Breaking News

ଗୃହିଣୀଙ୍କ ରନ୍ଧାଶାଳର ବଇଦ

ପାରମ୍ପରିକ ଭାରତୀୟ ରୋଷେଇଘରେ ବ୍ୟବହୃତ ହେଉଥିବା ମସଲାମସଲି ଯେ ଖାଦ୍ୟକୁ କେବଳ ସୁଆଦିଆ ଓ ସୁଗନ୍ଧିତ କରେ ତା’ ନୁହେଁ, ଅନେକ ମସଲାର ଔଷଧୀୟ ଗୁଣ ରହିଛି। ସେଥିରୁ କିଛି ଆମର ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରନ୍ତି, ଆଉ କିଛି ଦୀର୍ଘଜୀବନର ସୂତ୍ର ବତାନ୍ତି।

ପାରମ୍ପରିକ ଭାରତୀୟ ରୋଷେଇଘରେ ବ୍ୟବହୃତ ହେଉଥିବା ମସଲାମସଲି ଯେ ଖାଦ୍ୟକୁ କେବଳ ସୁଆଦିଆ ଓ ସୁଗନ୍ଧିତ କରେ ତା’ ନୁହେଁ, ଅନେକ ମସଲାର ଔଷଧୀୟ ଗୁଣ ରହିଛି। ସେଥିରୁ କିଛି ଆମର ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରନ୍ତି, ଆଉ କିଛି ଦୀର୍ଘଜୀବନର ସୂତ୍ର ବତାନ୍ତି। କେତକ ମସଲା ଥଣ୍ଡା କାଶ ପାଇଁ ମହୌଷଧି, ପୁଣି ଦେହ ହାତ ଘୋଳାବିନ୍ଧା କି ଅମ୍ଳ ହେବା ଖୋଜାପଡ଼େ ‘ଗୃହିଣୀଙ୍କ ରନ୍ଧାଶାଳର ବଇଦ’ମାନଙ୍କୁ। ଜିରା, ଧନିଆ, ମେଥି, ପାନମହୁରି, ସୋରିଷ, ଜୁଆଣି, ଅଦା, ରସୁଣ, ଅଳେଇଚ, ତେଜପତ୍ର, ହଳଦୀ, କସ୍ତୁରୀ ମେଥି, ଡାଳଚିନି, ଗୋଲମରିଚ, ଶୁଣ୍ଠି, ପିପ୍ପଳୀ ଆଦି ମସଲାଗୁଡ଼ିକ ରୋ‌େଷଇରେ ବ୍ୟବହାର ହେବାସହିତ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ମସଲାମାନଙ୍କ ଉପକାରିତା ବିଷଦ୍‌ ଭାବେ ବର୍ଣ୍ଣନା କରାଯାଇଛି।

 ଜିରା: ଦୈନନ୍ଦିନ ପ୍ରସ୍ତୁତ କରାଯାଉଥିବା ତରକାରିରେ ବ୍ୟବହୃତ ହେଉଥିବା ମସଲା ଦ୍ରବ୍ୟ ମଧ୍ୟରେ ଜିରା ଏକ ପ୍ରମୁଖ ବ୍ୟବହାର ଉପଯୋଗୀ ତଥା ଔଷଧୀୟ ଗୁଣସମ୍ପନ୍ନ ଦ୍ରବ୍ୟ। ଏହା ଜିରାରାଇସ୍‌, ଡାଲି, ସନ୍ତୁଳା ଆଦିରେ ଫୁଟଣ ରୂପେ ବ୍ୟବହାର କରଯାଇଥାଏ। ଏହା ଖାଦ୍ୟର ଗୁଣବତ୍ତା, ବାସ୍ନା, ଖାଦ୍ୟର ସ୍ବାଦ ବଢ଼ାଇବା ସହ ହଜମଶକ୍ତିକୁ ବୃଦ୍ଧି କରିଥାଏ। ଜିରା ମଧ୍ୟ ପାକସ୍ଥଳୀ ଓ ପାଚନ ତନ୍ତ୍ରକୁ ଠିକ୍‌ ରଖିବାରେ ସହାୟକ ହୋଇଥାଏ। ଜିରାକୁ ଖାଦ୍ୟଗ୍ରହଣ ପରେ ଚୋବାଇ ଖାଇବା ଦ୍ୱାରା ଗରିଷ୍ଠ ଖାଦ୍ୟ ହଜମ ହେବା ସହ ଶରୀରର ଓଜନକୁ କେତେକାଂଶରେ ସନ୍ତୁଳିତ ରଖିଥାଏ।
