Breaking News

ଗାଡ଼କଣ ଟିଟିଏସ୍‌ ବୁଲିଲେ: ମନ୍ତ୍ରୀଙ୍କ ନାକରେ ପଶିଗଲା ଦୁର୍ଗନ୍ଧ

‘ଗାଡ଼କଣ ଟିଟିଏସ୍‌ରେ ବାୟୋ-କଲଚର ପ୍ରୟୋଗ ହେଉଛି। ଯାହାକି ଖାଦ ପ୍ରକ୍ରିୟାକୁ ତୀବ୍ର କରିବା ସହ କୌଣସି ପ୍ରକାର ଦୁର୍ଗନ୍ଧରୁ ବଞ୍ଚିତ କରୁଛି।’ ଡିସେମ୍ବର ୩ ତାରିଖରେ ବିଧାନସଭାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ...

ଚନ୍ଦ୍ରଶେଖରପୁର: ‘ଗାଡ଼କଣ ଟିଟିଏସ୍‌ରେ ବାୟୋ-କଲଚର ପ୍ରୟୋଗ ହେଉଛି। ଯାହାକି ଖାଦ ପ୍ରକ୍ରିୟାକୁ ତୀବ୍ର କରିବା ସହ କୌଣସି ପ୍ରକାର ଦୁର୍ଗନ୍ଧରୁ ବଞ୍ଚିତ କରୁଛି।’ ଡିସେମ୍ବର ୩ ତାରିଖରେ ବିଧାନସଭାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଏଭଳି ଉତ୍ତର ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ମଞ୍ଜି ବୁଣିଥିଲା। ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିଲେ। କାଳେ ସେମାନଙ୍କ ଆକ୍ରୋଶ ବଢ଼ିବ ତାହାକୁ ନଜରରେ ରଖି ମନ୍ତ୍ରୀ ଶ୍ରୀ ମହାପାତ୍ର ଆଜି ସଦଳବଳେ ଟିଟିଏସ୍‌ରେ ପହଞ୍ଚିଯାଇ ସ୍ଥିତି ପରଖିଥିଲେ। ମନ୍ତ୍ରୀଙ୍କ ପାଇଁ ରାସ୍ତାଠାରୁ ଟିଟିଏସ୍‌ରୁ ବାହାରୁଥିବା ଆବର୍ଜନା ପାଣି ପର୍ଯ୍ୟନ୍ତ ବ୍ଲିଚିଂ ପକାଯାଇଥିଲା। ଟିଟିଏସ୍‌ ଭିତରେ ରଙ୍ଗ ଦିଆଯାଇଥିଲା। ଦୁର୍ଗନ୍ଧ ଓ ଆବର୍ଜନା ଯେପରି ମନ୍ତ୍ରୀଙ୍କ ନାକରେ ନ ବାଜିବ ଦୃଷ୍ଟି ଦିଆଯାଇଥିଲା। ତା’ସତ୍ତ୍ବେ ମଧ୍ୟ ମନ୍ତ୍ରୀଙ୍କ ନାକରେ ବାଜିଥିଲା ଭଣଭଣ ଗନ୍ଧ। ମନ୍ତ୍ରୀ ନାକ ‌ଟେକି କହିଲେ, ଯେତେଶୀଘ୍ର ସମ୍ଭବ ଏହାର ସ୍ଥାୟୀ ସମାଧାନ କର।

ଡ୍ରେନ୍‌କୁ ଯାଉଥିବା ଆବର୍ଜନା ପାଣି ବନ୍ଦ କରିବାକୁ ନିର୍ଦ୍ଦେଶ
ଘେରିଲେ ଅଞ୍ଚଳବାସୀ, ମେୟରଙ୍କ ସହ ଯୁକ୍ତିତର୍କ

