Breaking News

ଗୋତି ପ୍ରଥାରୁ ମୁକ୍ତି ପ୍ରସଙ୍ଗ

‘ଗୋତି’ ଶବ୍ଦର ଅର୍ଥ ଖୋଜିଲେ ସଂବିଧାନ ବା ଗୋତି ଶ୍ରମିକ ଉଚ୍ଛେଦ ଆଇନ, ୧୯୭୬ରେ ମିଳିବ ନାହିଁ। ତେବେ ଏହାର ଏକ ସ୍ଥୂଳ ପରିଭାଷା ହେଲା ବନ୍ଧା ପଡ଼ିଥିବା ଶ୍ରମିକ। ବହୁ ବର୍ଷ ଧରି ଏହି ଶବ୍ଦ ଓଡ଼ିଶାରେ ପ୍ରଚଳିତ ହୋଇଆସିଛି।

ଲକ୍ଷ୍ମୀଧର ମିଶ୍ର

‘ଗୋତି’ ଶବ୍ଦର ଅର୍ଥ ଖୋଜିଲେ ସଂବିଧାନ ବା ଗୋତି ଶ୍ରମିକ ଉଚ୍ଛେଦ ଆଇନ, ୧୯୭୬ରେ ମିଳିବ ନାହିଁ। ତେବେ ଏହାର ଏକ ସ୍ଥୂଳ ପରିଭାଷା ହେଲା ବନ୍ଧା ପଡ଼ିଥିବା ଶ୍ରମିକ। ବହୁ ବର୍ଷ ଧରି ଏହି ଶବ୍ଦ ଓଡ଼ିଶାରେ ପ୍ରଚଳିତ ହୋଇଆସିଛି। ସାଧାରଣ ଲୋକଙ୍କ ବୁଝିବା ଲାଗି ଗୋତି ହେଉଛି ଋଣଦାତା ଓ ଋଣଗ୍ରହୀତାଙ୍କ ମଧ୍ୟରେ ଥିବା ସଂପର୍କ। ଋଣଗ୍ରହୀତା ଅତ୍ୟନ୍ତ ଦରିଦ୍ର ଓ ସମ୍ବଳଶୂନ୍ୟ ବ୍ୟକ୍ତି ହୋଇଥିଲେ ନିଜର ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ ପାଇଁ ହେଉ ବା କୌଣସି ପାରିବାରିକ ଉତ୍ସବ ଆଦି ଲାଗି ହେଉ; ଖର୍ଚ୍ଚ ତୁଲାଇବା ସକାଶେ ଋଣ ନେଲେ ଚକ୍ରବୃଦ୍ଧି ହାରରେ ବୃଦ୍ଧି ପାଉଥିବା ସୁଧ ହେତୁ ପରିଶୋଧ କରିବା ଅଗତ୍ୟା ସାଧ୍ୟାତୀତ ହୋଇପଡ଼େ। ଏଣୁ ଋଣ ବୋଝରୁ ମୁକ୍ତି ପାଇବା ପାଇଁ ସେ କମ୍ ମଜୁରିରେ ଋଣଦାତାଙ୍କ ପାଖରେ କାମ କରିବାକୁ ବାଧ୍ୟ ହୁଏ। ମଜୁରିର ପରିମାଣ ଅତ୍ୟନ୍ତ କମ୍ ଥାଏ। ଏଣେ ଋଣ ସହିତ ସୁଧ ମିଶି ତାହା ଏତେ ବଢ଼ିଯାଏ ଯେ ଋଣ ପରିଶୋଧ ପ୍ରଶ୍ନାତୀତ ହୋଇଯାଏ, କାଳକ୍ରମେ ଋଣଗ୍ରହୀତାଙ୍କ ପିଢ଼ି ପରେ ପିଢ଼ି ଋଣଦାତାଙ୍କ ପରିବାର ଲାଗି ନାଁକୁ ମାତ୍ର ମଜୁରିରେ କାମ କରନ୍ତି। ସୁତରାଂ, ଏଭଳି ଭାବେ ଗୋତି ଶ୍ରମିକ ପ୍ରଥା ସୃଷ୍ଟି ହୋଇଯାଏ। କହିବା ବାହୁଲ୍ୟ ଯେ କ୍ରୀତଦ‌ାସ ପ୍ରଥା ଭଳି ଏହା ଏକ ଜଘନ୍ୟ ଓ ଅମାନୁଷିକ ପ୍ରଥା। ତେବେ କେବଳ ଋଣ କାରଣରୁ ଏଭଳି ପ୍ରଥାର ଜନ୍ମ ନୁହେଁ। କେତେକ ପରମ୍ପରା, ଦାଦନ (ଅଗ୍ରୀମ ଭାବେ ଟଙ୍କା ନେବା) ଓ ମନୁଷ୍ୟ ଚାଲାଣ ଭଳି ସ୍ଥିତିରୁ ମଧ୍ୟ ଗୋତି ପ୍ରଥା ସୃଷ୍ଟି ହୋଇଥାଏ। ଉତ୍କଟ ଦାରିଦ୍ର୍ୟ ଓ ଭିକ୍ଷା ବୃତ୍ତି, ମନୁଷ୍ୟ ଚାଲାଣ ଓ ବାଧ୍ୟ-ବାଧକତା କାରଣରୁ ମନୁଷ୍ୟମାନେ କଠିନ ଶ୍ରମ ଓ ଶୋଷଣର ଚକ୍ର ମଧ୍ୟକୁ ଠେଲି ହୋଇଯିବାରୁ ରୋକିବା ଲାଗି ସଂବିଧାନର ଧାରା ୨୩ରେ ବ୍ୟବସ୍ଥା କରାଯାଇଛି। ଏଭଳି କାର୍ଯ୍ୟରେ ଲିପ୍ତ ରହିବା ଦଣ୍ଡନୀୟ ଅପରାଧ। ମାତ୍ର ଅତ୍ୟନ୍ତ କ୍ଷୋଭର ବିଷୟ ଯେ ସଂବିଧାନ କାର୍ଯ୍ୟକାରୀ ହେବାର ୨୬ ବର୍ଷ ପରେ ଯାଇ ଗୋତି ଶ୍ରମିକ ନିରୋଧ ଆଇନ ପ୍ରଣୟନ କରାଯାଇଥିଲା ଏବଂ ଆଇନ ପ୍ରଣୟନ ହେବା ପରେ ପ୍ରାୟ ପାଞ୍ଚ ଦଶକ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏହି ଘୃଣ୍ୟ ପ୍ରଥାର ସଂପୂର୍ଣ୍ଣ ଉନ୍ମୂଳନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ।