 ଜୁଆଣି: ବିଭିନ୍ନ ମସଲା ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଇଥାଏ। ତା’ ସହ ଏଥିରେ ଔଷଧୀୟ ଗୁଣ ମଧ୍ୟ ଭରିରହିଛି। ଏହାକୁ କଞ୍ଚା ଚୋବାଇ ଖାଇବା କିମ୍ବା ପାଣିରେ ବତୁରାଇ ଉକ୍ତ ପାଣିକୁ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୋଇଥାଏ। ଖାଇବା ହଜମ ହେବାରେ ସାହାଯ୍ୟ କରେ। ପାଟିର ଦୁର୍ଗନ୍ଧ ନାଶ କରେ।
 ମେଥି: ମେଥି ମସଲା ପ୍ରସ୍ତୁତିରେ ଏକ ପ୍ରମୁଖ ଦ୍ରବ୍ୟ। ଏହା ଶରୀର ନିମନ୍ତେ ଅମୃତତୁଲ୍ୟ। ମେଥିକୁ ଉଷୁମ ପାଣିରେ ୨-୩ ଘଣ୍ଟା ବତୁରାଇ ଚୋବାଇ ଖାଇପାରନ୍ତି। ତା’ ସହ ଉକ୍ତ ବତୁରା ପାଣିକୁ ସେବନ କରିବା ଦ୍ୱାରା ପେଟର ବିଭିନ୍ନ ସମସ୍ୟା ଦୂର ହେବା ସହ ଡାଇବେଟିସ୍‌କୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ମେଥି ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜିମ୍‌ ବୃଦ୍ଧି ଘଟିବା ସହିତ ଓଜନକୁ ସନ୍ତୁଳିତ ରଖିଥାଏ। କେଶବୃଦ୍ଧି ପାଇଁ ତଥା କେଶ ଝଡ଼ିବା କମ୍‌ କରିବା ମଧ୍ୟ ମେଥି ବ୍ୟବହୃତ ହୁଏ। ପିଠା ପାଇଁ ବିରି ଓ ଚାଉଳ ବାଟିବା ବେଳେ ଗୋଟେ ଚାମଚ ମେଥି ମିଶାଇ ବାଟିଲେ ପିଠା ନରମ ହୁଏ, ଅମ୍ଳ ହେବାକୁ ଦିଏ ନାହିଁ।
 ରସୁଣ: ଭାରତୀୟ ପ୍ରାଚୀନ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ରସୁଣ ଆମ ଶରୀର ପାଇଁ କିପରି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ ତାହା ବର୍ଣ୍ଣନା କରାଯାଇଛି। ପ୍ରତିଦିନ କଞ୍ଚା ରସୁଣ ୧-୩ ପାଖୁଡ଼ା ଖାଲି ପେଟରେ ଖାଇଲେ ତାହା ଶରୀର ପାଇଁ ଉପକାରୀ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଓ ବେଦନାନାଶକ ଉପାଦାନ ରହିଛି। ଏହା ବଦ ହଜମି, ଥଣ୍ଡା, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଡାଇବେଟିସ୍‌ ଓ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। କଞ୍ଚା ରସୁଣକୁ ଛୋଟ ଛୋଟ କରି କାଟି ଖାଇବା ଉଚିତ। କାରଣ ଏହି କଟା ରସୁଣ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ଏଥିରେ ରହିଥିବା ଜୀବାଣୁନାଶକ ଦ୍ରବ୍ୟ ଅଧିକ କ୍ରିୟାଶୀଳ ହୋଇଥାଏ, ଯାହାକି ଆମ ଶରୀର ପାଇଁ ଯଥେଷ୍ଟ ଉପକାରୀ।
