Breaking News

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସି କେଳେଙ୍କାରୀ: ରାଜାଙ୍କ ସମ୍ପତ୍ତି ଦେଖି ଇଓଡବ୍ଲ୍ୟୁ ତାଜୁବ୍‌

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୧୦୦ କୋଟିର ଆର୍ଥିକ ଅନିୟମିତତା ଘଟଣାରେ ଚଢ଼ଉ ବେଳେ ବିଜେଡିର ଯୁବନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ସମ୍ପତ୍ତି ଦେଖି ଇଓଡବ୍ଲ୍ୟୁ ଟିମ୍‌ ତାଜୁବ୍‌ ହୋଇଯାଇଛି।

କେନ୍ଦୁଝର/ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୧୦୦ କୋଟିର ଆର୍ଥିକ ଅନିୟମିତତା ଘଟଣାରେ ଚଢ଼ଉ ବେଳେ ବିଜେଡିର ଯୁବନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ସମ୍ପତ୍ତି ଦେଖି ଇଓଡବ୍ଲ୍ୟୁ ଟିମ୍‌ ତାଜୁବ୍‌ ହୋଇଯାଇଛି। ରାଜାଙ୍କ କେନ୍ଦୁଝରରେ ଘର, ଗୋପାଳପୁରରେ ଫାର୍ମହାଉସ୍‌, ପଣ୍ଡାପଡ଼ା ଥାନା ଅଧୀନ ଧାନବେଣିରେ କ୍ରସର, ପରିବହନ ଏଜେନ୍ସି ସାଙ୍ଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଏହାଛଡ଼ା ମାଳମାଳ ଟ୍ରକ୍‌, ଦାମୀ କାର୍‌ ଓ ବାଇକ୍‌ ଦେଖି ଚଢ଼ଉ ପାଇଁ ଆସିଥିବା ଇଡଓବ୍ଲ୍ୟୁ ଅଧିକାରୀ ଆଖି ଟେରା ହୋଇଯାଇଛି। ଗତକାଲି ରାଜାଙ୍କୁ ଇଓଡବ୍ଲ୍ୟୁ ପାଖାପାଖି ୧୧ ଘଣ୍ଟା ଧରି ଜେରା କରିବା ପରେ ଆଜି ଦିନ ତମାମ ତାଙ୍କର ବିଭିନ୍ନ ଠିକଣାରେ ଇଓଡବ୍ଲ୍ୟ ଓ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରିଛନ୍ତି। ୧୭ଟି ଟ୍ରକ୍‌, ଫର୍ଚୁନର କାର୍‌ ଓ ହାର୍ଲେ ଡାଭିଡସନ୍‌ ବାଇକ୍‌ ଜବତ ହୋଇଛି।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ପୂର୍ବରୁ ଇଓଡବ୍ୟୁ ଗିରଫ କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଗତକାଲି ଏହି ଘଟଣାରେ ରାଜା ଇଓଡବ୍ଲ୍ୟୁରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ। ଆଜି ତାଙ୍କର ଅନ୍ୟତମ ସହଯୋଗୀ ସୁଧାଂଶୁ ଶେଖର ନାଏକ ଇଓଡବ୍ଲ୍ୟୁରେ ହାଜର ହୋଇଛନ୍ତି। ଆଜି ମଧ୍ୟ ରାଜାଙ୍କ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଇଓଡବ୍ଲ୍ୟୁ ଚଢ଼ଉ ଜାରି ରଖିଛି। ୧୦ଟି ଟିମ୍‌ କେନ୍ଦୁଝର, ଗୋପାଳପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭୁବନେଶ୍ବର ଆଦି ସ୍ଥାନରେ ଚଢ଼ଉ କରିଛନ୍ତି। ଭୁବନେଶ୍ବର ପାହାଳରେ ଥିବା ଏକ ଆପାର୍ଟମେଣ୍ଟ ରାଜାଙ୍କ ନାମରେ ଥିବା ଜଣାପଡ଼ିବା ପରେ ସେଠାରେ ମଧ୍ୟ ଚଢ଼ଉ ହୋଇଛି।

 ଘର, ଫାର୍ମ ହାଉସ୍‌ ଓ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ଉ
୧୭ଟି ଟ୍ରକ୍‌, ଫର୍ଚୁନର, ହାର୍ଲେ ଡାଭିଡ୍‌ସନ ବାଇକ୍‌ ଜବତ
ସହଯୋଗୀ ସୁଧାଂଶୁ ନାୟକ ଇଓଡବ୍ଲ୍ୟୁରେ ହାଜର

