କଳାବାଡ଼ିଆ: ଗୋଟିଏ ଗଛ କାଟିବା ଅର୍ଥ ୧୦ ଜଣ ମଣିଷଙ୍କ ଜୀବନ ନେବା ସହିତ ସମାନ। ଅବିଚାରିତ ଭାବେ ଜଙ୍ଗଲ କ୍ଷୟ କରିବାରୁ ଜଳବାୟୁ ବିଗିଡ଼ି ଯାଉଛି। ଏଥିସହିତ କେତେକ ଲୋକ ଗ୍ରୀଷ୍ମଦିନରେ ନିଆଁ ଲଗାଇ ଦେବାରୁ ଜଙ୍ଗଲ ବ୍ୟାପକ ଭାବେ କ୍ଷୟ ହେଉଛି। ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ଏସବୁରୁ ରକ୍ଷା ପାଇବାକୁ ହେଲେ ନୂତନ ଜଙ୍ଗଲ ସୃଷ୍ଟି ନିତାନ୍ତ ଆବଶ୍ୟକ। ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ବନଖଣ୍ଡସ୍ତରୀୟ ବନାଗ୍ନି ନିବାରଣ ସଚେତନତା ଓ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ଯଶିପୁର ବିଧାୟକ ଗଣେଶରାମ ସିଂଖୁଣ୍ଟିଆ ଏହା କହିଛନ୍ତି।

‘ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକଲେ ଆଦର୍ଶଗ୍ରାମ ମାନ୍ୟତା’

ବାଙ୍ଗିରିପୋଷି ବ୍ଲକ୍‌ ବ୍ରାହ୍ମଣଗାଁ ପଞ୍ଚାୟତ କାନଛିଡ଼ା ବନ ବିଭାଗ ଡାକବଙ୍ଗଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସାଂପ୍ରତିକ ପରିସ୍ଥିତିରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂପର୍କରେ ଆଲୋକପାତ କରିଥିଲେ।।  ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ସଞ୍ଜଲୀ ମୁର୍ମୁ, ସାଂସଦ ପ୍ରତିନିଧି ସୁଗଦା ମୁର୍ମୁ ଅତିଥି ଭାବରେ ଯୋଗଦେଇ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗନାନି କହିଥିଲେ ଯେ ଯେଉଁ ଗାଁର ଲୋକେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବେ, ସେହି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ କରାଯିବ।

ଏହି ଅବସରରେ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିଥିବା ବିଶୋଇ ବ୍ଲକ୍‌ ତଲକବାଦି ମାଟିଆଳି ସାହିର ମା’ ହାଁସଲି ସ୍ବୟଂସହାୟିକ ଗୋଷ୍ଠୀ ଓ ବାଙ୍ଗିରିପୋଷି ବ୍ଲକ୍‌ ବ୍ରାହ୍ମଣ ଗାଁ ପଞ୍ଚାୟତ ଘାଟ କୁଆଁରୀ ଗ୍ରାମର ମା’ ଗଜଲକ୍ଷ୍ମୀ ସ୍ବୟଂ ସହାୟିକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍ତର ବନଖଣ୍ଡ ଅଧିକାରୀ ସାଇ କିରଣ, ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶ, ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ, ତାଳବନ୍ଧ ରେଞ୍ଜର ଶୈଳେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମୁର୍ମୁ, ପାର୍ବତୀ ସିଂ ଉପସ୍ଥିତ ଥିଲେ। ସେହିପରି, ବିଡିଓ ଶିବଶଙ୍କର ମୁର୍ମୁ, ତହସିଲଦାର ରଘୁନାଥ ଟୁଡୁ, ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପୁଷ୍ପା ପାତ୍ର, ଥାନା ଅଧିକାରୀ ରୋଜାଲିନ ବେହେରାଙ୍କ ସମେତ ବନକର୍ମଚାରୀ ସହିତ ଅଗ୍ନିଶମ ବାହିନୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।