 ହଳଦୀ: କଞ୍ଚାହଳଦୀକୁ ଶିଳରେ ବାଟି ଛୋଟ ଗିଲ ସଦୃଶ କରି ୨ରୁ ୩ଟି ଗୁଳା ଖାଲି ପେଟରେ ଖାଇବା ଦ୍ୱାରା ଶରୀରରେ କୃମି ନଷ୍ଟ ହୋଇଥାଏ। ତା’ସହ ପେଟର ଯାବତୀୟ ରୋଗ ନଷ୍ଟ ହେବାସହ ରକ୍ତ ପରିଷ୍କାର ରହିଥାଏ। ଏହା ଶରୀରରେ ଆଣ୍ଟିବାୟୋଟିକ୍‌ ସଦୃଶ କାମ କରିଥାଏ। କଞ୍ଚାହଳଦୀକୁ ପାଣିରେ ସିଝାଇ ଚାରି ଭାଗରୁ ଭାଗେ ରହିବା ପରେ ସେଥିରେ ମହୁ ମିଶାଇ ପିଇବା ଦ୍ୱାରା ବହୁ ଉପକାର ମିଳିଥାଏ। କଞ୍ଚା ହଳଦୀରେ ୧୦-୧୨ ପ୍ରତିଶତ ଜଳ, ୪-୧୨ ପ୍ରତିଶତ ଫ୍ୟାଟି ଅଏଲ୍‌, ୪-୧୪ ପ୍ରତିଶତ ଏସେନ୍‌ସିଆଲ୍‌ ଅଏଲ, ୫-୧୩ ପ୍ରତିଶତ ମିନେରାଲ୍‌ସ ଏବଂ ୭୦ ପ୍ରତିଶତ କାର୍ବୋହାଇଡ୍ରେଟ୍‌ ଓ ଭିଟାମିନ୍‌-ଇ ମଧ୍ୟ ଥାଏ। ହଳଦୀ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
 ଧନିଆ: ଧନିଆ ଓ ଧନିଆ ପତ୍ର ଖାଦ୍ୟ ତଥା ମସଲାରେ ବ୍ୟବହାର ବହୁ ପୁରାତନ। ଏହା ହୃଦ୍‌ରୋଗ, ପେଟ ରୋଗ, ଅଜୀର୍ଣ୍ଣ, ବାନ୍ତି, ପେଟରେ ଅମ୍ଳ ହେବା ତଥା ବିଭିନ୍ନ ଚର୍ମରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଧନିଆ ପତ୍ର ଖାଦ୍ୟପଦାର୍ଥର ବାସ୍ନା ଓ ସ୍ବାଦ ବଢ଼ାଇ ଥାଏ।
 ପାନମହୁରି: ଭାରତୀୟ ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ପାନମହୁରିକୁ ଘରୋଇ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଏହା ଏକ ସୁଗନ୍ଧ, ରୁଚିକର, ସୁସ୍ବାଦୁ ଦ୍ରବ୍ୟ। ଏହା ବିଭିନ୍ନ ପେଟରୋଗ, ଅମ୍ଳନାଶକ, ବାୟୁନାଶକ, କୋଷ୍ଠକାଠିନ୍ୟ, ପାଟିର ଦୁର୍ଗନ୍ଧ ଦୂର କରିବା ସହ ପାଟିର ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ପାନମହୁରିରେ ଆସ୍‌ପେରିଟିକ୍‌ ଏସିଡ୍‌, ଭିଟାମିନ ସି, ଆମିନୋ ଏସିଡ୍‌, ମ୍ୟାଗ୍ନେସିୟମ୍‌, ମିନେରାଲ୍‌ ଆଦି ତତ୍ତ୍ୱ ରହିଛି। ଏହା ରକ୍ତଚାପ ସହ ଓଜନକୁ ମଧ୍ୟ ସନ୍ତୁଳିତ ରଖେ। ଏହାବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
