Breaking News

ଗାଡ଼କଣ ଟିଟିଏସ୍‌ ସ୍ଥାନାନ୍ତର ହେଲା ନାହିଁ: ହଟିବେ ୧୧ ପରିବାର

ମାସ ପରେ ମାସ ଗଡ଼ିଚାଲିଛି। ଜଣଙ୍କ ପରେ ଜଣେ ବିଏମ୍‌ସି କମିସନର ଆସି ପ୍ରତିଶ୍ରୁତି ଦେଇଯାଉଛନ୍ତି। କିଏ ପାର୍କ କରିବାକୁ ତ ଆଉ କିଏ ଗଦା ହୋଇଥିବା ଶହ ଶହ ଟନ୍‌ ଆବର୍ଜନା ଶେଷ କରିଦେବେ ବୋଲି କହୁଛନ୍ତି।

ଚନ୍ଦ୍ରଶେଖରପୁର: ମାସ ପରେ ମାସ ଗଡ଼ିଚାଲିଛି। ଜଣଙ୍କ ପରେ ଜଣେ ବିଏମ୍‌ସି କମିସନର ଆସି ପ୍ରତିଶ୍ରୁତି ଦେଇଯାଉଛନ୍ତି। କିଏ ପାର୍କ କରିବାକୁ ତ ଆଉ କିଏ ଗଦା ହୋଇଥିବା ଶହ ଶହ ଟନ୍‌ ଆବର୍ଜନା ଶେଷ କରିଦେବେ ବୋଲି କହୁଛନ୍ତି। କେହି କେହି ସମ୍ପୂର୍ଣ୍ଣ ଅଳିଆ ସ୍ଥାନାନ୍ତର କରିଦେବାକୁ ଘୋଷଣା କରୁଛନ୍ତି। ଏମିତିରେ ଗୋଟିଏ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଡ଼କଣ ଟିଟିଏସ୍‌ରୁ କାଣିଚାଏ ମଧ୍ୟ ଶେଷ ହୋଇ ନାହିଁ। ବରଂ ଦିନକୁ ଦିନ ଓସାର ବଢ଼ିଚାଲିଛି। ସୈନିକ ସ୍କୁଲରୁ ଜାଗା ନେଇ ଟିଟିଏସ୍‌ ସ୍ଥାନାନ୍ତର ହେବା ପରେ ମଧ୍ୟ ବିଏମ୍‌ସି ଅଧିକାରୀଙ୍କ ମନ ବୁଝି ନାହିଁ। ଏବେ ଅଳିଆ ଗଦାକୁ ଲାଗି ରାସ୍ତାପାର୍ଶ୍ବରେ ଘର କରି ରହୁଥିବା ବସ୍ତିବାସିନ୍ଦାଙ୍କୁ ହଟାଇବାକୁ ବିଏମ୍‌ସି ରୀତିମତ ଯୋଜନା ପ୍ରସ୍ତୁତ କରିଛି। କେଉଁମାନଙ୍କୁ କେଉଁଠାରୁ ସ୍ଥାନାନ୍ତର କରାଯିବ ତାହାର ତା‌ଲିକା ମଧ୍ୟ ପ୍ରସ୍ତୁତ ସରିଛି। ଅଳିଆ ଗଦାରୁ ବୋତଲ ସାଉଁଟି ଜୀବନଜୀବିକା ନିର୍ବାହ କରୁଥିବା ଏହି ବସ୍ତିବାସିନ୍ଦାଙ୍କ ଭବିଷ୍ୟତକୁ ବିଚାର ନକରି ଉଠାଇବାକୁ ନିଷ୍ପତ୍ତି ହୋଇଛି। ଏହା ପାଖରେ ବସବାସ କରୁଥିବା ୧୧ ପରିବାରକୁ ଇତିମଧ୍ୟରେ ଚିହ୍ନଟ କରାଯାଇସାରିଛି। ସୁବିଧା ଦେଖି ସମସ୍ତ ପରିବାରକୁ ବିଏମ୍‌ସି ପକ୍ଷରୁ ନିର୍ମାଣ ହୋଇଥିବା ଆବାସ ସ୍ଥଳକୁ ନିଆଯିବ ବୋଲି ଜଣାପଡ଼ିଛି।