ଭୁବନେଶ୍ବରରେ ପରିମଳ ପରିଚାଳନା କିପରି ଚାଲିଛି ଏବଂ ଟିଟିଏସ୍‌ରେ ସହରର ଅଳିଆ କିପରି ପ୍ରକ୍ରିୟାକରଣ ହେଉଛି ତାହାର ଏକ ନକ୍ସା ବିଏମ୍‌ସି ଡେପୁଟି କମିସନର ମନୋରଞ୍ଜନ ସାହୁ ପ୍ରଥମେ ମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ। ଗୋଟି ଗୋଟି କରି ପ୍ରତିଟି ବିଷୟ ବୁଝିବା ପରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଅଳିଆ ପଡ଼ୁଥିବା ସ୍ଥାନ, ପ୍ରକ୍ରିୟାକରଣ ପାଇଁ ଲାଗିଥିବା ମେସିନ୍‌, ସେଠାରୁ ବାହାରୁଥିବା ଆବର୍ଜନା ପାଣି ଆଦି ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଅସନ୍ତୋଷ ଝାଡ଼ିଥିଲେ। ଟିଟିଏସ୍‌ରୁ ବାହାରୁଥିବା ଆବର୍ଜନା ପାଣି ଯେପରି ଆସନ୍ତାକାଲିଠାରୁ ଡ୍ରେନ୍‌ରେ ନ ମିଶିବ ସେଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଆବଶ୍ୟକ ପଡ଼ିଲେ ସିଧାସଳଖ ମେସିନ୍‌ ଲଗାଇ ସେଠାରୁ ଆବର୍ଜନା ପାଣିକୁ ନେଇଯିବାକୁ କହିଥିଲେ। ମାସକ ଭିତରେ ଏହାର ସ୍ଥାୟୀ ସମାଧାନ କରିବାକୁ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
କେବେ ସୁଦ୍ଧା ଅଳିଆ ଶେଷ ହେବ ସେନେଇ ମନ୍ତ୍ରୀ ପ୍ରଶ୍ନ କରିବା ପରେ ଅଧିକାରୀମାନେ ଥତମତ ହୋଇଯାଇଥିଲେ। କିଛି ସମୟ ଭାବି କହିଥିଲେ ଯେ ଆସନ୍ତାବର୍ଷକୁ ସବୁ କିଛି ସମାଧାନ ହୋଇଯିବ। ଯେତିକି ଅଳିଆ ପଡ଼ିବ ସେ‌ତିକି ଉଠିଯିବ। ଏଠାରେ ରହିବନି କି ଆଉ ଦୁର୍ଗନ୍ଧ ହେବନି। ଏହି ସମୟରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ସ୍ଥାୟୀ ନିରାକରଣ କରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ଉପସ୍ଥିତ ଥିବା ଭୁବନେଶ୍ବର ସୁଲୋଚନା ଦାସଙ୍କୁ ମଧ୍ୟ ଗାଡ଼କଣ ଗ୍ରାମବାସୀ ଛାଡ଼ି ନ ଥିଲେ। ପୂର୍ବ ସରକାରଙ୍କ ଅପରାଗତାକୁ ଦୋଷ ଦେବାରୁ ଅଞ୍ଚଳବାସୀ ଓ ମେୟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ମନ୍ତ୍ରୀଙ୍କ ଗସ୍ତ ସମୟରେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ଶ୍ରୀମତୀ ଦାସ, କମିସନର ଶ୍ରୀ ପାଟିଲ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ବିଳାଶ କୁମାର ବେହେରାଙ୍କ ସମେତ କର୍ପୋରେଟରମାନେ ଉପସ୍ଥିତ ଥିଲେ।
ଖାଇଲେନି କି ପିଇଲେନି
ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ଗସ୍ତ ଅବସରରେ ଟିଟିଏସ୍‌ ପରିସରରେ ଖାଦ୍ୟ ପାନୀୟର ବ୍ୟବସ୍ଥା ହୋଇଥିଲା। ସମ୍ପୂର୍ଣ୍ଣ ଟିଟିଏସ୍‌ ବୁଲିବା ପରେ ଏହା ପରିସରରେ ଥିବା ଏସି ‌ରୁମ୍‌ରେ ଅତିଥିମାନେ ବସିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଚା’, ପାଣି, ଜଳଖିଆ ଦିଆଯାଇଥିଲା। ମାତ୍ର ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ତାହାକୁ ଗ୍ରହଣ କରି ନ ଥିଲେ। ଏମିତିକି ଚା’ ପିଇବାକୁ ଦିଆଯାଇଥିଲେ ମଧ୍ୟ ସମସ୍ତେ ମନା କରିଦେଇଥିଲେ।