 ହିଙ୍ଗୁ: ଭାରତୀୟ ରୋଷେଇରେ ହିଙ୍ଗୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବ୍ୟଞ୍ଜନର ସ୍ବାଦ ଓ ସୁଗନ୍ଧ ପାଇଁ ମୁଖ୍ୟତଃ ହିଙ୍ଗୁ ବ୍ୟବହାର କରାଯାଇଥାଏ। ଡାଲିରେ ତଡ଼କା ଦେବା ପାଇଁ ହେଉ କି ତରକାରୀର ସ୍ବାଦ ବୃଦ୍ଧି; ହିଙ୍ଗୁ ସବୁବେଳେ ଆବଶ୍ୟକ ହୋଇଥାଏ। କିନ୍ତୁ ହିଙ୍ଗୁର ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି ଏକଥା ଜାଣିବା ଦରକାର। ଏହା ମୁଣ୍ଡବିନ୍ଧା, ଥଣ୍ଡା, କାଶ, ଛିଙ୍କ, ଚାପ ବା ମାଇଗ୍ରେନ୍ କାରଣରୁ ମୁଣ୍ଡବିନ୍ଧା ହେଉଥିଲେ ହିଙ୍ଗୁ ବ୍ୟବହାର ଦ୍ବାରା ଯଥେଷ୍ଟ ଉପଶମ ମିଳିଥାଏ।
 ଅଦା: ଆୟୁର୍ବେଦରେ ଅଦାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡ଼ିବୁଟି ଭାବରେ ଗଣାଯାଇଛି। ଔଷଧୀୟ ଗୁଣର ଭଣ୍ଡାର ହେଉଛି ଅଦା ଯାହା ଭୋକ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଥଣ୍ଡା ଓ କାଶ ବ୍ୟତୀତ ଅଦା ଶ୍ୱାସଜନିତ ରୋଗ, ଗଣ୍ଠି ଯନ୍ତ୍ରଣା ଓ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଯଦି ଅାପଣ ଅଦା ଦ୍ୱାରା ନିଜ ସ୍ୱାସ୍ଥ୍ୟରେ ଉନ୍ନତି ଅାଣିବାକୁ ଚାହାନ୍ତି, ତେବେ ଆପଣ ଅଦା ପାଣି ପିଇବା ଆରମ୍ଭ କରନ୍ତୁ। ସକାଳେ ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ।
 ଲୁଣ: ଖାଦ୍ୟରେ ଯେତେ ପ୍ରକାରର ମସଲା ପକାଇଲେ ମଧ୍ୟ ଲୁଣ ବିନା ଖାଦ୍ୟଦ୍ରବ୍ୟ ସ୍ୱାଦହୀନ ଅଟେ। ପାହାଡ଼ିଆ ବା ସହଦେବ ଲୁଣ ସ୍ୱଚ୍ଛ ଏବଂ ଏଥିରେ କିଛି ଖଣିଜ ମିଶିଥିବାରୁ ଏହା ସାମାନ୍ୟ ଅନ୍ୟ ରଙ୍ଗର ମଧ୍ୟ ହୋଇଥାଏ। ଏହି ଲୁଣ ମନ୍ଦିରମାନଙ୍କରେ ହେଉଥିବା ରୋଷେଇ ଓ ପୂଜାପର୍ବରେ ପ୍ରସ୍ତୁତ ଖାଦ୍ୟରେ ଅଧିକ ବ୍ୟବହୃତ ହୁଏ। ଏତଦ୍‍ବ୍ୟତୀତ କଳା ରଙ୍ଗର ଲୁଣ ମଧ୍ୟ ରହିଛି। ଏହି କଳା ଲୁଣରେ ଲୌହ ଓ ଗନ୍ଧକ ରହିଛି। ଏହାକୁ ଖାଦ୍ୟଦ୍ରବ୍ୟରେ ପକାଇ ଖାଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ। ଲୁଣଗୁଡ଼ା ସେକ ଭାବେ ମଧ୍ୟ ବ୍ୟବହୃତ କରାଯାଇଥାଏ।
 ସୋରିଷ: ସୋରିଷକୁ ଜିରା, ଅଦା ଆଦି ମସଲା ସ‌ହ ମିଶାଇ ପାରମ୍ପରିକ ଓଡ଼ିଆ ଖାଦ୍ୟ ବେସର ପ୍ରସ୍ତୁତ କରାଯାଏ। ସୋରିଷ ମଞ୍ଜିକୁ ମୁଖ୍ୟତଃ ତେଲ ବାହାର କରିବାରେ ବ୍ୟବ‌ହାର କରାଯାଏ। ରୋଷେଇରେ, ଆଚାର ପ୍ରସ୍ତୁତ କରିବାରେ ମଧ୍ୟ ସୋରିଷ ତେଲ ବ୍ୟବ‌ହାର କରାଯାଏ। ସର୍ଦ୍ଦି ସମୟରେ ସୋରିଷ ତେଲକୁ ରସୁଣ ସ‌ହ ଫୁଟାଇ ଗୋଡ଼ ତ‌ଥା ପାଦରେ ଘସିଲେ, ଥଣ୍ଡା କମେ ଏବଂ ଗୋଡ଼ହାତ ବିନ୍ଧାବିନ୍ଧି କମିଥାଏ। ସୋରିଷ ଗଛର ପତ୍ରକୁ ଶାଗ ରୂପେ ମଧ୍ୟ ଖିଆଯାଏ।