ସପ୍ତାହରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଟିଟିଏସ୍‌ ଗସ୍ତ ସମୟରେ ବସ୍ତିବାସିନ୍ଦାଙ୍କୁ ହଟାଇବା ଉପରେ ଗୁରୁତ୍ବ ଦେଇଥିଲେ। କୌଣସି ପରିସ୍ଥିତିରେ ‌ଅଳିଆ ଗଦା ନିକଟରେ ଲୋକଙ୍କୁ ରଖି ସେମାନଙ୍କ ବିପଦରେ ପକା ନଯାଉ। ଯେତେଶୀଘ୍ର ସମ୍ଭବ ସେମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇ ସେହି ଜାଗାକୁ ଟିଟିଏସ୍‌ ସହ ସାମିଲ କରିବାକୁ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଗସ୍ତ ସମୟରେ ନିର୍ଦ୍ଦେଶ ଦେଇଥିଲେ। ବିଏମ୍‌ସି କମିସନର ଶ୍ରୀ ପାଟିଲ ମଧ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ସଙ୍ଗେ ସଙ୍ଗେ ତଳିଆ କର୍ମଚାରୀଙ୍କୁ କହିଥିଲେ। ଯୋଜନା ମୁତାବକ ଅଳିଆ ଗଦା ନିକଟରେ ଥିବା ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ। ତା’ପୂର୍ବରୁ ଆବଶ୍ୟକ ହେଲେ ସେମାନଙ୍କୁ ଟ୍ରାଞ୍ଜିଟ୍‌ ହାଉସ୍‌ରେ ରଖିବାକୁ ନିଷ୍ପତ୍ତି ହୋଇଛି। ଆବାସ ଯୋଜନା‌ରେ ନିର୍ମାଣ ହୋଇଥିବା ଘର ଶେଷ ହେବା ପରେ ସେମାନଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ।

ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ନିଷ୍ପତ୍ତି ପରେ ଏବେ ଉଚ୍ଛେଦ ହେବାକୁ ଥିବା ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେମାନଙ୍କ କହିବା କଥା ହେଉଛି ଯେ ଅଳିଆ ଗଦାରୁ ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କରି ସେଥିରୁ ମିଳୁଥିବା ଅର୍ଥରେ ଦୈନିଦିନ ଜୀବନ ଅତିବାହିତ କରିଥାଉ। ଏଠାରୁ ହଟାଇ ଦିଆଯିବା ଦ୍ବାରା କାହାର କ’ଣ ଲାଭ ହେବ ଆମେ ଜାଣିନୁ। ମାତ୍ର ୧୧ ପରିବାରର ରୋଜଗାର ଏକପ୍ରକାର ବନ୍ଦ ହୋଇଯିବ। ଟ୍ରାଞ୍ଜିଟ୍‌ ହାଉସ୍‌ରେ ରଖାଯିବା ଦ୍ବାରା ସେଠାରୁ ଆଜି ଏଠାରେ ବୋତଲ ସଂଗ୍ରହ କରିବା ସମ୍ଭବପର ନୁହେଁ। ନିକଟସ୍ଥ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେବ। ସମ୍ପୂର୍ଣ୍ଣ ସ୍ଥାନାନ୍ତର ପରିବର୍ତ୍ତେ ଯଦି ସମ୍ଭବ ତାହା ହେଲେ କିଛି ଦିନ ପାଇଁ ନିକଟରେ କୌଣସି ସ୍ଥାନରେ ରଖାଯାଉ। ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ କହିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.