୧୯୭୬ ମସିହାର ଗୋତି ଶ୍ରମିକ ଉଚ୍ଛେଦ ଆଇନରେ କେତେଗୁଡ଼ିଏ ବୈଶିଷ୍ଟ୍ୟ ଅଛି। ଆଇନର ଧାରା ୬,  ୭,  ୮ ଓ ୯ରେ ମୁକ୍ତ ହୋଇଥିବା ଗୋତି ଶ୍ରମିକଙ୍କ ଲାଗି ଅନେକ ନ୍ୟାୟସଂଗତ ଅଧିକାରର ବ୍ୟବସ୍ଥା କରାଯାଇଛି। ଏହି ଆଇନର ଧାରା ୧୦, ୧୧ ଓ ୧୨ରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ କ୍ଷମତା ଦିଆଯାଇଛି ଯେ ସେମାନେ ଗୋତି-ମୁକ୍ତ ଶ୍ରମିକମାନଙ୍କ ଦୈହିକ, ମାନସିକ, ସାମାଜିକ ଓ ଅର୍ଥନୈତିକ ଥଇଥାନ କରିପାରିବେ। ଏହି ଘୃଣ୍ୟ ପ୍ରଥାକୁ ପ୍ରୋତ୍ସାହନ ଦେଉଥିବା ଲୋକଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ କରିପାରିବେ। ଆଇନର ୧୩ ଓ ୧୪ ଧାରା ଅନୁଯାୟୀ ଜିଲ୍ଲା ଓ ଉପଜିଲ୍ଲା ସ୍ତରରେ ‘ସତର୍କତା ସମିତି’ଗୁଡ଼ିକୁ ଠିକ୍ ଭାବରେ ଗଠନ ଓ କାର୍ଯ୍ୟକ୍ଷମ କରାଯିବା ଆବଶ୍ୟକ। ତା’ ହେଲେ ଗୋତି-ମୁକ୍ତ ଶ୍ରମିକମାନଙ୍କ ଉପଯୁକ୍ତ ପୁନର୍ବାସ ସମ୍ଭବ ହେବ।