ସହରରୁ ବାହାରୁଛି ୮୦୦ ମେଟ୍ରିକ୍‌ ଟନ୍‌ ବର୍ଜ୍ୟ

ସମସ୍ତ ନୀତି ନିୟମ ଅନୁଯାୟୀ ୱିଣ୍ଡ୍ରୋସ୍‌ ପ୍ରଣାଳୀରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେଉଛି। ଏନ୍‌ଜିଟି ନିର୍ଦ୍ଦେଶ ଅନୁଯାୟୀ ୨୦୨୩ ମେ’ ୧୭ରୁ ଭୁଆଶୁଣୀଠାରେ ବର୍ଜ୍ୟବସ୍ତୁ ପକାଇବା ବନ୍ଦ ହୋଇଛି। ବର୍ତ୍ତମାନ ବିଏମ୍‌ସି ଅଞ୍ଚଳରୁ ଦୈନିକ ୮୦୦ ମେଟ୍ରିକ୍‌ ଟନ୍‌ ବର୍ଜ୍ୟ ସଂଗ୍ରହ ହେଉଛି। ସେଥିରୁ ୩୮୪ ଟନ୍‌ ଓଦା ବର୍ଜ୍ୟ ଏବଂ ୪୧୬ ଟନ୍‌ ଶୁଖିଲା ବର୍ଜ୍ୟବସ୍ତୁ ରହିଛି। ବିଏମ୍‌ସିର ୩୭ଟି ଏମ୍‌ସିସିରେ ପ୍ରାୟ ୧୨୦ ଟନ୍‌ ଓଦା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେଉଥିବା ବେଳେ ୨୨ଟି ଏମ୍‌ଆରଏଫ୍‌ରେ ୧୩୦ ମେ‌ଟ୍ରିକ୍‌ ଟନ୍‌ ଶୁଖିଲା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେଉଛି। ଦୈନିକ ଟିଟିଏସ୍‌ରେ ୫୫୦ ମେଟ୍ରିକ୍‌ ଟନ୍‌ରୁ ଅଧିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହୋଇଥାଏ। ସେଥିରୁ ପ୍ରାୟ ୨୫୦ ଟନ୍‌ରୁ ୩୦୦ ମେଟ୍ରିକ୍‌ ଟନ୍‌ ଓଦା ବର୍ଜ୍ୟବସ୍ତୁ ‌ୱିଣ୍ଡ୍ରୋ ପଦ୍ଧତି ମାଧ୍ୟମରେ ପ୍ରକ୍ରିୟାକରଣ କରାଯାଏ। ପୁନଃଚକ୍ରଣ ଅଯୋଗ୍ୟ ବର୍ଜ୍ୟବସ୍ତୁକୁ ଆରଡିଏଫ୍‌ ଭାବରେ ବ୍ୟବହାର କରାଯାଉଛି। ୨୦୨୩ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ୧.୫୦ ଲକ୍ଷ ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହୋଇଛି। ସେଥିମଧ୍ୟରୁ ଏକ ଲକ୍ଷ ମେଟ୍ରିକ୍‌ ଟନ୍‌ ଆରଡିଏଫ୍‌ ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାକୁ ଦିଆଯାଇଛି।

ସୌଜନ୍ୟ-ସମ୍ୱାଦ

Comments are closed.