀ, ଆମ୍ବିଳ ବା ଖଟା, ନଡ଼ିଆ ପାଚିଡ଼ି, ଶାଗ, ମାଟିଆଳୁ ଓ କଦଳୀର ପିଠଉଦିଆ ଭଜା, ଖିରି, କାକରା, ଗଜା, ବିରିପୁଳି, ଏଣ୍ଡୁରି, ମୁଆଁ, କଦଳୀ ଓ କମଳା ଇତ୍ୟାଦି। ଗାଁ ଭେଦରେ ଏଥିରେ ସାମାନ୍ୟ ଭିନ୍ନତା ଥାଏ। କିନ୍ତୁ ମୋଟାମୋଟି ଏତିକି ପ୍ରକାରର ବ୍ୟଞ୍ଜନ ଦିଅଁଙ୍କୁ ଭୋର୍‌ରୁ ଭୋଗଲାଗେ।

ମନ୍ଦିରର ପୂଜକ ଓ ସୂପକାର ରାତି ଦୁଇଟାରୁ ଉଠି ସକାଳ ହେବା ପୂର୍ବରୁ ଏସବୁ ପ୍ରସ୍ତୁତ କରି ଭୋଗଲଗାନ୍ତି। ଏଥିରେ ଗୋଟିଏ ଗୋଟିଏ ଥାଳିରେ କିଲେରୁ ଦେଢ଼କିଲୋ ଯାଏଁ ଚାଉଳର ଅନ୍ନ ରହେ। ସେହି ଅନୁସାରେ ଅନ୍ୟାନ୍ୟ ବ୍ୟଞ୍ଜନ। ଗୋଟିଏ ଥାଳିର ପ୍ରସାଦ ପ୍ରାୟ ଦଶଜଣଙ୍କ ପାଇଁ ହୋଇଯାଏ। ପ୍ରତି ମନ୍ଦିରରେ ଏହିପରି ଚାରି ବା ପାଞ୍ଚଥାଳି ଭୋଗ ହୁଏ। ଏହି ମାସରେ ଭୋର୍‌ରୁ ଗାଧୋଇ ବିଭିନ୍ନ ମନ୍ଦିର ବୁଲି ସାଙ୍ଗ ହୋଇ ପ୍ରସାଦ ପାଇବା ଏକ ପରଂପରା। ଏଥିପାଇଁ ଆଗରୁ ବରାଦ କରି ଦଳଦଳ ହୋଇ ଲୋକେ ପହିଲିଭୋଗ ଖାଇବାକୁ ବାହାରନ୍ତି। ଯେଉଁମାନେ ଘରକୁ ମଗାଇବାକୁ ଚାହାନ୍ତି, ସେମାନେ ଆଗରୁ ବରାଦ କଲେ ପାଇପାରନ୍ତି। ଗୋଟିଏ ବଡ଼ କଥା ହେଲା, ଯେଉଁ ମନ୍ଦିରରେ ପହିଲିଭୋଗ ହୁଏ, ସେହି ମନ୍ଦିରରେ ଏଇ ମାସର ଅବଧି ଭିତରେ ଗୋଟିଏ ପହିଲିଭୋଗ  ଭୋଜି ଆୟୋଜିତ ହୁଏ। ଏହି ଭୋଜିରେ, ପହିଲିଭୋଗ ଥାଳିରେ ଯାହା ଯାହା ବ୍ୟଞ୍ଜନ ଥାଏ ସେ ସବୁ ପ୍ରସ୍ତୁତ ହୁଏ ଏବଂ ଲୋକଙ୍କୁ ଖାଇବାକୁ ଦିଆଯାଏ। ଉଦ୍ଦେଶ୍ୟ ହେଲା, ସମସ୍ତେ ତ ପହିଲିଭୋଗ କିଣି ଖାଇପାରିବେ ନାହିଁ; ତେଣୁ ସମସ୍ତେ ତାହା ପାଇବାର ମହତ୍‌ ଉଦ୍ଦେଶ୍ୟରେ ଏହି ଭୋଜିର ପରିକଳ୍ପନା। ଲୋକମାନେ ମଧ୍ୟ ଘରକୁ ଥାଳି ମଗାଇ ବନ୍ଧୁବାନ୍ଧବଙ୍କୁ ଡକାଇ ଭୋଗ ଖୁଆନ୍ତି। ଗଞ୍ଜାମରେ ପହିଲିଭୋଗ ମାସଟି ଗୋଟିଏ ଉତ୍ସବ।   ବର୍ଷକୁ ଥରେ ଏହା ପାଇବାପାଇଁ ଲୋକେ ଅପେକ୍ଷା କରିଥାନ୍ତି। ଏ ପରମ୍ପରା ଗଞ୍ଜାମ ଛଡ଼ା ଅନ୍ୟତ୍ର ଦେଖାଯାଏ ନାହିଁ। ତେବେ ପରିଚାଳନାଗତ ସମସ୍ୟା ହେତୁ କେତେକ ମଠରେ କେବଳ ବିଧି ରକ୍ଷା ପାଇଁ ଏବେ ଏହା ଚାଲିଛି।
-ଶାନ୍ତନୁ କୁମାର ରଥ

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.