ସର୍ବଭାରତୀୟ ସେବାରେ ନିଯୁକ୍ତ ଅଧିକାରୀ ଭାବେ ଏହି ଲେଖକ ଏଭଳି ଅନେକ ବଞ୍ଚିତ, ପୀଡ଼ିତ ଓ ହତଭାଗ୍ୟ ଲୋକଙ୍କ ସହିତ ମିଶିବା ଓ ସେମାନଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇଛି। ସେହି କ୍ରମରେ ଏମାନଙ୍କ ଠାରେ ଥିବା ମାନବିକ ମୂଲ୍ୟବୋଧ, ସରଳ ଓ ନିଷ୍କପଟ ଚରିତ୍ର, ଏମାନଙ୍କ ଅନନ୍ୟ ଅତିଥି ପରାୟଣତା ଦ୍ବାରା ଅଭିଭୂତ ହୋଇଛି, ଯେଉଁମାନେ ବରେଣ୍ୟ ଲେଖକ ସ୍ବର୍ଗତ ଗୋପୀନାଥ ମହାନ୍ତିଙ୍କ ଭାଷାରେ ବାସ୍ତବରେ ଅମୃତର ସନ୍ତାନ। ଏମାନେ ନିରକ୍ଷର ହୋଇପାରନ୍ତି, ହେଲେ ଏମାନଙ୍କ ଚିନ୍ତାଧାରାରେ ପରିପକ୍ବତା ଏବଂ ଆଚରଣରେ ସ୍ଥିରତା ଓ ଧୈର୍ଯ୍ୟ ଥାଏ। ସେମାନେ ଅସଂଗଠିତ ହୋଇଥିବାରୁ ବର୍ଷ ବର୍ଷ ଧରି ଅନ୍ୟାୟ ଓ ଶୋଷଣର ଶିକାର ହୋଇଆସିଛନ୍ତି। ସେମାନଙ୍କ ଜୀବନର ବେଦନାକୁ ମର୍ମସ୍ପର୍ଶୀ ଭାଷାରେ ପ୍ରକାଶ କରିଛନ୍ତି ଦେବବ୍ରତ ବନ୍ଦ୍ୟୋପାଧ୍ୟାୟଙ୍କ ଏଭଳି ଏକ ପଙ୍‌କ୍ତି: ‘ମୁଁ ଅନ୍ଧାରରେ ଯାଏ,
ମୁଁ ଅନ୍ଧାରରେ ଆସେ,
ମୋର ସମସ୍ତ ଜୀବନ କେବଳ ଅନ୍ଧାରରେ ଭରା
ଏଥିରେ ଟିକିଏ ମାତ୍ର ଆଲୋକ ନାହିଁ।’
ଅବଶ୍ୟ, ଆଇନର ବିଭିନ୍ନ ବ୍ୟବସ୍ଥାଗୁଡ଼ିକର ସକାରାତ୍ମକ ତର୍ଜମା କରି ଉଚ୍ଚତମ ନ୍ୟାୟାଳୟ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ଓ ଐତିହାସିକ ରାୟ ଦେଇଛନ୍ତି। ଏଭଳି କେତେକ ନିର୍ଦ୍ଦେଶ ଉଲ୍ଲେଖନୀୟ, ଯାହା ସର୍ବେକ୍ଷଣ ମାଧ୍ୟମରେ ଗୋତି ଶ୍ରମିକମାନଙ୍କର ଚିହ୍ନଟ, ସେମାନଙ୍କୁ ବନ୍ଧନରୁ ମୁକ୍ତ କରିବା, ମୁକ୍ତିର ପ୍ରମାଣପତ୍ର ଜାରି କରିବା ଓ ମୁକ୍ତ ହୋଇଥିବା ଶ୍ରମିକମାନଙ୍କର ସାମଗ୍ରିକ ଥଇଥାନ ଉପରେ ଗୁରୁତ୍ବ ପ୍ରଦାନ କରିଥାଏ। ‌େତ‌େବ, ଏ ସମସ୍ତ ପ୍ରକ୍ରିୟା ସମାନୁଭୂତପୂର୍ଣ୍ଣ ଓ ସମ୍ବେଦନଶୀଳ ମନୋବୃତ୍ତି ସହିତ ସଂପାଦିତ ହେବା ଆବଶ୍ୟକ। ପ୍ରତ୍ୟେକ ମୁକ୍ତ ଗୋତି ଶ୍ରମିକ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସର୍ବାଧିକ ଆବଶ୍ୟକ। ଏହା