Breaking News

ଗାନ୍ଧୀ ଦୃଷ୍ଟି: ଗାନ୍ଧୀଙ୍କ ଦ୍ବିତୀୟ ଆତ୍ମଜୀବନୀ!

୧୯୪୬ ମସିହାରେ ଗାନ୍ଧୀଜୀଙ୍କ ଦୁଇ ଜଣ ବନ୍ଧୁ ତାଙ୍କୁ ଚିଠି ଲେଖି ଅନୁରୋଧ କଲେ, ‘ବାପୁ, ଆପଣ ଆପଣଙ୍କର ଦ୍ବିତୀୟ ଆତ୍ମଜୀବନୀ ଲେଖନ୍ତୁ। ପ୍ରଥମ ଆତ୍ମଜୀବନୀ, ଆନ୍ ଅଟୋବାଇଓଗ୍ରାଫି ଅର୍ ଦି ଷ୍ଟୋରି ଅଫ୍ ମାଇଁ ଏକ୍‌ସପେରିମେଣ୍ଟସ୍ ଉଇଥ୍ ଟ୍ରୁଥ୍’ ଅନେକ ବର୍ଷ ତଳେ ଲେଖିଥିଲେ।

0

ଗୌରାଙ୍ଗ ଚରଣ ପରିଡ଼ା

୧୯୪୬ ମସିହାରେ ଗାନ୍ଧୀଜୀଙ୍କ ଦୁଇ ଜଣ ବନ୍ଧୁ ତାଙ୍କୁ ଚିଠି ଲେଖି ଅନୁରୋଧ କଲେ, ‘ବାପୁ, ଆପଣ ଆପଣଙ୍କର ଦ୍ବିତୀୟ ଆତ୍ମଜୀବନୀ ଲେଖନ୍ତୁ। ପ୍ରଥମ ଆତ୍ମଜୀବନୀ, ଆନ୍ ଅଟୋବାଇଓଗ୍ରାଫି ଅର୍ ଦି ଷ୍ଟୋରି ଅଫ୍ ମାଇଁ ଏକ୍‌ସପେରିମେଣ୍ଟସ୍ ଉଇଥ୍ ଟ୍ରୁଥ୍’ ଅନେକ ବର୍ଷ ତଳେ ଲେଖିଥିଲେ। ପ୍ରଥମ ଆତ୍ମଜୀବନୀ ଯେଉଁଠି ଶେଷ କରିଛନ୍ତି ଦ୍ବିତୀୟ ଆତ୍ମଜୀବନୀ ସେଇଠୁ ଆରମ୍ଭ କରିବେ। ଲେଖିବା ପାଇଁ ଆପଣ ପଣ୍ଡିତ ବିନୋବା ଭାବେ, କିଶୋରଲାଲ ମଶ୍ରୁୱାଲା ଓ କାକା କାଲେଲ୍‌କରଙ୍କ ସାହାଯ୍ୟ ନେଇପାରନ୍ତି।
ବନ୍ଧୁଦ୍ବୟଙ୍କ ପ୍ରସ୍ତାବର ଉତ୍ତରରେ ଗାନ୍ଧୀଜୀ ଏକ ପ୍ରବନ୍ଧ ଲେଖିଥିଲେ ୧୯୪୬ ମସିହା ମାର୍ଚ୍ଚ ୩ ତାରିଖ ‘ହରିଜନ’ ପତ୍ରିକାରେ। ପ୍ରବନ୍ଧର ଶିରୋନାମା ଥିଲା ‘କାର୍ଯ୍ୟ ହିଁ ମୋର ସାମ୍ରାଜ୍ୟ’ (ଆକ୍‌ସନ ଇଜ୍ ମାଇଁ ଡୋମେନ୍‌)’। ନିଜ ଆଲେଖ୍ୟରେ ସତସ୍ତରି ବର୍ଷୀୟ ଗାନ୍ଧୀଙ୍କ ଉତ୍ତର ଥିଲା ଖୁବ୍ ସ୍ପଷ୍ଟ- ‘ସେବା ମୋର ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ।’
