Breaking News

ଗାଁଠୁ ସହର ସବୁଠି ଏଟିଏମ୍ କମିଲା: ୫ ବର୍ଷରେ ବଦଳିଗଲା ଚିତ୍ର

ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଅଟୋମେଟେଡ୍‌ ଟେଲର ମେସିନ୍‌ (ଏଟିଏମ୍‌) ବ୍ୟବହାରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏଟିଏମ୍ ସଂଖ୍ୟା ହ୍ରାସ ପାଇଛି।

ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଅଟୋମେଟେଡ୍‌ ଟେଲର ମେସିନ୍‌ (ଏଟିଏମ୍‌) ବ୍ୟବହାରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏଟିଏମ୍ ସଂଖ୍ୟା ହ୍ରାସ ପାଇଛି। ସଂସଦରେ ଉସ୍ଥାପନ କରାଯାଇଥିବା ତଥ୍ୟ ଏହା କହୁଛି। ବର୍ଷକ ପୂର୍ବେ ଦେଶରେ ୨,୫୭,୯୪୦ ଏଟିଏମ୍ ଥିଲା। ଚଳିତ ବର୍ଷ ‌ସେପ୍ଟେମ୍ବର ୩୦ ସୁଦ୍ଧା ସେହି ସଂଖ୍ୟା ୨,୫୫,୦୭୮କୁ ହ୍ରାସ ପାଇଛି।

୫ ବର୍ଷରେ ବଦଳିଗଲା ଚିତ୍ର
ଏଟିଏମ୍ ସଂଖ୍ୟା ୨,୫୫,୦୭୮କୁ ହ୍ରାସ
ୟୁପିଆଇ କାରବାର ୨୫ ଗୁଣା ବୃଦ୍ଧି

ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟା ସର୍ବାଧିକ କମ୍ ହୋଇଛି। ଗ୍ରାମାଞ୍ଚଳ ଏଟିଏମ୍ ସଂଖ୍ୟା ୨.୨ ପ୍ରତିଶତ ହ୍ରାସ ପାଇ ୫୪,୧୮୬କୁ ଖସିଆସିଛି। ମେଟ୍ରୋ ଭଳି ବଡ଼ ସହରଗୁଡ଼ିକରେ ଏଟିଏମ୍ ସଂଖ୍ୟା ୧.୬ ପ୍ରତିଶତ ହ୍ରାସ ପାଇ ୬୭,୨୨୪ ରହିଯାଇଛି। ଏଟିଏମ୍ ବନ୍ଦ ହେବା କାରଣ ସମ୍ପର୍କରେ ସରକାରୀ ବ୍ୟାଙ୍କଗୁଡ଼ିକ ସରକାରଙ୍କୁ ବିଭିନ୍ନ କାରଣ ଦର୍ଶାଇଛନ୍ତି। ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ, ଏଟିଏମ୍‌ ଚଳାଇବା ବାଣିଜ୍ୟିକ ଦୃଷ୍ଟିକୋଣରୁ ଲାଭଦାୟକ ନ ହେବା, ଏଟିଏମ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବା, ବ୍ୟବହାର କମ୍ ହେବା ଆଦି କାରଣ ଲାଗି ଏଟିଏମ୍ କମ ହେଉଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ସୂଚନା‌ ଦେଇଛନ୍ତି।

ବ୍ୟାଙ୍କଗୁଡ଼ିକ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ୟୁପିଆଇ କାରବାର ବ୍ୟାପକ ହୋଇଥିବା ବେଳେ କାର୍ଡକୁ ପେମେଣ୍ଟର ମାଧ୍ୟମ ଭାବେ ବ୍ୟବହାର କରାଯାଉଥିବାରୁ ନଗଦ ରାଶିର ଚାହିଦା କମ୍ ହୋଇଛି। ତେଣୁ ଲୋକମାନଙ୍କୁ ଟଙ୍କା ଉଠାଇବା ଲାଗି ଏଟିଏମ୍ ଦୌଡ଼ିବାକୁ ପଡ଼ୁନାହିଁ। ଚା’ ପିଇବାଠାରୁ ଆରମ୍ଭ କରି ମଲ୍‌ରେ ସପିଂ ପର୍ଯ୍ୟନ୍ତ ସବୁ କାମରେ ଲୋକମାନେ ୟୁପିଆଇ ବ୍ୟବହାର କରିପାରୁଛନ୍ତି। ମନ୍ତ୍ରୀ ଶ୍ରୀ ଚୌଧୁରୀ ଜଣାଇଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୟୁପିଆଇ କାରବାର ୨୫ ଗୁଣା ବଢ଼ିଛି। ୨୦୧୮-୧୯ରେ ମାତ୍ର ୫୩୫ କୋଟି ଟଙ୍କାର ୟୁପିଆଇ କାରବାର ହୋଇଥିଲା। ୨୦୨୩-୨୪ରେ ତାହା ୧୩,୧୧୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୪-୨୫ରେ ସେପ୍ଟେମ୍ବର ୨୪ ସୁଦ୍ଧା ୧୨୨ ଲକ୍ଷ କୋଟି ଟଙ୍କାର ୟୁପିଆଇ କାରବାର ହୋଇଛି।
ସୌଜନ୍ୟ-ସମ୍ୱାଦ

Comments are closed.