Breaking News

ଗଞ୍ଜେଇ ‌ଚଢ଼ଉ ସାରି ଫେରିବା ବାଟରେ ଆକ୍ରମଣ: ୭ଘଣ୍ଟା ଧରି ଗ୍ରାମବାସୀଙ୍କ କବଳରେ ପୁଲିସ

ଗଜପତି ଜିଲ୍ଲାରେ ଗଞ୍ଜେଇ ଚଢ଼ଉ ବେଳେ ପୁଣି ପୁଲିସ ବାହିନୀ ଉପରେ ପ୍ରାଣାନ୍ତକ ଆକ୍ରମଣ ସହ ୬ଟି ଗାଡ଼ି ଭଙ୍ଗାରୁଜା ହୋଇଛି। ପୁଲିସ ଅଧିକାରୀ ଓ କର୍ମଚାରୀ ଦୌଡ଼ି ପଳାଇବା ସହ ଛତ୍ରଭଙ୍ଗ ଦେବାରୁ ବଞ୍ଚିଯାଇଛନ୍ତି।

ମୋହନା/ଚନ୍ଦ୍ରଗିରି: ଗଜପତି ଜିଲ୍ଲାରେ ଗଞ୍ଜେଇ ଚଢ଼ଉ ବେଳେ ପୁଣି ପୁଲିସ ବାହିନୀ ଉପରେ ପ୍ରାଣାନ୍ତକ ଆକ୍ରମଣ ସହ ୬ଟି ଗାଡ଼ି ଭଙ୍ଗାରୁଜା ହୋଇଛି। ପୁଲିସ ଅଧିକାରୀ ଓ କର୍ମଚାରୀ ଦୌଡ଼ି ପଳାଇବା ସହ ଛତ୍ରଭଙ୍ଗ ଦେବାରୁ ବଞ୍ଚିଯାଇଛନ୍ତି। ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଯୁବା ପଞ୍ଚାୟତର ପିଡ଼ିଅର ଗ୍ରାମରେ ଗଞ୍ଜେଇ ଚଢ଼ଉ ସାରି ଫେରିବ‌ା ବେଳେ ପୁଲିସ ଉପରକୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ। ଏଥିରେ ୬ଟି ପୁଲିସ ଭ୍ୟାନ ଭାଙ୍ଗିରୁଜି ଯାଇଥିବା ବେଳେ ଜବତ ଗଞ୍ଜେଇକୁ ଗ୍ରାମବାସୀ ଛଡ଼ାଇ ନେଇଛନ୍ତି। ଏପରିକି ଗ୍ରାମବାସୀଙ୍କ ଢ଼େଲାପଥର ମାଡ଼ରେ ରା.ଉଦୟଗିରି ଏସ୍‌ଡିପିଓଙ୍କ ସମେତ ୨୬ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ମୋହନା ଅତିରିକ୍ତ ତହସିଲଦାର ମଧ୍ୟ ମାଫିଆଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ ଯୋଗୁ  ଭୋରରୁ ଦିନ ୧୧ଟା ଯାଏ ଗ୍ରାମବାସୀଙ୍କ କବଳରୁ ପୁଲିସ ଖସି ପାରିନଥିଲେ।  ପ୍ରାୟ ୭ଘଣ୍ଟା ଧରି ଗ୍ରାମବାସୀଙ୍କ କବଳରେ ରହିବା ପରେ ଜନପ୍ରତିନିଧିଙ୍କ ଉପସ୍ଥିତିରେ ବୁଝାସୁଝା ପରେ ଗ୍ରାମବାସୀ ପୁଲିସକୁ ଛାଡ଼ିଥିଲେ। ଆହତ ପୁଲିସଙ୍କୁ ସ୍ଥାନୀୟ ଚନ୍ଦ୍ରଗିରି ଫାଣ୍ଡିରେ ଚିକିତ୍ସା କରାଯାଇଛି।