ଗାନ୍ଧୀଜୀ ଲେଖିଥିଲେ, ‘ମୁଁ କେବେ ଆତ୍ମଜୀବନୀ ଲେଖି ନ ଥିଲି। ଗୁଜୁରାଟୀ ‘ନବଜୀବନ’ରେ ଧାରାବାହିକ ଭାବେ ମୁଁ ମୋର ଯେଉଁ ଜୀବନ କାହାଣୀ ଲେଖିଥିଲି ତା’ର ନଁା ଥିଲା ସତ୍ୟର ପ୍ରୟୋଗ, ‘ମାଇଁ ଏକ୍‌ସପେରିମେଣ୍ଟସ୍‌ ଉଇଥ୍ ଟ୍ରୁଥ୍’। ୧୯୨୨ରୁ ୧୯୨୪ ମସିହା ପର୍ଯ୍ୟନ୍ତ ୟେରୱାଡ଼ା ଜେଲ୍‌ରେ ବନ୍ଦୀ ଥିବାବେଳେ ମୋର କିଛି ସହବନ୍ଦୀସାଥୀ ମୋତେ ମୋର ଜୀବନ କାହାଣୀ ଲେଖିବାକୁ କହିଥିଲେ। ମୋର ପିଲାବେଳ କଥା କହିବାକୁ ମୁଁ ହିଁ ଉପଯୁକ୍ତ ବୋଲି ତାଙ୍କର ଯୁକ୍ତି ଥିଲା। ମୁଁ କିଛି ଲେଖାମନେ ପକାଇ ଲେଖିଥିଲି। ମୂଳ ଦଣ୍ଡାଦେଶ ଅନୁଯାୟୀ ମୁଁ ପୂରା ୬ ବର୍ଷ ଜେଲ୍‌ରେ ଥିଲେ ଏସବୁ ଲେଖା ସମ୍ପୂର୍ଣ୍ଣ କରି ଦେଇଥାଆନ୍ତି। ଇଂରେଜ ସରକାର କିନ୍ତୁ ମୋତେ ଅଧାରୁ ଜେଲ୍‌ରୁ ବାହାର କରିଦେଲେ। ସାବରମତି ଆଶ୍ରମରେ ମୁଁ ଅବଶିଷ୍ଟ ଲେଖା ଲେଖିଥିଲି ଓ ଏହା ପ୍ରତି ସପ୍ତାହରେ ‘ନବଜୀବନ’ରେ ପ୍ରକାଶ ପାଇଥିଲା। ଇଂରେଜୀରେ ଅନୂଦିତ ହୋଇ ବହିର ଆକୃତି ନେବାରେ ଏହାର ନାମ ‘ଆତ୍ମଜୀବନୀ’ ବା ‘ଆନ୍ ଅଟୋବାଇଓଗ୍ରାଫି’ ରଖାଯାଇଥିଲା। କିନ୍ତୁ ମୋ ସତ୍ୟର ପ୍ରୟୋଗର କାହାଣୀ, ‘ଦି ଷ୍ଟୋରି ଅଫ ମାଇଁ ଏକ୍‌ସପେରିମେଣ୍ଟସ୍ ଉଇଥ୍ ଟ୍ରୁଥ୍’ ନଁା ବି ଥିଲା। ବହିଟିର ଇଂରେଜୀ ଅନୁବାଦ କରିଥିଲେ ମହାଦେବ ଦେଶାଇ ଓ ପ୍ୟାରେଲାଲ୍। ମୀରା ବେନ୍ ବହିର ଅଧ୍ୟାୟ ସଜେଇଥିଲେ। ସିଏଫ୍ ଆଣ୍ଡ୍ରିଉଜ୍ ସମ୍ପାଦିତ ସେ ବହିର ନୂଆ ନଁା ଥିଲା, ‘ମହାତ୍ମା ଗାନ୍ଧୀ, ହିଜ୍ ଓନ୍ ଷ୍ଟୋରି’।
