Breaking News

ଗଣଶିକ୍ଷା ବିଭାଗ ଓ ସିକେ-୧୨ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର: ବିଦ୍ୟାଳୟରେ ବିଶ୍ୱସ୍ତରୀୟ ଶିକ୍ଷା ସମ୍ବଳ ଯୋଗାଇବ

ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଦ୍ୟାଳୟଗୁଡ଼ିକୁ ବିଶ୍ୱସ୍ତରୀୟ ଶିକ୍ଷା ସମ୍ବଳ ଯୋଗାଇଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ କାର୍ଲିଫର୍ଣ୍ଣିଆର ‘ସିକେ-୧୨ ଫାଉଣ୍ଡେସନ’ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଭୁବନେଶ୍ୱର: ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଦ୍ୟାଳୟଗୁଡ଼ିକୁ ବିଶ୍ୱସ୍ତରୀୟ ଶିକ୍ଷା ସମ୍ବଳ ଯୋଗାଇଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ କାର୍ଲିଫର୍ଣ୍ଣିଆର ‘ସିକେ-୧୨ ଫାଉଣ୍ଡେସନ’ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଓ ସିକେ-୧୨ ଫାଉଣ୍ଡେସନ ପ୍ରତିଷ୍ଠାତା ନିରୁ ଖୋସଲା ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ବିଷୟବସ୍ତୁ ଓ ପ୍ରଯୁକ୍ତି ଉପକରଣଗୁଡ଼ିକୁ ବିନା ଦେୟରେ ଉପଲବ୍ଧ କରାଇବାକୁ ସିକେ-୧୨ ଫାଉଣ୍ଡେସନ ପ୍ରତିଶ୍ରୁତିବଦ୍ଧ, ଯାହାକି ପରିସ୍ଥିତି ସହ ଖାପ ଖୁଆଇ ବିଭିନ୍ନ ଶିକ୍ଷଣ ଶୈଳୀ, ସମ୍ବଳ, ଦକ୍ଷତା ସ୍ତର ବୃଦ୍ଧି କରିବାକୁ ଛାତ୍ର ଏବଂ ଶିକ୍ଷକଙ୍କୁ ସଶକ୍ତ କରିବ। ବ୍ୟକ୍ତିଗତ ଶିକ୍ଷଣ ଉପକରଣ, ଅଫ୍‌ଲାଇନ ଉପଲବ୍ଧତା ଓ ବିଭିନ୍ନ ବିଷୟ ପାଇଁ ପ୍ରସ୍ତୁତ ବିଷୟବସ୍ତୁ ସହ ସିକେ-୧୨ ଫାଉଣ୍ଡେସନ ଛାତ୍ରଛାତ୍ରୀଙ୍କୁ ନିଜ ଇଚ୍ଛାନୁଯାୟୀ ଶିଖିବାକୁ ଅନୁମତି ପ୍ରଦାନ କରିବ। ଏହା ଶିକ୍ଷାଗତ ବ୍ୟବଧାନକୁ ଦୂର କରିବାରେ ସହାୟକ ହେବ ଏବଂ ଶିକ୍ଷକମାନଙ୍କୁ ସେମାନଙ୍କ ଶିକ୍ଷାବୃଦ୍ଧି ପାଇଁ ସମ୍ବଳ ପ୍ରଦାନ କରିବ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦକ୍ଷତା ବୃଦ୍ଧି କରି ନିଷ୍ପତ୍ତି ନେବା ଏବଂ ସେବା ପ୍ରଦାନ କରି ଶାସନରେ ପରିବର୍ତ୍ତନ ଆଣୁଛି। ଡାଟା-ପରିଚାଳିତ ଏଆଇ ପ୍ରଶାସନିକ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା, ନିୟମିତ କାର୍ଯ୍ୟଗୁଡ଼ିକୁ ସ୍ୱୟଂଚାଳିତ, ବୃହତ୍ତ ଡାଟା ସେଟ୍ ବିଶ୍ଳେଷଣ, ନୀତି ପ୍ରଣୟନ ଓ କାର୍ଯ୍ୟକାରିତାକୁ ସୁବ୍ୟବସ୍ଥିତ କରିବାରେ ସହାୟକ ହେବ। ଅଧିକାରୀମାନଙ୍କ ପ୍ରଶିକ୍ଷଣରେ ଏଆଇ-ଆଧାରିତ ପ୍ଲାଟଫର୍ମଗୁଡ଼ିକ ବ୍ୟକ୍ତିଗତ ଶିକ୍ଷା, ଭର୍ଚୁଆଲ୍ ସିମୁଲେସନ୍ ଓ ରିୟଲ-ଟାଇମ୍ ମତାମତ ପ୍ରଦାନ କରନ୍ତି, ଯାହାକି ନିରନ୍ତର ଦକ୍ଷତା ବିକାଶ ଓ ଉନ୍ନତ ନିଷ୍ପତ୍ତି ନେବାର କ୍ଷମତା ସୁନିଶ୍ଚିତ କରେ। ଏହାବ୍ୟତୀତ ଏଆଇ ସ୍ମାର୍ଟ ଚାଟ୍ ବଟ୍, ସ୍ୱୟଂଚାଳିତ ଅଭିଯୋଗ ସମାଧାନ ପ୍ରଣାଳୀ, ଉନ୍ନତ ସମ୍ବଳ ଆବଣ୍ଟନ ପାଇଁ ପୂର୍ବାନୁମାନ ବିଶ୍ଳେଷଣ ସକ୍ଷମ କରି ସର୍ବସାଧାରଣ ସେବାକୁ ବଢ଼ାଇଥାଏ। ଏଆଇର ଉପଯୋଗ କରି ସରକାର ଦ୍ରୁତ, ସ୍ୱଚ୍ଛ ଓ ଅଧିକ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନ କରିପାରିବେ ବୋଲି ସେ କହିଥିଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.