କେନ୍ଦୁଝର ସହରରେ ଥିବା ରାଜାଙ୍କ ଘର ଓ ଗୋପାଳପୁରସ୍ଥିତ ଫାର୍ମ ହାଉସ୍‌ରେ ମଧ୍ୟ ଇଓଡବ୍ଲ୍ୟୁ ପଶିଛି। ଏହି ଟିମ୍‌ ଘରର ଏକାଧିକ ସଦସ୍ୟଙ୍କୁ ପଚରାଉଚରା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି। ଇଓଡବ୍ଲ୍ୟୁର ଏକ ଟିମ୍‌ ମୋଟ ୧୭ଟି ଟ୍ରକ୍‌ ଜବତ କରିଛି। ଏକ ଦାମୀ ଫର୍ଚୁନର୍‌ କାର୍‌ (ଓଡି-୦୯-ଏନ୍‌-୦୦୨୧) ଏବଂ ଗୋଟିଏ ଦାମୀ ହାର୍ଲେ ଡାଭିଡସନ ବାଇକ୍‌ (ଓଡି-୦୨-ଏଚ୍‌-୪୮୨୧) ଜବତ ହୋଇଛି। ସମସ୍ତ ଗାଡ଼ିକୁ କେନ୍ଦୁଝର ଟାଉନ ଥାନାରେ ରଖାଯାଇଛି। ରାଜାଙ୍କ ୨୫ରୁ ଊର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟ ପ୍ରିଜ୍‌ କରାଯାଇଛି।

ଅନ୍ୟପକ୍ଷରେ ଆଜି ପଣ୍ଡାପଡ଼ା ଥାନା ଅଧୀନ ଧାନବେଣିଠାରେ ଥିବା ଏକ କ୍ରସର ୟୁନିଟ୍‌ରୁ କିଛ ରେଳଧାରଣା  ମିଳିଛି। ଏହି ଘଟଣାରେ ରେଳବାଇ ଘଟଗାଁ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହ ଏହି କ୍ରସର କାହାର ଜଣାଇବାକୁ ଅନୁରୋଧ କରିଛି। ଏହି କ୍ରସର ସହ ରାଜାଙ୍କ ସଂପୃକ୍ତି ଥିବା ଜାଣି ଏସ୍‌ଟିଏଫ୍‌ ଚଢ଼ଉ କରିବା ପରେ ଏଠାରୁ ରେଳଧାରଣା ମିଳିଛି।  ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ ସମବାୟ ସମିତି ଲିମିଟେଡ ୨୦୦୬ରେ ପଞ୍ଜୀକୃତ ହୋଇଥିଲା। ଏହି ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ଥିଲା ଗନ୍ଧମାର୍ଦ୍ଦନ ଖଣି ଦ୍ବାରା କ୍ଷତିଗ୍ରସ୍ତ ପରିବାରକୁ କର୍ମସଂସ୍ଥାନ ଯୋଗାଇବା। ୨୦୧୭-୧୮ରୁ ୨୦୨୩-୨୪ ଆର୍ଥକ ବର୍ଷ ପର୍ଯ୍ୟନ୍ତ ସଂସ୍ଥାର ଅଡିଟ୍‌ ‌ହୋଇନଥିଲା। କିଛି କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ସମିତିର କାର୍ଯ୍ୟକର୍ତ୍ତାମାନେ ମିଶି ଅର୍ଥ ହଡ଼ପ କରିବା ସହ ଆପରାଧିକ କାର୍ଯ୍ୟରେ ଲିପ୍ତ ରହିଥିଲେ।  ଅପରପକ୍ଷରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ହୋଇଥିବା ଆର୍ଥିକ ଅନିୟମିତତା ନେଇ ମୁହଁ ଖୋଲିଛନ୍ତି ଏଜେନ୍ସିର ପୂର୍ବତନ ସଦସ୍ୟ ନରୋତ୍ତମ ବାରିକ। ଏଠାରେ ଲୋଡିଂ କାମରେ ଟନ୍‌ ପିଛା ୬୦ ଟଙ୍କା ଦୁର୍ନୀତି ହେଉଥିଲା। ଏ ସମ୍ପର୍କରେ ଯିଏ ମୁହଁ ଖୋଲୁଥିଲା, ତାଙ୍କୁ ମିଛ କେସ୍‌ରେ ଫସାଇ ଦିଆଯାଉଥିଲା। ସେଥିପାଇଁ ସମସ୍ତେ ଭୟଭୀତ ଥିଲେ। ଇଓଡବ୍ଲ୍ୟୁ ତଦନ୍ତ ଆଗକୁ ବଢ଼ିଲେ ଏହାର ଗୁମର ଖୋଲିବ ବୋଲି ଶ୍ରୀ ବାରିକ କହିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.