ଗାନ୍ଧୀଜୀ ପୁଣି ଉଲ୍ଲେଖ କରିଥିଲେ, “ମୁଁ ଏବେ ମୋ ସତ୍ୟ ଅନୁସନ୍ଧାନ କଥା ଲେଖିଲେ ଖୁସି ହେବି। ମୋର କିନ୍ତୁ ଏଥିପାଇଁ ସମୟ କିମ୍ବା ଅବସର ବି ନାହିଁ। ଏ ସମୟ ଭିତରେ କାଳାନୁକ୍ରମିକ ଭାବେ ମୋର କାର୍ଯ୍ୟ ଓ ଚିନ୍ତାକୁ ଲିପିବଦ୍ଧ କରି ରଖିନି। ଜୀବନ କାହାଣୀ ଲେଖିବାକୁ ସମୟ ଓ ଘଟଣାରେ ସମନ୍ୱୟ ରହିବା ଦରକାର। ସୁତରାଂ ବହି ଲେଖିବାକୁ ମୋର ସମୟ ନାହିଁ। ଏବେ ପୁଣି ମୁଁ ‘ହରିଜନ’ ପ୍ରକାଶନର ଦାୟିତ୍ୱ ନେଇଛି। ଏହା କିପରି ନିୟମିତ ପ୍ରକାଶ ପାଇବ, ଏହା ମୋର କର୍ତ୍ତବ୍ୟ।’’
ବିନୋବା ଭାବେ, କିଶୋର ଲାଲ ମାଶ୍ରୁୱାଲା ଓ କାକା କାଲେଲ୍‌କରଙ୍କ ଗ୍ରନ୍ଥ ଲେଖିବାରେ ସହାୟତା ନେଇ ଗାନ୍ଧୀଜୀଙ୍କ ଉତ୍ତର ଥିଲା, “କୌଣସି ବଡ଼ ବହି ଲେଖିବାରେ, ସେ ଜୀବନୀ ହେଉ ବା ‘ଅହିଂସାର ବିଜ୍ଞାନ’ ହେଉ, ଏମାନଙ୍କର ଯୋଗ୍ୟତାରେ ସନ୍ଦେହ ନାହିଁ। କିନ୍ତୁ ଏମାନଙ୍କ ପାଖରେ ସମୟ ମଧ୍ୟ ନାହିଁ। ବିନୋବାଙ୍କ ପାଇଁ ସମ୍ପ୍ରତି ପ୍ରତି ମିନିଟ୍ ମୂଲ୍ୟବାନ। ସେ ସେବା କାର୍ଯ୍ୟରେ ବ୍ୟସ୍ତ। କୌଣସି ବହି ଲେଖିବାରେ ସେ ଯେ ସମୟ ଦିଅନ୍ତୁ, ମୁଁ ବି ପସନ୍ଦ କରେନି। ମଶ୍ରୁୱାଲାଙ୍କ ଦେହ ଭଲ ନାହିଁ। ଏବଂ କାକା କାଲେଲକର ସମ୍ପ୍ରତି ‘ଠକ୍‌କର ବାପା’ଙ୍କ ପରି ଭାରତ ଭ୍ରମଣରେ ଅଛନ୍ତି। ଜାତୀୟ ଓ ପ୍ରାଦେଶିକ ଭାଷାର ପ୍ରଚାର ପ୍ରସାରରେ ସେ ଲାଗିଛନ୍ତି। ମୋ କାର୍ଯ୍ୟ ଯେତେବେଳେ ମୋ ପାଇଁ ମୋର ଏକ ଉନ୍ମୁକ୍ତ ସାମ୍ରାଜ୍ୟଟିଏ ହୋଇଯାଇଛି, ସେତେବେଳେ ଆତ୍ମଜୀବନୀ ଲେଖିବାର ଆବଶ୍ୟକତା କ’ଣ’’ ବୋଲି ଗାନ୍ଧୀଜୀଙ୍କ ପ୍ରଶ୍ନ ଥିଲା।