 ଗୋଲମରିଚ: ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗୋଲମରିଚକୁ କୌଣସି ଔଷଧ ସହ ସେବନ କଲେ ତାହା ଔଷଧର ପ୍ରଭାବକୁ ବୃଦ୍ଧି କରିଥାଏ। ଏଥିରେ କ୍ୟାଲ୍‌ସିୟମ୍‌, ଫସ୍‌ଫରସ୍‌ ଓ ଆଇରନ୍‌ ଭଳି ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ମହଜୁଦ୍‌ ଥାଏ। ଲେମ୍ବୁ ପାଣି ସହ ଗୋଲମରିଚ ଓ କଳାଲୁଣ ମିଶାଇ ଦୈନିକ ସେବନ କଲେ ପାଚନତନ୍ତ୍ର ମଜଭୁତ ରହିଥାଏ। ଗୋଲମରିଚ ଗୁଣ୍ଡରେ ସାମାନ୍ୟ ଘିଅ ମିଶାଇ ଖାଦ୍ୟ ସହ ସେବନ କରିପାରିବେ। ଏହାଦ୍ୱାରା କାଶ ଯୋଗୁଁ ହେଉଥିବା ଗଳା ଓ ଛାତି ଯନ୍ତ୍ରଣାରୁ ଲାଘବ ମିଳିଥାଏ। ଉଷୁମ ପାଣିରେ ଗୋଲମରିଚ ଗୁଣ୍ଡ ମିଶାଇ କୁଳି କଲେ ଦାନ୍ତ ମାଢ଼ି ଶକ୍ତ ହୋଇଥାଏ।
 ଲବଙ୍ଗ: ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲବଙ୍ଗକୁ ଏକ ଭଲ ଘରୋଇ ଉପଚାର ଭାବରେ ବ୍ୟବହାର କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ଥିବା ପୋଷକତତ୍ତ୍ୱ ହଜମ ଓ ଅନ୍ତଃନଳୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ଏହା ହଜମକାରୀ ଏନ୍‌ଜାଇମ୍‌ର ଉତ୍ପାଦନକୁ ମଧ୍ୟ ବଢ଼ାଇଥାଏ। ଯାହାଫଳରେ ପେଟ ଫୁଲିବା, ଗ୍ୟାସ୍ ଓ ଅପଚ ଭଳି ବିଭିନ୍ନ ହଜମ ପ୍ରକ୍ରିୟା ହ୍ରାସ ହୋଇଥାଏ। ଲବଙ୍ଗଗୁଡ଼ିକ ଆଣ୍ଟି-ପ୍ଲେକ୍ ଓ ଆଣ୍ଟି-ମାଇକ୍ରୋବିୟଲ୍ ଗୁଣରେ ଭରପୁର ଅଟେ। ଦାନ୍ତକୁ ସୁସ୍ଥ ରଖିବାରେ ଏମାନେ ବହୁତ ସାହାଯ୍ୟ କରନ୍ତି।
 ତେଜପତ୍ର: ତେଜପତ୍ର ହେଉଛି ଏକ ଔଷଧ ଯାହା ଆମ ରୋଷେଇ ଘରେ ସହଜରେ ଉପଲବ୍ଧ। ଏହା ଏମିତି ଏକ ଜଡ଼ିବୁଟି ଯାହାର ଅନେକ ଲାଭ ଅଛି। ଏହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ତେଜପତ୍ରର ଜଳ ଓଜନହ୍ରାସ ପ୍ରକ୍ରିୟାରେ ସାହାଯ୍ୟ କରେ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ଅଟେ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କୋଷ୍ଠକାଠିନ୍ୟ ଓ ଅଦୃଶ୍ୟତା ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.