 ଗଞ୍ଜେଇ ‌ଚଢ଼ଉ ସାରି ଫେରିବା ବାଟରେ ଆକ୍ରମଣ 
ଏସ୍‌ଡିପିଓ, ଅତିରିକ୍ତ ତହସିଲଦାରଙ୍କ ସମେତ ୨୬ ଆହତ

ସୂଚନା ଅନୁସାରେ, ଗାଁରେ ଗଞ୍ଜେଇ ଥିବା ପୁଲିସ ସୂଚନା ପାଇବା ପରେ ଗତକାଲି ବିଳମ୍ବିତ ରାତିରେ ରା.ଉଦୟଗିରି ଏସ୍‌ଡିପିଓ ଅମିତାଭ ପଣ୍ଡାଙ୍କ ନେତୃତ୍ବରେ ମୋହନା ଓ ଅଡ଼ବା ଥାନା ପୁଲିସ ଟିମ୍ ଚଢଉ କରି ୨୦ କ୍ବିଣ୍ଟାଲ ୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଗଂଜେଇ କାରବାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରି ଫେରୁଥିବା ସମୟରେ ଯୁବ ନିକଟରେ ରାସ୍ତାରେ ପଥର ଏବଂ ଗଛ ପକାଇ ଦେଇଥିଲେ ଆଦିବାସୀ। ଚାରିପଟୁ ମହିଳା ଓ ପୁ‌ରୁଷ ଘେରିଯାଇ ଠେଙ୍ଗା ଓ ପଥରରେ ଅତର୍କିତ ପୁଲିସ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏସ୍‌ଡିପିଓ ଶ୍ରୀ ପଣ୍ଡାଙ୍କ ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଜଣେ ପୁଲିସ ଇନ୍‌ସପେକ୍ଟରଙ୍କ ବେକରେ ଗାମୁଛା ପକାଇ ମାଡ଼ ମାରୁଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ, କିଛି ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ। ଏତିକି ବେଳେ ଘଟଣାସ୍ଥଳରୁ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ଧରିଥିବା ଅଭିଯୁକ୍ତ ଖସି ଯିବାରେ ସକ୍ଷମ ହୋଇଥିଲେ।

ଭୋର୍  ୪ଟାରୁ ଦିନ ୧୧ଟା ଯାଏ ଗ୍ରାମବାସୀ ପୁଲିସକୁ ଅଟକ ରଖିଥିଲେ। ପୁଲିସକୁ ମାଡ଼ ମାରିବା ଓ ଗାଡ଼ି ଭାଙ୍ଗିବା ଘଟଣାରେ ଯେଉଁମାନେ ସଂପୃକ୍ତ ରହିଛନ୍ତି, ତୁରନ୍ତ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଗଞ୍ଜେଇ ଚାଲାଣ ରୋକିବାକୁ ଚଢ଼ଉକୁ ଜୋର୍‌ଦାର କରାଯିବ ଓ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଗଜପତି ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ଆଜି ରାତିରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ୨୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ନାମରେ ମାମଲା ଦାଏର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ l ସମସ୍ତଙ୍କୁ ଆଇନ ପରିସରକୁ ନିଆଯିବ ବୋଲି କହିଛନ୍ତି ଏସ୍‌ପି ଶ୍ରୀ ପଣ୍ଡା। ଗଂଜେଇ ଚୋରାଚାଲାଣ ଧରପଗଡ଼ ୬ ମାସରୁ ଊର୍ଦ୍ଧ୍ବ ଦିନ ଧରି ହେଲା ଚାଲିଛି l ସମସ୍ତ ବେଆଇନ ଗଞ୍ଜେଇ ଚାଷୀ, ବେପାରୀଙ୍କୁ ସାବାଡ଼ କରାଯିବା ସହ ଗଞ୍ଜେଇ କାରବ‌ାର ରୋକିବାକୁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.