ନିଜ ଜୀବନ କାହାଣୀକୁ ଗାନ୍ଧୀଜୀ କାହିଁକି ଆତ୍ମଜୀବନୀ ନଁା ଦେବାକୁ ଚାହାନ୍ତି ନାହିଁ, ଏପରି ଏକ ପ୍ରଶ୍ନରେ ଗାନ୍ଧୀଜୀଙ୍କ ଉତ୍ତର ଥିଲା, ‘ଆତ୍ମଜୀବନୀ ଲେଖା ଏକ ପାଶ୍ଚାତ୍ୟ ପରମ୍ପରା। ଏହା ପ୍ରାଚ୍ୟ ଜଗତର ଅଭ୍ୟାସ ନୁହେଁ। କିଛି ପଶ୍ଚିମା ବୁଦ୍ଧିଜୀବୀଙ୍କ ନିଜର ଆତ୍ମଜୀବନୀ ଲେଖିବାରେ ବେଶୀ ଆଗ୍ରହ ଥାଏ। ପାଶ୍ଚାତ୍ୟ ପରମ୍ପରାରେ ପ୍ରଭାବିତ ହୋଇ କିଛି ଭାରତୀୟ ଏବେ ନିଜ ଆତ୍ମଜୀବନୀ ଲେଖିଲେଣି।
ଆତ୍ମଜୀବନୀ ନ ଲେଖିବାର ଗାନ୍ଧୀ ଅନ୍ୟ ଏକ କାରଣ ଦେଲେ। କହିଲେ, ‘ମନେ କରନ୍ତୁ ମୁଁ ମୋ ଜୀବନୀରେ ମୋର କିଛି ନୀତି, ଆଦର୍ଶ, ଆଚାର, ଦିନଚର୍ଯ୍ୟା କଥା ଲେଖିଲି। ସତ୍ୟର ଅନ୍ୱେଷଣ ଭିତରେ ସମୟକ୍ରମେ ମୋତେ ସେଥିରେ ପରିବର୍ତ୍ତନ କରିବାକୁ ପଡ଼ିଲା। ନିରଙ୍କୁଶ ସତ୍ୟରେ ପହଂଚିବା ପୂର୍ବରୁ ଅନେକ ପରୀକ୍ଷା ଓ ପ୍ରୟୋଗର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଯେଉଁମାନେ ମୋତେ ଭଲ ପାଇ ମୋ ବିଚାରକୁ ଗ୍ରହଣ କରି ସେମାନଙ୍କ ସିଦ୍ଧାନ୍ତ ଓ ଆଚରଣ ବଦଳେଇ ଥାଆନ୍ତି, ସେମାନେ ନିଶ୍ଚୟ ଦ୍ୱନ୍ଦ୍ୱରେ ପଡ଼ିବେ। ମୁଁ ମୋ ପ୍ରସଂଶକମାନଙ୍କୁ ଭ୍ରମିତ କରିବାକୁ ଚାହେନି।’
ଗାନ୍ଧୀଜୀ ଖୁବ୍ ନିଷ୍ଠାର ସହ ଏ କଥା ବି ସ୍ପଷ୍ଟ କରିଦେଲେ, ‘ମୁଁ ମୋ ଜୀବନ କାହାଣୀ (ଦି ଷ୍ଟୋରି ଅଫ୍ ମାଇଁ ଏକ୍‌ସପେରିମେଣ୍ଟସ୍ ଉଇଥ୍ ଟ୍ରୁଥ୍)ରେ ଯେଉଁ ଘଟଣାର ବର୍ଣ୍ଣନା ଦେଇଛି, ଏସବୁ ସତ। ଯେତେ କଠୋର ଲାଗୁଥିଲେ ବି ମୁଁ କିଛି ଗୁପ୍ତ ରଖିନି କିମ୍ବା କେଉଁ ଘଟଣାକୁ କମ୍ କରି କହିନି। ସାବରମତି ଆଶ୍ରମରେ ଏକ ମୌନବ୍ରତ ଦିନ ଏ ଚିନ୍ତା ମୋ ମନକୁ ଆସିଥିଲା ଯେ ମୁଁ ଯାହା ଲେଖିବି ସେଥିରେ କିଛି ଲୁଚେଇବି ନାହିଁ।’ ଏପରି ଏକ ସ୍ବୀକାରୋକ୍ତି ଗାନ୍ଧୀଜୀ ନିଜ ଜୀବନ କାହାଣୀ ପୁସ୍ତକର ମୁଖବନ୍ଧରେ ମଧ୍ୟ ଉଲ୍ଲେଖ କରଛନ୍ତି।
ବାସ୍ତବରେ ଗାନ୍ଧୀଜୀଙ୍କ ଜୀବନ କାହାଣୀକୁ ଅନେକ ଆତ୍ମଜୀବନୀ ନ କହି ଏକ ସ୍ବୀକାରୋକ୍ତି (କନ୍‌ଫେସନ୍) ଭାବେ ଗ୍ରହଣ କରନ୍ତି; ସେଣ୍ଟ୍ ଅଗଷ୍ଟାଇନ୍ ଓ ଲିଓ ଟଲ୍‌ଷ୍ଟୟଙ୍କ ସ୍ବୀକାରୋକ୍ତି ସହ ତୁଳନା କରନ୍ତି। ଗାନ୍ଧୀଜୀଙ୍କ ଜୀବନ କାହାଣୀ କିନ୍ତୁ ଏ ଦୁଇଟି ଜୀବନ କାହାଣୀଠାରୁ ପୃଥକ୍‌। ଅଗଷ୍ଟାଇନ୍ ତାଙ୍କ ଆତ୍ମଜୀବନୀରେ ଧାର୍ମିକ ଚଳଣି, ରୀତିନୀତି ଓ ଅନ୍ଧବିଶ୍ୱାସ (ଡଗମା) ଉପରେ ବେଶୀ ଗୁରୁତ୍ୱ ଦେଇଛନ୍ତି। ଏହାକୁ ଗ୍ରହଣୀୟ କରିବାକୁ ଚେଷ୍ଟା କରିଛନ୍ତି। ଟଲ୍‌ଷ୍ଟୟ ସେମିତି ନିଜ ବଡ଼ ପାପକୁ ଲୁଚେଇବାକୁ ଛୋଟ ଛୋଟ ପାପ ଉପରେ ଗୁରୁତ୍ୱ ଦେଇଛନ୍ତି। ଗାନ୍ଧୀଜୀ କିନ୍ତୁ ତାଙ୍କ ଜୀବନ କାହାଣୀର ଶେଷ ପରିଚ୍ଛେଦ ‘ଫେର୍‌ୱେଲ୍‌’ରେ ସେ ଏ ବହି ନିଜ ଆତ୍ମଶୁଦ୍ଧୀକରଣ ପାଇଁ ଲେଖିଛନ୍ତି ବୋଲି ପ୍ରକାଶ କରିଛନ୍ତି।
ନିଜ ଜୀବନକୁ ଏକ ଖୋଲା ସନ୍ଦେଶ କହୁଥିବା ଗାନ୍ଧୀଜୀ ତାଙ୍କର ଦ୍ବିତୀୟ ଜୀବନ କାହାଣୀ (ଆତ୍ମଜୀବନୀ) ଲେଖିବା ପ୍ରୟାସରେ ଆଉ କେବେ ବି ନ ଥିଲେ। ୧୯୪୬ରେ ଏହା ତାଙ୍କର ଶେଷ ଚିନ୍ତା ଥିଲା।
ମୋ: ୯୮୬୧୪୬୯୩୨୮

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.