Breaking News

ଗାଦି ମାଡ଼ି ବସିଛନ୍ତି ଇଞ୍ଜିନିୟର: ବିଏମ୍‌ସିରେ ୪୨ ପଦ ଖାଲି ପଡ଼ିଛି, ଜଣଙ୍କ ଭାଗରେ ୧୦ ୱାର୍ଡ

କେବଳ ପୌର ଆଇନ ନୁହେଁ, ବରଂ ସରକାର ମଧ୍ୟ ବିଭିନ୍ନ ସମୟରେ ଗାଦିମଡ଼ାଙ୍କୁ ବିଦା କରିବାକୁ ଚିଠି ଲେଖି ତାଗିଦ କରିଛନ୍ତି। ହେଲେ ବିଏମ୍‌ସି ଏଥିରୁ ବାଦ୍‌ ପଡ଼ିଛି। ବିଏମ୍‌ସି ଇଞ୍ଜିନିୟରଙ୍କୁ ବିଦା କରୁନି ତା’ ନୁହେଁ....

ଭୁବନେଶ୍ବର: କେବଳ ପୌର ଆଇନ ନୁହେଁ, ବରଂ ସରକାର ମଧ୍ୟ ବିଭିନ୍ନ ସମୟରେ ଗାଦିମଡ଼ାଙ୍କୁ ବିଦା କରିବାକୁ ଚିଠି ଲେଖି ତାଗିଦ କରିଛନ୍ତି। ହେଲେ ବିଏମ୍‌ସି ଏଥିରୁ ବାଦ୍‌ ପଡ଼ିଛି। ବିଏମ୍‌ସି ଇଞ୍ଜିନିୟରଙ୍କୁ ବିଦା କରୁନି ତା’ ନୁହେଁ, କିନ୍ତୁ କେବଳ ନିଜ ଉପରକୁ ବିପଦ ଆସିବା ଆଶଙ୍କା ହେଲେ ତା’ ପୂର୍ବରୁ ବିଦା କରିଦିଆଯାଉଛି। ଗୋଟିଏ ଜାଗାରେ ବହୁ ବର୍ଷ ରହିଥିବା କାରଣ ଦେଖାଉଛି। କିନ୍ତୁ ଆଉ ଯେଉଁ ଇଞ୍ଜିନିୟର ୨୦ ବର୍ଷ ଧରି ରହିଲେଣି ତାଙ୍କ କଥା ଉଠିଲେ ଉଭୟ ମେୟର ଓ କମିସନର ନିରବ ରହୁଛନ୍ତି। ମଞ୍ଜୁରି ପାଇଥିବା ପଦରୁ ଏବେ ୪୨ଟି ଖାଲି ପଡ଼ିଛି। ଫଳରେ ଜଣେ ଜଣେ ଇଞ୍ଜିନିୟର ପିଛା ୧୦ ୱାର୍ଡ ଭାଗ ପଡ଼ୁଥିବାରୁ ଗୋଟିଏ ହେଲେ କାମ ଦେଖିବାକୁ କେହି ଯାଉନାହାନ୍ତି। ଫଳରେ କୌଣସି କାର୍ଯ୍ୟ ଉତ୍ତମମାନର ହୋଇପାରୁ ନାହିଁ।

ଗୋଟିଏ ପଟେ ବିଏମ୍‌ସି କୋଟି କୋଟି ଟଙ୍କା ବ୍ୟୟ କରି ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ବେଳେ, ନିମ୍ନମାନର କାମ ଯୋଗୁ ଫଳ ଭୋଗୁଛନ୍ତି ରାଜଧାନୀବାସୀ। ଗତ ୨୦୨୩ ମସିହା ଅଗଷ୍ଟ ୩୧ ତାରିଖରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଚିଠି ମୁତାବକ, ବିଏମ୍‌ସି ଅଞ୍ଚଳରେ ହେଉଥିବା ସମସ୍ତ ରାସ୍ତା ଓ  କୋଠାବାଡ଼ି କାମ ପାଇଁ ସିଟି ଇଞ୍ଜିନିୟରଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗରୁ ଆସିବେ। ନଳା କାମ ପାଇଁ ଜଳସମ୍ପଦ ବିଭାଗରୁ ଯନ୍ତ୍ରୀ ଆସିବେ। ଇଲେକ୍ଟ୍ରିକାଲ୍‌ ସେକ୍ସନକୁ ଶକ୍ତିବିଭାଗରୁ ଆସିବେ। କେବଳ ସାନିଟେସନ ବା‌ ପରିମଳ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗରୁ ଆସିବେ। ଏବେ ବିଏମ୍‌ସିରେ ୩୯ ଜଣ ଯନ୍ତ୍ରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ଓଡ଼ିଶା ମୁନିସିପାଲ୍‌ ଇଞ୍ଜିନିୟର ସର୍ଭିସ୍‌ କ୍ୟାଡରର। ଏମାନଙ୍କ ବଦଳି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ କରେ। ଅବଶିଷ୍ଟ ୧୫ ଜଣ ଯନ୍ତ୍ରୀଙ୍କୁ ରାଜ୍ୟ ସରକାର ବିଭିନ୍ନ ବିଭାଗରୁ ପଠାଇଛନ୍ତି।

ବିଏମ୍‌ସିରେ ୪୨ ପଦ ଖାଲି ପଡ଼ିଛି
ଜଣଙ୍କ ଭାଗରେ ୧୦ ୱାର୍ଡ
ନିର୍ମାଣସ୍ଥଳକୁ କେହି ଯାଉନାହାନ୍ତି
ସବୁ କାମ ନିମ୍ନମାନର ଅଭିଯୋଗ

