Breaking News

ଗଫ୍‌ଙ୍କୁ ବିଦାକଲେ ବଡୋସା: ସେମିରେ ଜୋକୋଭିକ୍‌-ଜେରେଭ ଲଢ଼େଇ

ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଜର୍ମାନୀର ଆଲେକ୍‌ଜାଣ୍ଡାର୍ ଜେରେଭଙ୍କ ବିଜୟ ଅଭିଯାନ ଜାରି ରହିଛି। ନିଜ ଘଟଣା ବହୁଳ ଖେଳ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁକାବିଲାରେ ମଙ୍ଗଳବାର ଆମେରିକାର

ମେଲବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଜର୍ମାନୀର ଆଲେକ୍‌ଜାଣ୍ଡାର୍ ଜେରେଭଙ୍କ ବିଜୟ ଅଭିଯାନ ଜାରି ରହିଛି। ନିଜ ଘଟଣା ବହୁଳ ଖେଳ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁକାବିଲାରେ ମଙ୍ଗଳବାର ଆମେରିକାର ଟମି ପଲ୍‌ଙ୍କୁ ୭-୬ (୧), ୭-୬ (୦), ୨-୬, ୬-୧ ସେଟ୍‌ରେ ପରାସ୍ତ କରି ଗତ ପାଞ୍ଚବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ସେ।

ରଡ୍ ଲେଭର ଏରିନାରେ ଖେଳାଯାଇଥିବା ଏହି ମାରାଥନ୍ ମୁକାବିଲାର ପ୍ରଥମ ଦୁଇ ସେଟ୍‌କୁ ଦ୍ବିତୀୟ ସିଡ୍ ଜେରେଭ୍ ବହୁକଷ୍ଟରେ ଟାଇବ୍ରେକର୍‌ରେ ଜିତିଥିଲେ। ପୁଣି ତୃତୀୟ ସେଟ୍‌ରେ ଦ୍ବାଦଶ ସିଡ୍ ପଲ୍‌ଙ୍କଠାରୁ  ହାରି ଯାଇଥିଲେ। ତେବେ ନିର୍ଣ୍ଣାୟକ ଚତୁର୍ଥ ସେଟ୍‌ରେ ପୂରା ଆଧିପତ୍ୟ ବିସ୍ତାର କରି ପୁରୁଷ ଏକକର ପ୍ରଥମ ଖେଳାଳିଭାବେ ସେମିଫାଇନାଲ୍‌‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ସେମିଫାଇନାଲ୍‌ରେ ସେ ରେକର୍ଡ ଗ୍ରାଣ୍ଡ ସ୍ଲାମ୍ ବିଜୟ ଲକ୍ଷ୍ୟରେ ଥିବା ସର୍ବିୟାର କିଂବଦନ୍ତି ତାରକା ନୋଭାକ ଜୋକୋଭିକଙ୍କୁ ଭେଟିବେ। ୨୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଜୋକୋଭିକ୍‌ ୪-୬, ୬-୪, ୬-୩, ୬-୪ ସେଟ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍‌ର କାର୍ଲୋସ୍ ଆଲ୍‌କାରାଜଙ୍କୁ ପରାସ୍ତ କରିଛନ୍ତି। ୪ ଗ୍ରାଣ୍ଡ ସ୍ଲାମ୍‌ ଓ ଗତ ଦୁଇ ୱିମ୍ବଲଡନ୍‌ ଫାଇନାଲ୍‌ରେ ଜୋକୋଭିକ୍‌ଙ୍କୁ ହରାଇଥିବା ଆଲ୍‌କାରାଜ ପ୍ରଥମ ସେଟ୍‌କୁ ଜିତି ନେଇଥିଲେ। ହେଲେ ପରବର୍ତ୍ତୀ ୩ ସେଟ୍‌ ସପ୍ତମ ମାନ୍ୟତାପ୍ରାପ୍ତ ଜୋ‌କୋଭିକ୍‌ ଜିତି ଆଲ୍‌କାରାଜଙ୍କ ପ୍ରଥମ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟ ଆଶା ଭାଙ୍ଗି ଦେଇଥିଲେ।

ମହିଳା ଏକକରେ ସ୍ପେନ୍‌ର ପାଓଲା ବଡୋସା ୭-୫, ୬-୪ରେ ଆମେରିକାର କୋକୋ ଗଫ୍‌ଙ୍କୁ ହରାଇ ସେମିଫାଇନାଲ୍ ଟିକେଟ ହାସଲ କରିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ସେ ମିଫାଇନାଲ୍ ପ୍ରବେଶ। ସେମିଫ‌ାଇନାଲ୍‌ରେ ସେ ଗତଥରର ଟାଇଟଲ୍ ବିଜୟିନୀ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ଭେଟିବେ। ସାବାଲେଙ୍କା ମଙ୍ଗଳବାରର ଅନ୍ୟଏକ କ୍ବାର୍ଟରଫାଇନାଲ୍ ମ୍ୟାଚ୍‌ରେ ପଡ଼ୋଶୀ ରୁଷିଆର ଆନାସ୍ତାସିଆ ପାଭଲୁଚେଙ୍କୋଭାଙ୍କୁ ୬-୨, ୨-୬, ୬-୩ ସେଟ୍‌ରେ ହରାଇଛନ୍ତି।

କ୍ବାର୍ଟରରୁ ବିଦାହେଲେ ବୋପାନ୍ନା-ଝାଙ୍ଗ
ମିଶ୍ରିତ ଯୁଗଳ କ୍ବାର୍ଟରରେ ଭାରତୀୟ ତାରକା ରୋହନ ବୋପାନ୍ନା ଓ ଚୀନର ସୁଇ ଝାଙ୍ଗ ୱାଇଲ୍‌ଡ କାର୍ଡଧାରୀ ଜନ୍ ପିଅର୍ସ ଓ ଓଲିଭିଆ ଗଡେକିଙ୍କଠାରୁ ୬-୨, ୪-୬, ୯-୧୧ରେ ହାରି ଯାଇଛନ୍ତି। ଫଳରେ ଭାରତୀୟ ଅଭିଯାନ ‌‌ଶେଷ ହୋଇଛି। ଏକ ଘଣ୍ଟା ୮ ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ବୋପାନ୍ନା ଓ ଝାଙ୍ଗ ପ୍ରଥମ ଦୁଇ ସେଟ୍ ସୁଦ୍ଧା ବରାବର ସ୍ଥିତିରେ ଥିଲେ। ତେବେ ତୃତୀୟ ସେଟ୍‌ରେ ଜୋର୍‌ଦାର ଲଢ଼େଇ କରିବା ସତ୍ତ୍ବେ ସୁପର୍‌ ଟାଇବ୍ରେକ୍‌ରେ ହାରି ସେମିଫାଇନାଲ୍ ଖେଳିବା ସୁଯୋଗରୁ ବଞ୍ଚିତ ହୋଇଥିଲେ। ଏହା ପୂର୍ବରୁ ବୋପାନ୍ନା ପୁରୁଷ ଯୁଗଳରୁ ହାରି ସାରିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ସୁମିତ ନଗଲ ପୁରୁଷ ଏକକ, ୟୁକି ଭାମ୍ବ୍ରି ଓ ଏନ୍ ଶ୍ରୀରାମ ପୁରୁଷ ଯୁଗଳରୁ ବିଦାୟ ନେଇ ସାରିଛନ୍ତି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.