ନ ହେଲେ ମୁକ୍ତ ହୋଇଥିବା ଶ୍ରମିକ ପୂର୍ବର ଶୋଷଣର ବଳୟ ଭିତରକୁ ଫେରିଯାଇ ପାରନ୍ତି। ସମସ୍ତେ ଜାଣିବା ଉଚିତ ଯେ ଯଦି ଜଣେ ଶ୍ରମିକକୁ ସର୍ବନିମ୍ନ ମଜୁରିରୁ ବଞ୍ଚିତ କରାଯାଏ (ଯାହା ତା’ର ପ୍ରାପ୍ୟ ଓ ମୌଳିକ ଅଧିକାର), ତେବେ ସେ ବାଧ୍ୟତାମୂଳକ ଶ୍ରମର ଶିକାର ବୋଲି କୁହାଯିବ, ଯାହା ମଧ୍ୟ ଗୋତି ପ୍ରଥା ସହିତ ସମାନ। ଗୋତି ଶ୍ରମିକମାନଙ୍କର ଚିହ୍ନଟ ଯେତିକି ଜରୁରି, ତା’ ଠାରୁ ଅଧିକ ଜରୁରି ସେମାନଙ୍କ ମୁକ୍ତି ଓ ତା’ ପରବର୍ତ୍ତୀ ପୁନର୍ବାସ। ଏଥିରେ ସ୍ବେଚ୍ଛାସେବୀ ସଂସ୍ଥାମାନଙ୍କୁ ସାମିଲ କରାଯିବା ଜରୁରି।
ପ୍ରତ୍ୟେକ ମନୁଷ୍ୟର ଦୈହିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ଅଧିକାର ଅଛି। ଏଥି ପାଇଁ ଲୋ‌ଡ଼ା ସଚେତନତା, ସତର୍କତା, ପରିପକ୍ବତା, ଦୈହିକ ଓ ମାନସିକ ଶକ୍ତି, ସାମର୍ଥ୍ୟ, କୌଶଳ, ଧୈର୍ଯ୍ୟ ଓ ସହନଶୀଳତା। ଏହାଛଡ଼ା ଆବଶ୍ୟକ ଏକ ଉନ୍ମୁକ୍ତ ଓ ଅନୁକୂଳ ବାତାବରଣ। ସମାଜରେ ସମାନତା ଆଣିବାକୁ ହେଲେ ଜଣେ ମନୁଷ୍ୟ ଆଉ ଜଣଙ୍କର ସ୍ବତନ୍ତ୍ରତା, ସମ୍ମାନ ଓ ଗରିମାକୁ ସମ୍ମାନ ପ୍ରଦାନ କରିବା ଆବଶ୍ୟକ। ପ୍ରଫେସର ଅମର୍ତ୍ତ୍ୟ ସେନ୍ କହିଛନ୍ତି ଯେ ସ୍ବାଧୀନତା ଓ ବିକାଶ ମଧ୍ୟରେ ଏକ ସୁନ୍ଦର ଯୋଗସୂତ୍ର ରହିଛି। ବିକାଶ ପାଇଁ ସ୍ବାଧୀନତା ଅତ୍ୟାବଶ୍ୟକ। ସ୍ବାଧୀନତା ବୋଇଲେ ଶାରୀରିକ, ମାନସିକ, ଚେତନାଗତ ଓ ଆର୍ଥିକ ସ୍ବାଧୀନତା। ଦାରିଦ୍ର୍ୟ, କ୍ଷୁଧା, ଅନାହାର, କୁପୋଷଣ, ବ୍ୟାଧି, ବାସହୀନତା ଇତ୍ୟାଦି ଦ୍ବାରା ଜଣେ ମନୁଷ୍ୟ ନିଜୁକ ସ୍ବତନ୍ତ୍ର ବା ସ୍ବାଧୀନ ଭାବେ ରଖିପାରେ ନାହିଁ। ତେଣୁ ଉପରୋକ୍ତ ବିନ୍ଦୁଗୁଡ଼ିକ ଉପରେ ଦୃଷ୍ଟି ଦେଇ ଏହି ଘୃଣ୍ୟ ପ୍ରଥାକୁ ସଂପୂର୍ଣ୍ଣ ଭାବେ ଦୂର କରିବା ଉଚିତ।
(ମତାମତ ଲେଖକଙ୍କ ନିଜସ୍ବ)
ପ୍ରାକ୍ତନ କେନ୍ଦ୍ର ଶ୍ରମ ଓ ସଂସଦୀୟ ବ୍ୟାପାର ସଚିବ
ମୋ: ୦୯୫୬୦୨୦୨୩୫୨

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.