ବିଏମ୍‌ସିରେ ବିଭିନ୍ନ ଉପବିଭାଗରେ ୮୧ ଇଞ୍ଜିନିୟର ପଦ ରହିଛି। ଏହି ୮୧ ପଦରୁ ଏବେ ମାତ୍ର ୩୯ ଜଣ ଅଛନ୍ତି। ୱାର୍କସ୍‌ ସେକ୍ସନ ରାସ୍ତା ଓ କୋଠାବାଡ଼ି ନିର୍ମାଣ କରେ। ଏହି ଉପବିଭାଗରେ ୨୦ଟି ମଞ୍ଜୁରିପ୍ରାପ୍ତ ପଦ ରହିଛି। ଜଣେ ସିଟି ଇଞ୍ଜିନିୟର, ୬ ନିର୍ବାହୀ ଯନ୍ତ୍ରୀ ଓ ୧୩ଟି ସହକାରୀ ନିର୍ବାହୀ ଯନ୍ତ୍ରୀ(ଏଇଇ) ପଦ ରହିଛି। ଏବେ ଏଥିରେ ଜ‌ଣେ ସିଟି ଇଞ୍ଜିନିୟର, ୬ରୁ ୨ ଜଣ ନିର୍ବାହୀ ଯନ୍ତ୍ରୀ ଓ ୧୩ ଟି ଏଇଇ ପଦରୁ ୭ ଜଣ ଅଛନ୍ତି। ବିଏମ୍‌ସିରେ ଭିତ୍ତିଭୂମି ବିକାଶ ବାବଦକୁ ବର୍ଷକୁ ୨୫୦ରୁ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। ଏହାର ସିଂହଭାଗ ୱାର୍କସ୍‌ ସେକ୍ସନ ଅଧୀନରେ ଖର୍ଚ୍ଚହୁଏ। ୬୭ ୱାର୍ଡରେ ବର୍ଷସାରା କାମ ଚାଲିଥାଏ। ଜଣେ ଜଣେ ଇଞ୍ଜିନିୟର ପାଖାପାଖି ୧୦ଟି ୱାର୍ଡର ଦାୟିତ୍ବରେ ଅଛନ୍ତି। ଏଭଳି ଆଳ ଦେଖାଇ ଏମାନେ ଗୋଟିଏ ହେଲେ କାମ ଦେଖିବା ପାଇଁ ଯାଉନଥିବାରୁ ପ୍ରତ୍ୟେକ କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ପରିମଳ ଉପବିଭାଗରେ ୨୯ ପଦରୁ ୧୮ ଜଣ ଅଛନ୍ତି। ବିୁଦ୍ୟତ୍‌ ଉପବିଭାଗ ଅବସ୍ଥା ସାଂଘାତିକ। ୧ ନିର୍ବାହୀ ଯନ୍ତ୍ରୀ, ୧ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ୬ ସହକାରୀ ଯନ୍ତ୍ରୀ ପଦରୁ ଜଣେ ନିର୍ବାହୀଯନ୍ତ୍ରୀ ସମସ୍ତଙ୍କ କାମ କରୁଛନ୍ତି।

ମେକାନିକାଲ୍‌ ଉପବିଭାଗ ଅବସ୍ଥା ତଦ୍ରୂପ। ୧ ନିର୍ବାହୀ ଯନ୍ତ୍ରୀ, ୧ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ୨ ସହକାରୀ ଯନ୍ତ୍ରୀ ପଦରୁ ଜଣେ ହେଲେ ନାହାନ୍ତି। ଯାନବାହନ ଟେଣ୍ଡରକୁ ନେଇ କେଳେଙ୍କାରୀ ଅଭିଯୋଗରେ ନିଜ ଉପରକୁ ବିପଦ ଆସିବା ପୂର୍ବରୁ ରାତି ଅଧିଆ ଏକମାତ୍ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ବଦଳି କରିଦେବା ପରେ ଏହି ଉପବିଭାଗ ମୂରବୀଶୂନ୍ୟ ହୋଇଯାଇଛି। ସମ୍ପୃକ୍ତ ଯନ୍ତ୍ରୀ ଏଠାରେ ୨୭ ବର୍ଷ ରହିଥିବା ଅଭିଯୋଗ ହୋଇଥିଲା। ସେହି ଆଧାରରେ ତାଙ୍କୁ ବଦଳି କରାଯାଇଥିଲା। କିନ୍ତୁ ଏବେ ମଧ୍ୟ ବିଏମ୍‌ସିରେ ଇଞ୍ଜିନିୟର ଗାଦିମାଡ଼ି ବସିଛନ୍ତି। ପ୍ରକାଶ ପ୍ରଧାନ ପ୍ରାୟ ୨୫ ବର୍ଷ ରହିଥିବା ଅଭିଯୋଗ ହୋଇଛି। ଚାପପଡ଼ିବା ପରେ ମଝିରେ ମାସକ ପାଇଁ ବିଭାଗକୁ ବଦଳି ହେବା ପରେ ସେ ପୁଣି ବିଏମ୍‌ସିକୁ ଫେରି ଆସିଛନ୍ତି। ଫେରିବା ପରେ ସେ  ୨୦୧୨ରୁ ଗୋଟିଏ ଜାଗାରେ ରହିଲେଣି। ସରୋଜ ମାହପାତ୍ର, ସଂଗ୍ରାମ ମହାନ୍ତି, ଜଗନ୍ନାଥ ପଟ୍ଟନାୟକ ମଧ୍ୟ ୧୨ବର୍ଷରୁ ଅଧିକ ଦିନ ହେବ ରହିଥିବା ଅଭିଯୋଗ ହୋଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.