Breaking News

ଗୁଜରାଟରେ ପ୍ରଥମ ଘରୋଇ ସାମରିକ ବିମାନ କାରଖାନା ଉଦ୍‌ଘାଟିତ: ଭାରତରେ ନିର୍ମାଣ ହେବ ସି-୨୯୫ ବିମାନ

ଗୁଜରାଟର ବଡ଼ୋଦରାଠାରେ ଦେଶର ପ୍ରଥମ ଘରୋଇ ସାମରିକ ବିମାନ କାରଖାନା ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ପେନ୍‌ ପ୍ରତିପକ୍ଷ ପେଦ୍ରୋ ସାଞ୍ଚେଜ୍‌ ବହୁ ପ୍ରତୀକ୍ଷିତ ଏହି କାରଖାନାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

0

ନୂଆଦିଲ୍ଲୀ: ଗୁଜରାଟର ବଡ଼ୋଦରାଠାରେ ଦେଶର ପ୍ରଥମ ଘରୋଇ ସାମରିକ ବିମାନ କାରଖାନା ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ପେନ୍‌ ପ୍ରତିପକ୍ଷ ପେଦ୍ରୋ ସାଞ୍ଚେଜ୍‌ ବହୁ ପ୍ରତୀକ୍ଷିତ ଏହି କାରଖାନାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଟାଟା ଆଡ୍‌ଭାନ୍ସଡ୍‌ ସିଷ୍ଟମ୍‌ସ ନାମରେ ଏହି କାରଖାନା ଏୟାରବସ୍‌ ସ୍ପେନ୍‌ ସହଯୋଗରେ ଟାଟା ଆଡ୍‌ଭାନ୍ସଡ୍‌ ସିଷ୍ଟମ୍‌ସ ଲିମିଟେଡ୍‌ କ୍ୟାମ୍ପସରେ ସ୍ଥାପିତ ହୋଇଛି। ଏଠାରୁ ସି-୨୯୫ ବିମାନ ନିର୍ମାଣ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ମୋଟ ୫୬ଟି ବିମାନ ନିର୍ମାଣ କରାଯିବ। ଏଥିରୁ ୧୬ଟି ବିମାନ ଏୟାରବସ୍‌ ‌ସିଧାସଳଖ ଭାବେ ସ୍ପେନରୁ ଆସିବ। ଅବଶିଷ୍ଟ ୪୦ଟି ବିମାନ ବଡ଼ୋଦରାର ଏହି କାରଖାନାରେ ଉତ୍ପାଦନ ହେବ।

‌ଏହି କାରଖାନା ଭାରତର ପ୍ରତିରକ୍ଷା କ୍ଷମତାକୁ ଏକ ନୂଆ ଉଚ୍ଚତାକୁ ନେବ। ଏଠାରେ ବିମାନର ଉତ୍ପାଦନଠାରୁ ଆରମ୍ଭ କରି ଆସେମ୍ବ୍ଲି, ଟେଷ୍ଟିଂ, ଡେଲିଭରି ଏବଂ ରକ୍ଷଣାବେକ୍ଷଣ ଆଦି ସୁବିଧା ଉପଲବ୍ଧ ହେବ। ଅନ୍ୟ ୟୁରୋପୀୟ କମ୍ପାନିଙ୍କ ପାଇଁ ଏହା ରାସ୍ତା ଫିଟାଇବ ବୋଲି ଏହି ଅବସରରେ ସ୍ପେନ ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ସି-୨୯୫ ବିମାନ ଭାରତୀୟ ବାୟୁସେନାର ଏଚ୍‌ଏସ୍‌-୭୪୮ ଏଭ୍ରୋ ବିମାନର ସ୍ଥାନ ନେବ। ପ୍ରଥମଥର ପାଇଁ ଭାରତରେ ସାମରିକ ବିମାନ ଘରୋଇ କମ୍ପାନି ଦ୍ବାରା ନିର୍ମାଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରାୟତ୍ତ ସଂସ୍ଥା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌)ର ଏ କ୍ଷେତ୍ରରେ ଏକଚାଟିଆ କାରବାରରେ ପୂର୍ଣ୍ଣଚ୍ଛେଦ ପଡ଼ିବ।

ଟାଟା ସମେତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌, ଭାରତ ଡାଇନାମିକ୍ସ ଲିମିଟେଡ୍‌ ଏବଂ ଘରୋଇ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଭାରତରେ ସାମରିକ ବିମାନ ନିର୍ମାଣର ଏକ ପରିବେଶ ତିଆରି କରିବେ। ଏହା ଭାରତକୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନର ଏକ କେନ୍ଦ୍ରରେ ପରିଣତ କରିବ। ୨୦୨୧ ମସିହାରେ ୫୬ଟି ସି-୨୯୫ ବିମାନ ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପେନ୍‌ର ଏୟାରବସ୍‌ ଡିଫେନ୍ସ ଆଣ୍ଡ୍‌ ସ୍ପେସ୍‌ ଏସ୍‌ଏ ସହିତ ୨୧,୯୩୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କରିଥିଲା। ୨୦୨୨ ଅକ୍ଟୋବରରେ ଏହି କାରଖାନାର ଶିଳାନ୍ୟାସ ହୋଇଥିଲା। ଏହି କାରଖାନା ଭାରତ ଓ ସ୍ପେନ୍‌ ସଂପର୍କକୁ ଅଧିକ ମଜଭୁତ କରିବ। ‘ମେକ୍‌ ଇନ୍ ଇଣ୍ଡିଆ, ମେକ୍‌ ଫର୍‌ ୱାର୍ଲଡ’ ମିସନ୍‌କୁ ମଧ୍ୟ ଆଗକୁ ନେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏକ ଦଶନ୍ଧି ପୂର୍ବେ ୨୦୧୨ରେ ଏହି ପ୍ରକଳ୍ପ ରତନ ଟାଟାଙ୍କର ପରିକଳ୍ପନା ଥିଲା ବୋଲି ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌ କହିଥିଲେ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.