Breaking News

‘ଗୀତା କଥା’ର ଦ୍ବିତୀୟ ଦିବସ: ‘ଗୀତା ହେଉଛି ମାନବୀୟ ଧର୍ମଶାସ୍ତ୍ର’

ଗୀତା ହେଉଛି ମାନବୀୟ ଧର୍ମଶାସ୍ତ୍ର। କେଉଁ ପରିସ୍ଥିତିରେ ଯୋଗେଶ୍ବର ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ, ତା’ର ତର୍ଜମା କଲେ ପରମେଶ୍ବରଙ୍କ ଉଦ୍ଦେଶ୍ୟ ଜଣାପଡ଼େ। ସମସ୍ତ ଧର୍ମରେ ଇଷ୍ଟ ପୂଜା ଅଛି, ପ୍ରାର୍ଥନା ମଧ୍ୟ ରହିଛି।

ଭୁବନେଶ୍ବର: ଗୀତା ହେଉଛି ମାନବୀୟ ଧର୍ମଶାସ୍ତ୍ର। କେଉଁ ପରିସ୍ଥିତିରେ ଯୋଗେଶ୍ବର ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ, ତା’ର ତର୍ଜମା କଲେ ପରମେଶ୍ବରଙ୍କ ଉଦ୍ଦେଶ୍ୟ ଜଣାପଡ଼େ। ସମସ୍ତ ଧର୍ମରେ ଇଷ୍ଟ ପୂଜା ଅଛି, ପ୍ରାର୍ଥନା ମଧ୍ୟ ରହିଛି। ତେବେ ଭାରତ ବର୍ଷର ଋଷିମୁନି ଗଣ ସମଗ୍ର ବିଶ୍ବକୁ ପାଞ୍ଚହଜାର ବର୍ଷ ତଳେ ‘ବସୁଧୈବ କୁଟୁମ୍ବକମ୍‌’ର ବାର୍ତ୍ତା ଦେଇଥିଲେ। ଗୀତା ହିଁ ଜୀବଜଗତକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର କ୍ଷମତା ରଖେ। ଆଜି ରବୀନ୍ଦ୍ର ମଣ୍ଡପରେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପଞ୍ଚଦିବସୀୟ ‘ଗୀତା କଥା’କାର୍ଯ୍ୟକ୍ରମର ଦ୍ବିତୀୟ ସନ୍ଧ୍ୟାରେ ଏଭଳି ମତ ରଖିଛନ୍ତି ବିଶିଷ୍ଟ ଆଧ୍ୟାତ୍ମିକ ମାର୍ଗଦର୍ଶକ ଗୁରୁ ବ‌ାବା ବଳିଆ। ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ‘ଜୀବନ ଏକ ଗୀତା’ ଆଲୋଚନାଚକ୍ରରେ ବାବା ବଳିଆ କହିଥି‌ଲେ, ସମାଜରେ ଆତ୍ମହତ୍ୟା ହାର ବୃଦ୍ଧି ପାଉଛି। ନିଜେ ନିଜକୁ ବୁଝି ନପାରିବା ଯୋଗୁ ଏଭଳି ପରିସ୍ଥିତି ଉପୁଜୁଛି। ଗୀତାରେ ସମସ୍ତ ପ୍ରଶ୍ନର ଉତ୍ତର ନିହିତ ରହିଛି। ଅନ୍ତତଃ ନିଜ ପାଇଁ ଗୀତା ପାଠ କରିବା ଆବଶ୍ୟକ ବୋଲି ବାବା ମତ ରଖିଥିଲେ। ଏଥିପୂର୍ବରୁ ଦ୍ବିତୀୟ ଦିବସର କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର କୁଅଁର ଉଦ୍‌ଘାଟନ କରିଥିଲେ।

ପୂର୍ବାହ୍‌ଣରେ ଆୟୋଜିତ ପରିବେଶ ଆଲୋଚନାଚକ୍ରରେ ବାବା ବଳିଆଙ୍କ ସହିତ ପରି‌ବେଶବିତ୍‌ ସୁଦର୍ଶନ ଦାସ, କାର୍ଯ୍ୟକ୍ରମର ମୁଖ୍ୟସଂଯୋଜକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପ୍ରଫେସର୍‌ ଆଶୁତୋଷ ଦେବତା, ଯଜ୍ଞାଶିଷ ମହାପାତ୍ର, ଉଦ୍ଭିଦ ବିଜ୍ଞାନୀ ରାମଚନ୍ଦ୍ର ମହାନ୍ତି, ପରିବେଶ କର୍ମୀ ଚିତ୍ତରଞ୍ଜନ ମିଶ୍ର ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅନ୍ତତଃ ୫ଟି ଗଛ ଲଗାଇବାକୁ ଆଲୋଚକମାନେ ମତ ରଖିଥିଲେ। ବହୁ କଲେଜ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ବାବା ପ୍ରଣବାନନ୍ଦ ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ବାବା ରାଧାଶ୍ୟାମ ଦାସ, ବାବା ଶ୍ରୀବତ୍ସ ଦାସ, ବାବା ପରମାତ୍ମା ଦାସ, ବାବା ତ୍ରୈଲୋକ୍ୟନାଥ ଦାସ, ପ୍ରଜ୍ଞାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.